Unknown

 

 

 

 

 

ଅଷ୍ଟାଦଶୀ

ଶ୍ରୀ ନିମାଇଁ ଭଟ୍ଟାଚାର୍ଯ୍ୟ

 

ଭାଷାନ୍ତର

ଶଙ୍କର୍ଷଣ ପଣ୍ଡା

 

ଅଗ୍ରଲେଖ

 

ବଙ୍ଗଳାର ପ୍ରଖ୍ୟାତ ଔପନ୍ୟାସିକ ନିମାଇଁ ଭଟ୍ଟାଚାର୍ଯ୍ୟଙ୍କ ବଙ୍ଗଳା ଭାଷାରେ ରଚିତ ଉପନ୍ୟାସ ‘ଅଷ୍ଟାଦଶୀ’ ଏକ ସଫଳ ସୃଷ୍ଟି । ଓଡ଼ିଶା ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ଓଡ଼ିଆ ଭାଷାରେ ରଚିତ ସାହିତ୍ୟ ସୃଷ୍ଟିକୁ ଅନ୍ୟ ଭାରତୀୟ ଭାଷା ଓ ଅନ୍ୟ ଭାରତୀୟ ଭାଷାରେ ରଚିତ ସଫଳ ସାହିତ୍ୟ ସୃଷ୍ଟିକୁ ଓଡ଼ିଆ ଭାଷାରେ ଅନୁବାଦ କରି ପାଠକଙ୍କ ନିକଟରେ ପହଞ୍ଚାଇବାପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଏହି ବଙ୍ଗଳା ଉପନ୍ୟାସ ଅଷ୍ଟାଦଶୀର ଓଡ଼ିଆ ଅନୁବାଦ ପ୍ରକାଶ କରିବାପାଇଁ ପ୍ରୟାସ କରିଛନ୍ତି । ଉପନ୍ୟାସଟିକୁ ଓଡ଼ିଆ ସାହିତ୍ୟର ଜଣାଶୁଣା ଲେଖକ ଶ୍ରୀ ଶଙ୍କର୍ଷଣ ପଣ୍ଡା ଓଡ଼ିଆ ଭାଷାରେ ଅନୁବାଦ କରିଛନ୍ତି । ଉପନ୍ୟାସର ବିଷୟବସ୍ତୁକୁ ଦୃଷ୍ଟିରେ ରଖି ଅନୁବାଦକ ଶ୍ରୀ ପଣ୍ଡା ବଙ୍ଗଳା ଭାଷାର ମୂଳ ଶାବ୍ଦିକ ବିଭବକୁ ଅକ୍ଷୂର୍ଣ୍ଣ ରଖି ତା'ର ଯଥାର୍ଥ ଓଡ଼ିଆ ପ୍ରତିଶବ୍ଦ ପ୍ରୟୋଗ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ଶ୍ରୀ ପଣ୍ଡା କଲିକତା ବିଶ୍ୱବିଦ୍ୟାଳୟର ଜଣେ କୃତୀ ଛାତ୍ର । ତାଙ୍କର ବଙ୍ଗଳା ଭାଷା ଅଧ୍ୟୟନ, ପଠନ ତଥା ଆଲୋଚନା ଉପରେ ଥିବା ଦକ୍ଷତା ଯୋଗୁଁ ପୁସ୍ତକଟି ସଫଳ ଅନୁସୃଜନ ବୋଲି ବିବେଚନା କରାଯାଏ । ଆଶା କରୁଛି ପୁସ୍ତକଟି ପାଠକମାନଙ୍କଦ୍ୱାରା ଆଦୃତିଲାଭ କରିବ ।

 

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ                                                 ଜୟନ୍ତୀ ରଥ

 

ମୁଖବନ୍ଧ

 

ବଙ୍ଗଳା ଭାଷା ସହିତ ମୋର ଘନିଷ୍ଠତା ହୁଏ ମୁଁ କଲିକତା ବିଶ୍ୱବିଦ୍ୟାଳୟରେ ଛାତ୍ର ଥିବାବେଳେ ୧୯୫୯ରୁ ୧୯୬୪ ଯାଏ । ପ୍ରସଙ୍ଗକ୍ରମେ କୁହାଯାଇପାରେ ଯେ ବଙ୍ଗଳା ଭାଷା ଖୁବ୍ ଶ୍ରୁତି ମଧୁର ଏବଂ ସହଜରେ ବୋଧଗମ୍ୟ । ଓଡ଼ିଆ, ବଙ୍ଗଳା ଓ ଆସାମୀ ଭାଷାକୁ ତିନି ସହୋଦରା ଭଗ୍ନୀ କୁହାଯାଇପାରେ ।

 

ନିଃସନ୍ଦେହରେ କୁହାଯାଇପାରେ ଯେ ବଙ୍ଗଳା ଏକ ସମୃଦ୍ଧ ଭାଷା । ମୁଁ ବଙ୍ଗଳାର ବିଶିଷ୍ଟ ଲେଖକ ତାରା ଶଙ୍କର ବନ୍ଦୋପାଧ୍ୟାୟ, ଶଙ୍କର, ବିଭୂତି ଭୂଷଣ ବନ୍ଦୋପାଧ୍ୟାୟ, ନିମାଇଁ ଭଟ୍ଟାଚାର୍ଯ୍ୟ ଓ ସୁଶୀଲ ଚନ୍ଦ୍ର ଦାସଙ୍କର ସମଧିକ ଉପନ୍ୟାସ ଓଡ଼ିଆରେ ଅନୁବାଦ କରିଛି । ପ୍ରଖ୍ୟାତ ବଙ୍ଗଳା ଲେଖକମାନଙ୍କର ଷାଠିଏରୁ ଉର୍ଦ୍ଧ୍ୱ ଗଳ୍ପ ଅନୁବାଦ କରିଛି ଯାହାକି ବିଭିନ୍ନ ଓଡ଼ିଆ ପତ୍ର ପତ୍ରିକାରେ ସ୍ଥାନିତ ହୋଇ ବିପୁଳ ପାଠକୀୟ ଆଦୃତି ଲାଭ କରିଛି ।

 

ମୁଁ ଶ୍ରୀ ନିମାଇଁ ଭଟ୍ଟାଚାର୍ଯ୍ୟଙ୍କ ଲେଖା ‘ଅନୁରାଗିଣୀ’କୁ ଅନୁବାଦ କରି ତାଙ୍କ ପାଖକୁ ଦୁଇ କପି ପଠାଇବା ପରେ ତାଙ୍କ ସହିତ ମୋର ଟେଲିଫୋନ୍ ମାଧ୍ୟମରେ ବ୍ୟକ୍ତିଗତ ସମ୍ପର୍କ ସ୍ଥାପିତ ହେଲା । ସେ ତାଙ୍କଦ୍ୱାରା ଲିଖିତ ଆଉ ୧୦ଟି ବହି ମୋ ପାଖକୁ ପଠାଇଲେ । "ଅଷ୍ଟାଦଶୀ' ସେଥି ମଧ୍ୟରୁ ଅନ୍ୟତମ ।

 

ଉଭୟ ବଙ୍ଗଳା ଓ ଓଡ଼ିଆ ଭାଷାରେ ମୋର ଗଭୀର ଅନୁପ୍ରବେଶ ଥିବାରୁ ମୋ ଅନୁବାଦ ରସାଳ ତଥା ଆମୋଦଦାୟକବୋଲି ପାଠକମାନେ ମତ ଦିଅନ୍ତି । ମୋଦ୍ୱାରା ଅନୂଦିତ ‘ସମ୍ରାଟ ଓ ସୁନ୍ଦରୀ’', ‘କାଳିନ୍ଦୀ’, ‘ଅନୁରାଗିଣୀ’ର ଦ୍ୱିତୀୟ ସଂସ୍କରଣ ଓ ‘ଜାତିସ୍ମର କଥା’ର ତୃତୀୟ ସଂସ୍କରଣ ପ୍ରକାଶିତ ହେବା ନିଶ୍ଚିତରେ ଆନନ୍ଦର ବିଷୟ ।

 

ଶ୍ରୀ ଭଟ୍ଟାଚାର୍ଯ୍ୟ ବଙ୍ଗଳାରେ ପ୍ରାୟ ୧୫୦ରୁ ଅଧିକ ଉପନ୍ୟାସର ସଫଳ ସ୍ରଷ୍ଟା । ସଂଶିତ ଗ୍ରନ୍ଥଟି ଏକ ବିୟୋଗାନ୍ତକ ଦୃଶ୍ୟପଟରେ ସମାପ୍ତି ଲାଭ କରିଛି । ଉପନ୍ୟାସର ନାୟକ ଜଣେ ବିଦ୍ୱାନ ସଂଭ୍ରମଶୀଳ ଓ ସଂଯମୀ, କର୍ତ୍ତବ୍ୟ ପରାୟଣ ଯୁବ ଅଧ୍ୟାପକ । ସେମିତି ନାୟିକା ଜଣେ ସୁନ୍ଦରୀ, ମଧୁର ମିତଭାଷିଣୀ, ସୁଲଳିତ କଣ୍ଠରେ ସୁଗାୟିକା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପିତ ହୋଇଛି । ସେ ସମ୍ପର୍କ ପବିତ୍ର, ସାତ୍ତ୍ୱିକ ଓ ସ୍ୱର୍ଗୀୟ । ବହୁ ଘାତସଂଘାତ ଭିତରେ ଉପନ୍ୟାସର କଥାବସ୍ତୁ ଗତିଶୀଳ ହୋଇଛି । ଅବଶେଷରେ ନିରାଶ୍ରୟା ନାୟିକାକୁ ନାୟକ ବିବାହ କରିଛି ତାଙ୍କ ପି.ଏଚଡ଼ି ଗୁରୁ ଓ ଗୁରୁ ପତ୍ନୀଙ୍କ ଅନୁରୋଧରେ । ପରିସ୍ଥିତି କ୍ରମେ ଏକ ଅଜଣା ବ୍ୟାଧିରେ ନାୟିକାର ଆକସ୍ମିକ ତିରୋଧାନ ଘଟିଛି ।

 

ଭାଷା ଓ ଭାବର ସୁସଂଯୋଜନା ଆରମ୍ଭରୁ ଶେଷଯାଏ ପାଠକୀୟ ଆବେଗକୁ ବାନ୍ଧିରଖେ ଓ ନାୟିକାର ବିୟୋଗରେ ପାଠକଟିଏ ଦୁଃଖରେ ମ୍ରିୟମାଣ ହୋଇପଡ଼େ । ଭାଷାର ସାବଲୀଳତା ବହୁ ସ୍ଥାନରେ ପାଠକକୁ ମୋହଗ୍ରସ୍ତ କରାଏ । ଗ୍ରନ୍ଥଟି ନିଶ୍ଚିତରେ ପାଠକୀୟ ଆଦୃତି ଲାଭ କରିବ, ଏଥିରେ ସନ୍ଦେହ ନାହିଁ ।

ଶଙ୍କର୍ଷଣ ପଣ୍ଡା

ଅନୁବାଦକ

 

॥ ଏକ ॥

 

କଲେଜ ସର୍ଭିସ୍ କମିଶନ୍‌ଙ୍କ ରେଜିଷ୍ଟ୍ରି ଚିଠି ଦେଖୁ ଦେଖୁ ସାର୍ଥକର ମନ ନାଚି ଉଠିଲା । ତାପରେ ଖୋଳରୁ ଚିଠିଟା ବାହାର କରି ପାଗଳ ଭଳି ଚିତ୍‌କାର କରି ଉଠିଲା-ଦିଦି ଭାଇ ! ମୁଁ ଲେକ୍‌ଚରର୍ ଚାକିରି ପାଇଛି ।

 

ତା’ର ଚିତ୍କାର ଶୁଣି ତୃଣା ଧାଇଁ ଆସି ତାକୁ କୁଣ୍ଢାଇ ଧରି କହିଲା-ମୁଁ ଜାଣିଥିଲିରେ କୁନି ଭାଇ, ତୋର ଚାକିରି ହେବ ହିଁ ହେବ ।

 

ଆଜି ଶନିବାର । ପବିତ୍ର ମଧ୍ୟ ଘରେ ଅଛି । ଛୋଟଭାଇର ଚିଠିର ଉତ୍ତର ଲେଖା ବନ୍ଦକରି ସେ ମଧ୍ୟ ଆଗେଇ ଆସି ସାର୍ଥକର ମୁହଁଟିକୁ ଦୁଇହାତରେ ଧରି କହିଲେ-ଯାହାହେଉ, ତୁମେ ତା’ହେଲେ ମା’ର ସ୍ୱପ୍ନ ସାର୍ଥକ କଲ । ଯା’ ଯା’ ବାପା, ମା’ଙ୍କର ଫଟୋକୁ ପ୍ରଣାମ କର ।

 

ସାର୍ଥକ ତରବରରେ ପବିତ୍ର ଓ ତୃଣାଙ୍କୁ ପ୍ରଣାମ କରି ଟିକିଏ ହସି କହିଲା-ହଠାତ୍ ଏକ୍‌ସାଇଟେଡ଼୍‍ ହୋଇ ଆପଣମାନଙ୍କୁ ପ୍ରଣାମ କରିବାକୁ ଭୁଲି ଯାଇଥିଲି ।

 

ସାର୍ଥକ ଆଉ ମୁହୂର୍ତ୍ତେ ବିଳମ୍ବ ନ କରି ଦିଦିଙ୍କ ଶୋଇବା ଘରକୁ ଯାଇ ମା’ ବାପାଙ୍କ ଫଟୋ ଆଗରେ କେତେ ସମୟ ଅପଲକ ଦୃଷ୍ଟିରେ ଚାହିଁ ରହିଲା । ତା’ପରେ ମନେ ମନେ କହିଲା, ମା’ ! ତୁମେ କହିଥିଲ, ବାପା ଅତ୍ୟନ୍ତ ମେଧାବୀ ଛାତ୍ର ହେବାସତ୍ତ୍ୱେ ଅଭାବ ଅନଟନପାଇଁ ଏମ୍‌.ଏ. ପଢ଼ି ପାରିଲେ ନାହିଁ । ତମେ ଶତ ସହସ୍ରଥର କହିଛ, ତତେ ଏମ୍‌.ଏ. ପାଶ୍ କରିବାକୁ ପଡ଼ିବ । ମା’ ମୁଁ କେବଳ ଏମ୍‌.ଏ. ପାଶ୍ କରି ନାହିଁ, କଲେଜରେ, ଲେକ୍‌ଚରର୍ ଚାକିରି ମଧ୍ୟ ପାଇଗଲି ।

 

ଫଟୋ ଦୁଇଟିରେ ମୁଣ୍ଡ ଲଗାଇ ପ୍ରଣାମ କରି ମନେ ମନେ କହିଲା, ତୁମେ ମତେ ଆଶୀର୍ବାଦ କର, ମୁଁ ଯେପରି ଛାତ୍ର ଛାତ୍ରୀମାନଙ୍କୁ ଠିକ୍ ଭାବରେ ପଢ଼ାଇପାରେ । ମୁଁ ଯେପରି ସେମାନଙ୍କର ଶ୍ରଦ୍ଧା ଓ ଭଲ ପାଇବାର ପାତ୍ର ହୋଇପାରେ ।

 

ସାର୍ଥକ ବୁଲି ଠିଆ ହେବାମାତ୍ରେ ତୃଣା ତା ପାଟିରେ ଗୋଟାଏ ସନ୍ଦେଶ ଭର୍ତ୍ତି କରିଦେଇ କହିଲା-ନେ-ନେ-ମୁହଁ ମିଠାକର । ଏଥର ପବିତ୍ର ପଚାରିଲା-ସୁନା ଭାଇ ! କୋଉ କଲେଜରେ ଚାକିରି ହେଲା?

 

-ସାଇଁଥିଆ କଲେଜରେ ।

-ସାଇଁଥିଆ ?

-ହଁ

 

-ପବିତ୍ର ହସି ହସି କହିଲେ- ତୁମେ ଗୋଟାଏ ପକ୍କା ବୈଷ୍ଣବ । ଏତେ ବଡ଼ ହେଲଣି, କୌଣସି ଗୋଟିଏ ଝିଅକୁ ପ୍ରେମ କରିବା ତ ଦୂରର କଥା, ଗୋଟାଏ ଝିଅ ସହିତ ବନ୍ଧୁତା ମଧ୍ୟ କରି ପାରିଲ ନାହିଁ । ଆଉ ବର୍ତ୍ତମାନ ତୁମେ ଚାଲିଲ ଶାକ୍ତକ୍ଷେତ୍ର ବୀରଭୂମି । ମା’ ନନ୍ଦିକେଶ୍ୱରୀଙ୍କ ସାଇଁଥିଆକୁ ।

 

ତାଙ୍କ କଥା ଶୁଣି ତୃଣା ଓ ସାର୍ଥକ ହସିଲେ ।

-ନା-ନା, ଶଳାବାବୁ , ହସିବା କଥା ନୁହେଁ । ସେଠାରେ ଭୈରବୀ ନ ଥିଲେ କୌଣସି କାମରେ ସିଦ୍ଧିଲାଭ ହୁଏ ନାହିଁ କିନ୍ତୁ ତୁମ ଭଳି ଭେଜିଟେରିଆନ୍ ଲେକ୍‌ଚରର୍ କ’ଣ ସେ ସବୁ ପାରିବ?

 

ତୃଣା ହସି ହସି କହିଲା-ତାକୁ ଭୈରବୀ ଧରିବାକୁ ହେବ ନାହିଁ । ଏଥର କୁନିଭାଇପାଇଁ ଗୋଟିଏ ଲାଲ ଟୁକ୍‌ଟୁକ୍ ବୋହୂ ଆସିବ । ସେ ସଙ୍ଗେ ସଙ୍ଗେ ପଚାରିଲା-ଆରେ କୁନି ଭାଇ, ତୁ ସେଠାରେ କେଉଁଠି ରହିବୁ? ପବିତ୍ର କହିଲେ-ତୃଣା, ତୁମର ସାନଭାଇ ଏବେ ଆଉ ଛୋଟ ପିଲା ନୁହେଁ । ତାକୁ ଟିକିଏ ଚରିବୁଲି ଖାଇବାକୁ ଦିଅ ।

 

-ତୁମେ ଚୁପ୍ କର ତ । ସେ କେଉଁଠି ରହିବ, କ’ଣ ଖିଆପିଆ କରିବ, ସେ ବିଷୟରେ ମୁଁ ଚିନ୍ତା କରିବି ନାହିଁ?

 

ସାର୍ଥକ କହିଲା- ଉଦୟ ଶାନ୍ତି ନିକେତନରେ ଅଛି । ତାକୁ କ’ଣ କରାଯିବ ପଚାରିବି ।

ଠିକ୍ କହିଛୁ କୁନି ଭାଇ । ଉଦୟ ଯେ ବିଶ୍ୱଭାରତୀରେ ଚାକିରି ପାଇଛି ସେ କଥା ମୋର-ପତ୍ନୀଙ୍କୁ କଥାଟା ଶେଷ କରିବାକୁ ନ ଦେଇ ପବିତ୍ର କହିଲେ- ଶଳାବାବୁ ! ତୁମେ ବରଂ କାଲି କି ପଅରିଦିନ ଶାନ୍ତି ନିକେତନକୁ ଯା’ । ଦେଖ ଉଦୟ କ’ଣ କହୁଛି ।

 

ତୃଣା ପଚାରିଲା- ଶାନ୍ତିନିକେତନଠାରୁ ସାଇଁଥିଆ କେତେଦୂର ?

ପବିତ୍ର କହିଲେ- ଶାନ୍ତିନିକେତନରୁ ଘଣ୍ଟାଏ ଖଣ୍ଡର ବାଟ ।

 

ସାର୍ଥକ କହିଲା- ହଁ ଦାଦା, ଆପଣ ଠିକ୍ କରିଛନ୍ତି । କେତେ ବର୍ଷ ଆଗରୁ ସାଙ୍ଗମାନଙ୍କ ସହିତ ତାରାପୀଠ ଯିବାବେଳେ, ଟ୍ରେନ୍ ବୋଲପୁର ପରେ ସାଇଁଥିଆରେ ଅଟକି ଥିଲା । ଯେତେଦୂର ମନେପଡ଼ୁଛି । ପ୍ରାୟ ଘଣ୍ଟାକର ଭିତରେ ସାଇଁଥିଆ-

 

ଆଚ୍ଛା ଶଳାବାବୁ ! ଉଦୟ ମଝିରେ ମଝିରେ ଯେଉଁଝିଅଟିକୁ ସାଙ୍ଗରେ ଆଣି ଆସୁଥିଲା ତା ସାଙ୍ଗରେ କ’ଣ ତା’ର ବାହାଘର ହେଲା ?

 

ତୃଣା କହିଲା-ହଁ ହଁ-ତାଙ୍କର ବିବାହ ଛ’ମାସ ଆଗରୁ ହୋଇଛି । ତୁମେ ସେତେବେଳେ ବାଙ୍ଗାଲୋର କି ହାଇଦ୍ରାବାଦକୁ ଯାଇଥିଲ । ସାର୍ଥକ କହିଲା- ଜାଣିଛୁ ଦିଦି, ଚନ୍ଦ୍ରିମା ମଧ୍ୟ ପାଠ ଭବନରେ ଚାକିରି ପାଇଛି ।

 

-ସତେ !

-ହଁ, ମୁଁ ତତେ କହିବାକୁ ଭୁଲି ଯାଇଥିଲି ।

ଯାହାହେଉ ଦୁଇଦିନ ପରେ ସାର୍ଥକ ଶାନ୍ତି ନିକେତନ ଗଲା । ଫେରିଆସି ଖୁସିରେ ଫାଟି ପଡ଼ି କହିଲା- ଜାଣିଛୁ ଦିଦି, ଉଭୟ ଚନ୍ଦ୍ରିମା ଓ ଉଦୟ ମତେ ବାଧ୍ୟ କଲେ ତାଙ୍କ ପାଖରେ ରହି କଲେଜକୁ ଯିବାପାଇଁ ।

 

-କିନ୍ତୁ ଯାତାୟାତ କରିବାରେ ଅସୁବିଧା ହେବ ନାହିଁ ?

-ଟ୍ରେନ୍‌ର ଟାଇମିଂ ଦେଖି ମନେହେଲା ଅସୁବିଧା ହେବ ନାହିଁ ।

 

-ତେବେ ଆଉ କଣ ! ତୁ ତାଙ୍କରି ପାଖରେ ରହି ଯା । ଉଦୟ ଭଳି ଚନ୍ଦ୍ରିମା ମଧ୍ୟ ତତେ ଖୁବ୍ ଭଲପାଏ । ତୁ ତାଙ୍କ ପାଖରେ ଭଲରେ ରହିବୁ, ସେ ତ ଠିକ୍ । କିନ୍ତୁ ସେମାନଙ୍କୁ ଟଙ୍କା ପଇସା ଦେଇ ପାରିବି ନାହିଁ । ଟଙ୍କା ପଇସା କାହିଁକି ଦେବୁ । ମଝିରେ ମଝିରେ କିଛି ଜିନିଷ କିଣିଦେବୁ, ହଁ ସେଇଟା ହୋଇପାରେ ।

 

ଅଫିସ୍‌ରୁ ଫେରି ସବୁ ଶୁଣିଲା ପରେ ପବିତ୍ର କହିଲେ- ହଁ ଭାଇ, ତୁମେ ଏବେ ଉଦୟ ପାଖରେ ରହ । ତା’ ପରେ ଯଦି ସାଇଁଥିଆରେ ଭଲ ଘର ଓ ରାନ୍ଧିବାର ଲୋକ ପାଇବ ତେବେ ସେଠାକୁ ଚାଲି ଯିବ ।

 

-ହଁ, ମୁଁ ମଧ୍ୟ ସେଇଆ ଭାବିଛି ।

-ବାଇଦ ୱେ ତୁମକୁ କେବେ ଜଏନ୍ କରିବାକୁ ପଡ଼ିବ?

-ଜୁଲାଇ ପନ୍ଦର ତାରିଖ ଦିନ ।

-ତା’ମାନେ ଦଶଦିନ ଭିତରେ ତୁମକୁ ଯିବାକୁ ହେବ ।

 

ଉଦୟ କହୁଥିଲା ବାର ତାରିଖଦିନ ତାଙ୍କ ପାଖରେ ପହଞ୍ଚି ତେର ତାରିଖରେ ସାଇଁଥିଆ ଯାଇ ପ୍ରିନ୍‌ସିପାଲ୍‌ଙ୍କ ସାଙ୍ଗରେ ଟିକିଏ ଦେଖା ସାକ୍ଷାତ୍ କରି ଆସିଲେ ଭଲ ।

 

-ହଁ , ହଁ- ସେ ଠିକ୍ କଥା କହିଛି । ଏକାଥରକେ ପନ୍ଦର ତାରିଖଦିନ ଯାଇ ପହଞ୍ଚିବା ଠିକ୍ ହେବ ନାହିଁ ।

ତୃଣା ସ୍ୱାମୀଙ୍କ ମୁହଁକୁ ଚାହିଁ କହିଲା- କୁନିଭାଇ ଯିବା ଆଗରୁ-

ତାକୁ ଦିନେ ସାଙ୍ଗରେ ନେଇ ଭଲ ଜାଗାରେ ଖୁଆଇବତ ?

-ଚାକିରି ପାଇଲା ତୁମ ଭାଇ ଆଉ ଖୋଇବାକୁ ପଡ଼ିବ ମତେ ?

-କି ଆଶ୍ଚର୍ଯ୍ୟ! କଥାଟା କହିବାକୁ ତୁମ ଜିଭ ଲେଉଟିଲା କେମିତି?

 

-ସାର୍ଥକ ମୁରୁକି ହସି କହିଲା- ଦିଦି ! ଜ୍ୱାଇଁବାବୁ ତତେ ଚିଡ଼ାଇବାପାଇଁ ସେ କଥା କହିଛନ୍ତି । ସେ ତ ମତେ ଆଗରୁ କହିଛନ୍ତି, ପହରିଦିନ ମତେ ନେଇ ଚାଇନା ଟାଉନ୍ ଖୁଆଇବେ ।

 

ତୃଣା କହିଲା- ଭାଇ ! ତୋ ଯିବା ଆଗରୁ ତ କିଛି କିଣାକିଣି କରିବାକୁ ପଡ଼ିବ ।

-ହଁ ଦିଦି ! ମୁଁ ଭାବିଛି, ତତେ ସାଙ୍ଗରେ ନେଇ ଯିବି ।

 

ଦେଖୁ ଦେଖୁ ଏଇ କେତେଟାଦିନ କଟିଗଲା । ବାରତାରିଖରେ ତୃଣା ଓ ପବିତ୍ର ତାକୁ ସାଙ୍ଗରେ ଷ୍ଟେସନକୁ ନେଇ ଶାନ୍ତିନିକେତନ ଏକ୍‌ସପ୍ରେସ୍‌ରେ ବସାଇ ଆସିଲେ । ଟ୍ରେନ୍ ଛାଡ଼ିବା ଆଗରୁ ସାର୍ଥକ ସେ ଦୁହିଁଙ୍କୁ ପ୍ରଣାମ କଲାବେଳେ ତୃଣାର ଆଖିରୁ ଲୁହ ବହିଗଲା । ସାର୍ଥକର ଆଖି ମଧ୍ୟ ଲୁହ ଛଳଛଳ ହୋଇଗଲା ।

 

-ଶଳାବାବୁ ! ଦେଖୁଛ ତ ତୁମର ଦିଦିର ଅବସ୍ଥା ? ରେଗୁଲାର୍ ଫୋନ୍ କରିବ । ସାର୍ଥକ ମଧ୍ୟ ମୁଣ୍ଡ ହଲାଇ ସମ୍ମତି ଜଣାଇଲା । ତୃଣା କୌଣସିମତେ ନିଜକୁ ସମ୍ଭାଳି ନେଇ କହିଲା- କୁନି ଭାଇ ! ସାବଧାନରେ ଚଳିବୁ । ଭଲରେ ଖିଆପିଆ କରିବୁ ।

 

ସାର୍ଥକ ପୁଣି ମୁଣ୍ଡ ହଲାଇଲା ।

-ଦୁଇଦିନିଆ ଛୁଟି ହେଲେ ମୋ ପାଖକୁ ଚାଲି ଆସିବୁ ।

ପବିତ୍ର ଟିକିଏ ହସି ପତ୍ନୀକୁ କହିଲେ- ସେ କଥା ଆଉ ତୁମକୁ କହିବାକୁ ହେବନାହିଁ ।

 

ନ’ ଟା ପଚାଶ । ଶାନ୍ତି ନିକେତନ ଏକ୍‌ସପ୍ରେସ୍ ଛାଡ଼ିଲା । ସାର୍ଥକ ଦରଜାରେ ଠିଆ ହୋଇ ହାତ ହଲାଇଲା । ଟ୍ରେନ୍ ଦୃଷ୍ଟି ପଥରୁ ଦୂର ହୋଇଯିବା ପରେ ତୃଣା ଗୋଟାଏ ଦୀର୍ଘଶ୍ୱାସ ପକାଇ କହିଲା-ସେଇ ଛୋଟ ଭାଇଟି ଆଜି କଲେଜରେ ଲେକ୍‌ଚର୍‌ର ହୋଇଗଲା-ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ।

 

ପବିତ୍ର ହସି ହସି କହିଲେ-ତୃଣା, ସମୟ କ’ଣ ଅଟକି ରହେ ? ଝଡ଼ ବେଗରେ ଆଗେଇ ଚାଲେ । ବେଳେବେଳେ ମନେହୁଏ- ଏଇତ ସେଦିନ ଆମର ବିବାହ ହେଲା । ବୁବୁନ୍‌କୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଭାବେ-ଏହା ଭିତରେ ଆମ ପୁଅ ଏଡ଼େ ବଡ଼ ହୋଇଗଲାଣି !

 

-ଠିକ୍ କହିଛ ।

ଟ୍ରେନ୍‌ରୁ ଓହ୍ଲାଇ ଦୁଇ ହାତରେ ଦୁଇଟି ସୁଟ୍‌କେଶ୍ ଧରି ଦୁଇପାଦ ଆଗେଇ ଯାଉଁ ନ ଯାଉଣୁ ଉଦୟ ଓ ଚନ୍ଦ୍ରିମାକୁ ଦେଖି ସାର୍ଥକ ଆଶ୍ଚର୍ଯ୍ୟ ହେଲା । କହିଲା-ତୁମେମାନେ ପୁଣି କାହିଁକି ଆସିଲ ? ମୁଁ ତ ଗୋଟାଏ ରିକ୍ସା କରି......

 

ଉଦୟ ତା ହାତରୁ ଗୋଟାଏ ସୁଟ୍‌କେଶ୍ ଧରିଲା । ଚନ୍ଦ୍ରିମା କହିଲା-ତୁମେ ନୂଆକରି ଚାକିରିରେ ଯୋଗ ଦେବାକୁ ଆସିଛ । ଯେତେବେଳ ହେଉନା କାହିଁକି ଆମେ ନ ଆସିବୁ କିପରି?

 

ସେ କଥା ବୁଝୁଛି । କିନ୍ତୁ ତୁମମାନଙ୍କର ତ ଆଜି ଛୁଟି ନାହିଁ ।

ଉଦୟ ରିକ୍ସାଆଡ଼କୁ ଆଗେଇ ଯାଉଯାଉ ଟିକିଏ ହସି କହିଲା-ଆରେ, କବି ଗୁରୁଙ୍କ କାରଖାନାରେ କ୍ଲାସ୍ ନ ହେଲେ ଆମେ ସବୁ ପ୍ରେସିଡେନ୍‌ସୀ କଲେଜରେ ପଢ଼ା ସମୟରେ ବିକ୍ଷୋଭ କରୁଥିଲୁ । ଏଠାରେ ରେଗୁଲାର୍ କ୍ଲାସ୍ ନେଲେ ଛାତ୍ର ଛାତ୍ରୀମାନେ ବିକ୍ଷୋଭ କରିବେ ।

 

-ଭଲରେ ଅଛୁ ।

-ସେଥିରେ ସନ୍ଦେହ ନାହିଁ ।

ଫରେଷ୍ଟ ବଙ୍ଗଳା ପାଖରେ ଉଦୟ ହେରିକା ଯେଉଁ ଘରେ ରହନ୍ତି, ସେଇଟା ପ୍ରକୃତରେ ସୁନ୍ଦର । ଘରଟି ଦୋତାଲା । ଗୃହସ୍ୱାମୀ କଲିକତାବାସୀ ଏବଂ ନିଃସନ୍ଦେହରେ ରୁଚି ସଂପନ୍ନ ଓ ବିତ୍ତବାନ୍ । ଦୋତାଲାଟି ନିଜପାଇଁ ରଖି ତଳ ମହଲାଟି ଭଡ଼ା ଦେଇଛନ୍ତି । ତଳ ମହଲାରେ ଦୁଇଟି ବେଡ଼୍‍ ରୁମ୍ ଓ ଗୋଟାଏ ଡ୍ରଇଁ -ଡାଇନିଂ । ତିନୋଟି କୋଠରି ସହିତ ତିନୋଟି ବାରଣ୍ଡା; ତାଛଡ଼ା ଘରର ତିନି ପାଖରେ ଫଳ ବଗିଚା । ପଛପଟେ ଗ୍ୟାରେଜ୍ ଏବଂ ଚୌକିଦାର କମ୍ କେୟାର୍ ଟେକର୍‌ର କ୍ୱାଟର୍ ।

 

ତାଙ୍କ ଘରେ ପହଞ୍ଚି ସାର୍ଥକ କହିଲା, ଜାଣିଛୁ ଉଦୟ, ଚନ୍ଦ୍ରିମା ଇଣ୍ଟିରିଅର ଡେକୋରେସନ୍ କାମ କଲେ ତତେ ଆଉ ମତେ ଚାକିରି କରି ଖାଇବାକୁ ପଡ଼ିବ ନାହିଁ । ଗୋଡ଼ ଉପରେ ଗୋଡ଼ ପକାଇ ମହା ଆନନ୍ଦରେ ସମୟ କଟାଇ ପାରିବା ।

 

ଚନ୍ଦ୍ରିମା କୌଣସି ମତେ ହସ ଚାପିରଖି କହିଲା- ସାର୍ଥକଦା, ମୁଁ କ’ଣ ଏମିତି ଘରଦ୍ୱାର ସଜାଇଛି ଯେ ତୁମେ ମତେ ସିଭିଅର ଡେକୋରେଟର କରିଦେଲ ? ଘରେ ତ ଗୋଟାଏ ବି ଭଲ ଫର୍ଣ୍ଣିଚର ନାହିଁ ।

 

-ଅଶିକ୍ଷିତ କଣ୍ଟ୍ରାକ୍ଟର କିମ୍ବା ବ୍ୟବସାୟୀ ଘର ଭଳି ଦାମୀ ଫର୍ଣ୍ଣିଚର୍ ନାହିଁ ବୋଲିତ ଏତେ ସୁନ୍ଦର ଓ ରୁଚି ସଂପନ୍ନ ଲାଗୁଛି ।

 

ଉଦୟ ଗର୍ବର ସହିତ ହସି ହସି କହିଲା- ଖାଇବସିଲେ ଜାଣିବୁ ମୋ ସ୍ତ୍ରୀ କି ଗୁଣବତୀ । ସେ ସାଙ୍ଘାତିକ ରନ୍ଧାବଢ଼ା ଶିଖିଛି ।

 

ଚନ୍ଦ୍ରିମା ସାର୍ଥକଆଡ଼କୁ ଚାହିଁ କହିଲା- ତୁମ ବନ୍ଧୁ ମାଛ ନ ହେଲେ ଖାଇ ବସନ୍ତି ନାହିଁ ବୋଲି ମୋ ଶାଶୂ ମତେ ମାଛରନ୍ଧା ଶିଖାଇଛନ୍ତି । ମାଛ ଛଡ଼ା ଆଉକିଛି ରାନ୍ଧି ଜାଣେ ନାହିଁ ।

 

ସାର୍ଥକ ହସି ହସି ବନ୍ଧୁକୁ କହିଲା- ତୋ ଭାଗ୍ୟ ଦେଖି ମୋର ଈର୍ଷା ହେଉଛି । ମୋ ଭାଗ୍ୟକୁ କ’ଣ ଜୁଟିବ କିଏ ଜାଣେ !

 

-କିଛି ଚିନ୍ତା କରନା । ଚନ୍ଦ୍ରିମାର ଏଇ ରେସିଡେନ୍‌ସିଆଲ କଲେଜରେ ନାଁ ଲେଖାଇ ଦେ-। ତୋ ସ୍ତ୍ରୀ ରନ୍ଧନ ବିଦ୍ୟାରେ ଦ୍ରୌପଦୀ ହୋଇଯିବ ।

 

ଦିନସାରା ଖୁବ୍ ଆନନ୍ଦରେ କଟିଲା । ତା’ପରଦିନ ସକାଳେ ସାର୍ଥକ ବର୍ଦ୍ଧମାନ-ରାମପୁର ହାଟ ପାସେଞ୍ଜର ଟ୍ରେନ୍‌ରେ ସାଇଁଥିଆ ଗଲା ଓ ଫେରିଲା । ତାକୁ ଟିକିଏ ଗମ୍ଭୀର ଥିବା ଦେଖି ଉଦୟ ପଚାରିଲା-କିରେ ଗମ୍ଭୀର କାହିଁକି ? କଲେଜ ଦେଖି କ’ଣ ଭଲ ଲାଗିଲା ନାହିଁ ।

 

-କଲେଜ ଦେଖି ଅପସନ୍ଦ ହେଲାନାହିଁ । ଖୁବ୍ ବଡ଼ କଲେଜ, ହଜାରେ ବାରଶହ ପୁଅ ଝିଅ ପଢ଼ୁଛନ୍ତି ।

 

-ତେବେ ? ପ୍ରିନ୍‌ସିପାଲ୍ ଭଲ ଲାଗିଲେ ନି?

-ନା ନା, ତାଙ୍କୁ ଦେଖି ଖୁବ୍ ଭଲ ଲାଗିଲା ।

-ତା ହେଲେ ?

 

ଏଥର ସାର୍ଥକ ଟିକିଏ ମ୍ଳାନ ହସି କହିଲା- ପ୍ରତିଦିନ ପାଶ୍ କୋର୍ସର ଗୋଟାଏ କ୍ଲାସନେବା ଛଡ଼ା ହାଇଅର୍ ସେକେଣ୍ଡାରୀ ପିଲାଙ୍କୁ ପଢ଼ାଇବାକୁ ହେବ । ସେ ନ ଅଟକି କହିଲା- କଲେଜ ଯାଇ ମଧ୍ୟ ମତେ ସ୍କୁଲ-ମାଷ୍ଟରୀ କରିବାକୁ ହେବ ଭାବି ମନଟା ଖରାପ ହୋଇଗଲା ।

 

-ତୁ ତ ଭଲ ପିଲା ! ଅନର୍ସ କ୍ଲାସରେ ପଢ଼ାଇବାକୁ ଦେଲେ ବୋଧହୁଏ ଭଲ ହୋଇଥାନ୍ତା-

ସାର୍ଥକ କିଛି କହିଲା ନାହିଁ ।

 

-ଦେଖ୍ ସାର୍ଥକ ! ତୁ ଭୁଲି ଯାଅନା ଯେ ଜୀବନରେ ପ୍ରଥମେ ପଢ଼ାଇବାର ସୁଯୋଗ ପାଉଛୁ । ହାଇଅର୍ ସେକେଣ୍ଡାରୀର ପୁଅ-ଝିଅଙ୍କୁ ପଢ଼ାଇ ତୁ ନିଜକୁ ଗଢ଼ି ନେଇପାରିବୁ ।

 

ଟିକିଏ ରହି ଉଦୟ ପୁଣି କହିଲା-ତୁ ମନେରଖ, ସେଠାରେ ତୋଠାରୁ ବହୁତ ଅଭିଜ୍ଞ ଅଧ୍ୟାପକମାନେ ସେହି ଡିପାର୍ଟମେଣ୍ଟରେ ଅଛନ୍ତି । ସେମାନଙ୍କୁ ହାଇଅର୍ ସେକେଣ୍ଡାରୀରେ ପଢ଼ାଇବାକୁ ଦେଇ ତତେ ତ ଅନର୍ସକ୍ଳାସ୍ ଏବେ ଦେଇ ହେବ ନାହିଁ ।

 

ମୁହଁରେ କିଛି ନକହି ସାର୍ଥକ ମୁଣ୍ଡ ହଲାଇ ତା କଥାକୁ ସମର୍ଥନ କଲା । ଠିକ୍ ସେହି ସମୟରେ ଚନ୍ଦ୍ରିମା ଆସି କହିଲା-ସାର୍ଥକଦା ! ତୁମ ଟାଇପ୍ ରାଇଟର ଓ ବହିପତ୍ର ବାହାର କରି ସଜାଇ ରଖିଛି । ଦେଖିଯା’ ତ ଠିକ୍ ହୋଇଛି କି ନା ।

 

-ତୁମେ ଯେତେବେଳେ ରଖିଛ, ସବୁ ଠିକ୍ ନିଶ୍ଚୟ ଥିବ ।

-ଟିକିଏ ଦେଖିଯାଅ-ତୁମର କାମରେ କିଛି ଅସୁବିଧା ହେବ କି ନା । ସାର୍ଥକ ହସିହସି କହିଲା-ଆରେ ପାଗଳୀ ! ମୁଁ କ’ଣ ସବୁଦିନେ ଟାଇପ୍ ରାଇଟର୍‌ରେ ଖଟ୍‌ଖଟ୍ କରି ଆର୍ଟିକିଲ୍ ଲେଖେ ଯେ......ତାକୁ କଥାଟା ଶେଷ କରିବାକୁ ନ ଦେଇ ଚନ୍ଦ୍ରିମା କହିଲା, ତୁମର ବନ୍ଧୁତ ସାରା ଜୀବନ ଗୋଟାଏ ବି ଆର୍ଟିକିଲ୍ ଲେଖିଲେ ନାହିଁ । ଆଉ ତୁମର ଲେଖା ତ ଦୁଇ ତିନିମାସ ଅନ୍ତରରେ ଷ୍ଟେଟ୍‌ସମ୍ୟାନରେ ବାହାରୁଛି ।

 

-ତୁମ ଭଳି ସ୍ତ୍ରୀ ପାଇଲେ କେଉଁ ବୋକା ଲେଖାଲେଖି କରି ସମୟ ବର୍‌ବାଦ୍ କରିବାକୁ ଚାହିଁବ ?

-ସେ ସବୁ କଥା କୁହନା ସାର୍ଥକଦା ।

 

ଚନ୍ଦ୍ରିମା ଟିକିଏ ଅଭିମାନ କରି କହିଲା-ତୁମ ଭଳି ତୁମର ବନ୍ଧୁ ମଧ୍ୟ ଅତ୍ୟନ୍ତ ଭଲ ଛାତ୍ର ଥିଲେ । ଟିକିଏ ଚେଷ୍ଟା କଲେ କେତେ କ’ଣ କରିପାରନ୍ତେ କିନ୍ତୁ ଏହି ଚାକିରି ପାଇବା ପରେ ଭୟଙ୍କର ଅଳସୁଆ ହୋଇ ଯାଇଛନ୍ତି । ତାଙ୍କର ଆଉ କୌଣସି ଆମ୍ବିସନ୍ ଅଛି ବୋଲି ମନେ ହୁଏନା ।

 

ସାର୍ଥକ ଚନ୍ଦ୍ରିମାର ଗୋଟାଏ ହାତକୁ ଧରି ପାଖରେ ବସାଇ କହିଲା-ଏଣିକି ତୁମେ ଓ ମୁଁ ଦୁହେଁ ମିଶି ତାଙ୍କଦ୍ୱାରା କିଛି ଗୋଟାଏ ବଡ଼ କାମ କରାଇନେବା । କଣ କହୁଛ ? ସେ ସଙ୍ଗେ ସଙ୍ଗେ ଟିକିଏ ହସି କହିଲା- ଉଦୟ ଆମ କଥା ନ ଶୁଣିଲେ ଆମେ ତାକୁ ଶାନ୍ତିରେ ରଖାଇ ଦେବା ନାହିଁ । ଚନ୍ଦ୍ରିମା ତଳକୁ ମୁହଁକରି ଟିକିଏ ହସି କହିଲା-ଆଚ୍ଛା ସାର୍ଥକ । ତୁ ସବୁବେଳେ ସବୁ କଥାରେ ଚନ୍ଦ୍ରିମାକୁ କାହିଁକି ସର୍ପୋଟ୍ କରୁଛୁ କହିଲୁ । ସାର୍ଥକ କିଛି କହିବା ଆଗରୁ ଚନ୍ଦ୍ରିମା ମୁହଁ ଉଠାଇ ତା’ଆଡ଼କୁ ଚାହିଁ କହିଲା- ତାର କାରଣ ସାର୍ଥକଦା ମୋର ବଡ଼ ଭାଇ । ପ୍ରେସିଡେନ୍ସିରେ ଭର୍ତ୍ତି ହେବାପରେ ଯେବେଠାରୁ ତୁମ ପ୍ରେମରେ ପଡ଼ିଛି, ସେଇଦିନଠାରୁ ସାର୍ଥକଦା’ର ସାନ ଭଉଣୀ ହୋଇଯାଇଛି । ଜାଣିଲ, କାହିଁକି ସାର୍ଥକଦା ମତେ ସପୋର୍ଟ କରନ୍ତି ?

 

ସେହିଦିନ ରାତିରେ ସାର୍ଥକ ଭଉଣୀ ଓ ଭିଣୋଇଙ୍କୁ ଫୋନ୍ କରି ଜଣାଇ ଦେଲା-ମୁଁ କାଲି ଜଏନ୍ କରିଛି । ଆପଣମାନେ ଆଶୀର୍ବାଦ କରିବେ ଯେପରି.......

 

ତୃଣା କହିଲା- କୁନି ଭାଇ, ଦିନରାତି ତତେ ଆଶୀର୍ବାଦ କରୁଛି ତୋର ଯେପରି ମଙ୍ଗଳ ହେବ । ତୁ କିଛି ଚିନ୍ତା କରିବୁ ନାହିଁ । ପବିତ୍ର କହିଲେ-ସୁନା ଭାଇ ପ୍ରଥମତଃ ତୁମେ ଜଣେ ଖୁବ୍ ଭଲଛାତ୍ର । ତାଛଡ଼ା ତୁମେ ତ ଖୁବ୍‍ ସୁନ୍ଦର କଥା କହିପାର । ତୁମେ ଲେକ୍‌ଚରର୍‍ ହିସାବରେ ସକ୍‌ସେସ୍‌ଫୁଲ ହେବାକୁ ବାଧ୍ୟ । ଅଲ୍‌ଦ ବେଷ୍ଟ ।

 

ରାତିରେ ଖାଇବସି ଚନ୍ଦ୍ରିମା ପଚାରିଲା-ସାର୍ଥକଦା କାଲି କ’ଣ ପିନ୍ଧି କଲେଜ ଯିବ ?

-ପ୍ୟାଣ୍ଟ, ସାର୍ଟ ପିନ୍ଧି ଯିବି ?

-ଧୋତି ପଞ୍ଜାବି ପିନ୍ଧିବ ନାହିଁ?

 

-ବର୍ତ୍ତମାନ ଯେକୌଣସି ସମୟରେ ବର୍ଷା ହୋଇପାରେ । ବର୍ଷା ନ କମିଲେ ଧୋତି ପଞ୍ଜାବି ପିନ୍ଧିବି ନାହିଁ ।

 

-ବର୍ଷାରେ ଧୋତି ପଞ୍ଜାବି ନ ପିନ୍ଧିବା ଭଲ, କିନ୍ତୁ ତୁମେ ଧୋତି ପଞ୍ଜାବି ପିନ୍ଧିଲେ ଖୁବ୍ ସୁନ୍ଦର ଦିଶେ ।

 

ସାର୍ଥକ ଟିକିଏ ହସି କହିଲା- ଦେଖିବାକୁ କେମିତି ଲାଗେ ଜାଣେ ନା; କିନ୍ତୁ ଧୋତି ପଞ୍ଜାବି ପିନ୍ଧିବାକୁ ମତେ ଖୁବ୍ ଭଲଲାଗେ, ଉଦୟ କହିଲା, ବିଶ୍ୱ ଭାରତୀର ଅଧିକାଂଶ ଅଧ୍ୟାପକ ଧୋତି ପଞ୍ଜାବି ପିନ୍ଧି କଲେଜ ଆସନ୍ତି ବୋଲି ମୁଁ ମଧ୍ୟ ସେମିତି ପିନ୍ଧେ ।

 

-ମତେ ତ ଦୁଇ ବେଳା ଟ୍ରେନ୍‌ରେ ଯାତାୟାତ କରିବାକୁ ପଡ଼ିବ-ତେଣୁ ଧୋତି ପଞ୍ଜାବି ପିନ୍ଧିବି ନାହିଁ । ଉଦୟ କହିଲା-ଠିକ୍ କଥା ।

 

ଜୁଲାଇ ମାସ ପନ୍ଦର ତାରିଖ ।

ଗ୍ରୀଷ୍ମଛୁଟି ପରେ ସେଇ ଦିନହିଁ କଲେଜ ଖୋଲିଛି ।

 

ସାଇଁଥିଆ ଷ୍ଟେସନ୍‌ରୁ ରିକ୍ସାରେ କଲେଜ ଯିବାର ବାଟରେ ହିଁ ସାର୍ଥକ ଦେଖିଲା ପୁଅ ଝିଅମାନେ ସାଇକେଲ୍‌ରେ କିମ୍ବା-ଚାଲି ଚାଲି କଲେଜ ଯାଉଛନ୍ତି । କଲେଜ ସାମନାରେ ପହଞ୍ଚିଲେ ମନେହୁଏ ଯେମିତି କିଛି ଗୋଟାଏ ଉତ୍ସବ ହେଉଛି ।

 

ପିଲାମାନେ ତାକୁ ଚିହ୍ନି ପାରିଲେ ନାହିଁ । ସାର୍ଥକ ଧୀର ପଦକ୍ଷେପରେ ଆଗେଇ ଯାଉ ଯାଉ ଛାତ୍ରଛାତ୍ରୀମାନଙ୍କୁ ଦେଖେ, ସେମାନଙ୍କର କଳକାକଳୀ, ଟୀକା-ଟିପ୍ପଣୀ, ମୁହଁର ହସ ଦେଖି ମନେ ମନେ ହସେ । ବେଶ୍ ଭଲ ଲାଗେ । ହଜାର ସଂଖ୍ୟାରେ ଯୌବନର ମେଳା । ଚତୁର୍ଦ୍ଦିଗରେ ଯେପରି ବସନ୍ତୋତ୍ସବ ।

 

ଅଧ୍ୟକ୍ଷଙ୍କ କୋଠରି ଆଗରେ ପହଞ୍ଚି ସାର୍ଥକ କହିଲା-ସାର ! ଭିତରକୁ ଆସିପାରେ କି ? ଅଧ୍ୟକ୍ଷ ତା ଉପରେ ଦୃଷ୍ଟି ନିକ୍ଷେପ କରି ହସି ହସି କହିଲେ- ଆସ, ଆସ ମୋ ପାଖକୁ ଆସିବାକୁ ପୁଣି ଅନୁମତି ନେବାକୁ ହେଉଛି କାହିଁକି ?

 

ସାର୍ଥକ ପ୍ରବେଶ କରନ୍ତେ ଅଧ୍ୟକ୍ଷ ଜଣେ ବୟସ୍କବ୍ୟକ୍ତିଙ୍କୁ ଚାହିଁ କହିଲେ-ଅବିନାଶ ବାବୁ ! ଇଏ ହେଉଛନ୍ତି ସାର୍ଥକ ବାନାର୍ଜୀ, ଆପଣଙ୍କର ତରୁଣ ସହକର୍ମୀ ।

 

ଅବିନାଶ ବାବୁ ଥରେ ସାର୍ଥକକୁ ଚାହିଁ କହିଲେ- ଠିଆ ହୋଇ ରହିଲେ କାହିଁକି? ବସ, ବସ । ଅଧ୍ୟକ୍ଷ କହିଲେ -ବୁଝିଲେ ଅବିନାଶ ବାବୁ ! ସାର୍ଥକ କେବଳ ପ୍ରେସିଡେନ୍‌ସୀ କଲେଜର ଭଲଛାତ୍ର ନଥିଲା । ସେ ଜେଏନ୍‌ୟୁରେ ପୋଷ୍ଟଗ୍ରାଜୁଏସନ୍ କରି ସେଇଠି ଡି.ଫିଲ, କରିଛି । ରିସର୍ଚ୍ଚ କାମ ମଧ୍ୟ ଆରମ୍ଭ କରିଛି ।

 

ସାର୍ଥକ ମୁହଁ ତଳକୁ କରି ଶୁଣୁଥାଏ ।

 

-ସାର୍ଥକ ଭଳି ପୁଅ ଝିଅମାନେ କେବେ କେମିତି କଲିକତାରେ ଚାକିରି କଲେ ମଧ୍ୟ ଆମ୍ଭମାନଙ୍କ ଭଳି ମଫସଲ କଲେଜକୁ କେବେ ହେଲେ ଆସନ୍ତି ନାହିଁ । ସେ ଦିଗରୁ ଆମେ ଭାଗ୍ୟବାନ୍ ।

 

ଅବିନାଶ ବାବୁ ବୁଲି ବସି ପଚାରିଲେ- ସାର୍ଥକ ! ତୁମେ ଏଠାକୁ ଆସିବାକୁ ରାଜିହେଲ କେମିତି?

-ସାର୍ ! ମୁଁ କଲେଜରେ କାମ କରିବାକୁ ଚାହୁଁଥିଲି, ପାଇଲି ଏଇଟା ମଧ୍ୟ ଗୋଟାଏ କଲେଜ । ଏଠାରେ କାମ ନ କରିବାର କୌଣସି କାରଣ ନାହିଁ ।

-କିନ୍ତୁ.......

 

-ନା ସାର୍ ! କୌଣସି କିନ୍ତୁ ନାହିଁ । ମୋର ବିଶ୍ୱାସ, ଏଠାରେ ଆପଣମାନଙ୍କ ଆଶୀର୍ବାଦରେ ମୁଁ ଭଲରେ ରହିବି ।

 

-ଆମେ ଆଶା କରିବୁ, ଆମମାନଙ୍କ ଆଶୀର୍ବାଦରେ ନିଶ୍ଚୟ ଭଲରେ ରହିବ । କିନ୍ତୁ ତୁମେ ତ ଜାଣ ଏଭଳି କଲେଜରେ ଅନେକ କିଛି ନାହିଁ ।

 

ସାର୍ଥକ ଟିକିଏ ହସି ଉତ୍ତର ଦେଲା- ସାର୍‌ ! ଆପଣମାନେ ଅଛନ୍ତି, ଛାତ୍ରଛାତ୍ରୀମାନେ ଅଛନ୍ତି, ମୁଁ ଆଉ କିଛି ଚାହେଁ ନା ।

 

ଅଧ୍ୟକ୍ଷ କହିଲେ- ଅବିନାଶ ବାବୁ ! କାଲି ସାର୍ଥକ ଆସିଥିଲା ମୁଁ ମଧ୍ୟ ତାକୁ ସେହିସବୁ କଥା କହିଲି । ମାତ୍ର ଶେଷ ପର୍ଯ୍ୟନ୍ତ ହାରିଗଲି କାହିଁକି ଜାଣନ୍ତି ?

 

ଅବିନାଶ ବାବୁ ଜିଜ୍ଞାସୁ ଦୃଷ୍ଟିରେ ତାଙ୍କଆଡ଼କୁ ଚାହିଁଲେ ।

 

-ସେ କହିଲା- ସାର ! ମୁଁ ଆମ୍ବିସସ୍‌, କିନ୍ତୁ ଓଭର୍ ଆମ୍ବିସସ୍ ଦୁହେଁ । କଥାଟା ଶୁଣି ଅବିନାଶ ବାବୁ ହସିଲେ ।

 

ମାଧ୍ୟମିକର ରେଜଲ୍ଟ ବାହାରିଲେ ମଧ୍ୟ ଏବେ ବି ଆଡ୍‌ମିଶନ୍ ଚାଲିଛି । କ୍ଲାସ୍ ଆରମ୍ଭ ହୋଇ ନାହିଁ । ଉଚ୍ଚମାଧ୍ୟମିକର ରେଜଲ୍ଟ ଆଠ ଦଶଦିନ ଭିତରେ ବାହାରିବ । ସୁତରାଂ ଫାଷ୍ଟ ଇଅରର କ୍ଲାସ ମଧ୍ୟ ଆରମ୍ଭ ହୋଇ ନାହିଁ । ଅବିନାଶ ବାବୁ ସାର୍ଥକକୁ କ୍ଲାସ ଟୁଏଲଭ୍‌ର ଗୋଟିଏ ସେକ୍ସନକୁ ନେଇଗଲେ ।

 

ସେମାନେ କୋଠରିକୁ ପ୍ରବେଶ କଲାମାତ୍ରେ ଛାତ୍ରଛାତ୍ରୀମାନେ ଠିଆହେଲେ ଅବିନାଶବାବୁ କହିଲେ- ବସ, ବସ । ସେ କୋଠରି ଭିତରେ ଚାରିଆଡ଼େ ଦୃଷ୍ଟି ବୁଲାଇ ନେଇ କହିଲେ, ମୁଁ ତୁମର ପଲିଟିକାଲ୍ ସାଇନ୍ସର ନୂଆ ଲେକ୍‌ଚରର୍‌ଙ୍କ ସହିତ ପରିଚୟ କରାଇ ଦେବାକୁ ଆସିଲି । ତୁମର ଏହି ନୂଆ ଲେକ୍‌ଚରର୍‌ଙ୍କ ନାଁ ସାର୍ଥକ ବାନାର୍ଜୀ । ସେ ପ୍ରକୃତ ପକ୍ଷେ ଜଣେ ସାର୍ଥକ ବ୍ୟକ୍ତି ।

 

-ସାର୍ଥକ କେବଳ ପ୍ରେସିଡେନ୍‌ସି କଲେଜର ଭଲ ଛାତ୍ର ନଥିଲା । ସେ ଦିଲ୍ଲୀର ଜବାହାରଲାଲ ନେହେରୁ ୟୁନିଭରସିଟ୍‌ରୁ ଏମ୍‌.ଏ.ରେ ଅସମ୍ଭବ ଭଲ ରେଜଲ୍ଟ କରି ସେହିଠାରୁ ଡି.ଲିଟ୍ କରିଛି । ବର୍ତ୍ତମାନ ପି.ଏଚ୍‌.ଡି.ପାଇଁ ପ୍ରସ୍ତୁତ ହେଉଛି ।

 

ଛାତ୍ର ଛାତ୍ରୀମାନେ ସେମାନଙ୍କର ନୂତନ ଲେକ୍‌ଚରର୍‌ଙ୍କ ପରିଚୟ ପାଇ ଆଶ୍ଚର୍ଯ୍ୟ ହୋଇଗଲେ । ଅବିନାଶ ବାବୁ ଟିକିଏ ନିଃଶ୍ୱାସ ନେଇ କହିଲେ- ମାଇଁ ଡିଅର ବଏଜ୍ ଆଣ୍ଡ ଗାର୍ଲସ୍ ଇଉ ଆର୍ ରିଏଲି ଲକି । ପ୍ଳିଜ୍ କୋ-ଅପରେଟ୍ ଉଇଥ୍ ହିମ୍, ମୋର ସ୍ଥିର ବିଶ୍ୱାସ, ସାର୍ଥକ ଖୁବ୍‍ଶୀଘ୍ର ତୁମମାନଙ୍କର ପ୍ରିୟ ଲେକ୍‌ଚରର୍ ହୋଇପାରିବ । ତା ପରେ ସେ କହିଲେ- ସାର୍ଥକ ! ଏବେ ତୁମେ ତୁମର କ୍ଲାସ୍ କର, ମୁଁ ଯାଉଛି ।

 

ଛାତ୍ର ଛାତ୍ରୀମାନେ ଠିଆ ହୋଇ ଅବିନାଶ ବାବୁଙ୍କୁ ବିଦାୟ ଜଣାଇଲେ । ସେ ବାହାରି ଯିବାପରେ ପୁଅଝିଅମାନଙ୍କର କଳଗୁଞ୍ଜନ ଆରମ୍ଭ ହୋଇଗଲା । ସାର୍ଥକ ସେମାନଙ୍କଆଡ଼କୁ ଅନେଇ ଟିକିଏ ହସିଲା, ଟିକିଏ ଭାବିଲା । ଏହିପରି ଦୁଇ ଚାରି ମିନିଟ୍ କଟିବାପରେ ସେ କହିଲା-ମୁଁ ପ୍ରତିଦିନ ରୋଲ କଲ କରିବି ନାହିଁ । ସେଥିରେ ବହୁତ ସମୟ ନଷ୍ଟ ହୁଏ । ତେବେ ଦିନେ ଦିନେ କରିବି । ଯାହାଙ୍କୁ ଭଲ ଲାଗିବ, ସେମାନେ କେବଳ କ୍ଲାସରେ ରହିବେ । ଯାହାକୁ ଭଲ ନ ଲାଗିବ ସେ ସ୍ୱଚ୍ଛନ୍ଦରେ ବାହାରକୁ ଯାଇ ବୁଲାବୁଲି କରି ପାରିବ । ମୁଁ ତାକୁ ଆବ୍‌ସେଣ୍ଟ୍ ମାର୍କ କରିବି ନାହିଁ ।

 

ଏହି କଥା ଶୁଣି ପୁଅ ଝିଅମାନେ ଟିକିଏ ଆଶ୍ଚର୍ଯ୍ୟ ହେଲେ । ଆଉ କୌଣସି ଲେକ୍‌ଚରର୍ ଏଇ ଧରଣର କଥା କହି ନାହାନ୍ତି ।

 

-ମୁଁ କ୍ଲାସ୍‌କୁ ଆସି ରୁଟିନ୍ ମୁତାବକ ଶୁଖିଲା ଲେକ୍‌ଚର୍ ଓ ନୋଟ୍‌ସ ଦେବି ନାହିଁ । ମୁଁ ତୁମମାନଙ୍କ ସହିତ ଗପ କରିବି । ଗପ କରିବି ସମାଜ-ସଂସାର-ରାଷ୍ଟ୍ର ବିଷୟରେ, ଗପ କରିବି ଏମାନଙ୍କର ବିବର୍ତ୍ତନ ନେଇ । ଗପ କରିବି ନାନା ମତବାଦ-ତତ୍ତ୍ୱର ଉତ୍‌ଥାନ-ପତନ-ପରିବର୍ତ୍ତନ ନେଇ । ଏହାଛଡ଼ା ମୁଁ ଚାହୁଁଛି ତୁମେମାନେ ବିଭିନ୍ନ ରାଷ୍ଟ୍ରର କଥା, ଆନ୍ତର୍ଜାତିକ ସଂପର୍କ ବିଷୟରେ ଜାଣ ।

 

ମୁହୂର୍ତ୍ତେ ରହି ସାର୍ଥକ କହିଲା-ତେବେ ହଁ -ତୁମର ସିଲାବସ୍‌କୁ ମୁଁ ଅଗ୍ରାହ୍ୟ କରିବି ନାହିଁ ଏବଂ ମୁଁ ସବୁ ରକମ ଚେଷ୍ଟା କରିବି ଯଦ୍ଦ୍ୱାରା ତୁମେମାନେ ପରୀକ୍ଷାରେ ଭଲ ରେଜଲ୍ଟ କର । ଆଇ କ୍ୟାଣ୍ଟ୍ ଇଗ୍‌ନୋର ରିଏଲିଟି ।

 

କଥାଗୁଡ଼ିକ ପୁଅଝିଅମାନଙ୍କୁ ଖୁବ୍ ଭଲ ଲାଗିଲା । ସେମାନେ ମୁଗ୍ଧ ହୋଇ ଶୁଣିଲେ ।

 

-ଭୁଲି ଯାଅନା, ତୁମେମାନେ ପଲିଟିକାଲ୍ ସାଇନ୍‌ସର ଛାତ୍ରଛାତ୍ରୀ, ପଲିଟିକାଲ ଥିଓରିର ଛାତ୍ରଛାତ୍ରୀ ନୁହଁ । ଇଟ୍ ଇଜ୍ ଏଭର୍ ଚେନ୍‌ଜିଂ ସାଇନ୍‌ସ, ଇଟର୍‌ନାଲି ଫ୍ୟାସିନେଟିଂ ଆଣ୍ଡ ଡାଇନାମିକ୍ ସାଇନ୍‌ସ । ପ୍ରତି ମୁହୂର୍ତ୍ତରେ ଏହାର ପରିବର୍ତ୍ତନ ହେଉଛି ।

 

ସାର୍ଥକ ପୁଣି କହିଲା- ମୋର ସ୍ଥିର ବିଶ୍ୱାସ, ଏହି ବିଷୟ ପଢ଼ି ତୁମେମାନେ ଆନନ୍ଦ ପାଇବ; ପୃଥିବୀକୁ ଭଲକରି ଚିହ୍ନିବ, ଜାଣିବ ଓ ଭଲ ପାଇପାରିବ । ପୁଅଝିଅମାନେ ଅପଲକ ଦୃଷ୍ଟିରେ ତାକୁ ଚାହିଁ ରହିଥାନ୍ତି ।

 

ସବୁ ଶେଷରେ କହିବି । ଛାତ୍ରଛାତ୍ରୀମାନଙ୍କ ସହିତ ଶିକ୍ଷକ ଶିକ୍ଷିକାଙ୍କ ସମ୍ପର୍କ ଯେତେ ନିବିଡ଼ ହୁଏ, ସେତେଭଲ । ଇଉ ଆର୍ ଫ୍ରି ଟୁ ଟ୍ରିଟ୍‌ ମି ଆଜ୍ ଏ ଫ୍ରେଣ୍ଡ, ଆଣ୍ଡ ଆଇ ଉଇଲ୍ ଟ୍ରିଟ୍ ଇଉ ଆଜ୍ ମାଇଁ ଫ୍ରେଣ୍ଡ୍ ।

 

କଥାଟା ଶୁଣି ଛାତ୍ର ଛାତ୍ରୀମାନେ ଟିକିଏ ହସିଲେ ।

 

-ପଢ଼ାଶୁଣା ବ୍ୟାପାରରେ କିଛିଜାଣିବାକୁ ବା ବୁଝିବାକୁ ହେଲେ ତୁମର ଯେତେବେଳେ ଖୁସି ମୋ ପାଖକୁ ଆସିବ । କୌଣସି ଦ୍ୱିଧା କରିବା ନାହିଁ । ତୁମକୁ ପଢ଼ାଇବାପାଇଁ ମୁଁ ଦରମା ପାଉଛି । ତୁମକୁ ସନ୍ତୁଷ୍ଟ ହେଲାଭଳି ନପଢ଼ାଇ ଆମର ଦରମା ନେବାର କୌଣସି ଅଧିକାର ନାହିଁ । ଆଇ ଥିଙ୍କ୍ ଆଇ ସୁଡ୍‌ନଟ୍ ଷ୍ଟପ୍ ଆଣ୍ଡ୍ ଇଉ ଆର୍ ଫ୍ରିଟୁ ଆସ୍କ ମି ଏନିଥିଂ ଇଉ ଲାଇକ୍ ।

 

-କ’ଣ ହେଲା? କାହାରି କିଛି ପ୍ରଶ୍ନନାହିଁ?

 

ନା, ତଥାପି କେହି କୌଣସି ପ୍ରଶ୍ନକଲେ ନାହିଁ । କାହାରି ମୁହଁରେ କୌଣସି କଥାନାହିଁ । ହଠାତ୍ ଗୋଟିଏ ପିଲା ଠିଆ ହୋଇ କହିଲା- ସାର୍‌ ! ଆପଣ ସମ୍ପୂର୍ଣ୍ଣ ଭିନ୍ନ ଧରଣର । ଏହିଭଳି କଥା ଆମେ କେବେ ଶୁଣି ନଥିଲୁ ।

 

-ସବୁ ମଣିଷ ଅନ୍ୟରକମର । କୌଣସି ଦୁଇଟି ମଣିଷ ଏକାଭଳି ହୋଇନଥାନ୍ତି, ହୋଇ ପାରନ୍ତି ନାହିଁ । ବାଇ ଦ ୱେ ତୁମ ନାଁ କ’ଣ?

 

- ପ୍ରଦୀପ ସରକାର ।

-ବାଃ ସୁନ୍ଦର ନାଁ । ସାଇଁଥିଆରେ ରହୁଛ?

-ହଁ ସାର୍ ।

 

-ଆଚ୍ଛା ପ୍ରଦୀପ୍‌, ଏହି କ୍ଲାସରେ କେହି ଭଲ ଫୁଟ୍‌ବଲ୍ ଖେଳାଳୀ ପ୍ରଦୀପ ପଛକୁ ବୁଲି ଠିଆ ହୋଇ ପଛରେ ଗୋଟିଏ ପିଲାକୁ ଦେଖାଇ କହିଲା, ଏଇ ବିପ୍ଳବ ସାଙ୍ଘାତିକ ଫରୱାଡ଼୍ ତା ଭଳି ଫର୍‌ୱାର୍ଡ଼ ଏହି ସହର ଭିତରେ ଆଉ କେହି ନାହିଁ ।

 

ସାର୍ଥକ କହିଲା-ବିପ୍ଳବ ! ତୁମର ଖେଳିବା ଦିନ ମତେ କହିବା ଯଦି ସମ୍ଭବ ମୁଁ ଦେଖିବାକୁ ଯିବି ।

 

ବିପ୍ଳବ ଟିକିଏ ସଲଜ୍ଜ ହସ ହସି କହିଲା, କାଲି ତ ଆମ କଲେଜ ସହିତ ସିଉଡ଼ି କଲେଜର ଖେଳଅଛି ।

 

-କେତେବେଳେ ତୁମର ଖେଳ?

- ସାର୍‌ ! ତିନିଟାବେଳେ ।

 

-ଖେଳଥିଲେ କ’ଣ କଲେଜ ଚଞ୍ଚଳ ଛୁଟି ହୁଏ? ଏକାବେଳେ ଅନେକ ପିଲା କହିଲେ-ସାର୍‌ ! କାଲି କଲେଜ ଶୀଘ୍ର ଛୁଟି ହେବ ।

 

ଗୁଡ଼୍‍ । ତା’ ହେଲେ ଖେଳ ଦେଖି ସାରି ଫେରିଯିବି । ହଠାତ୍ ଗୋଟିଏ ପିଲା ପ୍ରଶ୍ନ କଲା- ସାର୍ କୁଆଡ଼େ ଫେରିଯିବେ ? -ଶାନ୍ତିନିକେତନକୁ । ସେଠାରେ ଜଣେ ବନ୍ଧୁଙ୍କ ପାଖରେ ରହୁଛି । ଆପାତତଃ ସେଠାରୁ ମୁଁ ଯାତାୟାତ କରିବି ।

 

ପ୍ରଦୀପ ପଚାରିଲା- ସାର ! ଏଠାରେ ରହୁ ନାହାନ୍ତି କାହିଁକି ? ସାର୍ଥକ ଟିକିଏ ହସି କହିଲା- କାହାକୁ ଜାଣିନାହିଁ ଚିହ୍ନି ନାହିଁ । କିଛିଦିନ ଯାଉ, ତାପରେ ନିଶ୍ଚୟ ରହିବି । ସବୁ ମିଶି ସାର୍ଥକର ଅଧ୍ୟାପନା ଜୀବନର ପ୍ରଥମ ଦିନଟି ଭଲରେ କଟିଲା ।

 

 

Unknown

॥ ଦୁଇ ॥

 

ଅଗଷ୍ଟ ମାସ ଦ୍ୱିତୀୟ ସପ୍ତାହବେଳକୁ କଲେଜ ଜମି ଯାଇଥାଏ । ନାମଲେଖା ସରିଯିବା ପରେ ସବୁ କ୍ଲାସରେ ପାଠପଢ଼ା ଆରମ୍ଭ ହୋଇଯାଇଛି । ପିଲାମାନଙ୍କ ମଧ୍ୟରେ ସବୁବେଳେ ଉତ୍ତେଜନା ଓ ଚାଞ୍ଚଲ୍ୟ । ସ୍ପଷ୍ଟ ଜଣାପଡ଼ୁଛି କିଏ ନୂଆ କିଏ ପୁରୁଣା । ନୂଆ ପିଲାଙ୍କ ଆଖିରେ, ମୁହଁରେ କୌତୂହଳ, ଚାପା ଚାପା ଚାଞ୍ଚଲ୍ୟ । ପୁରୁଣାର ଠିକ୍ ବିପରୀତ । ସେମାନଙ୍କ ଭିତରେ ଟିକିଏ ବିଜ୍ଞ ପ୍ରାଜ୍ଞ ଏବଂ ଅଭିଜ୍ଞତାର ଛାପ । ସେମାନଙ୍କୁ ଦେଖି ସାର୍ଥକକୁ ଖୁବ୍ ମଜା ଲାଗେ; ସେ ମନେ ମନେ ହସେ । ଦିନ ଦଶଟା ଭିତରେ ପ୍ରତି କ୍ଲାସକୁ ସର୍କୁଲାର ଆସିଲା-ଆଗାମୀ ସତେଇଶ ତାରିଖ ଶନିବାର ଦିନ ନୂତନ ଛାତ୍ରୀମାନଙ୍କର ସ୍ୱାଗତ ଉତ୍ସବ । ଯେଉଁମାନେ ନାଚ, ଗୀତ, ଆବୃତ୍ତି ହସ କୌତୁକ, ଶ୍ରୁତି ନାଟକରେ ଅଂଶ ଗ୍ରହଣ କରିବାକୁ ଚାହାନ୍ତି ସେମାନେ ଯେପରି ଅବିଳମ୍ବେ ଲାଇବ୍ରେରୀ ନାଁ ଲେଖାଇ ଆସିବେ ।

 

ଏହି ଉତ୍ସବକୁ କେନ୍ଦ୍ର କରି କଲେଜ ସାରା ଚାଞ୍ଚଲ୍ୟର ବନ୍ୟଶ ବହିଗଲା । କେବଳ ଛାତ୍ରଛାତ୍ରୀ ନୁହନ୍ତି, କେତଜଣ ଅଧ୍ୟାପକ ଅଧ୍ୟାପିକା ମଧ୍ୟ ଏଥିରେ ମାତିଗଲେ । କ୍ଲାସରେ ପିଲାମାନଙ୍କର ଉପସ୍ଥିତି କମିଗଲା । ଏହି ସମୟରେ ଉତ୍ସବରେ ଅଂଶ ଗ୍ରହଣ କରୁଥିବା ଗୋଟିଏ ଦଳ ରିହର୍ସାଲ କରିବାରେ ବ୍ୟସ୍ତ । ଅନ୍ୟମାନେ ଉତ୍ସବର ଆୟୋଜନ ବିଧିବ୍ୟବସ୍ଥା ନେଇ ବ୍ୟସ୍ତ ।

 

ଉତ୍ସବର ପାଞ୍ଚ ସାତଦିନ ଆଗରୁ ଦ୍ୱାଦଶ ଶ୍ରେଣୀର କେତେଜଣ ଛାତ୍ରଛାତ୍ରୀ ସାର୍ଥକକୁ କହିଲେ-ସାର ! ଆପଣ ଶାନ୍ତି ନିକେତନ ଯାଇ ପାରିବେ ନାହିଁ । ଏହିଠାରେ ରହିବାକୁ ହେବ ।

 

-କାହିଁକି ?

-ସାର୍‌ ! ଆମ କଲେଜରେ ଫଙ୍କ୍‌ସନ ଦେଖି ଆପଣ ଅବାକ୍ ହୋଇଯିବେ ।

-ସତେ?

 

-ହଁ ସାର୍‌ ! କଲିକତାର ଅନେକ କଲେଜରେ ଏତେ ଭଲ ଫଙ୍କସନ୍ ହୁଏନା ।

 

-କିନ୍ତୁ ଶାନ୍ତିନିକେତନକୁ ଫେରିଯାଇ ପାରିବି ନାହିଁ କାହିଁକି?

 

-କେମିତି ଯିବେ ? ଫଙ୍କ୍‌ସନ୍ ସରିବାବେଳକୁ ରାତି ଦଶଟା ହୋଇଯିବ ।

 

-ତା ହେଲେ ଫଙ୍କ୍‌ସନ୍ ସରିବା ଘଣ୍ଟାଏ ଦୁଇଘଣ୍ଟା ଆଗରୁ ମୁଁ ଚାଲିଯିବି । ଏଥର ପାଞ୍ଚସାତଜଣ ଝିଅ ଏକାବେଳକେ କହିଲେ ନା ସାର୍ ଆପଣ ଦୂର୍ବାର ଗୀତ ନ ଶୁଣି ଯାଇ ପାରିବେ ନାହିଁ ।

 

-କିଏ ସେ ଦୂର୍ବା ? ସାର୍ଥକ ପଚାରିଲା ।

-ସେ ଆମ ସାଙ୍ଗରେ ପଢ଼ୁଥିବା ଗୋଟିଏ ଝିଅ । ଆପଣ ତାକୁ ଦେଖିଲେ ଚିହ୍ନି ପାରିବେ, ପିଲାମାନେ କହିଲେ । ଗୋଟିଏ ଝିଅ କହିଲା- ସାର ! ଦୂର୍ବାର ଗୀତ ଶୁଣିଲେ ଆମର ମୁଣ୍ଡ ଖରାପ ହୋଇଯାଏ । ଆପଣ ଭାବିପାରିବେ ନାହିଁ ସେ କେତେ ଭଲ କଳାକାର ।

 

-ସେ କ’ଣ ଫଙ୍କ୍‌ସନ୍ ମଝିରେ ନା ଆରମ୍ଭରେ......

ଦଳେ ପିଲା ଏକାବେଳକେ କହିଲେ-ସେ ଫଙ୍କ୍‍ସନ୍‍ ଆରମ୍ଭରେ ବୋଲିଲେ ପେଣ୍ଡାଲ୍ ତ ଖାଲି ହୋଇଯିବ । ତା ଗୀତ ପରେ ଆଉକିଛି ହୋଇ ପାରିବ ନାହିଁ । ସେଥିପାଇଁ ସେ ସବା ଶେଷରେ ଗାଇବ । ଆଗବେଞ୍ଚର ଗୋଟିଏ ଝିଅ ହସି ହସି କହିଲା- ସାର ! ଦୂର୍ବାର ଗୀତ ନ ଶୁଣି ଆପଣଙ୍କୁ ଯିବାକୁ ଆମେ ଛାଡ଼ିବୁ ନାହିଁ ।

 

ସାର୍ଥକ ଖୁସିରେ ହସିଲା । ଟ୍ରେନ୍‌ରେ ଶାନ୍ତି ନିକେତନକୁ ଫେରିବା ସମୟରେ ମନେ ମନେ ଭାବିଲା, ପିଲାମାନଙ୍କର ଯେତେବେଳେ ଏତେ ଆଗ୍ରହ- ସେ ଦିନ ସେ ସାଇଁଥିଆର କୌଣସି ହୋଟେଲ୍ କିମ୍ବା ଇନ୍‌ସ୍ପେକ୍ସନ ବଙ୍ଗଳାରେ ରହିଯିବ ।

 

ଦୁଇ ତିନିଦିନ ପରେ ହେଡ଼୍‍ ଅଫ୍ ଦି ଡିପାର୍ଟମେଣ୍ଟ ଅବିନାଶ ବାବୁଙ୍କ ପାଖରେ ସାର୍ଥକ ହୋଟେଲ ଓ ଇନ୍‌ସ୍ପେକ୍ସନ୍ ବଙ୍ଗଲୋ ବିଷୟରେ କହନ୍ତେ ସେ ପଚାରିଲେ- କଲିକତାରୁ ତୁମର କଣ କେହି ଗେଷ୍ଟ ଆସିବେ କି ?

 

-ନା, ସାର୍ । ସାର୍ଥକ କହିଲା-ସତେଇଶ ତାରିଖ ଦିନ ମୁଁ ନ ଯାଇ ରହିଯିବି ଭାବୁଛି । ପିଲାମାନେ ଖୁବ୍ ଜିଦ୍ କରୁଛନ୍ତି ।

 

-ଦେଖିବାକୁ ତ ନିଶ୍ଚୟ ହେବ । ଅବିନାଶ ବାବୁ ଟିକିଏ ହସି କହିଲେ-ତୁମେ କଲିକତା ଓ ଦିଲ୍ଲୀରେ ନିଶ୍ଚୟ ଅନେକ ଅନୁଷ୍ଠାନ ଦେଖିଛ କିନ୍ତୁ ତଥାପି କହୁଛି- ଆମ କଲେଜର ନୂତନ ଛାତ୍ର ଛାତ୍ରୀମାନଙ୍କର ଉତ୍ସବ ଖୁବ୍ ଭଲ ହୁଏ ।

 

-ହଁ ସାର, ଛାତ୍ର ଛାତ୍ରୀମାନେ ସେହିକଥା କହୁଥିଲେ । ପୂରା ଅନୁଷ୍ଠାନଟି ଦେଖିବାକୁ ହେଲେ ତ ଶାନ୍ତି ନିକେତନ ଫେରି ପାରିବି ନାହିଁ । ସେଥିପାଇଁ....

 

-ସେଥିପାଇଁ ତୁମେ ହୋଟେଲରେ ରହିବ କାହିଁକି? ତୁମେ ଆମଘରେ ରହିଯିବ । ମୋର ଝିଅର ବିବାହ ହୋଇଯାଇଛି । ଦୁଇ ପୁଅ ମଧ୍ୟ ବାହାରେ ଥାଆନ୍ତି । ମୋ ଘରେ ଚାରିଟା ବେଡ଼୍‍ ରୁମ । ମାତ୍ର ଆମେ କେବଳ ଦୁଇଜଣ ବୁଢ଼ା-ବୁଢ଼ୀ ରହୁ । ସେ ହସି ହସି କହିଲେ- ଗୋଟାଏ ରାତି କଥାଛାଡ଼ । ତୁମେ ଆମ ଘରେ ମାସ ମାସ ରହି ପାର ।

 

ସାର୍ଥକ ଖୁସିର ହସ ହସି କହିଲା- ନା ସାର ! ମୋର ମାସ ମାସ ରହିବା ଦରକାର ନାହିଁ-। ତେବେ ସତେଇଶ ତାରିଖଦିନ ନିଶ୍ଚୟ ରହିବି ।

 

ପ୍ରତିଦିନ କଲେଜ ପରିବେଶର ରଙ୍ଗ ବଦଳୁଛି । ଦୂରରୁ ଆଗମନୀର ବଂଶୀ ଶୁଣି, ଆବାଳ ବୃଦ୍ଧ ବନିତାଙ୍କଠାରୁ ଶରତର ଖଣ୍ଡ ଖଣ୍ଡ ବାଦର ଯାଏ ଯେପରି ଅକାରଣ ଚଞ୍ଚଳତାରେ ହାସ ପରିହାସ, ଧାଁ ଦଉଡ଼ କରନ୍ତି, କଲେଜରେ ବର୍ତ୍ତମାନ ସେହିଭଳି ଉତ୍ସବର ବାତାବରଣ । କ୍ଳାସରେ ପୁଅ ଝିଅମାନଙ୍କର ସଂଖ୍ୟା ଦିନକୁଦିନ କମୁଛି । ଅନେକ କ୍ଳାସ ମଧ୍ୟ ହେଉ ନାହିଁ । କେମିତି ହେବ ? ଅନେକ ଅଧ୍ୟାପକ ଓ ଅଧ୍ୟାପିକା ମଧ୍ୟ ନାନା ଦାୟିତ୍ୱ ଓ ତଦାରଖରେ ବ୍ୟସ୍ତ । କରିଡ଼ରରେ ଛାତ୍ରଛାତ୍ରୀମାନଙ୍କର ତ୍ୱରିତ ପଦକ୍ଷେପରେ ଯାତାୟାତ; କେହି କେହି ଧାଁ-ଧପଡ଼ ବି କରୁଛନ୍ତି । ହଠାତ୍ କାନରେ ପଡ଼େ ଚିତ୍ରାଙ୍ଗଦାର ଗୋଟାଏ ଦୁଇଟା ଲାଇନ୍ । ଅଥବା ଚିତ୍କାର । କୌଣସି ଗୋଟାଏ ପିଲା ଯଦି ଚିତ୍କାର କରି ଦେବିକାକୁ ଡାକେ- ତାହେଲେ ତା’ର କଣ୍ଠସ୍ୱରକୁ ଘୋଡ଼ାଇ ପକାଇ ଆଉ ଗୋଟିଏ ଛାତ୍ରୀର କଣ୍ଠସ୍ୱର କାନରେ ପଡ଼େ- ବିଭାସଦା ! ଶୀଘ୍ର ଆସ । ଦେଖୁଦେଖୁ ପଡ଼ିଆରେ ବିରାଟ ଗୋଟାଏ ପେଣ୍ଡାଲ ତିଆରି ହେଲା । ଷ୍ଟେଜ ତିଆରି ହେଲା । ଦୁଇ ଦିନ ଭିତରେ ପେଣ୍ଡାଲ ଓ ଷ୍ଟେଜ୍‌ର ସାଜସଜ୍ଜା ଶେଷ । ପୂରା ପେଣ୍ଡାଲ୍‌ଟି ଚେୟାରରେ ପୂରିଗଲା । ଚତୁର୍ଦ୍ଦିଗରେ ଆଲୋକ ଆଉ ଆଲୋକ । ଅନୁଷ୍ଠାନର ଆଗଦିନ ହିଁ ଆରମ୍ଭ ହେଲା ମାଇକ୍ ଟେଷ୍ଟିଂ-। ହାଲୋ –ହାଲୋ ! ୱାନ୍‌-ଟୁ-ଥ୍ରୀ-ଫୋର-ନାଇନ୍‌-ଜିରୋ । ହାଲୋ-ମାଇକ୍ ଟେଷ୍ଟିଂ-ୱାନ-ଟୁ-ଥ୍ରୀ-ଫୋର୍‌ !

 

ଏହିସବୁ ଦେଖିଶୁଣି ସାର୍ଥକର ମନରେ ଯେପରି ଉତ୍ସବର ଝୁଙ୍କ୍ । କିପରି ଗୋଟାଏ ଚାପା ଆନନ୍ଦ ଯୋଗୁ ମୁହଁରେ ହସ ।

 

ସତାଇଶ ତାରିଖ ଦିନ କଲେଜ ଖୋଲାଥିଲେ ମଧ୍ୟ କୌଣସି କ୍ଲାସ ହେବ ନାହିଁ-ସେ କଥା ସମସ୍ତେ ଜାଣନ୍ତି । ଇତି ମଧ୍ୟରେ ଅବିନାଶ ବାବୁ କଲେଜ ପରେ ସାର୍ଥକକୁ ଘରକୁ ନେଇ ରାସ୍ତା ଚିହ୍ନାଇଛନ୍ତି, ନିଜ ସ୍ତ୍ରୀଙ୍କ ସହିତ ପରିଚୟ କରାଇ ଦେଇଛନ୍ତି ।

 

ସାର୍ଥକ ଅବିନାଶ ବାବୁଙ୍କ ପତ୍ନୀ ସୁଜାତା ଦେବୀଙ୍କୁ ପ୍ରଣାମ କରିବା ମାତ୍ରେ, ସେ ହସି ହସି କହିଲେ-ତୁମର ଗୁଣର ପ୍ରଶଂସା ଅନେକ ଥର ଶୁଣିଛି । ମାତ୍ର ଆଜି ତୁମକୁ ଦେଖିଲାପରେ ଜାଣୁଛି, ତୁମର ରୂପ ଓ ଗୁଣ ଦୁଇଟି ଯାକ ସମାନ । ସେ ଟିକିଏ ରହି କହିଲେ-ତୁମେ ସେଦିନ ଦି’ ପହରେ ଏଠାରେ ଖାଇପିଇ, ବିଶ୍ରାମ କରି ଫଙ୍କସନ୍ ଦେଖିବାକୁ ଯିବ ।

 

-ଆପଣ ଯିବେ ନାହିଁ?

-ଯିବି, ତେବେ ଅଧଘଣ୍ଟା ଘଣ୍ଟାକରୁ ବେଶୀ ରହି ପାରିବି ନାହିଁ । ସୁଜାତା ଦେବୀ ଟିକିଏ ହସି କହିଲେ-ସବୁ ଭାଗ୍ୟବତୀ ବଙ୍ଗାଳୀ ଗୃହିଣୀଙ୍କ ଭଳି ମୁଁ ମଧ୍ୟ ବାତରୋଗୀ । ଚେୟାରରେ ବେଶୀ ସମୟ ବସିଲେ କଷ୍ଟ ହୁଏ ।

 

ସାର୍ଥକ କହିଲା- ମାଉସୀ ! ଆପଣ ଓ ମୁଁ ସାଙ୍ଗହୋଇ ଯିବା ।

-ନା ନା ବାବା. ତୁମେ ଚାଲି ଯା’ । ମୁଁ ଟିକିଏ ସଂଜ ଗଡ଼େଇ ଯିବି ।

-କାହିଁକି ମାଉସୀ ?

 

-ଅନୁଷ୍ଠାନକୁ ଯିବି ଖାଲି ପୁତୁଲର ଗୀତ ଶୁଣିବାକୁ । ଝିଅଟା ବହୁତ ବଢ଼ିଆ ଗାଏ । ଅବିନାଶ ବାବୁ ପତ୍ନୀଙ୍କ କଥାରେ ଟିପ୍ପଣୀ ଦେଲେ- ପୁତୁଲ କହିଲେ ସେ ଚିହ୍ନିବେ କେମିତି ? ସଙ୍ଗେ ସଙ୍ଗେ ସୁଜାତା ଦେବୀ କହିଲେ- ପୁତୁଲ୍‌ର ଭଲ ନାଁ ଦୂର୍ବା । ସେତ ତୁମରି କଲେଜରେ ପଢ଼େ ।

 

-ହଁ ମାଉସୀ, ଜାଣିଲି । ଟିକିଏ ପରେ ସାର୍ଥକ କହିଲା- ସେ ତ ମୋର ଛାତ୍ରୀ, କିନ୍ତୁ ଏ ପର୍ଯ୍ୟନ୍ତ ଚିହ୍ନିବାର ସୁଯୋଗ ହୋଇନାହିଁ । ସବୁ ପିଲାଙ୍କଠାରୁ ଶୁଣିଛି, ସେ କାଳେ ଖୁବ୍ ଭଲଗାଏ ।

 

-ସେଥିରେ କୌଣସି ସନ୍ଦେହ ନାହିଁ ।

ସୁଜାତା ଦେବୀ ସଙ୍ଗେ ସଙ୍ଗେ କହିଲେ- ରୂପରେ, ଗୁଣରେ, ସ୍ୱଭାବ-ଚରିତ୍ରରେ ପୁତୁଲର ତୁଳନା ନାହିଁ । ମୁଁ ତାକୁ ଖୁବ୍ ସ୍ନେହ କରେ । ଟିକିଏ ହସି ସାର୍ଥକ କହିଲା-ତା ବିଷୟରେ ଏତେ ପ୍ରଶଂସା ଶୁଣିଲିଣି ଯେ ଭାବୁଛି ଦିନେ ତା ସହିତ ଆଳାପ କରିବାକୁ ହେବ ।

 

-ଏବେ ତ ସେ ଫଙ୍କ୍‌ସନ୍ ନେଇ ବ୍ୟସ୍ତ; ନଚେତ୍ ବର୍ତ୍ତମାନ ତାକୁ ଡକାଇ ପଠାଇ ଥାଆନ୍ତି-

 

-ମାଉସୀ ! ସେ କ’ଣ ଏ ପାଖାପାଖି ରହେ ?

 

-ସେ ଖାଲି ଆମ ବକୁଲତଲାର ଝିଅ ନୁହେଁ-ମାତ୍ର ଦୁଇଟା ଘରଛାଡ଼ି ତାଙ୍କ ଘର ।

-ଓ !

 

-ଆସନ୍ତା ଶନିବାର କଲେଜ ସାରି ଆମ ଘରେ ରହିଯା; ତା ସହିତ ଆଳାପ କରାଇ ଦେବି ।

 

ସାର୍ଥକ କହିଲା- ନା ମାଉସୀ; ରହିବା ଦରକାର ପଡ଼ିବନି । ତା ସହିତ କଲେଜରେ ଆଳାପ ହୋଇଯିବ ।

 

ସତେଇଶ ତାରିଖ ଦି’ପହରକୁ ସାର୍ଥକ ଷ୍ଟେସନ୍‌ରୁ ସିଧା ଅବିନାଶବାବୁଙ୍କ ଘରକୁ ଗଲା । ତାକୁ ଦେଖିବା ମାତ୍ରେ ସୁଜାତା ଦେବୀ କହିଲେ-ଏତେ ଡେରି କଲ କାହିଁକି? ମୁଁ ଭାବିଥିଲି ତୁମେ ଆହୁରି ଆଗରୁ ଆସିବ ।

 

-ବନ୍ଧୁ ଓ ବନ୍ଧୁ ପତ୍ନୀ ତ ଆହୁରି ଡେରି କରି ଆସିବାକୁ କହୁଥିଲେ- କିନ୍ତୁ......

-ଖୁବ୍‍ ଭୋକ ନିଶ୍ଚୟ ଲାଗିବଣି ?

-ନା-ନା, ସେତେ ଭୋକ ହୋଇନାହିଁ ।

-ଏବେ କପେ ଚା’ ପିଇବ ?

 

-ନା ମାଉସୀ, ଏବେ ଆଉ ଚା’ ପିଇବି ନାହିଁ ।

ସେ ସଙ୍ଗେ ପଚାରିଲା- ମାଉସୀ ! ସାର୍ କଣ କଲେଜ ଯାଇଛନ୍ତି?

-ନା କଲେଜକୁ ନୁହେଁ- ବ୍ୟାଙ୍କକୁ ଯାଇଛନ୍ତି ।

 

ଓ !

-ଚାଲ, ତୁମକୁ ଉପରକୁ ନେଇଯାଏ ।

ସିଡ଼ି ଦେଇ ଦୋତାଲା ବାରଣ୍ଡାରେ ପହଞ୍ଚି ସୁଜାତାଦେବୀ କହିଲେ- ଉପର ଦି’ ବଖରା ମୋ ଦୁଇପୁଅଙ୍କର । ସେମାନେ ଏଠାରେ ରହନ୍ତି ନାହିଁ । ତେଣୁ ଖାଲି ପଡ଼ିଥାଏ ।

 

-ମାଉସୀ ! ଆପଣଙ୍କର ପୁଅମାନେ କେଉଁଠି ଥାଆନ୍ତି ? ଗୋଟିଏ କୋଠରିରେ ପ୍ରବେଶ କରୁ କରୁ ସେ କହିଲେ- ବଡ଼ପୁଅ ଥାଏ ବରୋଦାରେ; ସେ ଆଇ.ପି.ସି.ଏଲରେ କାମ କରେ ।

 

-ତା ମାନେ ଇଣ୍ଡିଆନ୍ ପେଟ୍ରୋକେମିକାଲସ୍‌ରେ...

-ହଁ ହଁ, ତୁମେ ଜାଣିଛ ଦେଖୁଛି-

-ଆଇ.ପି.ସି.ଏଲ କଥା କିଏ ନ ଜାଣେ-

 

-ମୋ ସାନପୁଅ ଦିଲ୍ଲୀର ହିନ୍ଦୁ କଲେଜରେ ପଲିଟିକାଲସାଇନ୍‌ସରେ ଲେକ୍‌ଚରର୍ ।

-ତା ମାନେ ଆପଣଙ୍କର ଦୁଇଟିଯାକ ପୁଅ ଖୁବ୍ ଯୋଗ୍ୟ ।

 

-ମୋ ଝିଅଟି ମଧ୍ୟ ଖୁବ୍ ଭଲ ଛାତ୍ରୀ ଥିଲା । କି୍‌ନ୍ତୁ ହଠାତ୍ ବାହାହୋଇ ଗଲା ବୋଲି ଏମ୍‌.ଏ.ପଢ଼ା ଅଧାରୁ ଛାଡ଼ି ଜ୍ୱାଇଁଙ୍କ ସହିତ ବିଲାତ ଚାଲିଗଲେ ।

 

-ସେମାନେ ସେଠାରେ ରହନ୍ତି ?

-ହଁ ମୋ ଜ୍ୱାଇଁ ସେଠାରେ ଡା‌କ୍ତର ।

-ବାଃ ଖୁବ୍ ହାପି ଫ୍ୟାମିଲି ଆପଣଙ୍କର ।

 

-ସୁଜାତାଦେବୀ ଗୋଟିଏ ଚାପା ଦୀର୍ଘନିଃଶ୍ୱାସ ପକାଇ କହିଲେ-ଭଗବାନ କ’ଣ କୌଣସି ମଣିଷକୁ ଷୋଳଅଣା ସୁଖରେ ରହିବାକୁ ଦିଅନ୍ତି? ଆମେ ଖୁବ୍ ସୁଖ ଶାନ୍ତିରେ ନାହୁଁ-ବଡ଼ ବୋହୂମା କ୍ୟାନ୍‌ସରରେ ଭୋଗୁଛି-

 

-ଓ ମାଇଁ ଗଡ଼ ।

 

ସାର୍ଥକ ହାତରେ ବ୍ରିଫ୍‌କେଶ୍ ଟା ଟେବୁଲ ଉପରେ ରଖିଲା । ସେ ଡାହାଣ ପାଖର ଗୋଟିଏ ଦରଜା ଦେଖାଇ କହିଲେ-ତୁମେ ବାଥ୍‌ରୁମ୍‌ରେ ମୁହଁ ହାତ ଧୋଇ ଟିକିଏ ଫ୍ରେସ୍ ହୋଇ ତଳକୁ ଆସ । ମୁଁ ଆମ ଦୁହିଙ୍କପାଇଁ ଖାଇବାକୁ ଦେବାକୁ କହୁଛି ।

 

-ସାର୍ ବ୍ୟାଙ୍କରୁ ଫେରିଲେ ତିନିହେଁ ସାଙ୍ଗ ହୋଇ....ସାର୍ଥକକୁ କଥାଟା ଶେଷ କରିବାକୁ ନ ଦେଇ ସେ ଟିକିଏ ହସି କହିଲେ- ସେ ତିନିଶ ପଁଷଠୀଦିନ ସକାଳ ସାଢ଼େ ନ’ ଟା ଭିତରେ ଖାଇ ଦିଅନ୍ତି ।

 

-ଛୁଟି ଦିନ ମଧ୍ୟ ?

-ଛୁଟି ଥାଉ କିମ୍ବା ପୁଅଝିଅ ଆସନ୍ତୁ; ସେ ଯଥାରୀତି ସକାଳ ସାଢ଼େ ନ’ଟାରେ ଖାଇଦିଅନ୍ତି-

ସାର୍ଥକ ଟିକିଏ ହସିଲା ।

 

ସୁଜାତା ଦେବୀ ଘରୁ ପଦାକୁ ବାହାରୁ ବାହାରୁ କହିଲେ-ବେଶୀ ଡେରି କରନା । ଖାଇ ଦିଅ । ଖାଇ ପିଇ ଟିକିଏ ବିଶ୍ରାମ କରି ତ ଯିବ । କାରଣ ଅନୁଷ୍ଠାନ ସାଢ଼େ ଦଶଟା ଆଗରୁ ସରିବ ନାହିଁ ।

 

-ଏତେ ଡେରି ହେବ ?

-ସବୁଥର କହନ୍ତି ନ’ଟା ସୁଦ୍ଧା ସରିଯିବ କିନ୍ତୁ କେବେ ବି ଦଶଟା ଆଗରୁ ସରେନା ।

 

ଦୁହେଁ ଖାଇପିଇ ବାହାରିବା ବେଳକୁ ଅବିନାଶବାବୁ ଫେରିବାରୁ ସାର୍ଥକ କହିଲା- ସାର୍‌ ! ଏତେ ଡେରି ହେଲା ?

 

ଅବିନାଶବାବୁ କିଛି କହିବା ପୂର୍ବରୁ ସୁଜାତା ଦେବୀ କହିଲେ- ନିଶ୍ଚୟ ଛାତ୍ର ଛାତ୍ରୀମାନଙ୍କ ସହିତ ଦେଖା ହୋଇଥିଲା ।

 

ସାର୍ଥକଆଡ଼କୁ ଚାହିଁ ଅବିନାଶବାବୁ ଟିକିଏ ହସି କହିଲେ- ବ୍ୟାଙ୍କରୁ ବାହାରୁ ବାହାରୁ ମୋର ଜଣେ ପୁରୁଣା ଛାତ୍ରୀ ସହିତ ଦେଖାହେଲା । ସେ ବର୍ତ୍ତମାନ କଟକ ଓମେନସ୍ କଲେଜରେ ପ୍ରିନ୍‌ସିପାଲ ।

 

ସଙ୍ଗେ ସଙ୍ଗେ ସୁଜାତା ଦେବୀ ପଚାରିଲେ- ଚିତ୍ରା କେବେ ଆସିଲା ?

 

-ସେ କାଲି ଆସିଛି । ଆସନ୍ତା କାଲି ତା ବାପା ମା’ଙ୍କର ବିବାହର ଗୋଲ୍‌ଡ଼େନ୍ ଜୁବୁଲି ହେବ ବୋଲି ସବୁ ଭାଇ ଭଉଣୀ ଆସିଛନ୍ତି ।

 

-ସତେ?

ଅବିନାଶବାବୁ ପ୍ରସଙ୍ଗ ବଦଳାଇ ସାର୍ଥକକୁ ପଚାରିଲେ- ପେଟ ପୂରା ଖାଇଛ ତ ?

 

-ସାର ! ମାଉସୀଙ୍କ ଅନୁରୋଧ ରକ୍ଷା କରିବାକୁ ଯାଇ ମୁଁ ତିନି ଦିନର ଖାଦ୍ୟ ଖାଇ ନେଇଛି ।

 

ସୁଜାତା ଦେବୀ କହିଲେ- ନା ନା, ସେ ସେମିତି କିଛି ଖାଇନାହିଁ । ଆମ ପୁଅମାନଙ୍କ ଭଳି ସାର୍ଥକ ବି କିଛି ଖାଇ ପାରେନା । ଏଥର ଅବିନାଶବାବୁ ସାର୍ଥକକୁ କହିଲେ- ହାତମୁହଁ ଧୋଇ ଉପରକୁ ଯାଇ ଟିକିଏ ବିଶ୍ରାମ କର ।

 

-ହଁ ସାର୍ ! ଯାଉଛି ।

ଚାରିଟା ବାଜୁ ବାଜୁ ସୁଜାତା ଦେବୀ ହାତରେ ଚା’କପେ ଧରି ଉପରକୁ ଯାଇ ସାର୍ଥକକୁ କହିଲେ-ଚା’ ପିଇ ବାଥ୍‌ରୁମ୍‌କୁ ଯାଇ ଗାଧୁଆପାଧୁଆ କରି ପୋଷାକ ପିନ୍ଧି ନିଅ । ତାପରେ ସାମାନ୍ୟ ଟିକିଏ ଖାଇଦେଇ କଲେଜକୁ ଯିବ ।

 

ସାର୍ଥକ କହିଲା-ନା, ମୁଁ ଏବେ କିଛି ଖାଇବି ନାହିଁ । ମୋର ପେଟ ଭର୍ତ୍ତି ଅଛି । ସାର୍ଥକ ଗାଧୋଇପାଧୋଇ ଧୋତି ପଞ୍ଜାବି ପିନ୍ଧି ତଳକୁ ଆସିବା ଦେଖି ସୁଜାତା ଦେବୀ ତାକୁ ଦେଖି ହସି ହସି କହିଲେ- ବାଃ ! ଖୁବ୍ ସୁନ୍ଦର ଦେଖାଯାଉଛି । ତୁମକୁ ଧୋତି ପଞ୍ଜାବି ଏତେ ମାନେ ମୁଁ ଭାବି ପାରି ନ ଥିଲି ।

 

ଅବିନାଶ ବାବୁ ସଙ୍ଗେ ସଙ୍ଗେ ପତ୍ନୀଙ୍କୁ କହିଲେ-ତୁମେ ତ ଭଲ କଥା କହିଲ ! ସାର୍ଥକ ଭଳି ପିଲା ଯାହା ପିନ୍ଧିଲେ ବି ସୁନ୍ଦର ଦିଶିବ ।

 

-ଆଚ୍ଛା, ଆଚ୍ଛା ହେଲା; ତୁମେ ଦୁହେଁ ଶୀଘ୍ର ବସ ତ । କଚୁଡ଼ିଗୁଡ଼ାକ ଥଣ୍ଡାହୋଇଗଲେ ଭଲ ଲାଗିବ ନାହିଁ । ସାର୍ଥକ ଆପତ୍ତି କଲେ ହେଁ ସେ ଦୁହିଙ୍କ ବାଧ୍ୟରେ ଦୁଇଟା କଚୁଡ଼ି ଓ ଗୋଟାଏ ସନ୍ଦେଶ ଖାଇଲା । ତା ପରେ ଅବିନାଶ ବାବୁ ଓ ସାର୍ଥକ ଗୋଟାଏ ରିକ୍‌ସାରେ କଲେଜ ଗଲେ ।

 

ସେମାନେ ରିକ୍‌ସାରୁ ଓହ୍ଲାଇବାବେଳକୁ ବଙ୍ଗଳା-ଡିପାର୍ଟମେଣ୍ଟର ହେଡ଼୍‍ ଜଗଦୀଶ ବାବୁ ଆଗେଇ ଆସି ଅବିନାଶ ବାବୁଙ୍କର ଗୋଟାଏ ହାତ ଧରି କହିଲେ- ଆସ, ଆସ । ମୋ ସହିତ ଆସ ।

 

ସେ ଦୁହେଁ ଡାହାଣଆଡ଼କୁ ଯିବାରୁ ସାର୍ଥକ ଆଗେଇ ଗଲା । ପେଣ୍ଡାଲଆଡ଼କୁ ଲୋକ ଦଳକୁ ଦଳ ଚାଲିଛନ୍ତି । ବିସ୍‌ମିଲ୍ଲାଙ୍କ ସାହାନାଇର ଶବ୍ଦ ଚତୁର୍ଦ୍ଦିଗକୁ ପ୍ରସରି ଯାଉଛି । ହଠାତ୍ ଦୁଇଟି ପୁଅ ଝିଅ ଆଗେଇ ଆସି ସାର୍ଥକକୁ କହିଲେ- ସାର୍‌ ! ଆମ ସାଙ୍ଗରେ ଆସନ୍ତୁ । ସେମାନେ ସାର୍ଥକକୁ ପ୍ରଥମ ଧାଡ଼ିରେ ଗୋଟାଏ ଚେୟାର ଦେଖାଇ କହିଲେ–ସାର ! ଏଇଠି ବସନ୍ତୁ ।

 

-ଏଠାରେ ନିଶ୍ଚୟ ଗେଷ୍ଟମାନେ ବସିବେ । ମୁଁ ବରଂ......

ଝିଅଟି କହିଲା- ସାର୍‌ ! ଆପଣ ଆମପାଇଁ ଗେଷ୍ଟମାନଙ୍କଠାରୁ ଆହୁରି ଇଂପୋଟାଣ୍ଟ ।

 

ସାର୍ଥକ ଟିକିଏ ହସି ସେଠାରେ ବସିଲା । ତାପରେ ଦେଖିଲା ଆଖ ପାଖରେ ଆହୁରି କେତେଜଣ ଅଧ୍ୟାପକ, ଅଧ୍ୟାପିକା ବସିଛନ୍ତି । ସେମାନଙ୍କୁ ଦେଖି ସେ ଟିକିଏ ନିଶ୍ଚିନ୍ତ ହେଲା । ଟିକିଏ ପରେ ତା ପାଖରେ ଆସି ବସିଲେ ହିଷ୍ଟ୍ରି ଡିପାର୍ଟମେଣ୍ଟର ମାଳା ରାୟ । ସାର୍ଥକ ତାଙ୍କୁ ପଚାରିଲା- ଦିଦି ! ଆଜି ଏଠି କ’ଣ କ’ଣ ସବୁ ହେବ ?
 

ଆରମ୍ଭରେ କୋରସ୍ ଗୀତ ବୋଲା ଯିବ । ତା ପରେ ଆବୃତ୍ତି, ହସ କୌତୁକ, ତା ପରେ ଛୋଟ ଗୋଟାଏ ଶ୍ରୁତି ନାଟକ; ତାପରେ ପୁଣି ସଙ୍ଗୀତ ଏବଂ ଚିତ୍ରାଙ୍ଗଦାର ଗୋଟାଏ ଅଂଶ ।

 

-ସଭାପତି, ପ୍ରଧାନ ଅତିଥିଙ୍କ ଭାଷଣ?

ଏହି ଅନୁଷ୍ଠାନରେ କେହି ପ୍ରଧାନ ଅତିଥି ସଭାପତି ନ ଥାନ୍ତି । ତେବେ ପ୍ରିନ୍‌ସିପାଲ୍ ସାମାନ୍ୟ ଦୁଇ ଚାରି ପଦ କହି ନବାଗତମାନଙ୍କୁ ଅଭ୍ୟର୍ଥନା ଜଣାଇବେ ।

 

-ବାଃ । ଖୁବ୍ ଭଲ ।

ଟିକିଏ ପରେ ପୁଣି ସାର୍ଥକ ମିସେସ୍ ରାୟଙ୍କୁ ପଚାରିଲା- ଆଚ୍ଛା ଦିଦି ! ସବୁ କିଛି କ’ଣ କଲେଜର ପୁଅ ଝିଅମାନେ କରିବେ?

 

-ଆଜିର ଅନୁଷ୍ଠାନରେ କେବଳ ଛାତ୍ରଛାତ୍ରୀମାନେ ପାଟିସିପେଟ୍ କରିବେ । କିନ୍ତୁ କେତେଜଣ ଅଧ୍ୟାପକ ଅଧ୍ୟାପିକା ବିଭିନ୍ନ ବିଭାଗର ପରିଚାଳନା କରିବେ ।

 

-ଆଇ ସି !

-ଆମ ଲାଇବ୍ରେରୀଆନ୍ ଅଚିନ୍ତ୍ୟ ବାବୁ ଖୁବ୍ ଭଲ ଆବୃତ୍ତି କରନ୍ତି ବୋଲି ସେ ହିଁ ଆବୃତ୍ତି ବିଭାଗ ପରିଚାଳନା କରନ୍ତି । ହିଷ୍ଟ୍ରିର ଚନ୍ଦନା ଡ୍ୟାନସ୍ ଡିରେକ୍‌ସନ୍ ଦିଅନ୍ତି । ସଙ୍ଗୀତ ଏବଂ ହୋଲ ଫଙ୍କସନ୍ ଦାୟିତ୍ୱରେ ଅଛନ୍ତି ଇକନମିକ୍‌ସର ଚନ୍ଦ୍ରା ଚକ୍ରବର୍ତ୍ତୀ ।

 

ଗୋଟିଏ କଥାରେ କହିଲେ ଚନ୍ଦ୍ରା ହିଁ ଏ ଟୁ ଜେଡ଼୍‍ ସମ୍ଭାଳନ୍ତି ।

-ସେ କ’ଣ ଭଲ ଗୀତ ବୋଲି ପାରନ୍ତି ?

-ସେ ଯେ କ’ଣ ଜାଣନ୍ତି ନାହିଁ- ତାହା କହିବା ମୁସ୍କିଲ ।

 

ମାଳାଦେବୀ ପୁଣି କହିଲେ-ଗତବର୍ଷ ପିଲା ହେବ ବୋଲି ଚନ୍ଦନା ଡ୍ୟାନସ୍ ଡିରେକ୍‌ସନ ଦେଇ ପାରିଲା ନାହିଁ- ସେଥିପାଇଁ ଚନ୍ଦ୍ରା ହିଁ ନାଟ୍ୟ ପରିଚାଳନା କରିଥିଲେ । ସାର୍ଥକ ହସି ହସି କହିଲା-ତାହେଲେ ବେଶ୍ କେତେଜଣ ଅଛନ୍ତି ଯେଉଁମାନେ......

 

ତାକୁ କଥାଟା ଶେଷ କରିବାକୁ ନ ଦେଇ ମାଳାରାୟ କହିଲେ - ଆମ ଟିଚିଂ ଷ୍ଟାଫ୍ ଭିତରେ ଅନେକ ଗୁଣୀ ଅଛନ୍ତି ।

 

ଠିକ୍ ଏହି ସମୟରେ ପର୍ଦ୍ଦାର ଆଢ଼ୁଆଳରୁ ଘୋଷଣା କରାଗଲା-ନମସ୍କାର । ବର୍ତ୍ତମାନ ଆମ ଅନୁଷ୍ଠାନର କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ପର୍ଦ୍ଦା ଅପସାରିତ ହେବାମାତ୍ରେ ଦଳେ ପୁଅଝିଅ ଏକ ସଙ୍ଗରେ ଗାଇ ଉଠିଲେ- ଆନନ୍ଦଲୋକେ ମଙ୍ଗଳାଲୋକେ ବରାହ ସତ୍ୟ ସୁନ୍ଦର......

 

ସଙ୍ଗୀତ ଶେଷ ହେବା ପରେ ଘୋଷଣା ହେଲା-ମାନନୀୟ ଅଧ୍ୟକ୍ଷ ନୂତନ ଛାତ୍ରଛାତ୍ରୀମାନଙ୍କୁ ଅଭ୍ୟର୍ଥନା ଜଣାଇବେ ।

 

ହଁ-ସେ ନୂତନ ଛାତ୍ରଛାତ୍ରୀମାନଙ୍କୁ ଦୁଇତିନି ପଦ କହି ଅଭ୍ୟର୍ଥନା ଜଣାଇ କହିଲେ-ଆଶା କରେ ଏହି କଲେଜରେ ତୁମମାନଙ୍କର ଦିନଗୁଡ଼ିକ ଆନନ୍ଦମୟ ଏବଂ ମଙ୍ଗଳମୟ ହେବ । ତୁମମାନଙ୍କର ସମସ୍ତଙ୍କର ମଙ୍ଗଳ ହେଉ ।

 

ଅଧ୍ୟକ୍ଷ ଷ୍ଟେଜ୍‌ରୁ ଓହ୍ଲାଇ ଆସିବାମାତ୍ରେ ଘୋଷଣା ହେଲା-ବର୍ତ୍ତମାନ ଆବୃତ୍ତି କରିବେ ଶ୍ରୀରାଧା ସାମନ୍ତ ।

 

ଏହି ଭାବରେ ଅନୁଷ୍ଠାନର କାର୍ଯ୍ୟକ୍ରମ ଆରମ୍ଭ ହେଲା । ଆବୃତ୍ତି, ହାସ୍ୟ, କୌତୁକ ଓ ଶ୍ରୁତି ନାଟକ ପରେ କେତୋଟି ଦ୍ୱୈତ ସଂଗୀତ ଆରମ୍ଭ ହେଲା । ଦୁଇଟି ନୂଆ ପୁଅଝିଅ ଦୁଇଟି ନୂଆ ଗୀତ ଶୁଣାଇବା ପରେ ଆରମ୍ଭ ହେଲା ଚିତ୍ରାଙ୍ଗଦା ନୃତ୍ୟ ନାଟ୍ୟର ଗୋଟିଏ ଅଂଶ ।

 

ହଠାତ୍ ଗୋଟାଏ ଝିଅ ଦୌଡ଼ି ଦୌଡ଼ି ଆସି ସାର୍ଥକ ପାଖରେ ଆଣ୍ଠେଇ ପଡ଼ି ନିମ୍ନ କଣ୍ଠରେ ଫୁସ୍ ଫୁସ୍ କରି କହିଲା- ସାର୍ ! ଚିତ୍ରାଙ୍ଗଦାକୁ ଚିହ୍ନି ପାରୁଛନ୍ତି ?

 

ଉତ୍ତରକୁ ଅପେକ୍ଷା ନ କରି ସେ କହିଲା- ସାର୍‌ ! ସେ ପରା ଆମ କ୍ଲାସର ବୈଶାଖୀ ମଜୁମ୍‌ଦାର୍ ।

 

ସେତିକି କହିଦେଇ ଝିଅଟି ଦୌଡ଼ି ପଳାଇଲା ।

 

ଦୁଇଚାରି ମିନିଟ୍ ପରେ ‘ମୋର ଅଙ୍ଗେ ଅଙ୍ଗେ କେ ବଜାଏ ବଂଶୀ’- ଗୀତ ଆରମ୍ଭ ହୁଅନ୍ତେ କ୍ଳାସ ଟୁଏଲ୍‌ଭର ଗୋଟିଏ ଛାତ୍ରୀ ଦଉଡ଼ି ଆସି ସାର୍ଥକର ହାତରେ ଗୋଟାଏ ଟୁକୁରା କାଗଜ ଦେଇ ଚାଲିଗଲା ।

 

ସେ କାଗଜ ଟୁକୁରାରେ ଲେଖାଥିଲା- ଦୂର୍ବା ଗାଉଛି ।

ମିସେସ୍ ରାୟ ତାକୁ ପଚାରିଲେ- କାଗଜରେ କ’ଣ ଲେଖାଅଛି ?

 

ସାର୍ଥକ କାଗଜ ଟୁକୁରାଟି ତାଙ୍କ ହାତକୁ ବଢ଼ାଇ ଦେଲା । ସେ ଟିକିଏ ଆଖି ପକାଇ ହସି ଦେଇ କହିଲେ- ଦୂର୍ବାଛଡ଼ା ଏମିତି କିଏ ଗାଇ ପାରିବ ?

 

ଚିତ୍ରାଙ୍ଗଦା ଶେଷ ହେଉ ହେଉ ଚନ୍ଦ୍ରା ଚକ୍ରବର୍ତ୍ତୀ ଷ୍ଟେଜ୍‌କୁ ଆସିଲେ ।

 

ଘୋଷଣା କଲେ-ଆଜିର ଆନନ୍ଦ ଉତ୍ସବର ଶେଷ ଶିଳ୍ପୀ ଆମର ଗୌରବ ଦୂର୍ବା ଚୌଧୁରୀ-

 

ସଙ୍ଗେ ସଙ୍ଗେ କରତାଳି ଆରମ୍ଭ ହେଲା । ଗାଲିଚା ପଡ଼ିଥିବା ଡିଭାନ୍ ଷ୍ଟେଜକୁ ଆସିଲା । ହାରମୋନିୟମ୍‌, ତବଲା ଆସିଲା । ଆସିଲା ତିନୋଟି ମାଇକ୍ରୋଫୋନ୍ । ଗୋଟିଏ ତବଲା ପାଖରେ ଓ ଅନ୍ୟ ଦୁଇଟି ହାର୍‌ମୋନିୟମ୍ ପାଖରେ । ଷ୍ଟେଜ୍‌ର କଣରେ ଖଞ୍ଜାହେଲା ଭିଡ଼ିଓ କ୍ୟାମେରା । ଭିଡ଼ିଓର ମାଇକ୍ରୋଫୋନ୍ ମଧ୍ୟ ରଖାଗଲା ହାରମୋନିୟମ୍ ପାଖରେ । ଷ୍ଟେଜ୍‌ର ଗୋଟିଏ ଉଇଙ୍ଗ୍ ପାଖରୁ ଗୋଟାଏ ଖୁବ୍ ପାୱାରଫୁଲ୍ ଫୋକସ୍ ପଡ଼ିଲା ଗାୟିକାକୁ ଆଲୋକର ବନ୍ୟାରେ ପ୍ଲାବିତ କରିବାକୁ ।

 

ଉଦ୍ୟୋକ୍ତାମାନଙ୍କର ଆୟୋଜନ ଦେଖି ସାର୍ଥକ ମନେ ମନେ ହସିଲା । ଏଠାରେ କ’ଣ ସୁଚିତ୍ରା-କଣିକା ଗାଇବେ ?

 

ଜଣେ ମଧ୍ୟମ ବୟସ୍କ ଭଦ୍ର ଲୋକ ତବଲାରେ ଆଙ୍ଗୁଠି ଚଳାଇ, ଗୋଟାଏ ଛୋଟ ହାତୁଡ଼ିରେ ଠୁକ୍ ଠୁକ୍ କଲେ ବେଶ୍ କେତେ ମିନିଟ୍ । ସେ ପର୍ବ ଶେଷ ହେବା ପରେ ଚନ୍ଦ୍ରା ଚକ୍ରବର୍ତ୍ତୀ ଷ୍ଟେଜ୍‌ର ଗୋଟିଏ ପାଖରେ ଠିଆ ହୋଇ କଡ଼୍‍ଲେସ୍ ମାଇକ୍ରୋଫୋନ୍ ଧରି ଘୋଷଣା କଲେ

 

ଦୂର୍ବା ଚୋଧୁରୀ ।

ଦୂର୍ବା ଧୀର ପଦକ୍ଷେପରେ ଷ୍ଟେଜ୍‌କୁ ଆସିବା ମାତ୍ରେ କରତାଳିର ବନ୍ୟା । ବିନମ୍ର ମସ୍ତକରେ ହାତଯୋଡ଼ି ଦୂର୍ବା ଷ୍ଟେଜ୍‌ର ମଝିରେ ଠିଆ ହୋଇ ସମସ୍ତଙ୍କୁ ନମସ୍କାର କରି ହାରମୋନିୟମ୍ ଆଗରେ ବସିବାରୁ ଚନ୍ଦ୍ରା ଘୋଷଣା କଲେ-ତବଲା ସଂଗତ-

 

ଶାନ୍ତି ନିକେତନର ଶ୍ରୀ ପରିମଳ ଘୋଷ ।

ସାର୍ଥକ ଦୂର୍ବାକୁ ଦେଖି ମୁଗ୍‌ଧ ହେଲା । ମନେ-ମନେ ଭାବିଲା- ଦୂର୍ବା ଏତେ ସ୍ନିଗ୍ଧ, ଏତେ ଲାବଣ୍ୟମୟୀ ! ଆଖିରେ ଏବଂ ମୁହଁରେ ଯେପରି ପ୍ରାତଃକାଳୀନ କମଳର ସରସତା-ପବିତ୍ରତା । ସୁନ୍ଦର ତନ୍ତଶାଢ଼ିର ଆବରଣରେ ଘୋଡ଼ାଇ ରଖିଛି ବକ୍ଷ । ତଥାପି ସଦ୍ୟ ଯୌବନକୁ ଦେଖି ତାର ମନେହେଲା- ଶରୀରର ଗଠନ ସ୍ୱରର ତାଳ ଲୟ ଭଳି ଛନ୍ଦମୟ ।

 

ପରିମଳ ବାବୁଙ୍କ ସହିତ ଦୃଷ୍ଟି ବିନିମୟ କଲାମାତ୍ରେ ଦୂର୍ବା ଗାଇ ଉଠିଲା- ଆମେ ନବଯୌବନର ଦୂତ.....

 

ଗୀତ ଶେଷ ହେଉ ହେଉ ସହସ୍ର ଶ୍ରୋତାଙ୍କ ହାତ ତାଳି ! ହଠାତ୍ ଗୋଟିଏ ଯୁବକର ଚିତ୍କାର-ଯିଏ ଥିଲା ମୋର ସ୍ୱପ୍ନ ଚାରିଣୀ............ଆଗରୁ ଗୋଟିଏ ଝିଅ ଚିତ୍କାର କଲା-ତୁମେ ରହିଯିବ ନିରବେ ମମ-ପୁଣି କେହି ଜଣେ ଚିତ୍କାର କଲା- ଆଗୋସଖି, ଆଗୋ ସଖି ! ଏହି ସମସ୍ତ ଚିତ୍କାର କରତାଳି ଭିତରେ ଦୂର୍ବା ଟିକିଏ ସଲଜ୍ଜ ଚାପା ହସ ହସି ଆରମ୍ଭ କଲା-

 

ଯିଏ ଥିଲା ମୋରସ୍ୱପ୍ନଚାରିଣୀ ବୁଝି ପାରିନି ମୁଁ ତାରେ.......ଏହି ଗୀତ ଶେଷମାତ୍ରେ ଦୂର୍ବା ପୁଣି ଗାଇ ଉଠିଲା-

 

ତୁମେ ରହିଥିବ ନିରବେ ମମ

ନିବିଡ଼ ନିଭୃତ ପୂର୍ଣ୍ଣିମା ନିଶିଥିନୀ ସମ......

ଗୀତ ଶେଷ ହେଉ ଆରମ୍ଭ ହେଲା ହାତ ତାଳି । ଦୂର୍ବା ପୁଣି ଗାଇ ଉଠିଲା -

 

ମୋ ମନ ଅଳିନ୍ଦେ ଯେ ଗୀତ ଗୁଞ୍ଜରେ

ଶୁଣି ପାର କି ଗୋ ତୁମେ.....

 

ପୁଣି ଆରମ୍ଭହେଲା ହାତତାଳି ଏବଂ ଅନୁରୋଧର ବନ୍ୟା । ସଙ୍ଗେ ସଙ୍ଗେ ଚନ୍ଦ୍ରା ଚକ୍ରବର୍ତ୍ତୀ ଘୋଷଣା କଲେ-ଦୂର୍ବା କେବେହେଲେ ଗୋଟାଏ ଦୁଇଟା ଗୀତ ଗାଇ ଷ୍ଟେଜ୍ ଛାଡ଼େନା । ସେ ବେଶ୍ କେତେଟା ଗୀତ ଗାଇବ; ତାକୁ ନିଜ ଇଚ୍ଛାରେ ଗାଇବାକୁ ଦିଅନ୍ତୁ । ଅଯଥା ଅନୁରୋଧ କରି ଗୋଳମାଳ କଲେ ସେ ଗାଇ ପାରିବ ନାହିଁ । ମୁଁ ମଧ୍ୟ ଅନୁଷ୍ଠାନ ଶେଷ କରିଦେବାକୁ ବାଧ୍ୟ ହେବି ।

 

ତାପରେ ଦୂର୍ବା ଗୋଟିଏ ପରେ ଗୋଟିଏ ଗୀତ ଗାଇ ଚାଲିଲା । ପ୍ରତ୍ୟେକଟି ଗୀତ ଶେଷ ହେବାମାତ୍ରେ କରତାଳି ଧ୍ୱନିରେ ସାରା ସାଇଁଥିଆ ସହର ଯେପରି କମ୍ପିଉଠେ । କିନ୍ତୁ କେହି ଆଉ କୌଣସି ଅନୁରୋଧ କଲେ ନାହିଁ । ଏହିପରି ଦଶବାରଟି ଗୀତ ଗାଇବା ପରେ ଦୂର୍ବା କହିଲା-ଏଥର ମୁଁ ଶେଷରେ ରବୀନ୍ଦ୍ର ସଙ୍ଗୀତଟି ଗାଇବି ।

 

ଏଇ କଥାଟି ମନେରଖ

ତୁମର ଏଇ ହସ ଖେଳର

ଗୀତ ଯେ ମୁଁ ଗାଇଥିଲି.....

 

ଏହି ଗୀତଟି ଶେଷ ହେବାମାତ୍ରେ ଦୂର୍ବା ଘୋଷଣା କଲା-ମୋର ପରମ ଶ୍ରଦ୍ଧେୟା ବଡ଼ମା’ ଶ୍ରୀମତୀ ସୁଜାତା ସରକାରଙ୍କ ଅନୁରୋଧ ଅନୁସାରେ ଅତୁଲ ପ୍ରସାଦଙ୍କର ଗୋଟିଏ ଗୀତ ଗାଇ ଆଜିର ଅନୁଷ୍ଠାନ ଶେଷ କରିବି । ସେ ପରିମଳ ବାବୁଙ୍କ ସହିତ ଦୃଷ୍ଟି ବିନିମୟ କରି ଆରମ୍ଭ କଲା-

 

କିଏ ପୁଣି ବଜାଏ ବଂଶୀ ଏଇ ଭଙ୍ଗା କୁଞ୍ଜବନେ

ହୃଦ ମୋର ଉଠିଲା କମ୍ପି ଚରଣର ସେହି ଶବଦେ

ଥୋଇ ଦିଅ ତୁମର ବଂଶୀ

ନିଅ ମୋତେ ସାଥିରେ ଆସି

ନିଜ ଘରେ ନିଜେ ପରବାସୀ ହୋଇ ଆଉ ରହି ପାରେନା.....

କିଏ ପୁଣି ବଜାଏ ବଂଶୀ ଏଇ ଭଙ୍ଗା କୁଞ୍ଜବନେ...... ।

 

ଦୂର୍ବା ଉଠି ଠିଆ ହୋଇ ହାତ ଯୋଡ଼ି ନମସ୍କାର କରିବାମାତ୍ରେ ପ୍ରାୟ ଦୁଇ ହଜାର ଶ୍ରୋତା ଉଠି କରତାଳି ଦେବା ଭିତରେ ପରଦା ନଇଁ ଆସିଲା । ସାର୍ଥକ କେତେ ମିନିଟ୍ ଧରି ନିଜର ଆସନ ଛାଡ଼ି ଉଠି ପାରିଲା ନାହିଁ ।

 

॥ ତିନି ॥

 

-କ’ଣ ସାର୍ଥକ, ଯିବ ନାହିଁକି ?

ଅବିନାଶବାବୁଙ୍କ ପତ୍ନୀଙ୍କ ଡାକରେ ସାର୍ଥକର ଯେପରି ସମ୍ବିତ୍ ଫେରି ଆସିଲା ।

 

ନିଜକୁ ଟିକିଏ ସମ୍ଭାଳିନେଇ କହିଲା- ହଁ ମାଉସୀ, ଯିବି । କିନ୍ତୁ ଏତେ ଲୋକ ଏକା ସାଙ୍ଗରେ ବାହାରୁଛନ୍ତି ଦେଖି ଭାବୁଛି ରିକ୍‌ସା ପାଇବି ନାହିଁ ।

 

-ମୁଁ ଯେଉଁ ରିକ୍‌ସାରେ ଆସିଲି ସେଇଟାକୁ ରଖିଛି ।

-ଆଚ୍ଛା ।

 

ରିକ୍‌ସାଆଡ଼କୁ ଯାଉ ଯାଉ ସାର୍ଥକ ପଚାରିଲା-ମାଉସୀ ! ସାର୍ କେମିତି ଯିବେ ?

 

-ସେ ଫେରି ଯିବାର ପରେ ତ ମୁଁ ବାହାରିଲି । ରିକ୍‌ସାକୁ ଉଠି ସୁଜାତା ଦେବୀ ପଚାରିଲେ-ଆମ ପୁତୁଲ୍‌ର ଗୀତ କେମିତି ଲାଗିଲା?

 

ସାର୍ଥକ ହସି ହସି କହିଲା -କଣ ଆଉ କହିବି, ଅପୂର୍ବ । ଟିକିଏ ରହିଯାଇ ସେ କହିଲା, ସତ କହୁଛି ମାଉସୀ, ମୁଁ କେବେହେଲେ ଭାବି ନ ଥିଲି- ସେ ଏତେ ଭଲ ଗାଇବ । ସୁଜାତା ଦେବୀ କହିଲେ- ଛ’ ବର୍ଷ ବୟସରୁ ସେ କଣିକା ଦେବୀଙ୍କଠାରୁ ଗୀତ ଶିଖୁଛି- ଗାଇବ ନାହିଁ ଭଲ?

 

-କଣିକା? ମାନେ?

-କଣିକା ବନ୍ଦୋପାଧ୍ୟାୟ, ଆଉ କିଏ? କଣିକା ଓ ପୁତୁଲ୍‌ର ମା’ ମଇନା ପିଲାବେଳର ବନ୍ଧୁ । ସେମାନେ ସାଙ୍ଗହୋଇ ଶାନ୍ତି ନିକେତନରେ ପଢ଼ୁଥିଲେ । ସେଇଥିପାଇଁ-

 

-ବୁଝିଲି ।

-ପୁତୁଲ ତ ଏବେ ବି ପ୍ରତ୍ୟେକ ଶନିବାର ଶାନ୍ତିନିକେତନକୁ ଯାଇ କଣିକାଠାରୁ ଗୀତ ଶିଖେ, ରବିବାର ଫେରି ଆସେ ।

 

-ଶନିବାର ଶାନ୍ତି ନିକେତନରେ ଥାଏ ?

-ହଁ, ସେ କଣିକା ପାଖରେ ରହେ । କଣିକା ଯେମିତି ପୁତୁଲ ପୁତୁଲ ବୋଲି ଅଜ୍ଞାନ, ପୁତୁଲ ସେମିତି ମାଉସୀଙ୍କୁ ଠାକୁର ଦେବତା ଭଳି ଶ୍ରଦ୍ଧା ଭକ୍ତି କରେ ।

 

ମିନିଟିଏ ଦୁଇ ମିନିଟ୍ ଚୁପ୍ ରହି ସାର୍ଥକ କହିଲା- ଏବେ ବୁଝିଲି ଦୂର୍ବା କେମିତି ଏତେ ଭଲ ଗାଇ ପାରୁଛି । ପ୍ରଥମତଃ ତାର କଣ୍ଠ ତାପରେ କଣିକା ବନ୍ଦୋପାଧ୍ୟାୟଙ୍କ ଟ୍ରେନିଂ । କହିବାର ନାହିଁ ।

 

ରେଳ ବ୍ରିଜ୍ ପାର ହୋଇ ରିକ୍‌ସା ବାଁ ପାଖର ଢାଲୁ ରାସ୍ତା ଦେଇ ବକୁଲତାଲା ସାହିକୁ ଆଗେଇବା ମାତ୍ରେ ସାର୍ଥକ କହିଲା- ମାଉସୀ ! କାଲି ଫେରି ଯିବା ଆଗରୁ ଦୂର୍ବା ସହିତ ମୋର ଆଳାପ କରାଇ ଦେବେ ।

 

ସୁଜାତା ଦେବୀ ଖୁସିରେ ହସି ହସି କହିଲେ- କୌଣସି ଚିନ୍ତା ନାହିଁ । ସକାଳୁ ସେ ବଡ଼ମା’ ଡାକି ହାଜର ହେବ । ଛୁଟିଦିନ ସକାଳେ ସେ ମୋ ପାଖରେ କିଛି ସମୟ ନ କଟାଇ ରହି ପାରେନା-

 

ଖିଆପିଆ ପରେ ଶୋଇବାକୁ ଡେରି ହେଲେ ହେଁ ସାର୍ଥକକୁ ନିଦ ଆସୁ ନ ଥାଏ । କେତେ କ’ଣ ମନକୁ ଆସୁଥାଏ । ପ୍ରେସିଡେନ୍‌ସୀରେ ପଢ଼ିବା ସମୟରେ କେତେ ଝିଅଙ୍କ ସହିତ ଆଳାପ ଥିଲା । କେତେଜଣଙ୍କ ସହିତ ବନ୍ଧୁତ୍ୱ ମଧ୍ୟ ଥିଲା । ସେମାନଙ୍କ ସହିତ ହସିଖୁସି, ଥଟ୍ଟା ପରିହାସ ମଧ୍ୟ କରିଛି । କଫି ହାଉସ୍‌ରେ ଆଡ୍ଡା ଦେଇଛି, କେବେ କେବେ ସାଙ୍ଗ ହୋଇ ସିନେମା, ନାଟକ ମଧ୍ୟ ଦେଖିଛି । ଜେ.ଏନ୍‌.ୟୁ.କୁ ଯାଇ ମନେହୁଏ ଯେପରି ଆମେରିକାର କୌଣସି ୟୁନିଭର୍ସିଟିକୁ ପଢ଼ିବାକୁ ଆସିଛି । ପୁଅଝିଅମାନଙ୍କର ଅଫୁରନ୍ତ ସ୍ୱାଧୀନତା, ଅବାଧ ମିଳାମିଶା, ସେକ୍‌ସ ଟୁ ରିଲିଜିଅନ୍ ନେଇ ତର୍କ-ବିତର୍କ-କିନ୍ତୁ ନା, ଆଉକିଛି ନୁହେଁ । ପୂର୍ଣ୍ଣମୀ ରାତିରେ, ଶରତର ଶିଶିର ଭିଜା ସକାଳେ ବା ବସନ୍ତର ଗୋଧୂଳି ବେଳାରେ ନିଃସଙ୍ଗ ଅବସ୍ଥାରେ ମଧ୍ୟ ଏହି ସବୁ ଝିଅମାନଙ୍କର କଥା, ମୁହଁର ହସ, ଯୌବନର ଉଚ୍ଛ୍ୱାସ ନେଇ ସାର୍ଥକ କେବେ କୌଣସି ଦିନ ଭାବି ନାହିଁ । ଭାବିବାର ପ୍ରୟୋଜନ ମଧ୍ୟ ଅନୁଭବ କରି ନାହିଁ ।

 

କିନ୍ତୁ ଆଜି !

ଆଖି ଆଗରେ ଭାସି ଉଠୁଛି ଦୂର୍ବାର ମୂର୍ତ୍ତି କାନରେ ଅନୁରଣିତ ହେଉଛି- ସେ ଥିଲା ମୋର ସ୍ୱପ୍ନଚାରିଣୀ.......

 

ହଠାତ୍ ତାର ମନେହେଲା- ଏତେଦିନ କ୍ଳାସ ନେବା ପରେ ମଧ୍ୟ କେମିତି ତା’ର ନଜରରେ ପଡ଼ିନାହିଁ ! ପ୍ରାୟ ସତୁରୀ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ଅଧାଅଧି ଝିଅ । କ୍ଲାସ୍ ନେବାକୁ ଯାଇ ସବୁ ଛାତ୍ର ଛାତ୍ରୀମାନଙ୍କୁ କ’ଣ ଭଲ କରି ଦେଖିହୁଏ ? ସେଇଟା ବି ଉଚିତ ନୁହେଁ ।

 

କିପରି ଗୋଟାଏ ମିଠା ମିଠା ଭାବ ଓ ଖୁସି ମନରେ ସାର୍ଥକ ଶୋଇ ପଡ଼ିଲା । ଶୁକ୍ଳ ତ୍ରୟୋଦଶୀର ଚାନ୍ଦ ସେତେବେଳକୁ ଢଳି ଗଲାଣି ।

 

ଅବିନାଶ ବାବୁ ଯଥାରୀତି ଭୋର୍ ପାଞ୍ଚଟାରେ ଉଠିଲେ । ହାତମୁହଁ ଧୋଇ ମାୟା ଦେଇଥିବା ଚା ବିସ୍କୁଟ ଖାଇ ବାହାରି ଯିବାବେଳକୁ ମାୟାକୁ କହିଲେ, ମୁଁ ଶୈଲେନ୍ ପାଖକୁ ଯାଉଛି-। ତା’ର ଦେହ ଭଲ ନାହିଁ; ଟିକିଏ ଦେଖି ଆସେ ।

 

ମାୟା ମୁଣ୍ଡ ହଲାଇ ସମ୍ମତି ଜଣାଇଲା ।

ଦୂର୍ବାର ଡାକରେ ସୁଜାତା ଦେବୀଙ୍କ ନିଦ ଭାଙ୍ଗିଲା- ହେ ବଡ଼ମା’ ! ଉଠ ! ସାଢ଼େ ଛ’ଟା ବାଜିଲାଣି ।

 

ସେ ଆଖି ମଳି ମଳି କହିଲେ- ତୁ କେତେବେଳେ ଆସିଲୁ?

ଦୂର୍ବା ହସି ହସି କହିଲା- ତୁମେ ଶୋଇଥିଲ ବୋଲି ମୁଁ ଦୁଇଥର ଆସି ଫେରିଗଲିଣି, ତୁମେ ଜାଣି ପାରିନା ।

 

ବିଛଣାରୁ ଉଠୁ ଉଠୁ ସୁଜାତାଦେବୀ ପଚାରିଲେ - ତୁ କ’ଣ ରାତିରେ ଶୋଇ ନାହୁଁ ?

 

-ପରିମଲଦା ଫାଷ୍ଟ୍ ପ୍ୟାସେଞ୍ଜରରେ ରାତି ଚାରିଟାରେ ବିଶ୍ୱଭାରତୀ ଗଲେ ତ, ସେଥିପାଇଁ ମୁଁ ଉଠି ପଡ଼ିଲି ।

-ସତେ ?

-ହଁ ବଡ଼ମା’ ।

ମାୟା ଆସି ସୁଜାତା ଦେବୀଙ୍କୁ କହିଲା- ମା’ ମୁହଁ ଧୋଇଆସନ୍ତୁ, ଚା ଦେଉଛି ।

 

-ହଁ ରେ ଉପରେ ସାର୍ଥକକୁ ଚା’ ଦେଇଛୁ ?

-ଚା’ ନେଇ ଯାଇଥିଲି କିନ୍ତୁ ସେ ଶୋଇଛନ୍ତି ବୋଲି......

-ତୋ ମଉସା କଣ......

 

ତାଙ୍କୁ କଥାଟା ଶେଷ କରି ନ ଦେଇ ମାୟା କହିଲା- ମଉସା ବାହାରି ଯିବାବେଳେ କହୁଥିଲେ ଶୈଲେନ୍ ଦେହ ଖରାପ ବୋଲି ଦେଖିବାକୁ ଯାଉଛି ।

 

-ଆଚ୍ଛା ।

ମାୟା ରୋଷେଇ ଘରକୁ ଯିବା ବେଳକୁ ଦୂର୍ବା ପଚାରିଲା- ବଡ଼ମା’ ! ଆମ ନୂଆ ଲେକ୍‌ଚରର୍ ଏଠାରେ ଅଛନ୍ତି?

 

-ହଁ ।

ସୁଜାତା ସଙ୍ଗେ ସଙ୍ଗେ କହିଲେ, ଫଙ୍କସନ୍ ଦେଖିସାରି ସେ ଶାନ୍ତିନିକେତନ ଫେରି ଯାଇ ପାରିବ ନାହିଁ, ତେଣୁ ହୋଟେଲ୍‍ରେ ରହିବାକୁ ଚାହୁଁଥିଲା । ତୋ ବଡ଼ ବାପା ତାକୁ ହୋଟେଲକୁ ନ ଛାଡ଼ି ଆମ ଘରକୁ ଡାକି ଆଣିଲେ ।

ରୋଷେଇଘରୁ ମାୟା ବଡ଼ ପାଟିରେ କହିଲା- ମା’ ମୁହଁ ଧୋଇଲେଣି ନା, ଚା’ ହେଲାଣି ।

 

ସୁଜାତା ଦେବୀ ବାଥ୍ ରୁମ୍‌ରୁ ଫେରିଆସିବା ପରେ ମାୟା ତାଙ୍କୁ ଚା’ ଦେଲା । ସେ ସଙ୍ଗେ ସଙ୍ଗେ କହିଲେ-ମାୟା ! ସାର୍ଥକକୁ ଚା’ ଦେଇ ଆ । ଯଦି ଶୋଇଥାଏ- ଡାକି ଦେ ।

 

-ନା ମା’ । ମୁଁ ଡାକି ପାରିବି ନାହିଁ ।

ମାୟା ଚା ଆଣି ଦେବା ପରେ ସୁଜାତା ଦେବୀ କହିଲେ ମା’ ପୁତୁଲ ! ଉପରେ ସାର୍ଥକକୁ ଚା’ଟା ଦେଇ ଆ । ଯଦି ଶୋଇଥିବ, ଡାକିଦେବୁ ।

 

ଚା’ କପ୍ ହାତରେ ଧରି ଦୂର୍ବା କହିଲା- ହଁ ବଡ଼ମା” ଯାଉଛି ।

ତା ପରେ ମନକୁ ମନ କହିଲା, ସାର୍‌ଙ୍କୁ ଡାକିଦେବାକୁ ମାୟା ମାଉସୀକୁ ଲାଜ ମାଡିବାର କ’ଣ ଅଛି?

 

ମାୟାର ଯେତେ ପ୍ରକାର ବାହାନା !

ଉପରଘରକୁ ଚା ନେଇ ଦୂର୍ବା ଦେଖିଲା- ସାର୍ଥକ ଶୋଇଛି । ମୁହୂର୍ତ୍ତକପାଇଁ ସେ ଅଟକି ଯାଇ ତାକୁ ଚାହିଁ ଦେଖିଲା, ଟିକିଏ ହସିଲା । ତା’ ପରେ ବେଡ଼୍‍ ସାଇଡ଼୍‍ ଟେବୁଲ୍‌ରେ ଚା’ ରଖି କହିଲା-

 

ସାର୍ ! ଚା’ ଆଣିଛି ।

ନା । ସାର୍ଥକର ନିଦ ଭାଙ୍ଗିଲା ନାହିଁ ।

ସେ ପୁଣିଥରେ କହିଲା- ସାର୍‌ ! ଚା’ ଆଣିଛି । ବଡ଼ମା’ ଆପଣଙ୍କୁ ଉଠାଇଦେବାକୁ କହିଛନ୍ତି ।

 

ସାର୍ଥକ ଟିକିଏ ଆଖି ଖୋଲି ପୁଣି ବନ୍ଦ କଲା । ପର ମୁହୂର୍ତ୍ତରେ ଧଡ଼ ପଡ଼ ହୋଇ ଉଠି ବସିଲା ।

ଦୂର୍ବା ଚା’ କପ୍‌ଟା ହାତକୁ ବଢ଼ାଇ ଦେଉ ଦେଉ କହିଲା- ସାର୍‌ !

 

ନିଦ ଭାଙ୍ଗି ଦେଲି ନାହିଁ ତ ?

-ନା, ନା । ଡାକି ଦେଇ ଖୁବ୍ ଭଲ କରିଛ । ଟିକିଏ ରହିଯାଇ କହିଲା, କାଲି ଶୋଇଲାବେଳେ ତୁମ ଗୀତ କଥା ଭାବୁଥିଲି ।

 

-ସାର! ମୋ ଗୀତ ଆପଣଙ୍କୁ ଭଲ ଲାଗିଲା ?

-ଭଲ ଲାଗିଲା ମାନେ ? ମୁଗ୍ଧ ହୋଇଗଲି ।

ସଲଜ୍ଜ ହସ ହସି ଦୂର୍ବା ତଳକୁ ମୁହଁ କଲା ।

 

-ସତ କହୁଛି ଦୂର୍ବା , ତୁମେ ଏତେ କମ୍ ବୟସରେ ଏତେ ଭଲ ଗାଇପାର ସେ କଥା ଭାବି ପାରୁ ନାହିଁ ।

 

ଦୂର୍ବା ମୁହଁ ଉଠାଇ ଟିକିଏ ହସି କହିଲା- ସାର ! ମୋର ଖୁବ୍ ଅଳ୍ପ ବୟସ ନୁହେଁ । ଆସନ୍ତା ମାସରେ ମତେ ଅଠର ପୂରିବ ।

 

ଚା’ରୁ ଢୋକେ ପିଇ ସାର୍ଥକ ହସି ହସି କହିଲା- ତା’ମାନେ ତୁମେ ଅଷ୍ଟାଦଶୀ ।

 

ଦୂର୍ବା ମଧ୍ୟ ହସି ହସି କହିଲା- ହଁ ସାର୍‌, ମୁଁ ଅଷ୍ଟାଦଶୀ ।

ସଙ୍ଗେ ସଙ୍ଗେ ସେ କହିଲା- ସାର୍‌! ମୁଁ ବଡ଼ ମା’ ପାଖକୁ ଯାଉଛି । ଆପଣ ପ୍ରସ୍ତୁତ ହୋଇ ତଳକୁ ଆସନ୍ତୁ ।

 

-ହଁ ଚାଲ ।

ସାର୍ଥକର ଚା’ ପିଆ ସରିଲା; ଦୂର୍ବା ଚାଲି ଗଲାଣି । ସାର୍ଥକ ମନେ ମନେ ଭାବିଲା- କି ଆଶ୍ଚର୍ଯ୍ୟ ! ଯାହାର କଥା ଭାବି ଭାବି କାଲି ରାତିରେ ଶୋଇଲି; ସେହି ଦୂର୍ବାର ମୁହଁ ଦେଖି ନିଦ ଭାଙ୍ଗିଲା !

 

ସାର୍ଥକ ଗାଧୁଆପାଧୁଆ ସାରି ପୋଷାକ ପିନ୍ଧି, ବ୍ରିଫ୍‌କେଶ୍ ଧରି ତଳକୁ ଆସିବା ଦେଖି ସୁଜାତା ଦେବୀ କହିଲେ- ଦେଖୁଛି ତୁମେ ଯିବାକୁ ପ୍ରସ୍ତୁତ ହେଲଣି ।

 

-ହଁ ମାଉସୀ, ମୁଁ ବର୍ତ୍ତମାନ ଯିବି ।

-ତୁମେ ସକାଳୁ ପାଟିରେ ଟିକିଏ ନ ଦେଇ ଚାଲିଯିବ? ସେମିତି କ’ଣ ହୁଏ ? ବସ, ବସ-

 

ସାର୍ଥକ ଗୋଟାଏ ଚେୟାର ଟାଣିନେଇ ବସିବା ପରେ ସେ ପଚାରିଲେ- ପୁତୁଲ ସହିତ ଆଳାପ ହେଲା ?

 

-କାଲି ରାତିରେ ତା’ର ଗୀତ କଥା ଭାବି ଭାବି ଶୋଇଲି ଅଥଚ ଆଜି ମୋ ନିଦ ଭାଙ୍ଗିଲା ତା ଡାକରେ, ଏକଥା ଭାବି ପାରୁନାହିଁ ।

 

-ସେ କ’ଣ ଖାଲି ତୁମର ନିଦ ଭାଙ୍ଗିଲା? ତା ହାଲ୍ଲାଗୁଲ୍ଲାରେ ମୋ ନିଦ ବି ଭାଙ୍ଗିଛି ।

 

ଦୂର୍ବା ତାଙ୍କୁ କହିଲା- ମୁଁ ନିଦରୁ ଉଠିବି ଆଉ ତୁମେ ଶୋଇ ରହିଥିବ; ସେଇଟା କେମିତି ହେବ? ମୋ ଛୁଟି ଦିନରେ ତୁମେ ଡେରିଯାଏ ଶୋଇବ କାହିଁକି ?

 

-ଦେଖୁଛ ସାର୍ଥକ ! ଏ ଚଗଲୀ ଝିଅଟା ମତେ କେମିତି ଚିଡ଼ାଉଛି ?

ସାର୍ଥକ ହସିଲା ।

 

ଦୂର୍ବା ହସି ହସି କହିଲା- ଜାଣନ୍ତି ସାର୍‌ ! ଏଇ ଚଗଲୀ ଝିଅଟାର ମୁହଁ ନ ଦେଖିଲେ ବଡ଼ମା’ ବିଛଣା ଛାଡ଼ନ୍ତି ନାହିଁ । ସୁଜାତା ଦେବୀ କହିଲେ-ମୁଁ ତୋ ମୁହଁ ନ ଦେଖିଲେ ବିଛଣା ଛାଡ଼େନା ନା ତୁ ନିଦରୁ ଉଠିବା ମାତ୍ରେ ମୁଁ ଟିକିଏ ଆଦର ନ କଲେ ରହି ପାରୁନା?

 

-ପିଲାବେଳୁ ସେ ଅଭ୍ୟାସ କରାଇଛ କାହିଁକି ?

ସାର୍ଥକ କହିଲା ମାଉସୀ ! ଆପଣ ଆପଣଙ୍କର ପୁତୁଲକୁ ନେଇ ବେଶ୍ ମଜାରେ ଅଛନ୍ତି ।

 

-କ’ଣ କରିବି କହ ? ଏଇ ଛୁଆଟାତ ମୋର ବୁଢ଼ୀ ବୟସରେ ଖେଳନା ।

ଦୂର୍ବା ସାର୍ଥକଆଡ଼କୁ ଚାହିଁ କହିଲା- ଜାଣନ୍ତି ସାର୍‌ ! ବଡ଼ମା’ ତ ମୋ ନାଁ ରଖିଛନ୍ତି ପୁତୁଲ-

 

ଠିକ୍ ସେହି ବେଳରେ ରୋଷେଇଘରୁ ମାୟା ବଡ଼ ପାଟିରେ କହିଲା-

ମା’ ମୋ କାମ ସରିଲାଣି ।

-ତେବେ ସାର୍ଥକ ଓ ପୁତୁଲ୍‌କୁ ଖାଇବାକୁ ଦେଇ ଦେ ।

ଦୂର୍ବା କହିଲା- ବଡ଼ମା’ ! ମୁଁ ପରେ ଖାଇବି ।

 

-ପରିମଲ ଯିବ ବୋଲି ତୁ ଚାରିଟା ସାଢ଼େ ଚାରିଟାରୁ ନିଦରୁ ଉଠିଛୁ, ଆଉ କେତେ ସମୟ ଖାଲି ପେଟରେ ରହିବୁ?

 

-ବଡ଼ମା’! ମୋପାଇଁ କ’ଣ ସ୍ପେଶାଲ୍ ଆଇଟମ୍ କରିଛ?

-ତୋପାଇଁ ସ୍ପେଶାଲ୍ କିଛି ହୋଇନାହିଁ ।

-ହୋଇ ପାରିବ ନାହିଁ ।

ଦୂର୍ବା ମୁହୂର୍ତ୍ତେ ରହି କହିଲା- ଏବେ ନ ହେଲା ନାହିଁ, ବେଳବୁଡ଼େ ତ ମୋପାଇଁ ନିଶ୍ଚୟ କିଛି ହେବ ।

 

ମାୟା ଦୁଇ ଜଣଙ୍କପାଇଁ ଲୁଚି-ଆଳୁଦମ୍ ଓ ଛେନା ପାଏସ୍ ଟେବୁଲ ଉପରେ ରଖୁରଖୁ କହିଲା-ପୁତୁଲ ! ଆଜି ବେଳବୁଡ଼େ ସବୁକିଛି ତୁମ ପସନ୍ଦ ଅନୁସାରେ ହେବ ।

 

-ଗୁଡ଼୍‍, ଗୁଡ଼୍‍ । ଭେରି ଗୁଡ଼୍‍ !

ସାର୍ଥକ ଯିବାବେଳେ କହିଲା-ମାଉସୀ ! ମୁଁ ମଝିରେ ମଝିରେ ବୋଧହୁଏ ତୁମର କଣ୍ଢେଇ (ପୁତୁଲ) ଖେଳ ଦେଖିବାକୁ ଆସିବି ।

 

ସୁଜାତା ଦେବୀ କିଛି କହିବା ଆଗରୁ ଦୂର୍ବା କହିଲା-ହଁ ସାର୍ ! ନିଶ୍ଚୟ ଆସିବେ । ଦେଖିବେ, ବଡ଼ମା’ କେମିତି ଦ୍ୱାଚୋରି କରି ଲୁଡ଼ୁ ଖେଳରେ ମତେ ହରାଇ ଦିଏ ।

 

ସୁଜାତା ଦେବୀ ହସି ହସି କହିଲେ- ଜାଣିଛ ସାର୍ଥକ ! ଏଇ ମାଙ୍କିଡ଼ି ଝିଅଟାର ବିଶ୍ୱାସ ସେ ସବୁବେଳେ ଜିତିବ । ମୁଁ ଯେତେବେଳେ ଜିତିଲି-କହିବ କଣ ନା ଦ୍ୱାଚୋରି କରି ମୁଁ ଜିତିଲି ।

 

ଯିବାକୁ ବାହାରି ପଡ଼ି ମୁହଁ ବୁଲାଇ ସାର୍ଥକ କହିଲା-ଦୂର୍ବା ! ଏଣିକି ତୁମ ଦୁହିଙ୍କର ଖେଳରେ ମୁଁ ଅମ୍ପାୟାରିଂ କରିବି; ତା ହେଲେ ଠିକ୍ ହେବ ତ ?

 

-ହଁ ସାର୍‌ ! ଆପଣ ଅମ୍ପୟାରିଂ କରିବେ ।

ଦିନଗୁଡ଼ିକ ବେଶ୍ ଭଲରେ କଟୁଛି । ପୂରାଦମ୍‌ରେ କଲେଜ୍ ଚାଲିବାରୁ ଏବେ ସାର୍ଥକକୁ କ୍ଳାସ୍ ଇଲେଭେନ୍ ଛଡ଼ା ଅନର୍ସ କ୍ଲାସ୍ ସପ୍ତାହକୁ ଦୁଇ ତିନିଟା ନେବାକୁ ପଡ଼ୁଛି । ତଥାପି ସେଥିରେ ତାକୁ ଭଲ ଲାଗେ । ସାରାଦିନ ଏତେଗୁଡ଼ିଏ ପ୍ରାଣବନ୍ତ ଯୁବକ-ଯୁବତୀମାନଙ୍କ ଗହଣରେ କାଟିବା କାହାକୁ ଭଲ ନ ଲାଗିବ? ତେବେ ଏକଥା ସତ୍ୟ ଯେ ସେ ଦୂର୍ବାଥିବା କ୍ଲାସ୍ ନେଇ ଖୁବ୍ ଖୁସି ହୁଏ ।

 

ଇତି ମଧ୍ୟରେ ଅନେକ ଅଧ୍ୟାପକ-ଅଧ୍ୟାପିକାଙ୍କ ସାଙ୍ଗରେ ତାର ହୃଦ୍ୟତା ବଢ଼ିଛି । ତେବେ ସବୁଠାରୁ ଅଧିକ ସଂପର୍କ ବଢ଼ିଛି ଚନ୍ଦ୍ରା ଚକ୍ରବର୍ତ୍ତୀଙ୍କ ସାଙ୍ଗରେ । ‘ନବୀନବରଣ’ ଉତ୍ସବ ପରେ ସାର୍ଥକ ନିଜେ ତାଙ୍କ ସହିତ ଆଳାପ କରି କହିଲା-ଦିଦି ! ସେଦିନର ଅନୁଷ୍ଠାନ ପରେ ମୁଁ ରୀତିମତ ଆପଣଙ୍କର ଭକ୍ତ ହୋଇ ଯାଇଛି । ସେ ହସି ହସି ଉତ୍ତର ଦେଲେ-ଛୋଟ ଭାଇମାନେ ସବୁବେଳେ ବଡ଼ ଭଉଣୀଙ୍କର ଭକ୍ତ ହୁଅନ୍ତି ।

 

-ଆଉ ଗୋଟିଏ କଥା ।

-ହଁ କୁହ ।

-ଆପଣ ମତେ ନାଁ ଧରି ଡାକିବେ ।

 

ଚନ୍ଦ୍ରାଦେବୀ କେତେ ମୁହୂର୍ତ୍ତ ଅପଲକ ଦୃଷ୍ଟିରେ ତା’ଆଡ଼କୁ ଚାହିଁ ହସି ହସି କହିଲେ-ତୁମ ଭଳି ଚାନ୍ଦର ଟୁକୁଡ଼ାକୁ ମୁଁ କେବେ ହେଲେ ନାଁ ଧରି ଡାକିବି ନାହିଁ । ମୁଁ ତୁମକୁ ଭାଇ କହିବି ।

 

-ସେ ତ ମୋର ସୌଭାଗ୍ୟ ।

ସାର୍ଥକ କେବେ କେବେ ଛାତ୍ର ଛାତ୍ରୀମାନଙ୍କପାଇଁ, କେବେ ସହକର୍ମୀମାନଙ୍କ କ୍ଲାସ ନେଲାପରେ ଟ୍ରେନ୍ ଧରି ପାରେ ନାହିଁ । ତେବେ ସବୁ ମିଶି ଗୋଟାଏ ସମସ୍ୟା ହୋଇ ଦେଖା ଦେଇଛି । ଶାନ୍ତିନିକେତନକୁ ନିୟମିତ ଯିବା ଆସିବା କରିବାରେ ସାର୍ଥକକୁ ବହୁତ ପରିଶ୍ରମ କରିବାକୁ ହେଉଛି । ଗବେଷଣାପାଇଁ ପଢ଼ାଶୁଣାତ ଦୂରର କଥା, କଲେଜରେ ପିଲାମାନଙ୍କୁ ପଢ଼ାଇବାପାଇଁ ନିଜେ ପଢ଼ାଶୁଣା କରିବାକୁ ମଧ୍ୟ ବିଶେଷ ସମୟ ମିଳୁ ନାହିଁ । ବହି ହାତରେ ଧରି କ୍ଳାନ୍ତିରେ ନିଦ ଆସିଯାଏ ।

 

ଆଜିକାଲି ଉଦୟ ଏବଂ ଚନ୍ଦ୍ରିମା ମଧ୍ୟ ବୁଝି ପାରୁଛନ୍ତି-ତାଙ୍କ ପାଖରେ ରହି ଯିବା ଆସିବା କରିବାରେ ସାର୍ଥକକୁ ଖୁବ୍ କଷ୍ଟ ହେଉଛି । ଏକଥା ମଧ୍ୟ ବୁଝି ପାରୁଛନ୍ତି ଯେ ସଇଁଥାଲାରେ ଘର ଭଡ଼ାନେଇ ରହିବାରେ ମଧ୍ୟ ବହୁ ସମସ୍ୟା ଅଛି ।

 

ଏହା ଭିତରେ ଦିନେ ଅବିନାଶ ବାବୁ କଲେଜରେ ସାର୍ଥକ ହାତରେ ଗୋଟାଏ ଲଫାପା ଧରାଇଦେଇ କହିଲେ-ତୁମ ମାଉସୀର ଚିଠି ।

 

ସାର୍ଥକ ସଙ୍ଗେ ସଙ୍ଗେ ଚିଠି ଖୋଲି ପଢ଼ିବାକୁ ଲାଗିଲା-ସ୍ନେହର ସାର୍ଥକ ! ସେହି ନବୀନବରଣ ଉତ୍ସବ ପରଠାରୁ ତୁମକୁ ଆଉ ଦେଖି ନାହିଁ । ମୋ ପୁଅମାନେ ବାହାରେ ରହନ୍ତି । ବର୍ଷକରେ ଥରେ ମଧ୍ୟ ଘରକୁ ଆସି ପାରନ୍ତି ନାହିଁ । ତୁମେ ମୋର ସନ୍ତାନ ତୁଲ୍ୟ । ତେଣୁ ତୁମକୁ ମଝିରେ ମଝିରେ ଦେଖିଲେ ଭଲ ଲାଗନ୍ତା । ଯାହାହେଉ ଆସନ୍ତା ରବିବାର ମୋ ପୁତୁଲର ଜନ୍ମଦିନ । ସେ ଜନ୍ମଦିନରେ କୌଣସି ହଇହଲ୍ଲା ପସନ୍ଦ କରେନା । ସେଦିନ ସକାଳୁ ସଂଧ୍ୟାଯାଏ ସେ ମୋ ପାଖରେ ରହେ । ସଂଧ୍ୟାପରେ ତାଙ୍କ ଘରେ ବାପା, ମା’ ଓ ଭାଇଙ୍କ ସହିତ କଟାଏ । ମୋର ଏକାନ୍ତ ଇଚ୍ଛା, ତୁମେ ମଧ୍ୟ ମୋ ପାଖରେ ଆମଘରେ ରବିବାରଟି କଟେଇବ । କ’ଣ ଆସିବ ତ? ଆଶୀର୍ବାଦର ସହ-ତୁମର ମାଉସୀ ।

 

ସାର୍ଥକ ମଧ୍ୟ ସଙ୍ଗେ ସଙ୍ଗେ ଉତ୍ତର ଲେଖିଲା ମାତୃତୁଲ୍ୟା ମାଉସୀ ! ଆପଣଙ୍କ ଚିଠି ପଢ଼ି ଅବିଶ୍ୱାସୀ ଆନନ୍ଦ ଓ ଖୁସିରେ ମୋ ମନ ଭାସିଗଲା । ମୁଁ ନିଶ୍ଚୟ ରବିବାର ଦିନ ଆସିବି । ସଶ୍ରଦ୍ଧ ପ୍ରଣାମ ନେବେ । ଆପଣଙ୍କର ସ୍ନେହଧନ୍ୟ ସାର୍ଥକ ।

 

ସାର୍ଥକ ମନେ ମନେ ଖୁସି ହେଲା । ଦୂର୍ବାର ଗୀତଶୁଣି ତାକୁ କିଛି ଉପହାର ଦେବାପାଇଁ ଇଚ୍ଛା ହୋଇଥିଲା କିନ୍ତୁ ଦ୍ୱିଧା ଓ ଶଙ୍କାରେ ଦେଇପାରି ନାହିଁ । ସେହି ସୁଯୋଗ ଏପରି ଭାବରେ ଆସିବ-ଆଶା କରି ନ ଥିଲା ।

 

ସେହିଦିନ ସଂଧ୍ୟାବେଳେ ଚନ୍ଦ୍ରିମା ଓ ଉଦୟଙ୍କର ସୀମାନ୍ତ ପଲ୍ଲୀ ବାସ ଭବନରେ ପାଦ ରଖୁ ରଖୁ ଚନ୍ଦ୍ରିମା ସାର୍ଥକ ହାତକୁ ଗୋଟାଏ ଲଫାପା ବଢ଼ାଇ ଦେଲା । ଠିକଣା ଦେଖି ସାର୍ଥକ ଜାଣିଗଲା ଯେ ଦିଦି ପଠାଇଛି । ଲଫାପା ଖୋଲି ଦେଖିଲା ଭିତରେ ଦୁଇଟି ଛବି; ତା ସହିତ ଗୋଟିଏ ଛୋଟ ଚିରିକୁଟିରେ ଲେଖା-କୁନିଭାଇ ! ତୁ ଦେଇଥିବା ଶାଢ଼ି ଦୁଇଟି ପିନ୍ଧି ଦୁଇଟି ଫଟୋ ଉଠାଇଛି । ମତେ ଖୁବ୍ ସୁନ୍ଦର ମାନୁଛି ନା? ଶ୍ରଦ୍ଧାନେବୁ-ଦିଦି ।

 

ସାର୍ଥକ ମନେ ହସି କହିଲା- ଦିଦି ! ତୁ ଯାହା ପିନ୍ଧିଲେ ବି ସୁନ୍ଦର ଦେଖାଯିବୁ । ତୋଠାରୁ ବଳି ସୁନ୍ଦରୀ ଝିଅ କଣ ଆଉ କେହି ଏ ସଂସାରରେ ଅଛି?

 

ଦୁଇଟି ଫଟୋ ଓ ଚିରିକୁଟି ଦେଖି ଉଦୟ ଓ ଚନ୍ଦ୍ରିମା ମଧ୍ୟ ହସିଲେ । ଚନ୍ଦ୍ରିମା କହିଲା-ସାର୍ଥକଦା ଯାହା ଦେବେ ସେଥିରେ ଦିଦିଙ୍କର ଆନନ୍ଦର ସୀମା ରହେନା ।

 

ସାର୍ଥକ ଟିକିଏ ହସି କହିଲା- ଠିକ୍ କହିଛ ଚନ୍ଦ୍ରିମା । ମୁଁ ଯଦି ରାସ୍ତାକଡ଼ରୁ ଟଙ୍କାକର ଚେନାଚୁର କିଣି ଦିଦିକୁ ଦିଏ, ତା ହେଲେ ସେ କହିବ- ଏଭଳି ବଢ଼ିଆ ଚେନାଚୁର ଏ ଆଡ଼େ ମିଳେନା ।

 

ଉଦୟ କହିଲା- ତୋ ଦିଦି ଦେଖିବାକୁ ଯେମିତି ସୁନ୍ଦରୀ ତୁ ଦେଇଥିବା ଶାଢ଼ି ଦୁଇଟା ବି ଖୁବ୍ ସୁନ୍ଦର ।

 

ଦୂର୍ବାକୁ ଉପହାର ଦେବାପାଇଁ ସାର୍ଥକ ଦିନେ ଦୁଇଦିନପରେ ବୋଲପୁରର ପୁସ୍ତକାଳୟରୁ ରବୀନ୍ଦ୍ରନାଥଙ୍କ ଅଖଣ୍ଡ ଗଳ୍ପଗୁଚ୍ଛ ଆଉ ସୁବର୍ଣ୍ଣରେଖାରୁ ରବୀନ୍ଦ୍ର ସଙ୍ଗୀତ ସଂପର୍କରେ କନିକା ବନ୍ଦୋପାଧ୍ୟାୟ ଓ ବୀରେନ୍ ବନ୍ଦୋପାଧ୍ୟାୟଙ୍କ ବହିଟି କିଣିଲା । ମନେ ମନେ ଠିକ୍ କଲା-ଗୋଟିଏ ବହି ଦେବ ନବୀନବରଣ ଉତ୍ସବରେ ତାର ସଂଗୀତପାଇଁ ଆଉ ଗୋଟିଏ ଜନ୍ମଦିନର ଶୁଭେଚ୍ଛା ଉଦ୍ଦେଶ୍ୟରେ । ଶନିବାର ଦିନ ଚନ୍ଦ୍ରିମା କହିଲା-ସାର୍ଥକଦା ! ବର୍ଷା ଦିନ ତ ପ୍ରାୟ ଗଲାଣି । ତୁମେ କାଲି ଧୋତି ପଞ୍ଜାବି ପିନ୍ଧି ନିମନ୍ତ୍ରଣ ଖାଇବାକୁ ଯିବ । ତୁମେ ଧୋତି ପଞ୍ଜାବି ପିନ୍ଧିଲେ ଖୁବ୍ ସୁନ୍ଦର ଦିଶ । ଉଦୟ ହସି ହସି କହିଲେ-ସେ ଧୋତି ପଞ୍ଜାବି ପିନ୍ଧିଲେ ବିପଦ ଅଛି ।

 

ଚନ୍ଦ୍ରିମା ଅବାକ୍ ହୋଇ ପଚାରିଲେ-କି ବିପଦ ଅଛି?

ହତଭାଗ୍ୟର ତ ରୂପଗୁଣର ଶେଷ ନାହିଁ । ତାପରେ ଧୋତି ପଞ୍ଜାବି ପିନ୍ଧି କାର୍ତ୍ତିକ ଠାକୁର ସାଜିଲେ କିଏ କେଉଁଠି ତାକୁ ଜାଲରେ ଫସାଇ କେଉଁ ସୁନ୍ଦରୀ ସହିତ ଛନ୍ଦିଦେବ ତାର ଠିକଣା ନାହିଁ ।

 

ତା କଥାରେ ଦୁହେଁଯାକ ହସିଲେ ।

ରବିବାର ।

ଧୋତି ପଞ୍ଜାବି ବାହାର କରି ସାର୍ଥକ ସ୍ନାନ କରିବାକୁ ଗଲା । ବାଥ୍‌ରୁମ୍‌ରୁ ବାହାରି ଆସି ଦେଖିଲା । ଆହୁରି ଗୋଟାଏ ପଞ୍ଜାବି ଅଛି । ପୋଷାକ ପିନ୍ଧିସାରି ପଚାରିଲା- ଉଦୟ ! ତୋର ଗୋଟାଏ ପଞ୍ଜାବି ଏଠାରେ ରଖିଛୁ?

 

ଚନ୍ଦ୍ରିମା ରେଷେଇଘରୁ ଦଉଡ଼ି ଆସି କହିଲା- ତୁମେ ସାଦା ପଞ୍ଜାବି ପିନ୍ଧିବ ନାହିଁ ! ତୁମେ ବନ୍ଧୁଙ୍କର ଏହି ଷ୍ଟ୍ରାଇପ୍ ଥିବା ପଞ୍ଜାବିଟା ପିନ୍ଧିଯା’ ।

 

ଉଦୟ ମଧ୍ୟ ସଙ୍ଗେ ସଙ୍ଗେ ହାଜର ହୋଇ କହିଲା- ବନ୍ଧୁବର ! ମୋ ସୁନ୍ଦରୀ ପତ୍ନୀ ଅନୁରୋଧ ପ୍ରତ୍ୟାଖ୍ୟାନ କଲେ ମୁଁ ରୋଦନ କରିବାକୁ ବାଧ୍ୟ ହେବି ।

 

-ହେ ନାଟ୍ୟ ସମ୍ରାଟ ! ତୁମକୁ ରୋଦନ କରିବାକୁ ପଡ଼ିବ ନାହିଁ ।

-ମୁଁ ତୁମର ସୁନ୍ଦରୀ ପତ୍ନୀର ପରାମର୍ଶ ଆନନ୍ଦରେ ଗ୍ରହଣ କଲି ।

ସାର୍ଥକ ଧୋତି- ପଞ୍ଜାବି ପିନ୍ଧି ଘରୁ ବାହାରିବା ମାତ୍ରେ ଚନ୍ଦ୍ରିମା କହିଲା, ସତେ ସାର୍ଥକଦା-! ତୁମେ ଧୋତି, ପଞ୍ଜାବି ପିନ୍ଧି ଖୁବ୍ ସୁନ୍ଦର ଦିଶୁଛ ।

 

- ଧନ୍ୟବାଦ୍ ।

ଗୋଟିଏ ହାତରେ ଧୋତିର କୁଞ୍ଚ, ଆର ହାତରେ ଦୁଇଟି ବହିଧରି ସାର୍ଥକ ଅବିନାଶବାବୁଙ୍କ ଘରେ ପାଦ ଦେଉଦେଉ ସେ ଟିକିଏ ହସି କହିଲେ-ବାଃ ! ଖୁବ୍ ସୁନ୍ଦର ଦିଶୁଛ ।

 

ସେ ଅବିନାଶ ବାବୁଙ୍କୁ ପ୍ରଣାମ କଲାପରେ ଅବିନାଶବାବୁ ବଡ଼ ପାଟିରେ ଡାକିଲେ-ମାୟା-! ମା’ଙ୍କୁ କହ ସାର୍ଥକ ଆସିଛି । ଏତିକି କହି ସେ କହିଲେ-ସାର୍ଥକ ! ଭିତରକୁ ଯା’ । ସାର୍ଥକ ବାରଣ୍ଡାରେ ସୁଜାତାଦେବୀଙ୍କୁ ଦେଖି ପ୍ରଣାମ କଲା । ସେ ତା ମୁଣ୍ଡରେ ହାତରଖି ଆଶୀର୍ବାଦ କଲେ-ଭଲରେ ଥା’ ବାବା ! ତାପରେ ସେ ଟିକିଏ ହସିଦେଇ କହିଲେ-ଧୋତି ପଞ୍ଜାବି ପିନ୍ଧିଲେ ତ ତୁମେ ଖୁବ୍ ସୁନ୍ଦର ଦିଶୁଛ ।

 

ସାର୍ଥକ ହସିଲା ।

–ମାଉସୀ ! ଆପଣଙ୍କ ପୁତୁଲ ଆସିନାହିଁ?

- ହଁ ହଁ, ବହୁତ ଆଗରୁ ଆସିଲାଣି ।

- ତାକୁ ବହି ଦୁଇଟି ଦେଇଥାନ୍ତି ।

 

ସୁଜାତାଦେବୀ ବଡ଼ ପାଟିରେ ଦୂର୍ବାକୁ ଡାକିବାରୁ ସେ ଡେଇଁ ଡେଇଁ ଆସୁ ଆସୁ କହିଲା ଯାଉଛି ବଡ଼ମା’ ।

 

ମିନିଟ୍‌କ ଭିତରେ ଦୂର୍ବା ସେମାନଙ୍କ ପାଖରେ ପହଞ୍ଚି ସାର୍ଥକକୁ ପ୍ରଣାମ କଲାରୁ ସାର୍ଥକ ବହି ଦୁଇଟି ତା ହାତକୁ ଦେଇ କହିଲା- ଗୋଟିଏ ବହି ସେଦିନର ଗୀତପାଇଁ ଓ ଅନ୍ୟଟି ତୁମର ଜନ୍ମଦିନ.... ଦୂର୍ବା ହସିହସି କହିଲା-ସାର୍‌ ! ଖୁବ୍ ଭଲ ବହି ଦୁଇଟି ।

 

– ପ୍ରଥମତଃ ତୁମେ ଜଣେ ଅସାଧାରଣ ଗାୟିକା । ତାଛଡ଼ା ତୁମେ ମାଉସୀଙ୍କର ଖେଳଣା କଣ୍ଢେଇ । ତୁମକୁ କ’ଣ ଆଜେବାଜେ ବହି ଦେଇ ପାରିବି?

 

ସୁଜାତା ଦେବୀ କହିଲେ- ପୁତୁଲ ବାରଣ୍ଡାର ଯାହା ଅବସ୍ଥା, ୟାକୁ ପରିଷ୍କାର ପରିଚ୍ଛନ୍ନ ନ କଲେ ବସି ପାରିବୁ ନାହିଁ । ତୁ ତାକୁ ନେଇ ଉପରକୁ ଯା । ମୁଁ ଚା ପଠାଇ ଦେଉଛି ।

 

ହଁ ବଡ଼ ମା’ ଯାଉଛି । କିନ୍ତୁ ତୁମେ କେବଳ ଚା ନୁହେଁ, ମୋ ଜିନିଷଟା ପଠାଇବ ।

ହଁ ପଠାଇଦେବି ।

 

ତାପରେ ସୁଜାତା ଦେବୀ କହିଲେ-ସାର୍ଥକ ବାବା ! ମୁଁ ଏଆଡ଼େ ଟିକିଏ ରୋଷେଇ ଘରେ ଅଛି; ତୁମେ ଉପରକୁ ଯାଇ ପୁତୁଲ ସହିତ କଥା ହୁଅ ।

 

ସାର୍ଥକ ହସିହସି କହିଲା-ମାଉସୀ ! ଆଜି ଆଉ ମାୟା ଦିଦିଦ୍ୱାରା କାମ ଚଳୁ ନାହିଁ । ଆପଣଙ୍କ ଖେଳର କଣ୍ଢେଇର ଜନ୍ମଦିନ ବୋଲି ଆପଣ ରୋଷେଇ ଘରେ ପଶିଛନ୍ତି । ସେ ଖୁସିରେ ହସିଲେ ଓ କହିଲେ-କ’ଣ କରିବି କହ, ଖେଳର କଣ୍ଢେଇର ଇଚ୍ଛା ଅନିଚ୍ଛାକୁ ତ ଅଗ୍ରାହ୍ୟ କରି ପାରିବି ନାହିଁ ।

 

ଉପର ଘରେ ପହଞ୍ଚୁଣୁ ଦୂର୍ବା ଗୋଟାଏ ବେତର ଚେୟାର୍ ଦେଖାଇ କହିଲା- ସାର୍‌ ! ବସନ୍ତୁ ।

 

ଚେୟାରଟା ଟାଣିନେଇ ବସୁ ବସୁ ସାର୍ଥକ କହିଲା-ତୁମେ ବସ ।

-ହଁ ସାର୍‌ ! ବସୁଛି ।

 

ଡ୍ରେସିଂ ଟେବୁଲ୍‌ର ଷ୍ଟୁଲ୍‌ଟା ଟାଣି ନେଇ ଦୂର୍ବା ଥରଟିଏ ତାକୁ ଦେଖି ନେଇ କହିଲା-ସାର୍ ଗୋଟାଏ କଥା କହିବି?

 

- ହଁ କୁହ ।

- କିଛି ମନେ କରିବେ ନାହିଁ ତ?

-ନା, ନା କିଛି ମନେ କରିବି ନାହିଁ ।

 

ଦୂର୍ବା ଥରଟିଏ ସଲଜ୍ଜ ଦୃଷ୍ଟିରେ ତାକୁ ଚାହିଁଦେଇ କହିଲା-ସାର୍ ଧୋତି ପଞ୍ଜାବି ପିନ୍ଧି ଆପଣ ଖୁବ୍ ସୁନ୍ଦର ଦିଶୁଛନ୍ତି ।

 

ସାର୍ଥକ ହୋ ହୋ କରି ହସି ଉଠିଲା । କାହିଁକି, ପ୍ୟାଣ୍ଟସାର୍ଟ ପିନ୍ଧି କଲେଜ ଯାଏ-ସେଇଟା ବୋଧହୁଏ ଭଲ ଲାଗେନା?

 

-ନା ସାର୍‌ ! ତା ନୁହେଁ । ପୁଅଝିଅମାନେ ଆପଣଙ୍କୁ ଦେଖି କଣ କଥା ହୁଅନ୍ତି ଜାଣନ୍ତି?

- କଣ କହନ୍ତି?

 

-ଆପଣଙ୍କୁ ଦେଖିଲେ ଜଣେ କଲେଜ ଛାତ୍ର ମନେହୁଏ । ଏକଥା ପ୍ରାୟ ସମସ୍ତେ କହନ୍ତି ।

 

ସାର୍ଥକ କହିଲା-ଧୋତି ପଞ୍ଜାବି ପିନ୍ଧିବାକୁ ମତେ ଖୁବ୍ ଭଲ ଲାଗେ । ମାତ୍ର ଧୋତି ପଞ୍ଜାବି ପିନ୍ଧି ଟ୍ରାମ୍‌ରେ ବସ୍‌ରେ ଯିବା ଆସିବା କରିବାରେ ଖୁବ୍ ଅସୁବିଧା ହୁଏବୋଲି ମୁଁ ପ୍ୟାଣ୍ଟସାର୍ଟ ପିନ୍ଧେ । ତେବେ ପ୍ରେସିଡେନ୍ସୀରେ ପଢ଼ୁଥିବାବେଳେ ବେଳେବେଳେ ପଞ୍ଜାବି ପିନ୍ଧୁଥିଲି । ମାତ୍ର ଜେ.ଏନ୍‌.ୟୁରେ ତାହା କେବେ ବି ସମ୍ଭବ ନୁହେଁ ।

 

ମାୟା ସାର୍ଥକ ହାତରେ ଚା’ ଦେଇ ଦୂର୍ବା ହାତକୁ ଗୋଟାଏ ଗ୍ଲାସ୍ ବଢ଼ାଇ ଦେଇ କହିଲା-ଦେଖ ତ ଠିକ୍ ଅଛି ନା ନାହିଁ । ଗ୍ଲାସରୁ ଢୋକେ ନେଇ ଦୂର୍ବା କହିଲା- ବଡ଼ମା’କୁ କହ, ଫାଷ୍ଟକ୍ଲାସ୍ ହୋଇଛି ।

 

ମାୟା ଚାଲିଗଲା ।

ସାର୍ଥକ ଚା’ କପ୍‌ରୁ ଢୋକେ ପିଇ କହିଲା-କଲେଜରେ ପୁଅଝିଅମାନେ, ଅଧ୍ୟାପକ, ଅଧ୍ୟାପିକାମାନେ ସମସ୍ତେ ତୁମର ସଙ୍ଗୀତର ପ୍ରଶଂସାରେ ଶତମୁଖ ।

 

-ହଁ ସମସ୍ତେ ମୋ ଗୀତକୁ ଭଲ ପାଆନ୍ତି କିନ୍ତୁ ସମସ୍ତେ ଜାଣନ୍ତି ମୁଁ ବୋଧହୁଏ ଆସନ୍ତା ବର୍ଷ ମଧ୍ୟ ଏହି କ୍ଲାସ୍‌ରେ ରହିବି । ସାର୍ଥକ ବିସ୍ମିତ ଦୃଷ୍ଟିରେ ତାକୁ ଚାହିଁ ପଚାରିଲା-କାହିଁକି?

 

ସେ ମୁହଁ ତଳକୁ କରି କହିଲା-ସାର୍‌ ! ଅତ୍ୟନ୍ତ ଲଜ୍ଜାର କଥା, ଆପଣଙ୍କ ପଢ଼ାଇବା ଷ୍ଟାଇଲ୍ ଖୁବ୍ ଭଲ ଲାଗିଲେ ମଧ୍ୟ, ଭାବୁଛି କେବଳ ପଲିଟିକାଲ ସାଇନ୍‌ସ୍‌ରେ ଫେଲ୍ ହୋଇ ବୋର୍ଡ଼ ପରୀକ୍ଷାରେ ପାଶ୍ କରି ପାରିବି ନାହିଁ ।

 

- ମୁଁ ଯାହା ପଢ଼ାଉଛି, ତାକୁ ବୁଝିପାରୁନା?

-ହଁ ସାର୍‌ ! ସେତେବେଳେ ମନେ ହେଉଛି ସବୁ ବୁଝିପାରୁଛି, କିନ୍ତୁ ମୁଁ ଜାଣେ ଲେଖିବାକୁ ଦେଲେ ମୁଁ ଲେଖି ପାରିବି ନାହିଁ ।

 

ଦୁଇତିନି ମିନିଟ୍ ସାର୍ଥକ ଯେପରି କିଛି ମନକୁମନ ଭାବିଲା । ତାପରେ କହିଲା-ମୁଁ ଚେଷ୍ଟା କରିବି, ତୁମେ ଯେପରି ମୋ ସବଜେକ୍ଟରେ ପାଶ୍ କର । ତେବେ ଯଦି ସାଇଁଥିଆରେ ଥାଏ, ତେବେ ତୁମକୁ ବହୁତ କିଛି ସାହାଯ୍ୟ କରିପାରିବି ।

 

ସୁଜାତା ଦେବୀ କାନିରେ ହାତପୋଛୁ ପୋଛୁ ପଶିଆସିବାରୁ ସାର୍ଥକ ଠିଆହୋଇ ପଡ଼ି କହିଲା-ଆସନ୍ତୁ ମାଉସୀ ଆସନ୍ତୁ ।

 

-ତୁମେ ବସ; ମୁଁ...........

ଦୂର୍ବା କହିଲା-ବଡ଼ ମା’ତୁମେ ବିଛଣାରେ ବସ ।

ବିଛଣାରେ ବସି ସୁଜାତା ଦେବୀ କହିଲେ-ସାର୍ଥକ ତୁମେ- ଅନେକ ଦିନ ପରେ ଆସିଲ ।

 

-ହଁ ମାଉସୀ ! ଠିକ୍ ମାସେ ପରେ ଆପଣଙ୍କ ସାଙ୍ଗରେ ଦେଖାହେଲା । ଏବେ କଲେଜ ପୂରାଦମ୍‌ରେ ଚାଲିଲାଣି ବୋଲି ଶୀଘ୍ର ଆସିବାକୁ ହେଉଛି । ଯିବାବେଳକୁ ବି ବହୁତ ଡେରି । ଶାନ୍ତି ନିକେତନରେ ବନ୍ଧୁଙ୍କ ଘରେ ପହଞ୍ଚିବାବେଳକୁ ସାତଟା ସାଢ଼େ ସାତଟା ହୋଇଯାଇଛି ।

 

ସୁଜାତା ଦେବୀ କହିଲେ, ତାହେଲେ ତୁମକୁ ବହୁତ କଷ୍ଟ ହେଉଥିବ ।

-ମାଉସୀ ! କଷ୍ଟ ବିଶେଷ ହେଉନାହିଁ କିନ୍ତୁ ବହୁତ କ୍ଲାନ୍ତ ହୋଇଯାଉଛି । ଆଉ ପଢ଼ାଶୁଣା କିଛି କରିପାରୁନାହିଁ ।

 

-ତୁମେ ସାଇଁଥିଆରେ ରହିଯାଉନା କାହିଁକି?

-ଏଠାରେ ଘରଦ୍ୱାର ପାଇବି କି ନାହିଁ ଜାଣିନାହିଁ । ତାଛଡ଼ା ହୋଟେଲ୍‌ରୁ ଖାଇବା ଠିକ୍ ସମୟରେ ପହଞ୍ଚାଇବ କି ନା ସେ କଥା ବି.....

 

-ଏଇ ସହରରେ ରହିବାରେ କିଛି ଆପତ୍ତି ନାହିଁ ତ?

-ନା, ନା, ଆପତ୍ତି କାହିଁକି ରହିବ?

-ତା ହେଲେ ତୋପାଇଁ ଘର ଖୋଜିବି?

 

- ହଁ ଖୋଜନ୍ତୁ କିନ୍ତୁ ଦେଖିବେ ଯେମିତି ଅଲଗା ବିଧି ବ୍ୟବସ୍ଥା ଥାଏ ।

- ତା’ ତ ନିଶ୍ଚୟ । ତମର ଘର ସେପାରେଟ୍ ନ ହେଲେ ପଢ଼ାପଢ଼ି କରିବ କେମିତି?

–ମୋର ରୋଷେଇ ଘର ଦରକାର ନାହିଁ । କିନ୍ତୁ ଅଲଗା ବାଥ୍‌ରୁମ୍ ଥିବା ନିହାତି ଦରକାର ।

 

- ହଁ, ହଁ, ସେ କଥା କହିବା ଦରକାର ନାହିଁ ।

ସେ ମୁହଁ ବୁଲାଇ ଦୂର୍ବାକୁ ଚାହିଁ କହିଲେ-ପୁତୁଲ୍‌ ! ତୁ ତରୁଣ ଆଉ ବରୁଣକୁ କହିବୁ ମତେ ଦେଖା କରିବେ । କହିବୁ ଜରୁରୀ ଦରକାର ।

 

-ହଁ ବଡ଼ମା’ କହିବି ।

ସେ ଟିକିଏ ହସି କହିଲା-ତରୁଣ କକା, ବରୁଣ କକାଙ୍କୁ କହିଲେ ଘର ଠିକ୍ ମିଳିଯିବ ।

 

- ହଁ ସେମାନେ ତ ଦିନରାତି ସହରଟାରେ ବୁଲନ୍ତି । ତାଛଡ଼ା କିଏ କେଉଁଠି ନୂଆ ଘର ତିଆରି କରିବ, ସେ ଖବର ତ ସେମାନେ ସମସ୍ତଙ୍କ ଆଗରୁ ଜାଣି ପାରିବେ ।

 

ସାର୍ଥକ ପଚାରିଲା-ମାଉସୀ ! ଯେଉଁ ତରୁଣ ଓ ବରୁଣ କକାଙ୍କ କଥା କହିଲେ, ସେମାନେ କ’ଣ ପ୍ରପର୍ଟି ଡିଲର୍ କାମ କରନ୍ତି ।

 

-ନା-ବାବା-ନା । ତରୁଣ ଏଠାକାର ମ୍ୟୁନିସିପାଲିଟିର ଚେୟାର୍‌ମ୍ୟାନ୍ ଆଉ ବରୁଣ ଜଣେ କାଉନ୍‌ସିଲର୍ । ସେ ଦୁଇଜଣଯାକ ୟାଙ୍କର ଛାତ୍ର । ସେମାନେ ଆମକୁ ଖୁବ୍ ଭକ୍ତି କରନ୍ତି ।

 

-ଆଚ୍ଛା ।

ଦୂର୍ବା ଟିକିଏ ହସି କହିଲା- ବଡ଼ମା ! ସାର୍ ଏଠାରେ ମୋର ସୁବିଧା ହେବ । ମଝିରେ ମଝିରେ ସାରଙ୍କ ପାଖକୁ ଯାଇ ଟିକିଏ ବୁଝିଆସି ପାରିବି ।

 

ସାର୍ଥକ କହିଲା-ମଝିରେ ମଝିରେ କାହିଁକି, ଦୈନିକ ଆସ । ତୁମେ ମୋ ସବ୍‌ଜେକ୍ଟରେ ଭଲ ନମ୍ବର ନ ରଖିଲେ ମୁଁ ମାଉସୀଙ୍କୁ ମୁହଁ ଦେଖାଇ ପାରିବି?

 

-ନା ସାର ! ସେ କଥା କହିବେ ନାହିଁ । ବଡ଼ମା ଆପଣଙ୍କୁ ଖୁବ୍ ଭଲପାଆନ୍ତି ।

-ସେ ସୌଭାଗ୍ୟ ମୋର, ମୁଁ ଭଲ ଭାବରେ ବୁଝି ପାରିଛି ।

ସୁଜାତା ଦେବୀ କହିଲେ-ତୁମକୁ କିଏ ଭଲ ନ ପାଇବ?

ତୁମଭଳି ରୂପ-ଗୁଣ, ସ୍ୱଭାବ ଚରିତ୍ର କେତେ ଜଣଙ୍କର ଅଛି?

-ନା-ନା ମାଉସୀ ! ଏତେ ବଢ଼େଇ କୁହନ୍ତୁ ନାହିଁ ।

 

ଦୂର୍ବା ସଙ୍ଗେ ସଙ୍ଗେ କହିଲା-ନା ସାର୍‌ ! ବଡ଼ମା ଟିକିଏ ବି ବଢ଼େଇ କହୁନାହାନ୍ତି । ଆମ କଲେଜରେ କେତେ ଲେକ୍‌ଚରର୍ ତ ଅଛନ୍ତି । କିନ୍ତୁ ଆପଣଙ୍କ ଭଳି ଆଉ କେହି ନାହାନ୍ତି । କଲେଜର ସବୁ ପୁଅଝିଅ ତ ଆପଣଙ୍କର ଫ୍ୟାନ୍ ହୋଇଛନ୍ତି । ସାର୍ଥକ ହସି ହସି କହିଲା-ଆଉକିଛି ନୁହେଁ ତ ! ସୁଜାତା ଦେବୀ କହିଲେ-ସାର୍ଥକ ! ପୁତୁଲ ଠିକ୍ କହୁଛି । ତା ବଡ଼ବାପା କହୁଥିଲେ କଲେଜରେ ସମସ୍ତେ ତୁମର ପ୍ରଶଂସାରେ ଶତମୁଖ । ଏହା ଭିତରେ ପ୍ରିନ୍ସିପାଲ୍ ଦିନେ ତାଙ୍କୁ କହିଲେ-ତୁମେ ଯେ କୌଣସି ସମୟରେ ଏହି କଲେଜ ଛାଡ଼ି କୌଣସି ୟୁନିଭର୍ସିଟିକୁ ଚାଲିଗଲେ ବି ସେଥିରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ ।

 

-ମାଉସୀ ! ମୁଁ କହୁନାହିଁ ଆଜୀବନ ଏହି କଲେଜରେ ଚାକିରି କରିବି । କିନ୍ତୁ ଦୁଇଚାରି ବର୍ଷ ଯାଏ ମୁଁ ଏହି କଲେଜ ଛାଡ଼ି କୁଆଡ଼େ ଯିବିନାହିଁ ।

 

ସୁଜାତା ଦେବୀ କହିଲେ- ନା, ନା- ତୁମ ଭଳି ପିଲା-କାହିଁକି ଏଠାରେ ଚିରକାଳ ପଡ଼ି ରହିବ? ମୁଁ ନିଜେ ମଧ୍ୟ ତାହା ଚାହୁଁନାହିଁ । ଜୀବନରେ ଉନ୍ନତି କରିବାକୁ ହେଲେ ତୁମକୁ ଏ ଜାଗା ଛାଡ଼ିବାକୁ ହେବ । ସାର୍ଥକ କହିଲା-ତାହା ଠିକ୍ । କିନ୍ତୁ ଏହିଭଳି ଛୋଟ ସହରରେ ଯେଉଁ ଆଦର, ସମ୍ମାନ, ଭଲପାଇବା ମିଳେ । ତାହା କଲିକତା, ବମ୍ବେ, ଦିଲ୍ଲୀ ବା ବାଙ୍ଗାଲୋର୍‌ରେ ମିଳିବ ନାହିଁ ।

 

-ଦେଖବାବା ! ଏହି ସହରରେ ଶିକ୍ଷକମାନେ, ଶିକ୍ଷୟିତ୍ରୀମାନେ, ରିକ୍ସାବାଲା, ଦୋକାନୀ, ଫୁଡ଼୍ ଡିପାର୍ଟମେଣ୍ଟର କିରାଣୀ, ମ୍ୟୁନିସିପାଲିଟି ଟାଇପିଷ୍ଟମାନେ ଖାତିର କରନ୍ତି ସତ । କିନ୍ତୁ ଏଠାରେ ରହିଲେ ବଡ଼କଥା ଭାବି ପାରିବ ନାହିଁ । କରିପାରିବ ନାହିଁ ।

 

-ମାଉସୀ ! ଆପଣ ଖୁବ୍ ମୂଲ୍ୟବାନ୍ କଥା କହିଛନ୍ତି । ଜେ.ଏନ୍‌.ୟୁ.ରେ ଡି.ଫିଲ୍ କରିବାବେଳେ ପ୍ରୋଜେକ୍ଟ କାମ କରିବାପାଇଁ ମହାରାଷ୍ଟ୍ରର ପଶ୍ଚିମାଞ୍ଚଳକୁ ଯାଇ ଦେଖିଲି-ସେଠାକାର ଅନେକ ଗ୍ରାମ ଏଇ ଗ୍ରାମର ହସ୍ପିଟାଲ୍‌ରେ ମଧ୍ୟ ଏମ୍‌.ଡ଼ି. ଏମ୍‌.ଏସ୍‌.ଛଡ଼ା ଏମ୍‌.ଆର୍‌.ସି.ପି. କିମ୍ବା ଏଫ୍‌.ଆର୍‌.ସି.ଏସ୍‌. ଦେଖିଛି ।

 

ସେ ଟିକିଏ ମ୍ଳାନ ହସି କହିଲା-ସେ ସବୁ ଏଠାକାର ଲୋକମାନେ ସ୍ୱପ୍ନରେ ବି ଭାବି ପାରିବେ ନାହିଁ ।

 

ସୁଜାତା ଦେବୀ କହିଲେ-ମୋର ବଡ଼ ବୋହୂ ବାଙ୍ଗାଲୋର୍‌ର ଝିଅ । ସେଥିପାଇଁ ମୁଁ ବେଶ୍ କିଛିଦିନ କେବଳ ବାଙ୍ଗାଲୋର୍ ନୁହେଂ, କର୍ଣ୍ଣାଟକରେ ବହୁ ଜାଗା ବୁଲିଛି । ସେ ସାର୍ଥକଆଡ଼କୁ ଚାହିଁ କହିଲେ ସେ ସବୁ ଜାଗା ବୁଲି ଦେଖିଲେ ମନ ଖରାପ ହୋଇଯାଏ ।

 

-କାହିଁକି ମାଉସୀ ?

-ସେ ସବୁ ଜାଗା ଦେଖିବା ସଙ୍ଗେ ସଙ୍ଗେ ତ କଲିକତା କିମ୍ବା ସାଇଁଥିଆ କଥା ମନକୁ ଆସିଯାଏ । ଏଥର ସେ ଦୂର୍ବାଆଡ଼କୁ ଚାହିଁ କହିଲେ-ଏଠାକାର କୌଣସି ପିଲା ସହିତ ମୁଁ ଦୂର୍ବାର ବାହାଘର କରିବି ନାହିଁ ।

 

ଦୂର୍ବା ହସି ହସି କହିଲା- ବଡ଼ମା’ ! ତୁମେ ଗଛରେ ପଣସ ଦେଖି ନିଶରେ ତେଲ ଲଗାନା ।

 

-ତୁ ଚୁପ୍ କର । ଆଉ କେଇଟା ବର୍ଷ ପରେ ତ ତତେ ସାତ ଫେରା ବୁଲିବାକୁ ପଡ଼ିବ ।

 

ତଳୁ ଅବିନାଶ ବାବୁଙ୍କ ପାଟିଶୁଭିଲା-ଆରେ ପୁତୁଲ୍‌ ! ତୋ ବଡ଼ମା’ ବୋଧହୁଏ ଆଡ୍ଡା ଜମେଇଛି । ତୁମେମାନେ ତଳକୁ ଆସିବ ନାହିଁକି?

 

ଦୂର୍ବା ଟିକିଏ ହସି କହିଲା-ବଡ଼ମା’ ଚାଲ ତଳକୁ ଯିବା । ବଡ଼ବାପା ବୋଧହୁଏ ଗପିବାକୁ ମନକରୁଛନ୍ତି ।

 

ସୁଜାତା ଦେବୀ ଉଠି ଠିଆ ହୋଇ କହିଲେ-ତୋ ବଡ଼ବାପା ଆହୁରି ଗପିବେ । ସେ ପାଞ୍ଚମିନିଟ୍ କଥା କହି ନିଜ କୋଠରିରେ ପଶିଯିବେ ।

 

-ହଁ ମାଉସୀ, ଚାଲନ୍ତୁ ଆମେ ସମସ୍ତେ ତଳକୁ ଯିବା ।

-ହଁ ଚାଲ ।

 

ସେମାନେ ତଳକୁ ଆସିବା ମାତ୍ରେ ଅବିନାଶ ବାବୁ ପତ୍ନୀଙ୍କୁ ଚାହିଁ କହିଲେ-ଜନ୍ମଦିନ ବୋଲି କ’ଣ ପୁତୁଲକୁ ଭୋକ ନାହିଁ? ନା ସାର୍ଥକକୁ ବି ଭୋକ ଲାଗୁନାହିଁ?

 

ସୁଜାତା ଦେବୀ କହିଲେ-ତୁମେ ସକାଳ ନ’ଟା ସାଢ଼େ ନ’ଟାରେ ଖାଅ ବୋଲି କ’ଣ ସମସ୍ତଙ୍କୁ ସକାଳୁ ଭୋକ ଲାଗେ? ଏ ପର୍ଯ୍ୟନ୍ତ ବାରଟା ତ ବାଜିନାହିଁ ।

 

-ଓ ଏବେ ବି ତୁମମାନଙ୍କର ଖାଇବା ସମୟ ହୋଇନାହିଁ? ଦୂର୍ବା କହିଲା-ବଡ଼ବାପା ଆମେ ତିନିହେଁ ଗୋଟାଏବେଳେ ସାଙ୍ଗ ହୋଇ ଖାଇବସିବୁ ।

 

-ତୋ ବଡ଼ମା’ ଯେତେବେଳେ ତତେ ପାଏସ୍ ଖୋଇବେ, ତୁ ସେତେବେଳେ ମତେ ଡାକିଦେବୁ ।

 

-ହଁ ବଡ଼ବାପା ! ଡାକିବି ।

ମାୟା ଟେବୁଲ୍ ସଫାକରି ବଢ଼ାବଢ଼ି କରିବା ଆରମ୍ଭ କଲାରୁ ସୁଜାତା କହିଲେ-ଦୂର୍ବା ! ତୁ ଏଥର ଏ ଶାଢ଼ିଟା ବଦଳାଇ ବଡ଼ବାପା ଦେଇଥିବା ଶାଢ଼ିଟା ପିନ୍ଧିପକା ।

 

-ବଡ଼ମା’ ଏଇଟା ବି ତ ନୂଆ ଶାଢ଼ି ।

-ଏଇଟା ତ ମୁଁ ଦେଇଛି । ତାଙ୍କ ଶାଢ଼ିଟା ନ ପିନ୍ଧିଲେ ତାଙ୍କ ମନରେ ଦୁଃଖ ହେବ ।

 

ଦୂର୍ବା ଆଉ କିଛି ନ କହି ପୁଣି ଗୋଟାଏ ନୂଆ ଶାଢ଼ି ପିନ୍ଧି ଆସିଲା । ତାକୁ ଚାହିଁଦେଇ ସାର୍ଥକ କହିଲା-ତୁମେ ଯେଉଁ ଶାଢ଼ି ପିନ୍ଧିଲେ ବି ତୁମକୁ ଖୁବ୍ ମାନେ ।

-ସାର୍‌ ! ଏତେ ଭଲ ଭଲ ଶାଢ଼ି ପିନ୍ଧିଲେ ସମସ୍ତେ ଭଲ ଦିଶିବେ । ଏକା ମୁଁ କାହିଁକି? ସାର୍ଥକ ହସି ହସି କହିଲା-ତାହା କଣ ହୋଇପାରେ? ତୁମେ ସତୀନାଥଙ୍କ ଗୀତ ଶୁଣିନା- ସୁନା ହାତରେ ସୁନାର କଙ୍କଣ କିଏ କା’ର ଅଳଙ୍କାର?

 

ଦୂର୍ବା ଲଜ୍ଜାରେ ମୁହଁ ବୁଲାଇନେଲା ।

 

ମାୟା ଟେବୁଲ୍ ଉପରେ ଖାଇବା ପିଇବା ଜିନିଷ ସବୁ ସଜାଇ ଦେବାପରେ ସୁଜାତାଦେବୀ କହିଲେ-ପୁତୁଲ ! ଯା ତୋ ବଡ଼ବାପାକୁ ଡାକିଦେ । ଦୂର୍ବା ଅବିନାଶବାବୁଙ୍କ ଘରେ ପଶିଲାମାତ୍ରେ ସେ କହିଲେ-ମାୟା ! ଶଙ୍ଖରଖି ରେଡ଼ି ଥା । ଅବିନାଶବାବୁ ଡାଇନିଂ ଟେବୁଲ୍ ପାଖକୁ ଆସି କହିଲେ-ସାର୍ଥକ ତୁମେ ବସ ।

 

-ହଁ ସାର୍‌, ବସୁଛି ।

ସୁଜାତା ଦେବୀ କହିଲେ-ସାର୍ଥକ ! ତୁମେ ବସ । ପୁତୁଲ୍‌ ! ତୁ ମଧ୍ୟ ବ’ ।

 

ସେମାନେ ବସିବାମାତ୍ରେ ମାୟା ଶଙ୍ଖବଜାଇବା ଆରମ୍ଭ କଲା । ସୁଜାତାଦେବୀ ଗୋଟାଏ ଚାମଚ ପାଏସ୍ ପୁତୁଲ୍ ପାଟିରେ ଦେଇ କହିଲେ- ପୁତୁଲ୍‌ ! ଟିକେ ଠିଆ ହୋଇଯା’ତ ।

 

ସେ ଉଠି ଠିଆ ହେବାମାତ୍ରେ ସୁଜାତାଦେବୀ ତା ବେକରେ ଗୋଟାଏ ହାର ପିନ୍ଧାଇଦେଲେ । ଦୂର୍ବା ଅବାକ୍ ହୋଇ କହିଲା- ବଡ଼ ମା’ ଇଏ କି ପାଲା ଲଗାଇଛ କହିଲ !

 

-ଚୁପ୍ କର । ଭୁଲି ଯା’ ନା ତୁ ଆଜି ଅଠରବର୍ଷ ବୟସରେ ପଦାର୍ପଣ କରିଛୁ । ଆଜିଭଳି ଦିନରେ ତତେ ଟିକିଏ ସୁନା ଦେବି ନାହିଁ?

 

ସାର୍ଥକ ହସି ହସି କହିଲା- ଦୂର୍ବା ! ତୁମେ ତାହେଲେ ସତକୁ ସତ ଅଷ୍ଟାଦଶୀ ହେଲ !

 

ଅବିନାଶ ବାବୁ ମଧ୍ୟ ହସି ହସି କହିଲେ-ପୁତୁଲ ସତକୁ ସତ ଆଜି ଅଷ୍ଟାଦଶୀ ହେଲା ।

 

ଦୂର୍ବା ସେ ତିନିଜଣଙ୍କୁ ପ୍ରଣାମ କରି ଖାଇବାକୁ ବସିଲା ।

 

॥ ଚାରି ॥

 

ଯେଉଁଦିନଠାରୁ ପୂଜାଛୁଟି ଆରମ୍ଭ ହେଲା, ସେହିଦିନ ସାର୍ଥକ କଲିକତା ଚାଲିଗଲା । ତା ପରଦିନ ବୁବୁନକୁ ଧରି ପୁରୁଲିଆରୁ ପବିତ୍ର ଆସି ପହଞ୍ଚିଲା । ଘରେ ଆନନ୍ଦ ଉତ୍ସବ ଆରମ୍ଭ ହୋଇଗଲା ।

 

ତା ପରଦିନ ପବିତ୍ର ଅଫିସ୍‌ରୁ ଫେରି ଗାଧୁଆ ପାଧୁଆ ସାରି ଚା’ ପିଉ ପିଉ, କହିଲା-ଶଳାବାବୁ ! ବର୍ଷସାରା ଆମମାନଙ୍କୁ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼େ । ତେବେ ସବୁଠାରୁ ବେଶୀ ପରିଶ୍ରମ ପଡ଼େ ତୁମର ଦିଦିକୁ ।

 

ସାର୍ଥକ କହିଲା-ସେଥିରେ କୌଣସି ସନ୍ଦେହ ନାହିଁ । କେମିତି ଯେ ଦିଦିଭଳି ଝିଅମାନେ ଚାକିରି ବାକିରି କରନ୍ତି । ଏଣେ ପିଲା-ପିଲିଙ୍କୁ ସମ୍ଭାଳନ୍ତି, ସେ ସବୁ ଭାବିଲେ ମୋ ମୁଣ୍ଡ ଖରାପ ହୋଇଯାଏ ।

 

ତୃଣା ସ୍ୱାମୀଙ୍କୁ ଚାହିଁ କହିଲା-ଏ ସବୁ କଥା ନ କହି ଅସଲ କଥା କୁହ ।

-ହଁ, ହଁ, ସେଇଆ କହୁଛି ।

 

ପବିତ୍ର ସିଗାରେଟ୍ ଲଗାଇ, ଦୁଇଢୋକ ଟାଣି କହିଲା-ଖାଲି ଶୋଇ-ବସି ନିର୍ଭେଜାଲ ଆଡ୍ଡାଦେଇ କେତେଟା ଦିନ କଟାଇବି ବୋଲି ଚିଲିକା କୂଳରେ ବରକୂଳ ଟୁରିଷ୍ଟ ଲଜ୍‌ରେ ଦୁଇଟା ସୁଟ୍ ବୁକ୍ କରିଛି ।

 

-ସତେରେ ବୁକ୍ କରିଛ?

ପବିତ୍ର ହସି ହସି କହିଲା-ବୁଝିଲ ସୁନ୍ଦରୀ ! ତୁମକୁ କେତେବେଳେ କେମିତି ମିଛ କଥା କହିଲେ ହେଁ ତୁମର ପୁଅ ଓ ଭାଇ ସାମନାରେ କେବେହେଲେ....

 

ବୁବୁନ୍ ଉତ୍ତେଜିତ ହୋଇ କହିଲା-ବାବା ! ସେଠାରେ ନୌକା ଚଢ଼ି ପାରିବା ତ?

- ଅଫ୍ କୋର୍ସ ।

 

ବୁବୁନ୍ ସଙ୍ଗେସଙ୍ଗେ ତାଳିମାରି ଚିତ୍କାର କରି ଉଠିଲା-ଥ୍ରୀ ଚିରର୍ସ ଫର୍ ବରକୁଲ୍ ।

ତୃଣା ପଚାରିଲା-ଆମେ କ’ଣ ଟ୍ରେନ୍‌ରେ ଯିବା?

ପବିତ୍ର କହିଲା-ନା-ନା । ଗାଡ଼ିରେ ଯିବା ।

 

ବୁବୁନ୍ କହିଲା-ହଁ ବାବା, ଆମେ ଗାଡ଼ିରେ ଯିବା । ଗାଡ଼ିରେ ଗଲେ ବହୁତ ମଜାହେବ । ସେ ସଙ୍ଗେ ସଙ୍ଗେ ପଚାରିଲା-ବାବା ! ସେଠାକୁ ଗଲେ ଦୁର୍ଗାପୂଜା ଦେଖା ହେବ ନା?

 

-ହଁ ବାବା ! ଦେଖାହେବ । ଓଡ଼ିଶାରେ ସବୁଜାଗାରେ ଦୁର୍ଗା ପୂଜା ହୁଏ ।

 

ଦେଖୁଦେଖୁ କିଣାକିଣି ଆୟୋଜନ ସରିଗଲା । ତାପରେ ଷଷ୍ଠୀଦିନ ସୂର୍ଯ୍ୟ ଉଦୟର ବହୁପୂର୍ବରୁ ସେମାନେ ବାହାରିପଡ଼ିଲେ । କିଛିବାଟ ବମ୍ବେରୋଡ଼୍‌ରେ ଯିବାପରେ ପବିତ୍ର ପଚାରିଲା-ସାନଭାଇ ! ତୁମେ ଗାଡ଼ି ଚଲାଇବ କି? ପଛରୁ ତୃଣା କହିଲା- ନା-ନା, ସେ ଏବେ ଚଲାଇବ ନାହିଁ । ଏକେ ତ ଟ୍ରାଫିକ୍ ଭିଡ଼ । ତାପରେ ରାସ୍ତାଯେମିତି ସବୁ ସେମିତି ଖରାପ । ତୁମେ ଭୁବନେଶ୍ୱର ପର୍ଯ୍ୟନ୍ତ ଚଳାଅ । ତାପରେ କୁନିଭାଇ ଚଳାଇବ ।

 

ବୁବୁନ୍ ହସିହସି କହିଲା-ମା’ ! ତୁମେ ଭାରି ଡରୁଆ ।

-ଡରୁଆ ହେବି କାହିଁକି? ମୁଁ କ’ଣ ତୋ ବାବାଙ୍କ ଭଳି ଗାଡ଼ି ଏତେ ଚଲାଏ ?

 

-ଗତବର୍ଷ ଯେତେବେଳେ ଆମେ ରାଜଗିରି ବୁଲିବାକୁ ଯାଇଥିଲେ । ସେତେବେଳେ ଗାଡ଼ି କିଏ ଚଳାଉଥିଲା?

 

-ଗତବର୍ଷ ତୋ ବାବାଙ୍କ ହାତରେ ଆଘାତ ଲାଗିଥିଲା ବୋଲି...

-ସେ ଯାହା ହେଉ, ତୁମେ ପୂରାପୂରି ଟୁର୍‌ରେ....

-ତୁ ଚୁପ୍ କର ।

 

ଗାଡ଼ି ଚଲାଉ ଚଲାଉ ପବିତ୍ର ମୁହୂର୍ତ୍ତକପାଇଁ ମୁହଁ ବୁଲାଇ ସାର୍ଥକକୁ ଚାହିଁ ଟିକିଏ ହସିଲା ଓ ମୁହଁ ବୁଲାଇ ନେଲା । ତାପରେ କହିଲା-ବୁବୁନ୍‌ ! ଅସଲ କଥାହେଲା ତୋ ମା’ ମୋଠାରୁ ତୋ ମାମୁକୁ ବେଶୀ ଭଲ ପାଏ ।

 

ତୃଣା ସ୍ପଷ୍ଟଭାବରେ କହିଲା-ଶହେଥର ଠିକ୍ । ସେଥିପାଇଁ କ’ଣ ତୁମର ଈର୍ଷା ହେଉଛି କି?

 

-ହେଲେ ବି ତ କହିବାକୁ ସାହସ ନାହିଁ । ତା କଥାରେ ସମସ୍ତେ ହସିଲେ ।

ଯାହା ହେଉ ବଡ଼କୂଳରେ ଦିନଗୁଡ଼ିକ ଖୁବ୍ ଭଲରେ କଟିଲା । କଲିକତା ଫେରିଯିବା ପରେ ମଧ୍ୟ ସେ ଦିନର କଥାକୁ ନେଇ ଖୁବ୍ ଆଲୋଚନା ଓ ହସଖୁସି ହୁଏ ।

 

ଲକ୍ଷ୍ମୀପୂଜାର ଛ’ଦିନପରେ ଅବିନାଶ ବାବୁଙ୍କ ଟେଲିଫୋନ୍ ସାର୍ଥକ ତୁମେ ପଠାଇଥିବା ବିଜୟା ଅଭିନନ୍ଦନ ଆମେ ପାଇଛୁ । ଆମ ଚିଠି ତୁମେ ପାଇଛ ତ?

 

-ହଁ ସାର୍‌, ପାଇଛି ।

-ଶୁଣ ଅସଲ କଥାଟା କହୁଛି...

-ହଁ ସାର୍ କହନ୍ତୁ ।

 

-ତୁମ ମାଉସୀ ତାଙ୍କର ଚେଲା ଚାମୁଣ୍ଡାଙ୍କ ସାହାଯ୍ୟରେ କଲେଜ ପାଖରେ ତୁମପାଇଁ ବସାଘର ଠିକ୍ କରିଛନ୍ତି ।

 

ଘରଟା ଏକବାର୍ ନୂଆ, ଏବେ ରଙ୍ଗ କରାଯାଉଛି ।

-ସାର୍‌ ! ଅଲଗା ବାଥ୍‌ରୁମ୍ ଅଛି କି?

 

-ହଁ ହଁ-ସବୁ ଅଛି । ତୁମର ମାଉସୀ ମତେ ମଧ୍ୟନେଇ ସେ ଘର ଦେଖାଇଛନ୍ତି । ମତେ ଖୁବ୍ ଭଲ ଲାଗିଲା । ଘରର ମାଲିକ ମଧ୍ୟ ମୋର ପରିଚିତ । ସେହି ଭଦ୍ରଲୋକଙ୍କ ଝିଅ କେବଳ ଆମ କଲେଜର ଛାତ୍ରୀନୁହେଁ-ତୁମର ମଧ୍ୟ ଛାତ୍ରୀ ।

 

-ସାର୍ଥକ ସେ କଥା ଶୁଣି ଟିକିଏ ହସିଲା ।

-ତୁମେ ଦୁଇ ତିନିଦିନ ମଧ୍ୟରେ ଥରେ ଆସି ଘରଟା ଦେଖିଯିବ?

-ହଁ ସାର୍‌ ! ନିଶ୍ଚୟ ଆସିବି ।

 

-ସିଧା ସାଇଁଥିଆକୁ ଚାଲିଆସ । ତୁମ ମାଉସୀମା କହୁଛନ୍ତି ଏଇଠି ରହିବ ।

-ହଁ ସାର୍‌, ମୁଁ କାଲି କିମ୍ବା ପଅରିଦିନ ଆପଣଙ୍କୁ ଫୋନ୍ କରିବି ।

-ହଁ ହଁ କର ।

 

ସବୁଶୁଣି ତୃଣା କହିଲା-ସେ ଦୁହେଁ ତତେ ଖୁବ୍ ଭଲପାଆନ୍ତି । ତା ହେଲେ ଏଇସବୁ....

-ହଁ ଦିଦି । ସେମାନେ ପ୍ରକୃତରେ ମତେ ଖୁବ୍ ଭଲ ପାଆନ୍ତି ।

 

-ମୋର ମନେହୁଏ, ସେମାନେ ତୋପାଇଁ ଖାଇବା ପିଇବାର ଭଲ ବ୍ୟବସ୍ଥା କରିଦେବେ-

-କିଛି ଗୋଟାଏ ନିଶ୍ଚୟ କରିବେ ।

 

ପବିତ୍ର ଅଫିସ୍‌ରୁ ଫେରି ସବୁଶୁଣି କହିଲା-ସାନଭାଇ ! ତୁମେ କାଲି ନଇଲେ ପଅରିଦିନ ଯାଅ । ଘରଟା ଯଦି ତୁମର ପସନ୍ଦ ହୁଏ, ତେବେ ତୁମକୁ ଘରଟା ସଜାଡ଼ିବାକୁ, ସଜେଇବାକୁ ବେଶ୍ କିଛି ଜିନିଷପତ୍ର କିଣିବାକୁ ପଡ଼ିବ ।

 

ସାର୍ଥକ କହିଲା- ତାହା ତ ନିଶ୍ଚୟ ।

-ସେଥିପାଇଁ ବେଶ୍ କିଛିଦିନ ସମୟର ପ୍ରୟୋଜନ ହେବ । ଟିକିଏ ଭାବି ପବିତ୍ର କହିଲା-ଦେଖିବ ଏଇସବୁ ପ୍ରସ୍ତୁତି କରୁ ତୁମର ଛୁଟି ସରିଯିବ । ସାର୍ଥକ କହିଲା-ହଁ ଭାଇ, ଠିକ୍ କହିଛନ୍ତି ।

 

-ଯିବା ସମୟରେ ବେଶ୍ କିଛି ଟଙ୍କା ନେଇ ଯା’ । ଘର ପସନ୍ଦ ହେଲେ ସଙ୍ଗେ ସଙ୍ଗେ ଖଟ ବିଛଣା ଆଲମାରୀ, ଚେୟାର୍ ଟେବୁଲ୍ ବରାଦ କରିଦିଅ । ତୁମ ଦିଦିଠାରୁ ଅନ୍ତତଃ ଦଶହଜାର ଟଙ୍କା ନେଇଯା’ ।

 

-ଦରକାର ନାହିଁ । ମୋ ପାଖରେ ବ୍ୟାଙ୍କ୍‌ରେ....

-ଯାହା କହୁଛି, ତା କର । ଆଜିକାଲି ଫର୍ଣ୍ଣିଚର୍ ଦାମ୍ ତୁମେ କଳ୍ପନା କରି ପାରିବ ନାହିଁ ।

 

ତୃଣା କହିଲା-ହଁ କୁନିଭାଇ ! ତୋ ଭାଇ ଠିକ୍ କହୁଛନ୍ତି । ହଁ-ବେଶ୍ କିଛି ଟଙ୍କା ପଇସା ଧରି ତା ଦୁଇଦିନ ପରେ ସାର୍ଥକ ଗଣଦେବତା ଏକ୍ସପ୍ରେସ୍‌ରେ ସାଇଁଥିଆ ଗଲା । ବେଳବୁଡ଼େ ଘର ଦେଖିବାକୁ ଗଲା । ସାଙ୍ଗରେ କେବଳ ସୁଜାତା ଦେବ ନୁହନ୍ତି, ଦୂର୍ବା ମଧ୍ୟ ଗଲା ।

 

ଘରର ମାଲିକ ବୃନ୍ଦାବନ ବସାକ ହସି ହସି କହିଲେ-ମୋର ବ୍ୟବସାୟ ସମ୍ପର୍କରେ ବେଳେବେଳେ ବାହାରର ଲୋକମାନେ ଆସନ୍ତି । ସେମାନଙ୍କପାଇଁ ଏହି ୟୁନିଟ୍‌ଟା ତିଆରି କଲି, କିନ୍ତୁ ତରୁଣଦା, ବରୁଣଦା, ମାଉସୀଙ୍କ କଥା ତ ଏଡ଼ାଇ ପାରିବି ନାହିଁ ।

 

ତେଣୁ.....

ସାର୍ଥକ ପଚାରିଲା-ମୁଁ ଏଠାରେ ରହିଲେ ଆପଣଙ୍କର ଗେଷ୍ଟ୍‌ମାନେ କେଉଁଠି ରହିବେ?

 

ବୃନ୍ଦାବନ ବାବୁ ଜବାବ୍ ଦେବା ଆଗରୁ ତାଙ୍କ କନ୍ୟା ଗୌରୀ କହିଲା-ସାର୍‌ ! ଆମ ଘରେ ଦୁଇଟି ରୁମ୍ ସବୁବେଳେ ଖାଲିପଡ଼ିଥାଏ । ଗେଷ୍ଟ୍‌ମାନେ ରହିବାକୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ ।

 

ଦୂର୍ବା ତା’ଆଡ଼କୁ ଚାହିଁ କହିଲା- କହିଲ ଗୌରୀଦି, ସାର୍ ଏଠାରେ ରହିଲେ ଆମ ସମସ୍ତଙ୍କ ସୁବିଧା ହେବନାହିଁ? ଗୌରୀ କହିଲା-ନିଶ୍ଚୟ ହେବ ।

 

ସାର୍ଥକ ସୁଜାତା ଦେବୀଙ୍କ କାନରେ କହିଲା-ମାଉସୀ ! ତାଙ୍କୁ ପଚାରନ୍ତୁ କେତେ ଆଡ଼୍‌ଭାନ୍ସ ଦେବାକୁ ପଡ଼ିବ ।

 

ସୁଜାତା ଦେବୀ ବୃନ୍ଦାବନବାବୁଙ୍କୁ ପଚାରିବା ମାତ୍ରେ ସେ କହିଲେ-ମାଉସୀ ମୁଁ କଣ ଘରଭଡ଼ା ଟଙ୍କାରେ ସଂସାର ଚଳାଉଛି ଯେ ଆଡ଼୍‍ଭାନ୍ସ ନେବି? ପ୍ରଥମରେ ସେ ଗୌରୀର ଶିକ୍ଷକ ତାଛଡ଼ା ଆପଣଙ୍କ ବ୍ୟତୀତ ତରୁଣଦା-ବରୁଣଦା ଆସି ତାଙ୍କୁ ଘର ଦେବାକୁ କହିଛନ୍ତି । ତାପରେ ସେ ହସିହସି କହିଲେ-ସାର୍ଥକବାବୁ ମାସକୁ ଗୋଟିଏ ଟଙ୍କା ଦେଲେ ବି ମୁଁ ଖୁସି ।

 

-ସେମିତି ହୁଏନା ବୃନ୍ଦାବନ । ସୁଜାତା ଦେବୀ କହିଲେ-ମୁଁ ତରୁଣ ଓ ବରୁଣଙ୍କ ସହିତ କଥା ହୋଇ ଯାହା ଉଚିତ ଦେୟ ହେବ, ସାର୍ଥକ ଦେବ ।

 

ବୃନ୍ଦାବନ ବସାକ ତନ୍ତ କପଡ଼ା ବ୍ୟବସାୟ କରି ଲକ୍ଷଲକ୍ଷ ଟଙ୍କା ରୋଜଗାର କରନ୍ତି । ଶାନ୍ତିନିକେତନର କଣିକା ବନ୍ଦୋପାଧ୍ୟାୟଠାରୁ ଚୁନି ଗୋସ୍ୱାମୀଙ୍କ ପତ୍ନୀପର୍ଯ୍ୟନ୍ତ ସମସ୍ତେ ବୃନ୍ଦାବନଙ୍କ ତନ୍ତ ଶାଢ଼ିର ଗ୍ରାହକ । ଏହି ସହରର ସମସ୍ତ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କର ଗ୍ରାହକ । ସେ ଗୁଣୀ ଜ୍ଞାନୀଙ୍କୁ ପ୍ରକୃତରେ ସମ୍ମାନ କରନ୍ତି । ତା ଛଡ଼ା ତାଙ୍କୁ କେହି ଅର୍ଥପିଶାଚ ବୋଲି କହି ପାରିବ ନାହିଁ, ବରଂ ଠିକ୍ ତାର ବିପରୀତ ।

 

ନିଜ ଦୋକାନରେ ବସାଇ ଚା’ ମିଠା ଖୁଆଇବା ସମୟରେ ସାର୍ଥକକୁ ବୃନ୍ଦାବନ କହିଲେ-ସାର୍ଥକ ବାବୁ ! ଆପଣଙ୍କର ଯଦି ଆପତ୍ତି ନ ଥାଏ, ତେବେ ବର୍ତ୍ତମାନ ଆପଣଙ୍କର କୌଣସି ଫର୍ଣ୍ଣିଚର କିଣିବା ଦରକାର ନାହିଁ । ସତ କଥା କହିବାକୁ ଗଲେ-ଏ ଘରପାଇଁ ମୁଁ ନୂଆ ଖଟ ଓ ଆଲମାରୀ କିଣି ରଖିଛି ।

 

ସୁଜାତା ଦେବୀ ସଙ୍ଗେ ସଙ୍ଗେ କହିଲେ- ଭଲକଥା, ତୁମେ ସେ ଦୁଇଟି ଏଇ ସଙ୍ଗେ ସଙ୍ଗେ ସାର୍ଥକର ଘରେ ରଖି ଦିଅ, ସାର୍ଥକ ତାର ମୂଲ୍ୟ ତୁମକୁ ଏବେ ଦେଇଦେବ ।

 

-ମାଉସୀ ତା’ର ଟଙ୍କା ଦେବା କ’ଣ ଦରକାର ?

-ହଁ ଦରକାର ଅଛି । ସାର୍ଥକ ଫର୍ଣ୍ଣିଚର କିଣିବାପାଇଁ ଟଙ୍କା ଆଣିଛି । ସେ ଟଙ୍କା ମଧ୍ୟ ମୋ ପାଖରେ ଅଛି । ତୁମେ ଫୋନ୍ କରି ସେ ଦୁଇଟିର ଦାମ୍ ଜଣାଇଦେବ । ମୁଁ ତା’ର ଦାମ୍ ଟଙ୍କା ପଠାଇ ଦେବି ।

 

ସେମାନେ ଫେରି ଆସିବା ପରେ ଦୂର୍ବା ସାର୍ଥକକୁ କହିଲା- ସାର୍‌ ! ମୁଁ କିନ୍ତୁ ମଝିରେ ମଝିରେ ଆପଣଙ୍କୁ ବିରକ୍ତ କରିବି । ଦେଖିବେ ମୁଁ ଯେମିତି ପଲ୍‌-ସାଇନ୍ସରେ ଫେଲ୍ ନ ହୁଏ । ସାର୍ଥକ କିଛି କହିବା ଆଗରୁ ଅବିନାଶବାବୁ କହିଲେ-ତୁ ମୋ ପାଖରେ ପଢ଼ୁନାହୁଁ କାହିଁକି?

 

ସୁଜାତା ଦେବୀ କହିଲେ-ତୁମ ପାଖରେ ସେ ଏମିତି ଅଝଟପଣ କରିବ ଯେ ଘୋଡ଼ାଡିମ୍ବ ପଢ଼ିବ । ସେ ସାର୍ଥକ ପାଖରେ ପଢ଼ୁ । ଏଥର ସେ ଦୂର୍ବାଆଡ଼କୁ ଚାହିଁ କହିଲେ-ସାର୍ଥକ ତତେ ଏମିତି ପଢ଼ାଇବ ଯେ ଫେଲ ହେବା ତ ଦୂରର କଥା, ତୁ ଯେମିତି ପଲିଟିକାଲ ସାଇନ୍ସରେ ସବୁଠାରୁ ବେଶୀ ନମ୍ବର ରଖିବୁ । ଦୂର୍ବା ହସିହସି କହିଲା-ବଡ଼ମା ସେ କଥା ବୋଧହୁଏ ମୋ ପାଖରେ ଏ ଜୀବନରେ ସମ୍ଭବ ନୁହେଁ । କୌଣସିମତେ ପାଶ୍ କରିଗଲେ ମୁଁ ନନ୍ଦିକେଶ୍ୱରୀଙ୍କୁ ପୂଜାଦେବି ।

 

ଏ ସମସ୍ତ ବ୍ୟବସ୍ଥା ପରେ ସାର୍ଥକ କହିଲା-ମାଉସୀ ଏବେ ଗୋଟାଏ ଭଲ ହୋଟେଲ୍‌ରୁ ଖାଇବାକୁ ପଠାଇବାର ବ୍ୟବସ୍ଥା କରିଦିଅନ୍ତୁ । ହୋଟେଲ୍ ଖାଦ୍ୟ ଖାଇବ କାହିଁକି ? ମୁଁ ତୁମପାଇଁ ଘରୁ ଖାଇବାକୁ ପଠାଇଦେବି ।

 

-ନା-ନା ମାଉସୀ ! ଦୈନିକ ମୋପାଇଁ ଖାଇବାକୁ କାହିଁକି ପଠାଇବେ ? ମୁଁ ବେଳେ ବେଳେ ଆପଣଙ୍କର ଏଠାକୁ ଆସି ନିଜେ ଖାଇଦେଇ ଯିବି ।

 

ଅବିନାଶବାବୁ ସଙ୍ଗେ ସଙ୍ଗେ କହିଲେ-ହଁ ସେଇଆ କର । ଯାହା ହେଲେବି ମୁଁ ତା’ର ହେଡ଼୍‍ଅଫ୍ ଦି ଡିପାର୍ଟମେଣ୍ଟ ମୁଁ ତାକୁ ଭଲପାଏ । ସ୍ନେହ କରେ, ସେ କଥା କଲେଜ୍‌ରେ ସମସ୍ତେ ଜାଣନ୍ତି । ତା’ପାଇଁ ଆମ ଘରୁ ଦୈନିକ ଖାଇବା ଗଲେ ସେଇଟାକୁ ହୁଏତ ଅନେକ ଲୋକ ଭଲ ଆଖିରେ ଦେଖିବେ ନାହିଁ । ଏଇସବୁ ଛୋଟ ଛୋଟ ସହରରେ ଗୋଟାଏ ଡିପାର୍ଟମେଣ୍ଟରେ ଦୁଇଜଣଙ୍କର ଏତେଟା ସମ୍ପର୍କ ନେଇ କେତେ କଥା ବାହାରିବ । ସୁଜାତା ଦେବୀ କହିଲେ-କିଏ କଣ ମନେ କରିବ ସେଥିରେ ମୋର କିଛି ଯାଏ ଆସେ ନାହିଁ । ସାର୍ଥକର ବି କିଛି ଯାଏ ଆସେନା । ମାତ୍ର ତୁମେ ଯେତେବେଳେ କହୁଛ, ସାର୍ଥକପାଇଁ ହୋଟେଲ୍‌ରୁ ଖାଇବା ଆସିବା ବନ୍ଦୋବସ୍ତ କରିବି-

 

-ହଁ ତାହା ହିଁ କର ।

ସାର୍ଥକ ଚୁପ୍ କରି ଥାଏ ।

ଦୂର୍ବା କହିଲା-ବଡ଼ମା! ବଡ଼ ବାପା ଠିକ୍ କଥା କହିଛନ୍ତି । ଏଠାକାର ଲୋକମାନଙ୍କ ବଡ଼ ସନ୍ଦେହୀ ଦୃଷ୍ଟି ।

 

ଯାହା ହେଉ କଲେଜର ଛୁଟି ସରିବା ତିନିଦିନ ଆଗରୁ ସାର୍ଥକ ବୃନ୍ଦାବନ ବାବୁଙ୍କ ଘରେ ରହିବାକୁ ଲାଗିଲା । ଗୋଟିଏ ଦିନରେ ଗୌରୀ ଓ ଦୂର୍ବା ତା’ର ଘରଦ୍ୱାର ସଜେଇ ଦେଲେ । କବାଟ ଓ ଝରକାର ପରଦା ଲଗାଉ ଲଗାଉ ଦୂର୍ବା ପଚାରିଲା ସାର ! ଏସବୁ କଣ ଆପଣ ନିଜେ ପସନ୍ଦ କରି କିଣିଛନ୍ତି ?

 

-ନା-ନା, ସବୁ ମୋ ଦିଦି କିଣିଛି ।

-ଆପଣଙ୍କ ଦିଦିଙ୍କର ତ ଖୁବ୍ ସୁନ୍ଦର ରୁଚି ।

ଗୌରୀକହିଲା-ଦୂର୍ବା ! ବେଡ଼୍‌କଭର୍ କଥା ତ କହିଲୁ ନାହିଁ?

-ରିଏଲି, ବେଡ଼୍‍ କଭର୍‌ଟା ଅପୂର୍ବ ।

 

ସାଜସଜ୍ଜା ସରିବା ପରେ ସାର୍ଥକ କହିଲା-ତୁମେ ଦୁହେଁ ଖୁବ୍ ପରିଶ୍ରମ କଲ ମାତ୍ର ମୋଦ୍ୱାରା ଏତେ ସବୁ.... ତା କଥା ମଝିରେ ଦୂର୍ବା କହିଲା ସାର୍‌ ! ଏଇ ବ୍ୟାଗ୍‌ଟାରେ କ’ଣ ଅଛି? ସେ ଜିନିଷ ପତ୍ର କେଉଁଠି.......

 

-ସେଥିରେ ଗୋଟାଏ ଟେପ୍ ରେକର୍ଡ଼ର ଓ କେତେଟା କ୍ୟାସେଟ୍ ଅଛି । ସେ ସବୁ ମୁଁ ରଖିଦେବି । ତୁମେମାନେ ଏବେ ଟିକିଏ ବସ ।

 

ଗୌରୀ କହିଲା- ଅପଣଙ୍କର ଆପତ୍ତି ନ ଥିଲେ ଆମେ ରଖି ଦେଉଛୁ ।

- ରଖିଦିଅ ।

 

କ୍ୟାସେଟ୍‍ଗୁଡ଼ିକ ଦେଖିଦେଇ ଦୂର୍ବା ବଡ଼ ବଡ଼ ଆଖି କରି କହିଲା- ସାର୍‌ ! ଆପଣଙ୍କର କଲେକ୍ସନ୍ ତ ବହୁତ କିଛି ।

 

-ଜେ-ଏନ୍‌.ୟୁ.ରେ ଏହି କ୍ୟାସେଟ୍‍ଗୁଡ଼ିକ ହିଁ ମୋର ବନ୍ଧୁ ଥିଲେ । ଆପଣ ସବୁଦିନେ ଗୀତ ଶୁଣନ୍ତି ?

 

ଦୂର୍ବାଆଡ଼କୁ ଚାହିଁ ଟିକିଏ ହସି ସାର୍ଥକ କହିଲା-ଭୋରରୁ ଓ ରାତିରେ ଶୋଇବାକୁ ଯିବାବେଳେ ନିଶ୍ଚୟ ଶୁଣେ । ତେବେ ରାତିରେ ଦିନେ ଦିନେ ନିଖିଲ୍ ବାନାର୍ଜୀ କିମ୍ବା ବିଲାଏତ ଖାଁ ସାହେବ୍‌ଙ୍କ ସୀତାର୍ । ବିଶ୍‌ମିଲା ଖାଁଙ୍କର ସାହାନାଇ କିମ୍ବା ଚୌରାଶିଆଙ୍କ ବଂଶୀବାଦନ ଶୁଣେ ।

 

ଶୁଣି ମୁଗ୍‌ଧ ହେଲେ ହେଁ ଦୂର୍ବା ପ୍ରଶ୍ନକଲା-ସାର୍ ରବି ଶଙ୍କରଙ୍କ ବାଦ୍ୟ ଶୁଣନ୍ତି ନାହିଁ?

 

- ମୁଁ ତାଙ୍କଠାରୁ ବିଲାଏତ ଖାଁ ଓ ନିଖିଲ୍ ବାନାର୍ଜୀଙ୍କ ବାଦ୍ୟ ଅଧିକ ପସନ୍ଦ କରେ ।

 

-ସାର୍ ସେହି ଗୋଟିଏ କଥା ମୁଁ ବହୁତ ଲୋକଙ୍କଠାରୁ ଶୁଣିଛି । କଥା ବଦଳାଇ ସାର୍ଥକ କହିଲା-ଦେଖୁଛି କ’ଣ? ତୁମର ଓ ମୋ ମାଉସୀଙ୍କର ତ ଅନେକ କ୍ୟାସେଟ୍ ଅଛି । ସେ ହସି ହସି କହିଲା-ହଁ ସାର୍‌ ! ଦେଖିଛି ।

 

ଠିକ୍ ସେହି ସମୟରେ ବୃନ୍ଦାବନବାବୁ ଏବଂ ତାଙ୍କ ପତ୍ନୀ ଘରକୁ ପଶିଆସିବାରୁ ସାର୍ଥକ କହିଲା-ବସନ୍ତୁ, ବସନ୍ତୁ । ସାର୍ଥକ କହିଲା-ମୋର ଛାତ୍ରୀ ଦୁଇଜଣ କେତେଟା ଘଣ୍ଟା ଭିତରେ ଘରକୁ କେମିତି ସଜାଇଦେଲେଣି ଦେଖୁଛନ୍ତି? ବୃନ୍ଦାବନ ବାବୁଙ୍କ ସ୍ତ୍ରୀ କହିଲେ- ବେଡ଼୍ କଭର୍ ଓ ପର୍ଦ୍ଦାଗୁଡ଼ାକପାଇଁ ଘରଟା ଏତେ ବ୍ରାଇଟ୍ ଦେଖାଯାଉଚି । ଦୂର୍ବା କହିଲା-କକା ଠିକ୍ କହିଛନ୍ତି । ବୃନ୍ଦାବନ ବାବୁଙ୍କ ସ୍ତ୍ରୀ ସ୍ୱାମୀଙ୍କ ଆଡ଼କୁ ଚାହିଁ କହିଲେ- ଏଥର ଅସଲ କଥାଟା କଥାଟା କୁହ ।

 

-ହଁ, କହୁଛି ।

ସାର୍ଥକଆଡ଼କୁ ଚାହିଁ ବୃନ୍ଦାବନ ବାବୁ କହିଲେ-ଆମେ ଥାଉ ଥାଉ ଆପଣ ହୋଟେଲ୍‌ରୁ ଆଣି ଖାଇବେ ସେଇଟା ହେବ ନାହିଁ । ମୋ ଘରେ ସବୁଦିନେ ବହୁଲୋକଙ୍କର ଯାତାୟାତ ହୁଏ । ସୁତରାଂ ଆପଣ ଆମ ଘରେ ଖାଇଲେ କୌଣସି ଅସୁବିଧା ହେବନାହିଁ ।

 

ସାର୍ଥକ କୃତଜ୍ଞତାର ହସ ହସି କହିଲା-ପ୍ରଥମ ଦିନରୁ ହିଁ ଆପଣଙ୍କର ଭଦ୍ରତା, ସୌଜନ୍ୟ ଦେଖି ମୁଁ ଅବାକ୍ ହୋଇଥିଲି । ମୁଁ ମଝିରେ ମଝିରେ ଆପଣଙ୍କ ଘରେ ନିଶ୍ଚୟ ଖାଇବି ମାତ୍ର ଦୟାକରି ସବୁଦିନେ ଖାଇବା କଥା କହିବେ ନାହିଁ । ଆପଣ ବୁଝିପାରିଥିବେ ମାଉସୀ ମତେ କିଭଳି ସ୍ନେହ କରନ୍ତି । ମୁଁ ମଧ୍ୟ ତାଙ୍କୁ ମା’ ଭଳି ଶ୍ରଦ୍ଧା କରେ । ସେ ମଧ୍ୟ ପ୍ରତିଦିନ ମୋପାଇଁ ଖାଇବାକୁ ପଠାଇବାକୁ କହୁଥିଲେ । ମାତ୍ର ମୋର ଅନୁରୋଧକୁ ଶେଷ ପର୍ଯ୍ୟନ୍ତ ମାନିନେଲେ । ଆପଣମାନଙ୍କୁ ମୋର ଅନୁରୋଧ, ମତେ ଆଉ ବାଧ୍ୟ କରିବେ ନାହିଁ ।

 

ଏସବୁ କଥା ଶୁଣିଲାପରେ ମୁଁ ବାଧ୍ୟ କରିବି ନାହିଁ । ମାତ୍ର ବେଳେବେଳେ ଆପଣଙ୍କପାଇଁ କିଛି କରିବାର ସୁଯୋଗ ନିଶ୍ଚୟ ଦେଲେ ଆମେ ଖୁବ୍ ଖୁସି ହେବୁ ।

 

ସାର୍ଥକ ହସି ହସି କରିଲେ- ଚିନ୍ତାନାହିଁ । ମୁଁ ମଝିରେ ମଝିରେ ଆପଣମାନଙ୍କୁ ବିରକ୍ତ କରିବି ।

 

ବୃନ୍ଦାବନବାବୁ ମଧ୍ୟ ସହାସ୍ୟ କହିଲେ-ସେ ତ ଆମର ସୌଭାଗ୍ୟ ଗୌରୀ ପଚାରିଲା-ସାର୍‌ ! ଆଉ ଥରେ ଚା’ ପିଇବେ?

 

-ହଁ ଚଳିବ ।

-ଦୂର୍ବା ତୁ ଚା’ ପିଇବୁ?

 

-ଗୌରୀଦି’ ମୁଁ ଚା’ ପିଏନା । ତେବେ କଫି ହେଲେ କପେ ପିଇଦେବି । ଗୌରୀ ହସିହସି କହିଲା-ତାହେଲେ ମୁଁ ମଧ୍ୟ ଆଜି କପେ କଫି ପିଇଦେବି ।

 

ବୃନ୍ଦାବନ ବାବୁଙ୍କ ସ୍ତ୍ରୀ ଗୌରୀକୁ କହିଲେ-ତେବେ ତୁ ଯା’-ଆମେ ଆସୁଛୁ । ସେ ଦୁହେଁ ଘରୁ ବାହାରି ଯିବାବେଳେ ସାର୍ଥକ କହିଲା–ଗୌରୀ ! ତୁମେ ଦୁହେଁ ଯେତେବେଳେ କଫି ପିଇବ, ମୁଁ ଏକା ଏକା କାହିଁକି ଚା’ ପିଇବି? ମୋପାଇଁ କପେ କଫି ଆଣ ।

 

-ହଁ ସାର୍ କରୁଛି ।

ଗୌରୀ ଚାଲିଯିବାପରେ ସାର୍ଥକ ଦୂର୍ବାଆଡ଼କୁ ଚାହିଁଲା । ତାପରେ ଟିକିଏ ହସି କହିଲା-ଜାଣିଛ ଅଷ୍ଟାଦଶୀ ! କଲେଜ ଫଙ୍କସନ୍‌ରେ ତୁମର ଗୀତ ଶୁଣି ମୁଗ୍‌ଧ ହେବା ପରେ ସ୍ୱପ୍ନରେ ମଧ୍ୟ ଭାବି ନ ଥିଲି ଯେ ତୁମ ସହିତ ଦିନେ ଏଭଳି ମିଳାମିଶା ହୋଇପାରିବ ।

 

ସଲଜ୍ଜ ହସ ହସି ଦୂର୍ବା କହିଲା-ସାର୍‌ ! ଆପଣ କ’ଣ ମତେ ଏଇ ଅଷ୍ଟାଦଶୀ ବୋଲି ଡାକିବେ?

 

-ଯଦି ଡାକେ, ତୁମର ଆପତ୍ତି ଅଛି?

-ଆପଣ ଏବେ ଯଦି ଅଷ୍ଟାଦଶୀ ବୋଲି ଡାକିବେ, ତେବେ ଆସନ୍ତା ବର୍ଷ କ’ଣ ବୋଲି ଡାକିବେ?

 

-କାହିଁକି, ଅଷ୍ଟାଦଶୀ ବୋଲି ଡାକିବି ।

-କିନ୍ତୁ ସେତେବେଳେ ତ ମୁଁ ଅଷ୍ଟାଦଶୀ ନ ଥିବି ।

 

-ତୁମେ ମୋ ପାଖରେ ଚିରକାଳ ସେହି ଅଷ୍ଟାଦଶୀ ହୋଇ ରହିବ । ସଲଜ୍ଜ ହସ ହସି ଦୂର୍ବା ଦୃଷ୍ଟି ଫେରାଇ ନେଲା । ଗୋଟାଏ ଅଜଣା ଖୁସି ତା’ର ମନ ଯେପରି ପୂରି ଉଠିଲା ।

 

ଗୌରୀ ତିନିକପ୍ କଫି ଧରି ଆସିଲା । କଫି ପିଉପିଉ ସେ ଦୁହିଙ୍କୁ ଚାହିଁ ସାର୍ଥକ ପଚାରିଲା-ଏଠାରେ ବେତର ଚେୟାର୍ ମିଳିବ?

 

ଦୁଇଜଣ ଯାକ ଏକାବେଳକେ କହି ଉଠିଲେ-ହଁ ସାର୍ ମିଳିବ । ତାହେଲେ ତୁମେ ସୁବିଧା ଦେଖି ଏହି ଘରପାଇଁ ଦୁଇ ତିନିଟା ବେତ ଚେୟାର କିଣି ରଖିବ । କେହି ଲୋକବାକ ଆସିଲେ ତ ବସିବାକୁ ଦେବାକୁ ହେବ ।

 

ଗୌରୀ କହିଲା-ସାର୍‌ ! ତା ହେଲେ କାଲି କିମ୍ବା ପଅରିଦିନ କିଣି ଆଣିବି । ତାପରେ ତ କଲେଜ ଖୋଲିଯିବ ।

 

-ଖୁବ୍ ଭଲକଥା ।

ଦୂର୍ବା କହିଲା-ସାର୍‌ ! ଆମ ପସନ୍ଦରେ କିଣିଲେ ଯଦି ଆପଣଙ୍କୁ ଭଲ ନ ଲାଗେ?

-ମୋର ତ ଠିକ୍ ଓଲଟା କଥା ମନେ ହେଉଛି ।

-କଣ ମନେ ହେଉଛି ସାର୍‌?

 

-ମୋର ମନେ ହେଉଛି-ମୁଁ ପସନ୍ଦ କରି କେବେହେଲେ ଭଲ ଜିନିଷ କିଣି ପାରିବି ନାହିଁ ।

 

କଲେଜ ଖୋଲିବା ଦିନେ ଦୁଇଦିନ ଭିତରେ ଛାତ୍ର ଛାତ୍ରୀମାନେ ଜାଣିଗଲେ ଯେ ସାର୍ଥକ ଠିକ୍ କଲେଜର ପଛପଟେ ବୃନ୍ଦାବନ ବସାକଙ୍କ ଘରେ ଭଡ଼ାରେ ରହୁଛି । ଚାରିପାଞ୍ଚଦିନ ପରେ ଥରେ ସେକେଣ୍ଡ ଇୟରର୍ ପାଞ୍ଚଛ’ଟି ପୁଅଝିଅ ତା ପାଖରେ ପହଞ୍ଚିଲେ ।

 

ସେମାନଙ୍କୁ ଦେଖି ସାର୍ଥକ କହିଲା-ଆସ, ଆସ । ସେମାନେ ଭିତରକୁ ଆସିବାରୁ ସାର୍ଥକ ପଚାରିଲା-କ’ଣ ହେଲା କୁହ? ଶୈବାଳ କହିଲା-ସାର୍‌ ! ଆମର ଗୋଟାଏ ଉପକାର କରିବେ ।

 

-କୁହ କ’ଣ କରିବାକୁ ହେବ?

-ସାର୍‌! ସପ୍ତାହରେ ଗୋଟିଏ ଦିନ ଆମକୁ କୋଚିଂ ଦେବେ ।

-ତୁମେମାନେ ମୋ ପାଖରେ ପଢ଼ିବାକୁ ଚାହଁ?

 

ଦୁଇ ଦିନିଜଣ ଏକା ସାଙ୍ଗରେ କହିଲେ-ହଁ ସାର୍‌ ! ମୋର ଯଦି ଅନ୍ୟକାମ ନ ଥାଏ ତେବେ ପଢ଼ାଇବାରେ ଅସୁବିଧା କ’ଣ? ତେବେ ଆସିବା ଆଗରୁ କଲେଜରେ ମୋଠାରୁ ଜାଣିନିଅ ଯେ... ମୃଦୁଳା କହିଲା-ଆମେ ଭାବିଥିଲୁ ଆପଣଙ୍କର ସୁବିଧା ଅନୁସାରେ ସପ୍ତାହରେ ଗୋଟାଏ ଦିନ ଆମେ କେତେଜଣ ଦୁଇଘଣ୍ଟା ଆପଣଙ୍କ ପାଖରେ ପଢ଼ିବୁ । ନବେନ୍ଦୁ ଟିକିଏ ମୁଣ୍ଡ କୁଣ୍ଡେଇ କହିଲା- ସାର୍ ଆପଣ ଯଦି କହିବେ ଆମେ.... ସାର୍ଥକ ଗମ୍ଭୀର ହୋଇ କହିଲା-ତୁମମାନଙ୍କୁ ନିଶ୍ଚୟ ସାହାଯ୍ୟ କରିବି କିନ୍ତୁ ପ୍ରାଇଭେଟ୍ କୋଚିଂ କହିଲେ ତୁମେମାନେ ଯାହା ବୁଝ ବା କହିବାକୁ ଚାହଁ ମୁଁ ତାହା କରିବି ନାହିଁ । ମୁଁ ଟଙ୍କା ନେଇ ଛାତ୍ର ଛାତ୍ରୀମାନଙ୍କୁ ପଢ଼ାଇବି ନାହିଁ । ମୁଁ ତୁମମାନଙ୍କୁ ପଢ଼ାଇବାପାଇଁ କଲେଜରୁ ଦରମା ପାଉଛି ।

 

-ସମସ୍ତେ ତ କଲେଜରେ ପଢ଼ାଇବାପାଇଁ ଦରମା ପାଆନ୍ତି । କଲେଜ ପରେ ପଢ଼ିବାକୁ ହେଲେ ତ ସମସ୍ତଙ୍କୁ ଟଙ୍କା ଦେବାକୁ ହୁଏ ।

 

-ପ୍ଲିଜ୍ ଅନ୍ୟମାନଙ୍କ ସହିତ ତୁଳନା କରିବ ନାହିଁ । ମୁଁ ଛାତ୍ର ଛାତ୍ରୀମାନଙ୍କୁ ପଢ଼ାଇବାକୁ ଟଙ୍କା ନେବି ନାହିଁ-ଦ୍ୟାଟ୍ ଇଜ୍ ଫାଇନାଲ୍ । ତା ସଙ୍ଗେ ସଙ୍ଗେ କହୁଛି-ମୁଁ ଫ୍ରି ଥିଲେ ତୁମେମାନେ ପଢ଼ିବାକୁ ଆସ ।

 

-କିନ୍ତୁ ସାର୍‌... ।

-ନା ନା ଏହା ଭିତରେ କୌଣସି କିନ୍ତୁ ନାହିଁ ।

-ସାର୍ ଆମେ ଦ୍ୱିଧା ବୋଧ କରୁଛୁ ।

 

-ଦ୍ୱିଧା କାହିଁକି? ମୁଁ କ’ଣ ଛାତ୍ର ଛାତ୍ରୀମାନଙ୍କୁ ପଢ଼ାଇବାକୁ ଦୋକାନ ଖୋଲି ବସିଛି ଯେ ଟଙ୍କା ନ ଦେଇ ପଢ଼ିବାକୁ ତୁମେ ଦ୍ୱିଧା କରିବ? ସାର୍ଥକ ହସି ହସି କହିଲା-କିଛି ଚିନ୍ତା ନାହିଁ । ମୁଁ କହୁଛି-ମୁଁ ତୁମମାନଙ୍କୁ ପଢ଼ାଇବି । ତୁମେମାନେ ବର୍ତ୍ତମାନ ଯାଇପାର ।

 

ସେମାନେ ଗୌରୀର ସହପାଠୀ । ସେମାନେ ତାକୁ ସାଙ୍ଗରେ ଆଣି ଆସିବାକୁ ଚାହିଁଥିଲେ ।-କିନ୍ତୁ ଗୌରୀ ରାଜି ହେଲାନାହିଁ । ତେବେ ଯିବାବେଳେ ସେମାନେ ଗୌରୀକୁ ସବୁକଥା କହିଗଲେ ।

 

ସେମାନେ ଚାଲିଯିବାର କେତେ ଘଣ୍ଟାପରେ ଦୂର୍ବା ଗୌରୀ ପାଖକୁ ଆସିଲା । ସବୁ ଶୁଣିଲା । ତା ପରେ କହିଲା- ମୁଁ ମନେମନେ ଜାଣିଥିଲି ଏ ସାର୍ ଟଙ୍କାନେଇ କେବେ କାହାକୁ ପଢ଼ାଇବେ ନାହିଁ । ଇଏ ଅନ୍ୟମାନଙ୍କ ଭଳି ନୁହନ୍ତି ।

 

ଗୌରୀ କହିଲା-ଠିକ୍ କହିଛୁ । ସାର୍‌ଙ୍କ ସାଙ୍ଗରେ ଦେଖା କରିବୁ ତ?

-ହଁ-ଚାଲ ।

ଦୁଆର ମୁହଁରେ ସେ ଦୁହିଙ୍କୁ ଦେଖି ସାର୍ଥକ କହିଲା-ଆସ ଆସ, ସେମାନେ ଭିତରେ ଦୁଇଟି ଚେୟାରରେ ବସିବା ପରେ ସାର୍ଥକ କହିଲା- ଗୌରୀ-ଆଜି ତୁମ କ୍ଲାସ୍‌ର କେତୋଟି ପୁଅଝିଅ ଆସିଥିଲେ ।

 

- ମୁଁ ଜାଣେ ।

- ସେମାନେ ବୋଧହୁଏ ମୋ କଥା ଶୁଣି ଖୁସି ହେଲେନାହିଁ ।

-ନା ସାର୍‌, ତା ନୁହେଁ, ସେମାନେ ଆପଣଙ୍କ କଥା ଶୁଣି ଅବାକ୍ ହୋଇଛନ୍ତି । ଏଠାରେ ସ୍କୁଲ୍ କଲେଜ୍‌ର ଅଧିକାଂଶ ଶିକ୍ଷକ ଓ ଅଧ୍ୟାପକମାନେ ପ୍ରାଇଭେଟ୍‌ରେ ପଢ଼ାନ୍ତି । ବି.ଏ. କ୍ଲାସ୍‌ର ପୁଅଝିଅମାନଙ୍କୁ ସପ୍ତାହରେ ଦିନେ ଘଣ୍ଟାଏ ଦୁଇଘଣ୍ଟା ପଢ଼ାଇଲେ ବି କେହି ମାସକୁ ତିନି ଚାରିଶହ ଟଙ୍କାରୁ କମ୍ ନିଅନ୍ତି ନାହିଁ ।

 

-କେବଳ ଏଠାରେ ନୁହେଁ, କଲିକତାରୁ ଆରମ୍ଭ କରି ଗାଁ ଗଣ୍ଡା ସବୁଆଡ଼େ ଏହିସବୁ ଚାଲିଛି ।

 

ସେ ଦୁହିଙ୍କୁ ଚାହିଁ ସାର୍ଥକ କହିଲା-ଅତ୍ୟନ୍ତ ଦୁଃଖର କଥା, କୌଣସି ଶିକ୍ଷକ ଭାବି ଦେଖନ୍ତି ନାହିଁ, ସାଧାରଣ ନିମ୍ନବିତ୍ତ ମଧ୍ୟବିତ୍ତ ପରିବାରର ଲୋକେ ପୁଅଝିଅମାନଙ୍କୁ କେମିତି ପଢ଼ାଇବେ ।

 

ଦୂର୍ବା କହିଲା-ସାର୍‌ ! ଠିକ୍ କହୁଛନ୍ତି । ସାର୍ଥକ ଟିକିଏ ହସି କହିଲା-ମଜାର କଥା, ଏବେ ସ୍କୁଲ କଲେଜର ଶିକ୍ଷକମାନେ ଥଳି ଭର୍ତ୍ତି ଟଙ୍କା ଦରମା ପାଉଛନ୍ତି କିନ୍ତୁ ଏମାନଙ୍କର ଲୋଭ ଦିନକୁ ଦିନ ବଢ଼ୁଛି ।

 

ସପ୍ତାହେ ଖଣ୍ଡେ ଭିତରେ ଏହି ଉଦ୍ଦେଶ୍ୟ ନେଇ ଆହୁରି କେତେଜଣ ଛାତ୍ରଛାତ୍ରୀ ଆସିଥିଲେ । ଶେଷ ପର୍ଯ୍ୟନ୍ତ ସାର୍ଥକ ଠିକ୍ କଥା ଶୁଣାଇ ଦେଲା ଯେ ସେ କେବଳ ଟୁଏଲ୍‌ଭଥ୍ କ୍ଲାସ୍ ଓ ସେକେଣ୍ଡ ଇୟର୍ ଥାର୍ଡ଼ ଇୟର୍ ଛାତ୍ର ଛାତ୍ରୀମାନଙ୍କୁ ଯଥାସାଧ୍ୟ ସାହାଯ୍ୟ କରିବ ।

 

ଏହାପରେ ଦିନେ ଗୌରୀ ଦୂର୍ବାକୁ ସାଙ୍ଗରେ ଧରି ସାର୍ଥକ ପାଖକୁ ଆସି କହିଲା-ସାର୍‌ ! ଆମେ ଆପଣଙ୍କ ପାଖରେ ପଢ଼ିବାକୁ ଚାହୁଁଛୁ । ଆମେ କ’ଣ କ୍ଲାସ୍‌ର ଅନ୍ୟାନ୍ୟ ପିଲାମାନଙ୍କ ସହିତ...

 

ସାର୍ଥକ କହିଲା- ନା-ନା, ତୁମମାନଙ୍କୁ ସେମାନଙ୍କ ସହିତ ପଢ଼ିବାକୁ ହେବନାହିଁ । ସକାଳେ ତ କେହି ଆସିବେ ନାହିଁ ତେଣୁ ତୁମେ ଯଦି ସକାଳେ ପଢ଼ିବାକୁ ଆସିପାର, ତେବେ ଭଲହେବ ।

 

ଦୁହେଁଯାକ ଏକ ସଙ୍ଗରେ କହିଲେ-ହଁ ସାର, ଭଲ ହେବ, -ତା ହେଲେ ଦୂର୍ବା ଆସୁ ସୋମ ଓ ବୁଧବାର, ତୁମେ ପଢ଼ିବ ମଙ୍ଗଳ ଓ ବୃହସ୍ପତିବାର, ଠିକ୍ ତ? ଦୂର୍ବା ସଙ୍ଗେ ସଙ୍ଗେ ପଚାରିଲା-ସାର୍ ସକାଳ କେତେଟାରେ?

 

-ଛ’ଟା ଭିତରେ ଆସିବାକୁ ଅସୁବିଧା ହେବ କି?

-ନା- ନା ସାର୍‌ ! କିଛି ଅସୁବିଧା ହେବ ନାହିଁ ।

-ଗୌରୀ ! ତୁମେ ମଧ୍ୟ ଛ’ଟାରେ ଆସିବ ।

 

- ହଁ ସାର୍‌, ଆସିବି । ସାର୍ଥକ ଟିକିଏ ହସି ପଚାରିଲା-ତୁମେମାନେ ଖୁସିତ? ଦୁହେଁଯାକ ହସିହସି କହିଲେ-ହଁ ସାର୍‌, ଖୁସି ।

 

-ତେବେ ଏବେଠାରୁ କହି ରଖୁଛି, ଭଲ ରେଜଲ୍ଟ କରିବାକୁ ହେଲେ ତୁମ ଦୁଇଜଣଙ୍କୁ ପରିଶ୍ରମ କରିବାକୁ ହେବ ।

 

ପୁଣିଥରେ ସେମାନେ ପ୍ରାୟ ଏକାସାଙ୍ଗରେ କହିଲେ-ହଁ ସାର୍ ନିଶ୍ଚୟ ପରିଶ୍ରମ କରିବୁ ।

 

ଘରେ ପଶିବା ବେଳକୁ ଦୂର୍ବା ଚମକି ଠିଆହେଲା । ସାର୍ଥକ ବିଭୋର ହୋଇ ଅତୁଲ ପ୍ରସାଦଙ୍କ ଗୀତ ଶୁଣୁଛି ।

ଗୋଟିଏ ମୋର ଗାନର ତରୀ

ଭସାଉଥିଲି ନୟନ ଜଳେ

ସହସା କିଏ ଆସିଲା ଗୋ

ସେ ତରୀ ବାହିବ ବଳେ...

 

ହାତ ଘଣ୍ଟାକୁ ସାର୍ଥକ ଦୃଷ୍ଟି ଫେରାଇ ତାକୁ ଦେଖି କହିଲା- ଆସ-ଆସ- ଠିଆହୋଇ ରହିଲ କାହିଁକି?

 

ସାର୍ଥକ ଗୀତ ବନ୍ଦକରିଦେବାରୁ ଦୂର୍ବା କହିଲା-ସାର୍‌ ! ବନ୍ଦ- କରିଦେଲେ କାହିଁକି?

 

-ଆଗରୁ ଅନେକ ଥର ଶୁଣିଛି । ତୁମେ ଏହି ଗୀତଟା ଜାଣ? ନା ସାର୍‌ ! ମୁଁ ଅତୁଲ ପ୍ରସାଦଙ୍କର କେତେଟା ଗୀତ ଜାଣେ, ବେଶୀ ଜାଣେ ନା ।

 

ସାର୍ଥକ ଟିକିଏ ହସି କହିଲା- ଏଇଟା ଥିଲା ମିଶ୍ର ବେହାଗ । ଦୂର୍ବା ଆଶ୍ଚର୍ଯ୍ୟ ହୋଇ କହିଲା- ଆପଣ ନିଶ୍ଚୟ ଗାଇଜାଣନ୍ତି-ଏଇଆ ନା?

 

- ତା ନୁହେଁ ଅଷ୍ଟାଦଶୀ । ମୁଁ ଗୀତ ଶୁଣିବାକୁ ଭଲ ପାଏ । ସେ ସଙ୍ଗେ ସଙ୍ଗେ କହିଲା-ବର୍ତ୍ତମାନ ସେ ସବୁ ଆଲୋଚନା ଥାଉ । ତୁମେ ମୋ ଚେୟାର ଟେବୁଲ୍‌ରେ ବସ ।

 

-ସାର୍‌, ଆପଣ?

-ମୁଁ ଏଇ ବେତ ଚେୟାର୍‌ରେ ତୁମ ପାଖରେ ବସୁଛି ।

- କିନ୍ତୁ...

 

- ନା- ନା- କୌଣସି କିନ୍ତୁ ନୁହେଁ, ଚେୟାର୍ ଟେବୁଲ୍‌ରେ ନ ବସିଲେ ତୁମେ ଲେଖିବ କେମିତି? ହଁ, ପଢ଼ିବା, ଲେଖିବା, ଆରମ୍ଭ ହେଉ ।

 

ମଝିରେ ମଝିରେ ସାର୍ଥକ ପଚାରେ-ବୁଝି ପାରୁଛ ତ? କୌଣସି ଅସୁବିଧା ହେଲେ ସଙ୍ଗେ ସଙ୍ଗେ କହିବ ।

 

-ନା ସାର୍‌ ! କିଛି ଅସୁବିଧା ହେଉ ନାହିଁ ।

ଦେଖୁ ଦେଖୁ ଦୁଇଘଣ୍ଟା ସମୟ କଟିଗଲା । ସାର୍ଥକ କହିଲା- ଆଜି ପଢ଼ା ଏତିକି ଥାଉ, କ’ଣ କହୁଛ? ଦୂର୍ବା ହସି ହସି କହିଲା-ଆଜି ମନେ ହେଉଛି ପଲ୍‌ସାଇନ୍‌ସ୍ ସମ୍ପର୍କରେ ମୋର ଭୟ କଟିଯିବ ।

 

- ଦିନଟାଏ ପଢ଼ି ଏତେଟା ଆଶାବାଦୀ ହୁଅନାହିଁ । ମୁଁ ମଧ୍ୟ ବ୍ୟର୍ଥ ହୋଇପାରେ ।

 

-ଅସମ୍ଭବ । ଠିକ୍ ସେହି ସମୟରେ ଟ୍ରେ ହାତରେ ଧରି କୋଠରି ବାହାରେ ଠିଆହୋଇ ଗୌରୀ ପଚାରିଲା-ସାର୍‌ ! ଆସିବି?

 

-ଆସ ଆସ ! ମୋ କୋଠରିକୁ ଆସିବାକୁ ଏତେ ଅନୁମତିର ପ୍ରୟୋଜନ ନାହିଁ ।

ଗୌରୀ ସେଣ୍ଟର ଟେବୁଲ୍‌ରେ ଟ୍ରେ ରଖୁରଖୁ କହିଲା-ସାର୍‌ ! ମା’ ନିମ୍‌କି ପଠାଇଛନ୍ତି । ମୁଁ ତିନିଜଣଙ୍କପାଇଁ କଫି ନେଇ ଆସୁଛି ।

 

-ଗୌରୀ ଦି ! ପ୍ଲିଜ୍ ମତେ ନିମ୍‌କି ଦିଅ ନାହିଁ ।

ସାର୍ଥକ ଦୂର୍ବାକୁ ଚାହିଁ ଟିକିଏ ହସିଦେଇ କହିଲା- ତୁମେ ନ ଖାଇଲେ ତ ଏଭଳି ଲୋଭନୀୟ ଜିନିଷକୁ ମୁଁ ମଧ୍ୟ ଲଜ୍ଜାରେ ଖାଇ ପାରିବି ନାହିଁ ।

 

ଗୌରୀ ଓ ଦୂର୍ବା ଏକାବେଳକେ ହସି ଉଠିଲେ । କଫି ଓ ନିମ୍‌କି ଖାଇବା ଆରମ୍ଭ ହେଲା-। ସାର୍ଥକ କହିଲା-ଜାଣିଛ ଅଷ୍ଟାଦଶୀ-ଭଲ ଝିଅର ମାଆଙ୍କର ଆଶୀର୍ବାଦରୁ ମୁଁ ବେଶ୍ ଭଲ ଅଛି ।

 

ଗୌରୀ ପଚାରିଲା-ଆପଣ କ’ଣ ମତେ ଭଲଝିଅ ବୋଲି ଡାକିବେ?

-ଭଲ ଝିଅକୁ ଭଲ ଝିଅ ଡାକିବି ନାହିଁ?

- ମୁଁ ଏମିତି କିଛି ଭଲଝିଅ ନୁହେଁ ଯେ....

- ସେ ବିଚାର ତ ମୁଁ କରିବି ।

 

- କିନ୍ତୁ ଦୂର୍ବା କହିଲା-ଗୌରୀଦି, କିନ୍ତୁ କିନ୍ତୁ ଭାବୁଛ କାହିଁକି? ସାର୍ ଯଦି ମତେ ଅଷ୍ଟାଦଶୀ ଡାକିପାରନ୍ତି ତେବେ ତୁମକୁ ଭଲଝିଅ ବୋଲି ଡାକି ପାରନ୍ତି ।

 

-ଅନ୍ୟମାନେ ଶୁଣିଲେ କ’ଣ ଭାବିବେ?

-ସାର୍ କ’ଣ କଲେଜରେ କି ଅନ୍ୟ କେଉଁଠି ଏଇ ନାଁରେ ଡାକିବେ ଯେ । ସାର୍ଥକ କହିଲା-ଠିକ୍ କହିଛ ଅଷ୍ଟାଦଶୀ । ଦୂର୍ବା ତା ଘରକୁ ଗଲା; ଗୌରୀ ମଧ୍ୟ ସେଠାରୁ ଚାଲିଗଲା । ଏକାଭଳି ତାପରଦିନ ସାର୍ଥକ ଗୌରୀକୁ ପଢ଼ାଇବା ଆରମ୍ଭ କଲା । ତାକୁ ବି କହିଲା-ଯାହା ବୁଝି ପାରିବ ନାହିଁ ମତେ ସଙ୍ଗେ ସଙ୍ଗେ ପଚାରିବ । ମୁଁ ପୁଣି ଥରେ ବୁଝାଇ ଦେବି ।

 

-ନା ସାର, ବୁଝି ପାରୁଛି ।

ପ୍ରାୟ ଦୁଇଘଣ୍ଟାପରେ ସାର୍ଥକ ପୁଣି କହିଲା, କିଛିଦିନ ପରେ ତୁମକୁ ଲେଖିବାକୁ ଦେବି । ଲେଖିବା ଅଭ୍ୟାସ ନ ଥିଲେ ପରୀକ୍ଷାରେ ଭଲ ହୋଇପାରିବ ନାହିଁ ।

 

-ସାର୍‌ ! କଲେଜରେ ତ ଟିଉଟରିଆଲ୍ ଉଇକ୍‌ଲି-ମନ୍ଥ୍‌ଲି ଟେଷ୍ଟ ହୁଏନା, ତେଣୁ ଆମର ଲେଖିବା ଅଭ୍ୟାସ ନାହିଁ ।

 

ସୋମ-ବୁଧ-ଶୁକ୍ରବାର ସାର୍ଥକ କଲେଜରୁ ଫେରିବା ଟିକିଏ ପରେ ଦଳେ ଛାତ୍ର ଛାତ୍ରୀ ଆସନ୍ତି । ସେମାନେ ମଧ୍ୟ ପ୍ରାୟ ଦୁଇଘଣ୍ଟା ପଢ଼ନ୍ତି ।

 

ସେମାନେ ଚାଲିଯିବା ପରେ ସାର୍ଥକ କଲେଜ ପୋଷାକ ନ ବଦଳାଇ କ୍ଲାନ୍ତି ଯୋଗୁ କିଛି ସମୟ ଶୋଇପଡ଼େ । ତାପରେ ଗାଧୁଆ ପାଧୁଆ କରିସାରି ପୌର ଇଲାକା ଛାଡ଼ି ପଞ୍ଚାୟତ ରାସ୍ତାରେ ଖୋଲାମେଲାରେ ବୁଲିବାକୁ ଯାଏ । ଦିନେ ଦିନେ ସନ୍ଧ୍ୟାପରେ ସୁଜାତା ଦେବୀ ପହଞ୍ଚି ଯାଆନ୍ତି । ତେବେ ହିଁ-କେତେବେଳେ ଖାଲି ହାତରେ ଆସନ୍ତି ନାହିଁ ।

 

ସାର୍ଥକ ହସି ହସି କହେ-ମାଉସୀ ସବୁଦିନେ କ’ଣ କିଛି ହାତରେ ଧରି ଆସିବାକୁ ହୁଏ?

 

-ଟିକିଏ ଭଲ ମନ୍ଦ ରୋଷେଇ ହେଲେ ତୁମକୁ ନ ଦେଇ ଖାଇବାକୁ ଭଲ ଲାଗେନା, ସେଥିପାଇଁ...

 

-ଆପଣଙ୍କର ଆଣ୍ଠୁଦରଜ । ଏତେ କଷ୍ଟକରି ଆସିବା କ’ଣ ଦରକାର? ମୁଁ ତ ଦୁଇ ଚାରିଦିନ ଛାଡ଼ି ଯାଉଚି-ସେତେବେଳେ ନ ହେଲେ...

 

-ନା-ନା ମତେ ସେମିତି କିଛି କଷ୍ଟ ହେଉନାହିଁ ।

-ପୁତୁଲ ଓ ତା ବଡ଼ବାପାଙ୍କଠାରୁ ତୁମ ବିଷୟରେ ସମସ୍ତ ଖବର ପାଏ । ତଥାପି ମଝିରେ ମଝିରେ ଆସି ଥରେ ତୁମକୁ ଦେଖି ନ ଗଲେ ଶାନ୍ତି ଲାଗେନା । ଘରେ ଏକା ଏକା ଚୁପ୍ ଚାପ୍ ବସି ରହିଲେ ତ ହଜାରେ ଦୁଶ୍ଚିନ୍ତା ମନକୁ ଆସେ । ତୁମପାଖକୁ ଟିକିଏ ଚାଲି ଆସିଲେ ସମୟଟା ଭଲରେ କଟିଯାଏ ।

 

- ଆପଣ ଆସିଲେ ମତେ ବି ଖୁବ୍ ଭଲ ଲାଗେ ।

ସୁଜାତା ଦେବୀ ଘରର ଚାରିଆଡ଼େ ଦୃଷ୍ଟିପକାଇ କହିଲେ- ତୁମ ଭଉଣୀ ଭିଣୋଇ ଆସି ଟିକିଏ ବୁଲିଯିବେନାହିଁ ।

 

ମାଉସୀ ! ଦୁହେଁଯାକ ଖୁବ୍ ଦାୟିତ୍ୱ ପୂର୍ଣ୍ଣ ପଦବୀରେ ଚାକିରି କରନ୍ତି । ପୂଜା ଓ ବଡ଼ଦିନ ଛଡ଼ା ସେମାନେ ଆଉ କେବେ ଛୁଟି ପାଆନ୍ତି ନାହିଁ । ସେମାନେ ଆସି ପାରିବେ ନାହିଁ ବୋଲି ମତେ ଗୋଟିଏ ସପ୍ତାହ ରହିବା ପରେ କଲିକତା ଦଉଡ଼ିବାକୁ ପଡ଼େ ।

 

-ଆଚ୍ଛା ଭଲକଥା । ତୁମେ କଣ ଆସନ୍ତା ରବିବାର ଶାନ୍ତିନିକେତନ ଯିବ?

-ନା ମାଉସୀ । ସାର୍ଥକ ସଙ୍ଗେ ସଙ୍ଗେ ପଚାରିଲା-କ’ଣ କିଛି ଦରକାର ଅଛି ମାଉସୀ?

 

-ପୁତୁଲର ମା’ ପଚାରୁଥିଲେ ତ, ସେଥିପାଇଁ ପଚାରିଲି ।

-ସେମାନେ କ’ଣ ରବିବାର ଆସିବାକୁ ଚାହାନ୍ତି?

 

-ସେ କଥା ଜାଣେନା, କେବଳ ପଚାରୁଥିଲା, ତୁମେ ଏହି ରବିବାର ଏଠାରେ ଥିବ କି ନାହିଁ ।

 

-ଓ ! ଯିବା ସମୟରେ ସୁଜାତା ଦେବୀ ପଚାରିଲେ-ତୁମର ଟେଲିଫୋନ୍ ବିଷୟରେ କିଛି ହେଲା?

 

-ଗତ କାଲି ହିଁ ବରୁଣ ବାବୁଙ୍କ ସହିତ ଦେଖାହେଲା । ସେ କହିଲେ-ତରୁଣବାବୁ ଟେଲିଫୋନ୍ ଏସ୍‌.ଡି.ଓ. ସହିତ କଥା ହୋଇଛନ୍ତି । କହିଲେ-ଏଇ ମାସ ଭିତରେ ଟେଲିଫୋନ୍ ଆସିଯିବ ।

 

ସାର୍ଥକ କହିଲା-ଟେଲିଫୋନ୍ ନ ଥିବାରୁ ମୋ ଭଉଣୀ-ଭିଣୋଇ ମୋ ସହିତ କଥା ହୋଇପାରୁନାହାନ୍ତି । ସେମିତି ମୁଁ ମଧ୍ୟ ଦିଲ୍ଲୀର ପ୍ରଫେସର୍ ରଙ୍ଗନାଥନ୍‌ଙ୍କ ସହିତ ଯୋଗାଯୋଗ କରିପାରୁନାହିଁ ।

 

-ତୁମର ଟେଲିଫୋନ୍ ଥିଲେ ବି ମୋର ତ ସୁବିଧା । ସାର୍ଥକ ହସି ହସି କହିଲା-ଟେଲିଫୋନ୍‌ରେ ଯେତେବେଳେ ଇଚ୍ଛା ସେତେବେଳେ ଖାଇବାକୁ ଯିବାପାଇଁ ଡାକି ପାରିବେ, ଏଇଆ ତ? ସେ ବି ହସି ହସି କହିଲେ-ନା-ନା, ତା ନୁହେଁ । ଇଚ୍ଛାହେଲେ ତୁମ ସାଙ୍ଗରେ ଟିକିଏ କଥା ହୋଇପାରିବି ।

 

ଠିକ୍ ପରଦିନ ଦୂର୍ବାର ମା’ ବାପା ଆସି ପହଞ୍ଚିଲେ । ଦୁହେଁଯାକ ଏକାନ୍ତ ଅନୁରୋଧ କଲେ ଯେ ରବିବାର ଦିନ ମଧ୍ୟାହ୍ନ ଭୋଜନ ତାଙ୍କ ଘରେ ହେବ । ସାର୍ଥକ ହସି ହସି କହିଲା-କିଛିଦିନ ଆଗରୁତ ଖାଇଥିଲି, ପୁଣି ଏତେ ଶୀଘ୍ର...

 

ତାକୁ କଥା ଶେଷ କରିବାକୁ ନ ଦେଇ ଦୂର୍ବାର ମା’ କହିଲେ- ସେ ତ ଦେଢ଼ମାସ ଆଗର କଥା । ଏହି ରବିବାର କିନ୍ତୁ ତୁମକୁ ଆସିବାକୁ ହେବ ।

 

ଶେଷ ପର୍ଯ୍ୟନ୍ତ ସାର୍ଥକକୁ ସେମାନଙ୍କର ଅନୁରୋଧକୁ ମାନିନେବାକୁ ହେଲା ।

ଏହି ଭାବରେ ଦିନଗୁଡ଼ିକ କଟିଯିବାକୁ ଲାଗିଲା । ଶରତ୍ ଶେଷରେ ହେମନ୍ତ ମଧ୍ୟ ଆସି ଚାଲିଗଲା । ଶୀତ ମଧ୍ୟ ଶେଷ ଶେଷପ୍ରାୟ । ବସନ୍ତ ଦ୍ୱାରରେ ଜାଗ୍ରତ ନ ଥିଲେ ହେଁ ଶିରୀଷ, ଆମ୍ବର ବଉଳ ଆସିବାକୁ ଆଉ ଡେରିନାହିଁ । ଦୂର୍ବାଙ୍କ ଘରେ ପାଦରଖୁ ରଖୁ ଯେପରି ସାର୍ଥକ ବସନ୍ତ ରାଜାଙ୍କ ଉପସ୍ଥିତି ଅନୁଭବ କଲା । ତା’ର ସରଜ, ପଦକ୍ଷେପ, ଆନତ ଦୃଷ୍ଟି, ହଠାତ୍ ଦୃଷ୍ଟି ବିନିମୟରେ ସାର୍ଥକ ଗୋଟାଏ ଅନାସ୍ୱାଦିତ ଆନନ୍ଦର ସ୍ୱାଦ ପାଇଲା । ଗୋଟାଏ ସୁଖକର ଅନୁଭୂତିରେ ହୃଦୟ ପୂରି ଉଠିଲା ।

 

କିନ୍ତୁ ଆଶ୍ଚର୍ଯ୍ୟର କଥା, ଅନ୍ୟ କୌଣସି ଛାତ୍ରୀକୁ ଦେଖି ବା ପାଖରେ ପାଇଲେ ମଧ୍ୟ ସାର୍ଥକ ମନରେ ଏଭଳି ଆନନ୍ଦ ସୃଷ୍ଟି ହୁଏନାହିଁ । ଅଥଚ ଥାର୍ଡ଼ ଇୟର୍‌ର ବୈଶାଖୀ ପ୍ରକୃତରେ ସୁନ୍ଦରୀ । ଖାଲି ସେତିକି ନୁହେଁ, ତାକୁ ପରମା ସୁନ୍ଦରୀ କହିଲେ ବୋଧହୁଏ ଅନ୍ୟାୟ ହେବନାହିଁ । କଳା ହରିଣୀ-ଡୋଳାରେ ମୁଗ୍ଧ ହେବାକୁ ହୁଏ । ବର୍ଷାକାଳର ଉନ୍ମତ୍ତ ପଦ୍ମାଭଳି ଦେହରେ ଯୌବନର ଔଦ୍ଧତ୍ୟ । ସର୍ବୋପରି ପ୍ରାଣ ଖୋଲା ହସ । ବୈଶାଖୀ ପଢ଼ିବାକୁ ଆସିଲେ ଭଲ ଲାଗେ-। ମାତ୍ର କେବେ ହେଲେ ସାର୍ଥକର ମନକୁ ଦୋହଲାଇ ପାରେନା । ଦୂର୍ବା ଯେପରି ଚମ୍ପା-ଚାମେଲୀ ଆଉ ବୈଶାଖୀ? ରକ୍ତବର୍ଣ୍ଣା ଉଦ୍ଧତ କୃଷ୍ଣଚୂଡ଼ା । ଚାମେଲୀକୁ ଭଲପାଇ, ଆଦର ଯତ୍ନରେ ଘରେ ରଖାଯାଇପାରେ କିନ୍ତୁକୃଷ୍ଣଚୂଡ଼ାକୁ ଦୂରକୁ ଦେଖିବାକୁ ଭଲ ଲାଗେ ।

 

ପ୍ରଥମଦିନ କ୍ଲାସରେ ଦେଖି ଓ କଥାବାର୍ତ୍ତା ଶୁଣି ସାର୍ଥକକୁ ଦୂର୍ବା ଭଲ ଲାଗିଥିଲା । ତାପରେ ନବୀନବରଣ ଉତ୍ସବର ପରଦିନ ଅବିନାଶ ବାବୁଙ୍କ ଘରେ ଆଳାପ ପରିଚୟ ପରେ ଆହୁରି ଭଲ ଲାଗିଥିଲା । ଅଧ୍ୟାପକ ହିସାବରେ ତାକୁ ଶ୍ରଦ୍ଧା ନ କରି ଉପାୟ ନାହିଁ । ତାଛଡ଼ା ରୂପଗୁଣ, ସ୍ୱଭାବ, ଚରିତ୍ର ଦୃଷ୍ଟିରୁ ସାର୍ଥକ ପ୍ରତି ଦୂର୍ବାର ଶ୍ରଦ୍ଧା, ଭଲପାଇବା ଦିନକୁ ଦିନ ବଢ଼ିଛି ।

 

ତାକୁ ଭଲପାଇବାପାଇଁ ଦୂର୍ବାର ଆଉ ଗୋଟାଏ ବିଶେଷ କାରଣ ଅଛି । ଏହି ସାଇଁଥିଆର ଓକିଲ ହରେନ୍ ଦତ୍ତଙ୍କ ପୁଅ ଇଂରାଜୀ ଏମ୍‌.ଏ. ପଢ଼ିବାକୁ ନାଁ ଲେଖାଇବାରେ ସମସ୍ତଙ୍କର ଗୋଟାଏ ଧାରଣା ହେଲା ତା ଭଳି ଇଂରାଜୀ ପାଠୁଆ ଆଉକେହି ନାହିଁ । ଏମ୍‌.ଏ. ପରୀକ୍ଷା ଦେଇ ଫେରି ଆସିବା ପରେ ଦୂର୍ବାର ବନ୍ଧୁ ଚୈତାଳୀ ଓ ତା’ର ଭାଇ ସୁକୁମାର ତା ପାଖରେ ଇଂରାଜୀ ପଢ଼ିବା ଆରମ୍ଭ କଲେ । ତାପରେ ନବନୀତା କହୁଥିଲା କ୍ଲାସ୍ ଟୁଏଲ୍‌ଭର ଗୋଟିଏ ଝିଅ ତା ପାଖରେ ପ୍ରାଇଭେଟରେ ପଢ଼ିବାକୁ ଗଲା ।

 

ମାଧ୍ୟମିକ ପରୀକ୍ଷାର କେତେମାସ ପୂର୍ବରୁ ଦୂର୍ବାର ବାପା ଝିଅକୁ ପଚାରିଲେ-ଆରେ ଏଇ କେତେମାସ ସୁକୁମାର ପାଖରେ ପଢ଼ିବୁ ? ଝିଅ ଉତ୍ତର ଦେବା ପୂର୍ବରୁ ସେ ପୁଣି କହିଲେ-ଏଇ କେତେମାସ ତା ପାଖରେ ପଢ଼ିଲେ ତୋର ଭଲ ହେବ ।

 

-ଚୈତାଳୀକୁ ପଚାରିବୁଝେ ସେ କେମିତି ପଢ଼ାଉଛନ୍ତି, ତାପରେ ତୁମକୁ କହିବି ।

 

ତା ପରଦିନହିଁ ସେ ଚୈତାଳୀକୁ ପଚାରିଲା-ଚୈତି ! ସୁକୁମାର ଦତ୍ତ କେମିତି ପଢ଼ାନ୍ତି?

 

ଚାପା ହସ ହସି ଚୈତାଳୀ କହିଲା-ମୋଟାମୋଟି ଭଲ ପଢ଼ାନ୍ତି, ତେବେ ବେଶ୍ ଇଣ୍ଟରେଷ୍ଟିଂ ଲୋକ ।

-ଇଣ୍ଡରେଷ୍ଟିଂ ଲୋକମାନେ?

 

-ମାନେ ବେଶ୍ ପ୍ରାଣବନ୍ତ କହିପାରୁ, ଦୂର୍ବା ଟିକିଏ ହସି କହିଲା-ଖୁବ୍ କଥା କହନ୍ତି ବୋଧହୁଏ?

 

-ହଁ-କହନ୍ତି, କିନ୍ତୁ ସୁକୁମାରଦା ଖୁବ୍ ଫ୍ରେଣ୍ଡଲି । ଦୂର୍ବା ମନେ ମନେ ଭାବିଲା- ସେ ଯଦି ବେଶୀ ଗୁରୁଗମ୍ଭୀର ନ ହୋଇ ପଢ଼ାଇ ପାରନ୍ତି, ତାହେଲେ ଆଉ ଆପତ୍ତି କ’ଣ?

 

ତାପରେ ମାସ ପହିଲାରୁ ସୁକୁମାର ସନ୍ଧ୍ୟାବେଳେ ପଢ଼ାଇବାକୁ ଆସିଲା । ପ୍ରଥମ ଦୁଇ ତିନିଦିନ ଦୂର୍ବା ଘଟଣାଟିକୁ ଗୁରୁତ୍ୱ ଦେଲାନାହିଁ । କିନ୍ତୁ ତାପରେ ଆସ୍ତେ ଆସ୍ତେ ବୁଝିପାରିଲା- ସେ ଦେହରେ ହାତ ନମାରି ରହିପାରନ୍ତିନାହିଁ । କେବଳ ସେତିକିନୁହେଁ । ପ୍ରତିଦିନ ଯିବାବେଳେ ସୁକୁମାର ତାକୁ ପାଖକୁ ଟାଣିନେଇ ଏମିତି ଗେଲକରେ । ସେଇଟା ଖୁବ୍ ଅସ୍ୱସ୍ତି ଲାଗେ ।

 

ତେବେ ଦୂର୍ବା କାହାକୁ କିଛି କହେନା, କେବଳ ନିଜେ ଟିକିଏ ସତର୍କ ରହେ । କିନ୍ତୁ ନା, ସୁକୁମାର ସେସବୁ ବନ୍ଦ କରେନା । ଛାତ୍ରୀର ବିରକ୍ତିକୁ ଉପେକ୍ଷା କରି ସେ ଆଗେଇ ଚାଲେ ।

 

ନା, ଦୂର୍ବା ଆଉ ଚୁପ୍ ରହିପାରିଲା ନାହିଁ ।

-ସୁକୁମାରଦା, ଏଭଳି ଭାବରେ ଦେହରେ ହାତ ମାରିବେ ନାହିଁ । ମତେ ଏସବୁ ଭଲ ଲାଗେନା-ଦୂର୍ବା କହିଲା ।

 

-ତୁମକୁ ସ୍ନେହ କରେ ବୋଲି ତ ଟିକିଏ ଆଦର କରେ ।

-ସ୍ନେହ କରନ୍ତି ହଁ- କିନ୍ତୁ ଦେହରେ ହାତଦେଇ ସ୍ନେହ କରିବେ ନାହିଁ । ଦୁଇ ତିନି ଦିନ ଯାଏ ସୁକୁମାର ଟିକିଏ ସଂଯତ ରହିଲା ।

 

ସେଦିନ ସୁକୁମାର ପଢ଼ାଇବାକୁ ଆସିବା ଟିକିଏ ପରେ ଦୂର୍ବାର କଥା ଜାଣିବାକୁ ପାଇଲେ-। ଦୁଲାଲ ଓ ତା ସ୍ତ୍ରୀ ମଟର ସାଇକେଲରେ ଆସିବା ସମୟରେ ଗାଡ଼ି ଧକ୍କାରେ ସାଙ୍ଘାତିକ ଭାବରେ ଜଖମ ହୋଇ ହସପିଟାଲ୍‌ରେ ପଡ଼ିଛନ୍ତି । ସଙ୍ଗେ ସଙ୍ଗେ ଦୂର୍ବାର ବାପା ମା’ ତାକୁ ଦେଖିବାକୁ ହସ୍ପିଟାଲକୁ ବାହାରିଲେ । ତେବେ ଯିବା ଆଗରୁ ଦୂର୍ବାର ମା’ ଝିଅକୁ ସେ ଖବର ଜଣାଇ କହିଲେ-ତୋ ବାପା ଏବେ ହସ୍ପିଟାଲରେ ନିଶ୍ଚୟ ରହିବେ । ତେବେ ମୁଁ ସେମାନଙ୍କୁ ଟିକିଏ ଦେଖିଦେଇ ଫେରିଆସିବି । ମାଳତୀ ରୋଷେଇଘରେ କାମ କରୁଛି-ଦରକାର ହେଲେ ତାକୁ ଡାକିବୁ ।

 

-ହଁ ମା’ ଡାକିବି । କିନ୍ତୁ ତୁମେ ଡେରି କରିବ ନାହିଁ ।

- ନା-ନା, ମୁଁ ଡେରି କରିବି ନାହିଁ ।

 

ଦଶପନ୍ଦର ମିନିଟ୍ ପରେ ସୁକୁମାର ଉଠି ଠିଆ ହୋଇ କହିଲା ଗୋଟାଏ ଜରୁରୀ କାମ ଅଛି, ମୁଁ ଯାଉଛି । ଦୂର୍ବା ମଧ୍ୟ ଉଠି ଠିଆ ହେଲା । ଘରୁ ବାହାରିଯିବାକୁ ପାଦ ବଢ଼ାଇବାବେଳକୁ ହଠାତ୍ ସୁକୁମାର ତାର ହାତକୁ ଭିଡ଼ିଧରି ତାକୁ କୁଣ୍ଢାଇ ଧରିଲା ଓ....

 

ଦୁଇ ତିନିମିନିଟ୍ ପରେ ଦୂର୍ବା ତାଠାରୁ ହାତ ଛଡ଼ାଇ ନେଇ କହିଲା ଛି-ଛି । ଆପଣ ମଣିଷ ତ? ଜୀବନରେ କେବେ ଆଉ ମୋ ସାମନାକୁ ଆସିବେ ନାହିଁ । ସୁକୁମାର ଚାଲିଯିବା ସମୟରେ ପୁଣି ଦୂର୍ବା କହିଲା- ଖବରଦାର୍‌, ଆପଣ ଆଉ କେବେ ଆମ ଘରକୁ ଆସିବାକୁ ଚେଷ୍ଟା କରିବେ ନାହିଁ ।

 

ସେଦିନ ରାତିରେ ଦୂର୍ବା ତା ମା’କୁ କହିଲା-ସୁକୁମାର ଦତ୍ତ ପାଖରେ ମୁଁ ଆଉ ପଢ଼ିବି ନାହିଁ-। ମୁଁ ତାକୁ ଆମ ଘରକୁ ଆସିବାକୁ ବାରଣ କରି ଦେଇଛି ।

 

-କ’ଣ ହେଲା କି ରେ?

-ସେ କଥା ଶୁଣି ଆଉ ଲାଭ କ’ଣ? ଅଲକ୍ଷଣା ଏକନମ୍ବର ଅସଭ୍ୟ, ଛୋଟଲୋକ ।

 

ତା’ ମା’ ଆଉ କିଛି ପଚାରିଲେ ନାହିଁ । ତାଙ୍କୁ ବୁଝିବାରେ ଅସୁବିଧା ନ ଥିଲା ଯେ ସୁକୁମାର ଶାଳୀନତାର ସମସ୍ତ ସୀମା ଲଙ୍ଘନ କରିଛି ।

 

ଦେହରେ ଯୌବନର ସ୍ପର୍ଶ ଲାଗିବାବେଳୁ ଦୂର୍ବା ବୁଝିଛି, କିଛି ଯୁବକ, କିଛି ବୟସ୍କ ଲୋକଙ୍କ ଲୋଲୁପଦୃଷ୍ଟି ତା ଉପରେ ପଡ଼ିବାରେ ଲାଗିଛି । ଚନ୍ଦନା ଦିଦିର ବାହାଘରଦିନ ବାହାଘର ଭିଡ଼ଭିତରେ ନବେନ୍ଦୁଦା କି ଅସଭ୍ୟତା କରିଥିଲା । ଆଉ ଦୁଇଚାରିଟା ଟୋକା ଅଛନ୍ତି ଯେଉଁମାନେ ରାସ୍ତାଘାଟରେ ତା ପାଖ ଦେଇ ଯିବାବେଳେ ଗାଇଉଠନ୍ତି-ଚୋଲିକା ପିଛେ କ୍ୟା ହାୟ ଅଥବା ଏକ୍ ଲଡ଼୍‍କୀ କୋ ଦେଖାଥା.......

 

କ’ଣ କରିବ ଦୂର୍ବା? ସେ ଜାଣେ, ସୁନ୍ଦରୀ ବୋଲି ତା ଚାରିପାଖରେ କେତେଗୁଡ଼ାଏ ମାଛି ଭଣଭଣ ହେବେ । ଏମାନଙ୍କ ହାତରୁ କୌଣସି ଝିଅର ନିସ୍ତାର ନାହିଁ । ବେଶ୍ କିଛିଦିନ ମିଳାମିଶା ଓ ବିଶେଷ ଭାବରେ ଏକୁଟିଆ ତା ପାଖରେ ପଢ଼ିବା ପରେ ମଧ୍ୟ ସାର୍ଥକ ମୁହୂର୍ତ୍ତକପାଇଁ ମଧ୍ୟ କେବେ ଅସୌଜନ୍ୟ ବ୍ୟବହାର କରିନାହିଁ । ଦୂର୍ବା ବୁଝି ସାରିଛି ସେ ଏକ ଉଜ୍ଜ୍ୱଳ ବ୍ୟତିକ୍ରମ । ସେଥିପାଇଁ ତା’ର ସାର୍ଥକ ପ୍ରତି ଦିନକୁ ଦିନ ଶ୍ରଦ୍ଧା ଓ ଭଲପାଇବା ବଢ଼ିଚାଲିଛି ।

 

ତାକୁ ଶ୍ରଦ୍ଧା କରିବାରେ, ଭଲ ପାଇବାରେ ଆହୁରି କାରଣ ଅଛି । ସାର୍ଥକ ପ୍ରକୃତରେ ଗୁଣୀ ଏବଂ ରୁଚି ସଂପନ୍ନ । ବଡ଼ମାନଙ୍କୁ ଶ୍ରଦ୍ଧା କରେ, ଛାତ୍ର ଛାତ୍ରୀମାନଙ୍କୁ ଭଲ ପାଏ । ତା ଛଡ଼ା ସେ ନୀତିବାନ୍ ଏବଂ ନିର୍ଲୋଭ । ତା ନ ହେଲେ ଟଙ୍କା ପଇସା ନ ନେଇ ଏତେଗୁଡ଼ିଏ ପିଲାଙ୍କୁ ପାଠ ପଢ଼ାନ୍ତା କି?

 

ଦୂର୍ବା ମନେ ମନେ ଜାଣେ, ସାର୍ଥକ ସୁନ୍ଦର ଓ ସୁପୁରୁଷ । ଯୁବକ କଲେଜର ଅନେକ ଝିଅ ତ କଥାବାର୍ତ୍ତା ହୁଅନ୍ତି-ସାର୍ଥକ ସାର୍‌ଙ୍କୁ ଦେଖି ଏବଂ ତାଙ୍କ କଥାବାର୍ତ୍ତା ଶୁଣି ତାଙ୍କ ପ୍ରେମରେ ପଡ଼ିବାକୁ ଇଚ୍ଛା ହୁଏ । ରିଏଲି ଭେରି ହ୍ୟାଣ୍ଡସମ୍‌, ଭେରି ଚାର୍ମିଂ ।

 

ପଲିଟିକାଲ୍ ସାଇନ୍‌ସ୍ ନେଇ ଦୂର୍ବାର ଯେଉଁ ଭୟ, ଯେଉଁ ଦୁଶ୍ଚିନ୍ତା ଥିଲା, ତାହା କେବଳ ଚାଲି ଯାଇନାହିଁ ବରଂ ଏବେ ପଲ୍‌ସାଇନ୍‌ସ ପଢ଼ିବାକୁ ତାକୁ ଭଲ ଲାଗୁଛି । ଦିନକୁ ଦିନ ଆଗ୍ରହ ବଢ଼ୁଛି । ଆଗ୍ରହ ବଢ଼ୁଛି ସାର୍ଥକ ପାଖକୁ ନିୟମିତ ଆସିବାକୁ । ଶନିବାର କୌଣସି ମତେ ସମୟ ମିଳେନା । ଶନିବାର କ୍ଲାସ୍ ସାରି ଶାନ୍ତି ନିକେତନ ଯିବାକୁ ପଡ଼େ । କିନ୍ତୁ ରବିବାର ସାଇଁଥିଆକୁ ଫେରି ସନ୍ଧ୍ୟାଆଡ଼କୁ ସାର୍ଥକଆଡ଼େ ନିଶ୍ଚୟ ଯିବ ।

 

-ଘଟଣା କ’ଣ, ତୁମେ? ଖୁସିର ହସ ହସି ସାର୍ଥକ ପ୍ରଶ୍ନକଲା । ଦୂର୍ବା କହିପାରେନା-ସାର୍‌-! ଆପଣଙ୍କୁ ଦେଖିବାକୁ ଇଚ୍ଛା ହେଲା-ତେଣୁ ଚାଲି ଆସିଲି । ସେ କହେ, କାଲିତ ଆସି ପାରିନଥିଲି, ତେଣୁ ଭାବିଲି ଟିକିଏ ଯାଇ ଦେଖିଆସେ, ଆପଣ କେମିତି ଅଛନ୍ତି ।

 

-ଖୁବ୍ ଭଲ କରିଛ । ସାର୍ଥକ ତାର ଆଖିରେ ଆଖି ମିଶାଇ କହିଲା-ସତେ ତୁମେ ଆସିଲେ ଖୁବ୍ ଭଲ ଲାଗେ । ଦୂର୍ବା ତଳକୁ ମୁହଁ ପୋତି କହିଲା-ଆପଣଙ୍କ ପାଖକୁ ଆସିବାକୁ ମତେ ବି ଖୁବ୍ ଭଲ ଲାଗେ । ଆପଣଙ୍କ ଛଡ଼ା ଆଉ କାହାପାଖକୁ ଯେତେବେଳେ ଇଚ୍ଛା ସେତେବେଳେ ଏକୁଟିଆ ଯାଏନା ।

 

-ତା ହେଲେ ତ ସ୍ୱୀକାର କରିବାକୁ ହେବ, ମୁଁ ଭାଗ୍ୟବାନ୍ ।

- ସାର୍‌ ! ସେମିତି କହିବେ ନାହିଁ । ମୋ ଭଳି ଗୋଟିଏ ସାଧାରଣ ଝିଅ ପକ୍ଷରେ ଆପଣଙ୍କ ଭଳି ମଣିଷ ସହିତ ମିଳାମିଶା କରିବା ତ ସୌଭାଗ୍ୟର କଥା ।

 

- ମୁଁ କ’ଣ ଏଭଳି ଗୋଟାଏ ମହାପୁରୁଷ ଯେ...

- ସାର୍ ସେ କଥା ଛାଡ଼ନ୍ତୁ । ଆପଣ ଆଜି ହୋଟେଲ୍‌ରୁ ଆଣି ଖାଇଛନ୍ତି?

 

- ଆଂଶିକ ହୋଟେଲ୍‌ରୁ, ଆଂଶିକ ଏହି ପରିବାରରୁ । ସାର୍ଥକ ହସିହସି କହିଲା-ତୁମ ବଡ଼ ମା’ ଏବଂ ଗୌରୀର ମା’ଙ୍କ କୃପାରୁ ମୁଁ ଭଲରେ ଅଛି ।

 

-ସେ କଥା କହିବେ ନାହିଁ । ପ୍ରତିଦିନ ତ ଆପଣଙ୍କପାଇଁ କେହି ଘରୁ ଖାଦ୍ୟ ପଠାନ୍ତି ନାହିଁ-। ଆପଣଙ୍କୁ ହୋଟେଲ୍‌ରୁ ଖାଦ୍ୟ ଖାଇବାକୁ ପଡ଼ୁଛି । ସାର୍‌ ! ଆପଣ ଯେ କେମିତି ହୋଟେଲ୍‌ର ଖାଦ୍ୟ ଖାଆନ୍ତି, ସେ କଥା ଭଗବାନ୍ କେବଳ ଜାଣନ୍ତି ।

 

ସାର୍ଥକ ଟିକିଏ ହସି କହିଲା-ନା ଅଷ୍ଟାଦଶୀ, ହୋଟେଲ ଖାଦ୍ୟ ଖାଇବାକୁ ମତେ ଆଦୌ କଷ୍ଟ ହୁଏନା ।

 

-ମା’ ବଡ଼ମା ବରାବର କଥା ହୁଅନ୍ତି, ଆପଣ ହୋଟେଲ ଖାଦ୍ୟ ଖାଉଛନ୍ତି ବୋଲି, ସେମାନଙ୍କୁ ଖୁବ୍ କଷ୍ଟ ହେଉଛି । ଦୂର୍ବା ମୁହଁ ଉଠାଇ ସାର୍ଥକକୁ ତୀର୍ଯ୍ୟକ୍ ଦୃଷ୍ଟିରେ ଚାହିଁ କହିଲା- ମତେ ମଧ୍ୟ ଖୁବ୍ ଖରାପ ଲାଗୁଛି । ତା କଥା ଶୁଣି ସାର୍ଥକକୁ ବହୁତ ଭଲ ଲାଗିଲା । ସେ କହିଲା-ହୋଟେଲ୍‌ରେ ଖାଇବାରେ ମୋର ଯଦି ସାମାନ୍ୟତମ କଷ୍ଟ ହୋଇଥାଏ, ତୁମ କଥା ଶୁଣିଲାପରେ ଆଉ ସେ କଷ୍ଟ ନ ଥିବ । ଦୂର୍ବା ଚୁପ୍ ମନକୁ ମନ କ’ଣ ଭାବିଲା ।

 

-ଜାଣ ଅଷ୍ଟାଦଶୀ । କମ୍ ବୟସରୁ ବାପାଙ୍କୁ ହରାଇଛି । କଲେଜରେ ନାଁ ଲେଖାଇବାର ପରେ ପରେ ମା’ ଚାଲିଗଲେ । ତେବେ ମୋ ବଡ଼ ଭଉଣୀ ମୋର ସବୁ ଦୁଃଖ ଦୂର କରିଦେଇଛି । ସାର୍ଥକ ଟିକିଏ ମ୍ଳାନ ହସି କହିଲା-ବଡ଼ ଭଉଣୀକୁ ଛାଡ଼ି ଆସିବାବେଳେ ଖୁବ୍ ମନ କଷ୍ଟ ହୋଇଥିଲା-। ମନରେ ଭାରି ଭୟ ମଧ୍ୟ ଥିଲା ।

 

-ସାର୍‌ ! କି ଭୟ ଥିଲା?

-ଭୟ ଥିଲା ଯେ ବଡ଼ ଭଉଣୀକୁ ଛାଡ଼ି ରହିବି କେମିତି । ସତକଥା କହିବାକୁ ଗଲେ ବଡ଼ମା’ ଏବଂ ତୁମଯୋଗୁ ସେ ଭୟ ଚାଲିଗଲା ।

 

-ସାର୍‌ ! ମୁଁ ତ ଆପଣଙ୍କପାଇଁ କିଛି ବି କରିନାହିଁ । ସାର୍ଥକ ତା ଆଖି ଉପରେ ଆଖି ରଖି କହିଲା-ଅଷ୍ଟାଦଶୀ ! ତୁମେ ଜାଣିନାହଁ, ତୁମେ ଏବଂ ତୁମର ସଙ୍ଗୀତ ମତେ କେତେ କଣ ଦେଇଛି ।

 

॥ ପାଞ୍ଚ ॥

 

କର୍ମବ୍ୟସ୍ତ ଦିନଗୁଡ଼ିକ ଯେପରି ପବନରେ ଉଡ଼ିଯାଏ । ସକାଳଠୁ ସନ୍ଧ୍ୟାପର୍ଯ୍ୟନ୍ତ ସାର୍ଥକକୁ ଖୁବ୍ କାର୍ଯ୍ୟବ୍ୟସ୍ତ ରହିବାକୁ ପଡ଼େ । ଖୁବ୍ ପରିଶ୍ରମ କରିବାକୁ ହୁଏ । କଲେଜରେ ଏତେଗୁଡ଼ାଏ କ୍ଲାସ୍ ନେବା ପରେ ମଧ୍ୟ ସକାଳେ, ସନ୍ଧ୍ୟାବେଳେ ଛାତ୍ର ଛାତ୍ରୀମାନଙ୍କୁ ପଢ଼ାଇବାକୁ ବହୁତ ଗପିବାକୁ ପଡ଼େ । ସନ୍ଧ୍ୟାପରେ କ୍ଲାନ୍ତିଯୋଗୁ ସେ ପ୍ରାୟତଃ ଶୋଇପଡ଼େ । ହୋଟେଲ୍‌ର ପିଲାଟି ନିଃଶବ୍ଦରେ ଟିଫିନ୍ କେରିଅର୍ ରଖିଦେଇ ଚାଲିଯାଏ । ନିଦ ଭାଙ୍ଗିଲେ ମୁହଁ ହାତ ଧୋଇ ସେ ଖାଇବସେ । ଗୁଣ୍ଡାଏ ପାଟିକୁ ନେଇ ସେ ମୁହଁ ବିକୃତ କରେ । ତା ସତ୍ତ୍ୱେ ଯେତିକି ରୁଚେ, ଖାଏ । ତେବେ ଅଧାରୁ ଅଧିକ ଖାଦ୍ୟ ପଡ଼ି ରହେ । ସକାଳେ ଅନ୍ନଦାର ମା’ ବାସନ ମାଜିବାକୁ ଯାଇ ଦୈନିକ ଖାଦ୍ୟ ରହିଥିବାର ଦେଖିଲେ ବି ପ୍ରଫେସର ବାବୁଙ୍କୁ କିଛି କହେନାହିଁ ।

 

ଦିନେ ଦିନେ ଖାଇ ସାରିବା ପରେ କିମ୍ବା ଖାଇ ବସିଥିବାବେଳେ ତୃଣାର ଫୋନ୍ ଆସେ- କୁନିଭାଇ ! କେମିତି ଅଛୁରେ?

 

-ଭଲ ଅଛି ଦିଦି ।

- ବୁବୁନ୍‌କୁ ଦେଖିବାକୁ ଯାଇଥିଲୁ? ତୋ ଭିଣୋଇ ଗତ ସପ୍ତାହରେ ଯାଇଥିଲେ ।

 

-ହଁ ସେ କଥା ଜାଣେ ।

-ଆସନ୍ତା ସପ୍ତାହରେ ମୁଁ ଦିନେ ଯିବାକୁ ଭାବିଛି । ତେବେ ଅଫିସ୍‌ରେ ଏତେ କାମ ଯେ ଛୁଟି ପାଇବି କି ନା ଜାଣେନା ।

 

- ଯେମିତି ହେଉ ଟିକିଏ ବୁଲିଆ । ତୁମେମାନେ ମଝିରେ ମଝିରେ ନ ଗଲେ ତାକୁ କ’ଣ ଭଲ ଲାଗିବ?

 

- ସେ କଥା ମୁଁ କ’ଣ ଜାଣେନା । ତା ଛଡ଼ା ତାକୁ ବେଶୀଦିନ ନ ଦେଖିଲେ ମତେ ବି ଭଲ ଲାଗୁନାହିଁ ।

 

-ଭିଣୋଇ ଅଛନ୍ତି?

- ସେ ଜଣେ ବନ୍ଧୁଙ୍କ ଘରକୁ ନିମନ୍ତ୍ରଣ ଖାଇବାକୁ ଯାଇଛନ୍ତି । ପ୍ରାୟ ବର୍ତ୍ତମାନ ଆସିଯିବେ-

 

ଅନେକ ଦିନ ଏଇ ବେଳରେ ଅବିନାଶ ବାବୁଙ୍କ ଘରୁ ଫୋନ୍ ଆସେ ।

-ସାର୍ଥକ ।

- ହଁ ମାଉସୀ ।

- ଖାଇଲଣି ?

- ହଁ ମାଉସୀ । ଏବେ ଏବେ ଖାଇଲି ।

 

- ଆଜି କ’ଣ ବୃନ୍ଦାବନର ସ୍ତ୍ରୀ କିଛି ପଠାଇଥିଲା?

- ଆଜି କେବଳ ହୋଟେଲ୍‌ରୁ ଆଣି ଖାଇଛି ।

 

- ତାହେଲେ କ’ଣ ଖାଇଛୁ, ସେ କଥା ଭଗବାନ୍ ଜାଣନ୍ତି । ସାର୍ଥକ ସ୍ନେହାତୁରା ମାତୃତୁଲ୍ୟାଙ୍କୁ ଖୁସି କରିବାକୁ ଯାଇ କହିଲା- ନା ନା ମାଉସୀ ! ଆଜି ଖୁବ୍ ଭଲ ଖାଦ୍ୟ ଥିଲା । ମୁଁ ପେଟପୂରା ଖାଇଛି ।

 

- ଭଲ ଖାଇଛନା ନା ଘୋଡ଼ାଡିମ୍ବ । ହୋଟେଲ୍‌ର ଖାଦ୍ୟ କ’ଣ କେତେ ହେଲେ ଭଲ ହୁଏ?

 

-ସାର୍ଥକ ଟିକିଏ ହସି କହିଲା-ମାଉସୀ, ସତ କହୁଛି । ଆଜି ଖାଇବାକୁ ଖୁବ୍ ଭଲ ଦେଇଥିଲା ।

 

-ଭଲ ଦେଇଥିଲେ ତ ଭଲ କଥା । ଦିନେ ଦିନେ ତାଙ୍କର ସେକ୍ରେଟାରୀ ହିସାବରେ ଦୂର୍ବାମଧ୍ୟ ଫୋନ୍ କରେ । ସାର୍‌ ! ବଡ଼ ମା’ଙ୍କର ଆଣ୍ଠୁ ବେଶୀ ଦରଜ ବୋଲି ଶୋଇଛନ୍ତି । ଫୋନ୍ କରି ଆପଣଙ୍କ ଖବର ବୁଝିବାକୁ ମତେ କହିଲେ ।

 

-ମାଉସୀଙ୍କୁ କହିଦିଅ-ମୁଁ ଭଲ ଅଛି ।

-ସାର୍ଥକ ସଙ୍ଗେ ସଙ୍ଗେ ପଚାରିଲା-ଅଷ୍ଟାଦଶୀ! ତୁମେ କେମିତି ଅଛ?

-ଭଲ ଅଛି ସାର୍ ।

- କାଲି ସକାଳେ ଆସିବ ତ?

- ହଁ ଆସିବି ।

 

ଦେଖୁ ଦେଖୁ କଲେଜରେ କ୍ଲାସ୍ ଟୁୟେଲ୍‌ଭର୍ କ୍ଲାସ୍ ଶେଷ ହେଲା । କିଛିଦିନ ପରେ ଟେଷ୍ଟ ପରୀକ୍ଷା ହେଲା । ସାର୍ଥକ ଦୂର୍ବାର ପଲିଟିକାଲ୍ ସାଇନ୍‌ସ ଖାତା ଦେଖି ସତକୁ ସତ ଆଶ୍ଚର୍ଯ୍ୟ ହେଲା । ସେ ଏତେ ଭଲ କରିବ ବୋଲି ଆଶା କରି ନ ଥିଲା । କେହି କିଛି ନ ଭାବୁ କିମ୍ବା ଦୂର୍ବା ଭଲ ନମ୍ବର ରଖିଛି ବୋଲି ପଢ଼ାଶୁଣାରେ ହେଳା ନ କରୁ ସେଥିପାଇଁ ସାର୍ଥକ ଜାଣିଶୁଣି ତାକୁ କିଛି କମ୍ ନମ୍ବର ଦେଲା । ତେବେ ତାପର ରବିବାର ରାତିରେ ଅବିନାଶ ବାବୁଙ୍କ ଘରକୁ ଖାଇବାକୁ ଯାଇ ଦୂର୍ବାକୁ ଏକୁଟିଆ ବେଳେ ସାର୍ଥକ କହିଲା- ତୁମର ଖାତା ଦେଖିଲି ।

 

- ସାର୍‌ ! ମୁଁ ପାଶ୍ କରିଛି?

ସାର୍ଥକ ତା’ ଆଡ଼କୁ ଚାହିଁ ଟିକିଏ ହସି କହିଲା-ଏଇ କେତେମାସ ହେଲା ମୋ ପାଖରେ ପଢ଼ିଲଣି, ପାଶ୍ କରି ପାରିବ ନାହିଁ? ଦୂର୍ବା ହସିଲା ।

 

-ଅଷ୍ଟାଦଶୀ ! ମୁଁ ନିଶ୍ଚୟ ସ୍ୱୀକାର କରିବି ଯେ ତୁମେ ବହୁତ ଇଂପ୍ରଭୁ କରିଛ । କିନ୍ତୁ ବୋର୍ଡ଼ ପରୀକ୍ଷାପାଇଁ ତୁମକୁ ଠିକ୍ ଭାବରେ ପଢ଼ାଶୁଣା କରିବାକୁ ପଡ଼ିବ ।

 

-ସାର୍‌ ! ସଙ୍ଗୀତ କଥା ବାଦ୍ ଦିଅନ୍ତୁ । ପଢ଼ାପଢ଼ିରେ ମୁଁ କେବେ ବି ହେଳା କରେ ନାହିଁ ।

 

-ନା-ନା । ତୁମେ ସେ ଧରଣର ଝିଅ ନୁହଁ । ଯେମିତି ପଢ଼ାପଢ଼ି କରୁଛ, ସେଇଭଳି କରିଚାଲ । ଆଶା କରେ ରେଜଲ୍ଟ ଭଲ ନିଶ୍ଚୟ ହେବ ।

 

ଟେଷ୍ଟ୍‌ର ଫଳ ବାହାରିବା ପରେ ଦେଖାଗଲା ଦୂର୍ବା ଖୁବ୍ ଭଲ କରିଛି । ଅବିନାଶ ବାବୁ ହସିହସି ଦୂର୍ବାକୁ କହିଲେ-ପୁତୁଲ୍‌! ତୁ ଯେ ମୋ ସବ୍‌ଜେକ୍ଟରେ ଫିଫ୍‌ଟି ପରସେଣ୍ଟ ନମ୍ବର ପାଇବୁ, ସେ କଥା ମୁଁ ସ୍ୱପ୍ନରେ ଭାବି ନ ଥିଲି । ସୁଜାତା ଦେବୀ ସ୍ୱାମୀଙ୍କ କଥାରେ ଟିକିଏ ଅସନ୍ତୁଷ୍ଟ ହୋଇ କହିଲେ, ପାଇବ ନାହିଁ, କାହିଁକି? ସାର୍ଥକ କଣ ତାକୁ ପଢ଼ାଇବାରେ ହେଳା କରିଛି ?

 

-ନା-ନା । ସେ କଥା କହୁନାହିଁ । ଅବିନାଶ ବାବୁ ଆଉ କିଛି କହିବାକୁ ଯାଉଥିଲେ । ତାଙ୍କୁ ବାଧା ଦେଇ ସୁଜାତା ଦେବୀ କହିଲେ- ତୁମେ ଦେଖିବ, ବୋର୍ଡ଼ ପରୀକ୍ଷାରେ ପୁତୁଲ୍ ଆହୁରି ଭଲ କରିବ ।

 

-ହୋଇପାରେ । କିନ୍ତୁ ସାଧାରଣତଃ ଦେଖିଛି, ଟେନ୍‌ଥ ପରୀକ୍ଷାଠାରୁ ବୋର୍ଡ଼ ପରୀକ୍ଷାରେ ବେଶୀ ନମ୍ବର ମିଳେନା ।

 

-ମୁଁ ସେ ସବୁ ଜାଣେନା । ତେବେ ତୁମେ ଦେଖିବ ପୁତୁଲ ବୋର୍ଡ଼ପରୀକ୍ଷା ଖୁବ୍ ଭଲ କରିବ ।

 

ଏହିକଥା କହିସାରି ସୁଜାତା ଦେବୀ ସେ ସ୍ଥାନଛାଡ଼ି ଚାଲିଗଲେ । ତାପରେ ରବିବାର ଦୂର୍ବା ଶାନ୍ତିନିକେତନ ଗଲାପରେ କଣିକାଦେବୀ ତାକୁ କହିଲେ, ପୁତୁଲ ତୋର ତ ପରୀକ୍ଷା ଆଉ ଡେରିନାହିଁ । ବର୍ତ୍ତମାନ ପଢ଼ାପଢ଼ିରେ ଆହୁରି ମନ ଦେବା ଦରକାର ।

 

ଦୂର୍ବା ଚୁପ୍ କରି ବସି ରହିଲା ।

ତତେ ଏବେ ଆଉ ମୋ ପାଖକୁ ଆସିବାକୁ ପଡ଼ିବ ନାହିଁ । ପରୀକ୍ଷା ଶେଷ ହେବା ପରେ ପୁଣି ଆସିବୁ ।

 

-ମାଉସୀ! ଆପଣ ଯାହା କହୁଛନ୍ତି, ତାହାହିଁ କରିବି ।

ଦୂର୍ବା ଫେରିଯିବା ପୂର୍ବରୁ କଣିକା ଦେବୀ ତାକୁ ପାଖରେ ବସାଇ ଆଦର କରି ଆଶୀର୍ବାଦ କଲେ । ଟିକିଏ ମନ ଦେଇ ପଢ଼ିଲେ ତୁ ନିଶ୍ଚୟ ଭଲ ରେଜଲ୍ଟ କରିବୁ । କେହି ଯେମିତି ନ କହନ୍ତି, ମାଉସୀ ପାଖରେ ଗୀତ ଶିଖିବାରେ ବହୁତ ସମୟ ଦେବାରୁ ରେଜଲ୍ଟ ଭଲ ହେଲାନାହିଁ । ମାଉସୀ, ଆପଣ ଆଶୀର୍ବାଦ କରନ୍ତୁ, ମୁଁ ଯେମିତି ପରୀକ୍ଷାରେ ଭଲ କରେ ।

 

ତା ମୁଣ୍ଡରେ ହାତରଖି, କପାଳରେ ଚୁମା ଦେଇ କଣିକା ଦେବୀ କହିଲେ- ମୁଁ ସବୁବେଳେ ତ ତତେ ଆଶୀର୍ବାଦ କରୁଛି ।

 

ଦୂର୍ବା ଗୀତାବିତାନ ଓ ସ୍ୱରଲିପିର ଦୁଇଟି ବହି ହାତରେ ଧରି ତାଙ୍କୁ ପ୍ରଣାମ କରି କହିଲା- ମାଉସୀ, ଆସୁଛି ।

 

-ହଁ ମା’ ଆ । ହଁ ମା ଶୁଣ । ତୋ ପରୀକ୍ଷା ପରେ ମଲ୍ଲିକା ଯେମିତି ତୋ ସହିତ ଆସେ । ଅନେକଦିନ ହେଲା ସେ ଆସିନାହିଁ ।

 

ଦୂର୍ବା ଟିକିଏ ହସି କହିଲା- ହଁ ମାଉସୀ, ମା’ଙ୍କୁ ସାଙ୍ଗରେ ନେଇ ଆସିବି ।

 

ସନ୍ଧ୍ୟାପରେ ଦୂର୍ବା ସାର୍ଥକ ପାଖକୁ ଯାଇ କହିଲା-ସାର୍‌! ଆସନ୍ତା ଶନିବାରଠାରୁ ମୁଁ ଆଉ ମାଉସୀ ପାଖକୁ ଯିବି ନାହିଁ ।

 

ସାର୍ଥକ ଆଶ୍ଚର୍ଯ୍ୟ ହୋଇ ପଚାରିଲା-କାହିଁକି? ସେ କଣ ତୁମକୁ ଆଉ ଗୀତ ଶିଖାଇବେ ନାହିଁ?

 

ନା-ନା, ସେ କଥା ନୁହେଁ । ପରୀକ୍ଷା ନ ସରିବା ଯାଏ ସେ ତାଙ୍କ ପାଖକୁ ଯିବାକୁ ବାରଣ କରିଛନ୍ତି ।

 

- ହଁ- ସେ କଥା କହ ।

ଦୂର୍ବା ମୁହଁ ଟେକି କହିଲା-ସାର୍‌! ଆପଣଙ୍କର ଅସୁବିଧା ନ ଥିଲେ ମୁଁ ଶନିବାର ସକାଳେ ଆପଣଙ୍କ ପାଖକୁ ପଢ଼ିବାକୁ ଆସନ୍ତି ।

 

-ଶନିବାର କାହିଁକି? ତୁମେ ରବିବାର ମଧ୍ୟ ଆସିପାର, କିନ୍ତୁ ତୁମର ଅନ୍ୟାନ୍ୟ ସବ୍‌ଜେକ୍ଟ ସବୁ ପଢ଼ିବାକୁ ଅଛି ।

 

-ସାର୍ ସାରାଦିନ ତ ଅନ୍ୟାନ୍ୟ ସବ୍‌ଜେକ୍ଟ ପଢ଼ିବି ।

ଅନ୍ୟାନ୍ୟ ସବ୍‌ଜେକ୍ଟ ଠିକ୍ ଭାବରେ ପଢ଼ାପଢ଼ି କରି ଆସିଲେ ମୋର ଆପତ୍ତି ନାହିଁ, ଅନ୍ୟ ବିଷୟରେ ଖରାପ କରି କେବଳ ମୋ ବିଷୟରେ ଭଲ କଲେ କେହି ଭଲ କହିବେ ନାହିଁ । ସେ କଥା ଜାଣିଛ ତ? ଦୂର୍ବା ମୁହଁ ତଳକୁ କରି ରହିଲା ।

 

ଆଜିକାଲି ସାର୍ଥକ ଶାନ୍ତି ନିକେତନକୁ ଖୁବ୍ କମ୍ ଯାଏ । ତା’ର କାରଣ, ଉଦୟ-ଚନ୍ଦ୍ରମାଙ୍କର ଯେଉଁଦିନ ଛୁଟି, ସେଦିନ କଲେଜ ଖୋଲା । ରବିବାର କଲେଜ ବନ୍ଦ ଥିଲେ ହେଁ ସେଦିନ ଉଦୟର ଅଫିସ୍‌କାମ । ଯାହ ହେଉ, ତା ପର ଶନିବାର ‘ଗଣଦେବତା’ରେ କଲିକତା ଯାଇ ସାର୍ଥକ ତୃଣା ଓ ପବିତ୍ରକୁ କହିଲା- ହାଇଅର୍ ସେକେଣ୍ଡାରୀ ପୁଅ ଝିଅମାନେ ଯେ ସବୁ ମୋ ପାଖରେ ଆସି ପଢ଼ନ୍ତି, ସେମାନଙ୍କପାଇଁ ବର୍ତ୍ତମାନ ଟିକିଏ ବେଶୀ ସମୟ ଦେବା ଦରକାର । ତେଣୁ ମୁଁ ବୋଧହୁଏ କିଛିଦିନ ଆସି ପାରିବି ନାହିଁ ।

 

ପବିତ୍ର କହିଲା-ନା-ନା-ବର୍ତ୍ତମାନ ତୁମର ନ ଆସିବା ଉଚିତ । ସେମାନେ ତୁମ ସବ୍‌ଜେକ୍ଟରେ ଭଲ ନ କଲେ ତ ତୁମର ହିଁ ବଦନାମ୍ । ହଁ ଜ୍ୱାଇଁବାବୁ, ଠିକ୍ କହିଛନ୍ତି ।

 

ଅନିଚ୍ଛାସତ୍ତ୍ୱେ ତୃଣା ବାସ୍ତବ ସ୍ଥିତିକୁ ମାନିନେଲା । କହିଲା-କୁନିଭାଇ! ଆସି ନ ପାରିଲେ ବି ବରାବର ଫୋନ୍‌କରିବାକୁ ଭୁଲିବୁ ନାହିଁ । ସାର୍ଥକ ଟିକିଏ ହସି କହିଲା-ଭୁଲିବି କାହିଁକି? ଲାଗିଲାଗି ତିନିଟା ରବିବାର ସାର୍ଥକ କଲିକତା ଗଲାନାହିଁ ବୋଲି ଦୂର୍ବା ପଚାରିଲା-ସାର୍‌! ଆପଣ ତ ଅନେକ ଦିନ ହେଲା କଲିକତା ଯାଇ ନାହାନ୍ତି ।

 

-ତୁମମାନଙ୍କର ପରୀକ୍ଷା ନ ସରିବା ପର୍ଯ୍ୟନ୍ତ ମୁଁ ବେଶୀ ଯିବିନାହିଁ ।

-କିନ୍ତୁ ଆପଣଙ୍କ ବଡ଼ ଭଉଣୀକୁ ତ ବହୁତ ଖରାପ ଲାଗିବ ।

 

-ଖରାପ କାହିଁକି ଲାଗିବ? ଦିଦି କଣ ପରୀକ୍ଷାର ଗୁରୁତ୍ୱ ଜାଣେନା? ପରୀକ୍ଷାପାଇଁ ତୁମେ ଗୀତ ଶିଖିବାକୁ ମାଉସୀଙ୍କ ପାଖକୁ ଯିବା ବନ୍ଦ କରିଦେଇ ପାରିଲ, ଆଉ ମୁଁ କଲିକତା ଯିବା ବନ୍ଦ କରିପାରିବି ନାହିଁ?

 

ଦୂର୍ବା କିଛିକ୍ଷଣ ତଳକୁ ମୁହଁପୋତି ବସିଲା । ତାପରେ କହିଲା-ସାର୍‌! ମୁଁ ବୁଝିଲି ।

- କ’ଣ ବୁଝିଲ?

 

-କେବଳ ମୋପାଇଁ ଆପଣ କଲିକତା ଗଲେ ନାହିଁ ।

-ଯଦି ତାହା ହୁଏ, ସେଥିରେ କାହାର କ’ଣ ଅଛି? ଦୂର୍ବା ସାର୍ଥକ ଆଡ଼କୁ ଚାହିଁବାରୁ ସେ କହିଲା-ମୁଁ ତୁମକୁ ସ୍ନେହକରେ, ଭଲ ପାଏ । ତୁମପାଇଁ ଏତିକି କରିବି ନାହିଁ ?

 

ଦିନେ ଦୁଇଦିନ ପରେ ସନ୍ଧ୍ୟାବେଳେ କେବଳ ସୁଜାତା ଦେବୀ ନୁହନ୍ତି, ମଲ୍ଲିକାଦେବୀ ମଧ୍ୟ ଆସିଲେ । ଏଣୁ ତେଣୁ କଥାବାର୍ତ୍ତା ପରେ ଦୁହେଁଯାକ କହିଲେ-ପୁତୁଲକୁ ଏତେ ସିରିଅସ୍‌ଲି ପଢ଼ାପଢ଼ି କରିବା କେବେହେଲେ ଆମେ ଦେଖି ନ ଥିଲୁ । ପ୍ରକୃତରେ ତୁମେ ତାକୁ ବଦଳାଇ ଦେଇଛ ।

 

-ନା-ନା ମାଉସୀ, ମୁଁ ତାକୁ ବଦଳାଇ ନାହିଁ । ଅସଲ କଥାହେଲା, ସମସ୍ତେ ତା ମୁଣ୍ଡରେ ପୂରାଇ ଦେଇଥିଲେ ଯେ ସେ କେବଳ ଖୁବ୍‌ଭଲ ଗୀତ ଗାଇପାରେ । ପ୍ରାୟ କେହି ତାକୁ କହିନାହାନ୍ତି-ସେ ଖୁବ୍ ବୁଦ୍ଧିମତୀ ଓ ସିରିଅସ୍ । ଟିକିଏ ଚେଷ୍ଟାକଲେ ସେ ପଢ଼ାପଢ଼ିରେ ବି ଭଲ କରିପାରିବ ।

 

ସୁଜାତା ଦେବୀ କହିଲେ- ଠିକ୍ କହିଛ ।

-ସତ କହୁଛି ମାଉସୀ, ତା’ର ନିଷ୍ଠାର କୌଣସି ତୁଳନା ନାହିଁ । ଯାହାର ନିଷ୍ଠାଅଛି, ବୁଦ୍ଧିଅଛି, ଯେ ହେଳା କରେ ନା, ସେ ସବୁକିଛି କାମରେ ଭଲ କରିପାରେ । ମୋର ସ୍ଥିର ବିଶ୍ୱାସ, ସେ ଖୁବ୍ ଭଲ ରେଜଲ୍ଟ କରିବ ।

 

ମଲ୍ଲିକା ଦେବୀ କହିଲେ-ଏବେ ଆମର ବିଶ୍ୱାସ ହେଉଛି ପୁତୁଲ ଖୁବ୍ ଭଲ କରିବ । କିନ୍ତୁ ତୁମେ ନ ଥିଲେ ଏଇଟା କେବେହେଲେ ସମ୍ଭବ ହୋଇନଥାଆନ୍ତା ।

 

-ଆଗ ତା’ର ପରୀକ୍ଷା ସରୁ, ରେଜଲ୍ଟ ବାହାରୁ, ତାପରେ ଏସବୁ ଆଲୋଚନା କରାଯିବ । ମନେ ରଖିବେ ଉଦ୍ୟମ ଥିଲେ ପଙ୍ଗୁ ମଧ୍ୟ ଗିରି ଲଙ୍ଘିପାରିବ ।

 

ପରୀକ୍ଷା ଆରମ୍ଭ ହେବାର ଠିକ୍ ଦୁଇ ସପ୍ତାହ ଆଗରୁ ସାର୍ଥକ ଦୂର୍ବାକୁ କହିଲା, ତୁମ ବ୍ୟାଚ୍‌ର ଅନ୍ୟ ପୁଅଝିଅମାନଙ୍କୁ କହିଛି ଆଉ ମୋ ପାଖକୁ ନ ଆସି ଘରେ ପଢ଼ିବେ । ତୁମେ ମଧ୍ୟ ଆଉ ମୋ ପାଖକୁ ଆସିବ ନାହିଁ ।

 

ଦୂର୍ବା ଅବାକ୍ ହୋଇ ପଚାରିଲା ଆଉ ଆସିବି ନାହିଁ?

-ନା । ଏକାଥରେ ପରୀକ୍ଷା ସରିବା ପରେ ତୁମ ସହିତ ଦେଖାହେବ । ସେ କଥା ଶୁଣି ଦୂର୍ବା ଦୁଃଖିତା ହେଲା । ଦୁଇ ତିନି ମିନିଟ୍ କଥା କହି ପାରିଲା ନାହିଁ । ତାପରେ ଆସ୍ତେ ଆସ୍ତେ ଉଠି ଠିଆ ହେଲା । ସାର୍ଥକ ସହିତ ଥରଟିଏ ଦୃଷ୍ଟି ବିନିମୟ କରି ସାର୍ଥକର ଦୁଇପାଦରେ ହାତ ରଖି ପ୍ରଣାମ କଲା । ସାର୍ଥକ ତା ମୁଣ୍ଡରେ ହାତରଖି କହିଲା-ଅଷ୍ଟାଦଶୀ! ତୁମେ ଭଲରେ ଥାଅ । ତୁମର ମଙ୍ଗଳ ହେଉ । ଦୂର୍ବା ଧୀର ପଦକ୍ଷେପରେ କୋଠରିରୁ ବାହାରି ଯାଉ ଯାଉ ମୁହୂର୍ତ୍ତକପାଇଁ ପଛକୁ ଚାହିଁବାରୁ ସାର୍ଥକ ଟିକିଏ ହସି ସାର୍ଥକ ହାତ ହଲାଇଲା । ଦୂର୍ବା ଚାଲିଗଲା ।

 

ସେ ଚାଲିଯିବା ପରେ ସାର୍ଥକର ମନରେ ବିଷଣ୍ଣତା ଛାଇଗଲା । ଯେଉଁ ଝିଅଟିକୁ ଦେଖିଲେ ମନ ଆନନ୍ଦରେ ଉଲ୍ଲସିତ ହୁଏ, ଯେ ଘରକୁ ଆସିଲେ ଘରଟି ସୌରଭମୟ ହୋଇଉଠେ ଯାହାର ରୂପ ଓ ନବଯୌବନର ଲାବଣ୍ୟ ଦେଖି ପ୍ରାଣ ବିମୁଗ୍ଧ ହୋଇଯାଏ, ତାକୁ ଏକମାସ ଯାଏ ନ ଦେଖି ରହିବା କଥା ଭାବିଲା ବେଳକୁ ତା’ର ମନପ୍ରାଣ ବେଦନାକ୍ତ ହୋଇଗଲା । ତେବେ ଠିକ୍ ସିଦ୍ଧାନ୍ତ ନେଇଥିବାରୁ ଭଲ ଲାଗିଲା ମଧ୍ୟ ।

 

ମଝିରେ ଆଉ କେତେଟା ଦିନ? ଯେଉଁ ପୃଥିବୀ ଲକ୍ଷଲକ୍ଷ କୋଟି କୋଟି ବର୍ଷ ଅତିକ୍ରମ କରିମଧ୍ୟ ବର୍ଷବର୍ଷ ଋତୁ ସଙ୍ଗୀତର ତାଳେ ତାଳେ ନିତ୍ୟ ନବରୂପରେ ଆତ୍ମ ପ୍ରକାଶ କରୁଛି, ସେଠାରେ ପନ୍ଦରଦିନ ତ ଗୋଟିଏ ମୁହୂର୍ତ୍ତର ଅଣୁମାତ୍ର ନୁହେଁ ।

 

ହାୟର ସେକେଣ୍ଡାରୀ ପରୀକ୍ଷା ଆରମ୍ଭ ହୋଇଗଲା । ସୁଜାତା ଦେବୀ ଫୋନ୍ କଲେ-ସାର୍ଥକ! ଆଜି ପୁତୁଲର ପରୀକ୍ଷାରେ ଭଲ ହୋଇଛି ।

 

-ମାଉସୀ ! ସେ ପରୀକ୍ଷାରେ ଭଲ କରିବା କୌଣସି ସନ୍ଦେହ ନାହିଁ ।

-ଠାକୁରଙ୍କୁ ପ୍ରାର୍ଥନା କରୁଛି, ତାର ଅନ୍ୟାନ୍ୟ ପରୀକ୍ଷାରେ ବି ଭଲ ହେଉ । ପ୍ରତ୍ୟେକ ଦିନ ପରୀକ୍ଷାପରେ ସେ ସାର୍ଥକକୁ ଖବର ଜଣାନ୍ତି ।

 

-ଜାଣିଛୁ ସାର୍ଥକ-ପୁତୁଲ କହିଲା-ତୁମ ସବ୍‌ଜେକ୍ଟର ପରୀକ୍ଷାରେ ତାର ଖୁବ୍ ଭଲ ହୋଇଛି-

 

-ସତେ ନା କ’ଣ?

 

- ହଁ ବାବା । ଆଜି ପରୀକ୍ଷା ସାରି ସେ କି ଖୁସି, ତୁମେ ଜାଣିପାରିବ ନାହିଁ ।

-ମାଉସୀ ଖୁବ୍ ଭଲ ଖବର ଦେଲେ । ମୋର ଅନ୍ୟଜଣେ ଛାତ୍ରୀ ଖବର ଦେଲା-ସେମାନେ ମଧ୍ୟ ପରୀକ୍ଷା ଦେଇ ଖୁସି ।

 

-ଆଖିର ପଲକ ପଡ଼ିବା ଭଳି ଶେଷ ପରୀକ୍ଷା ଆସିଲା । ପରୀକ୍ଷା ମଧ୍ୟ ଶେଷ ହେଲା ।

 

କୌଣସିମତେ ହାତ ମୁହଁ ଧୋଇ, ପୋଷାକ ବଦଳାଇ ଦେଇ ପୁତୁଲ ବଡ଼ମା’ ସହିତ ଦେଖାକଲା । ତାପରେ ସାଇକେଲ ଧରି ସାର୍ଥକ ପାଖକୁ ଛୁଟିଗଲା । ଧଇଁସଇଁ ହୋଇ ଘରକୁ ପଶିଯାଇ ଦୂର୍ବା ତାଙ୍କୁ ପ୍ରଣାମ କରି ହସିହସି କହିଲା- ସାର୍‌! ପରୀକ୍ଷାରେ ଖୁବ୍ ଭଲ ହେଲା ।

 

-ମୁଁ ଜାଣେ, ତୁମେ ସବୁ ପରୀକ୍ଷାରେ ଭଲକରିବ ।

-ନା ସାର୍‌! ଏତେ ଭଲ ହେବ ବୋଲି ଭାବି ନ ଥିଲି । ବିଶେଷକରି ପଲ୍ ସାଇନ୍‌ସର ପରୀକ୍ଷା ।

- ସତେ?

- ହଁ ସାର୍ ।

 

ସାର୍ଥକ ଟିକିଏ ଚୁପ୍ ରହି ତାପରେ କହିଲା- ଅଷ୍ଟାଦଶୀ । ଟିକିଏ ଗୌରୀକୁ ଡାକିଦେବ?

-ସାର୍‌! ଗୌରୀଦିଦିକୁ ନେଇ କାକୀମା ଦୋକାନକୁ ଯାଇଛନ୍ତି ।

- ଆଚ୍ଛା ।

 

- ସାର୍‌! କିଛି କାମ ଥିଲେ ଆପଣ ମତେ କହିପାରନ୍ତି ।

- ନା, ସେମିତି କିଛି ନୁହେଁ । ଟିକିଏ ରହିଯାଇ ସାର୍ଥକ କହିଲା- ରେଜଲ୍ଟ ବାହାରିବା ଆଗରୁ କୁଆଡ଼େ ବୁଲି ବାହାରିଯିବ ନାହିଁ ।

 

-ସାର୍‌! ବାପା ମା’ ବୋଲପୁର ଓ ବର୍ଦ୍ଧମାନ ଛଡ଼ା କୁଆଡ଼େ ଯାଆନ୍ତି ନାହିଁ । ତେବେ ବଡ଼ମା’ଙ୍କ ସହିତ ମୁଁ ଦୁଇଥର ଦିଲ୍ଲୀ ଯାଇଛି ।

 

-ଦିଲ୍ଲୀ କେମିତି ଲାଗିଲା?

-ଖୁବ୍ ଭଲ ଲାଗିଲା । ଯେମିତି ପରିଷ୍କାର ପରିଚ୍ଛନ୍ନ, ସେମିତି ରାସ୍ତା ଗୁଡ଼ାକ ଖୁବ୍ ଚଉଡ଼ା ଖୁବ୍ ଚମତ୍କାର । ତାଛଡ଼ା ସେଠାକାର ପ୍ରତ୍ୟେକଟି ଘର କି ସୁନ୍ଦର ।

 

-କୁତବ ମିନାର ଦେଖିଛ?

- ହଁ ଦେଖିଛି ।

-କୁତବ ଯିବା ବାଟରେ ଜେଏନ୍‌ୟୁ ଦେଖିଛ ?

-ନା ସାର୍‌! ଦେଖିନାହିଁ ।

-ଦେଖିଲେ ତୁମକୁ ଖୁବ୍ ଭଲ ଲାଗିବ ।

 

ଦୂର୍ବା ଚୁପ୍‌କରି ବସିରହିଲା । ସାର୍ଥକ ମଧ୍ୟ କିଛି ସମୟ ତୁନି ରହିଲା । ଟିକିଏ ପରେ ଦୂର୍ବା କହିଲା-ସାର୍‌! ଏବେ ତ ପଢ଼ାପଢ଼ି କିଛି ନାହିଁ । କେମିତି ସମୟ କଟିବ କହନ୍ତୁ ତ ।

 

ସାର୍ଥକ ସଙ୍ଗେ ସଙ୍ଗେ କହିଲା-ମୁଁ କଲେଜରୁ ଛୁଟିନେଉଛି, ତୁମେ ଦିନସାରା ମତେ ଗୀତ ଶୁଣାଅ ।

 

ଦୂର୍ବା ହସି ଉଠିଲା । ତାପରେ କହିଲା-ଆପଣ ଯେଉଁଦିନ କହିବେ, ସେଦିନ ମୁଁ ଅନେକ ଗୀତ ଶୁଣାଇବି ।

 

ସାର୍ଥକ ମୁଣ୍ଡ ହଲାଇ କହିଲା, ଅଷ୍ଟାଦଶୀ, ତୁମେ ମୋ ଘରେ କେବେ ହେଲେ ଗୀତ ବୋଲିବ ନାହିଁ ।

 

- କାହିଁକି ସାର୍‌?

-ଭୁଲି ଯାଅନା ଏଇଟା ସାଇଁଥିଆ-ଦିଲ୍ଲୀ କି ବମ୍ବେ ନୁହେଁ । ତୁମେ ମୋ ଘରେ ବସି ଗୀତ ଶୁଣାଇଲେ ଅଯଥାରେ ତୁମକୁ ନେଇ ବାରଲୋକ ବାରକଥା କହିବେ । ମୁଁ ମଧ୍ୟ ସେମାନଙ୍କ ହାତରୁ ନିସ୍ତାର ପାଇବି ନାହିଁ । କିନ୍ତୁ ମୁଁ ଏଠୁ ଚାକିରି ଛାଡ଼ି ଯେ କୌଣସି ସମୟରେ ରିସର୍ଚ୍ଚ କରିବାକୁ ଜେଏନ୍‌ୟୁ ଚାଲି ଯାଇପାରେ ।

 

ସାର୍ଥକ ମନକୁ ମନ ହସି ଯେପରି ସ୍ୱଗତୋକ୍ତି କଲା ତୁମକୁ ନେଇ କେହି ଅପ୍ରିୟ ଆଲୋଚନା କଲେ ମତେ ଭଲ ଲାଗିବ ନାହିଁ । ତାଛଡ଼ା ମୁଁ ସେ ସବୁ ଚାହେଁନା ।

 

କଥାଟା ଶୁଣି ଦୂର୍ବାକୁ ଖୁବ୍ ଭଲ ଲାଗିଲା । କହିଲା- ସାର୍‌! ଆପଣ ଠିକ୍ କହିଛନ୍ତି । ଏଠାରେ ସାମାନ୍ୟ ତୁଚ୍ଛ ଘଟନାକୁ ନେଇ ଅନେକ କିଛି ଘଟିଯାଏ । ମୁଁ ଯଦି କଲେଜ ଆସିବା ବାଟରେ କୌଣସି ପୁଅ ପିଲା ସହିତ କୌଣସି କାରଣରୁ ଦୁଇଦିନ କଥା ବାର୍ତ୍ତା କରେ, ତାହେଲେ ମୁଁ ତାକୁ ପ୍ରେମ କରୁଛି ବୋଲି ଦୁର୍ନାମ ରଟିଯିବା ।
 

ପ୍ରାୟ ଏକ ସପ୍ତାହ ପରେ ସାର୍ଥକ ଦୂର୍ବାକୁ କହିଲା-ଭାବୁଛି ରିସର୍ଚ୍ଚ କରିବାପାଇଁ କଲେଜରୁ ଚାକିରିଟା ଛାଡ଼ିଦେବି । ଚାକିରିର ଟଙ୍କାକୁ ଲୋଭ କଲେ ତ ମୁଁ ଆଉ ଆଗେଇ ପାରିବି ନାହିଁ । ଦୂର୍ବା ସେ କଥାଶୁଣି ଚମକି ପଡ଼ିଲା-ପଚାରିଲା ସାର୍‌! ବଡ଼ ବାପାଙ୍କର ମତ କ’ଣ?

 

-ତୁମ ବଡ଼ବାପା ବା ଆଉ କାହାକୁ କଥାଟା କହିନାହିଁ । କେବଳ ତୁମକୁ କହିଲି ।

 

ସାର୍‌! ଆପଣ ନିଶ୍ଚୟ ରିସର୍ଚ୍ଚ କରିବେ । ଆପଣ ଡକ୍ଟରେଟ୍ କଲେ ତ ସମସ୍ତେ ଖୁସି ହେବେ । ସବୁଛାତ୍ର ଛାତ୍ରୀ ଗର୍ବକରି ଆପଣଙ୍କ କଥା କହିପାରିବେ, କିନ୍ତୁ– ଦୂର୍ବା ଶେଷ କରିପାରିଲା ନାହିଁ ।

 

-କିନ୍ତୁ କ’ଣ?

-କ’ଣ କହୁଥିଲି କି-ଏଇତ ସେଇଦିନମାତ୍ର ଏଠାକୁ ଆସିଲେ । ବର୍ତ୍ତମାନ ଆପଣ ଚାଲିଗଲେ ସବୁ ଛାତ୍ରଛାତ୍ରୀ ହତାଶ ହେବେ ।

 

ଟିକିଏ ହସି ସାର୍ଥକ ପଚାରିଲା-ତୁମେ ବି ହତାଶ ହେବ? ଦୂର୍ବା ମୁହଁ ଉଠାଇ ତା ଆଡ଼କୁ ମ୍ଳାନ ଦୃଷ୍ଟିରେ ଚାହିଁ କହିଲା-ସାର୍‌! ମୁଁ ହତାଶ ହେବିନାହିଁ, ଖୁବ୍ ଦୁଃଖିତା ହେବି ।

 

-ସତେ?

ଦୂର୍ବା ମୁହଁ ତଳକୁ କରି କହିଲା-ସାର୍‌! ପ୍ଲିଜ୍ ଆପଣ ଏବେ ଚାଲିଯିବେ ନାହିଁ ।

-ଯିବି ନାହିଁ?

- ନା ସାର୍ ।

 

ସେ ସାର୍ଥକର ମୁହଁକୁ ଚାହିଁ କହିଲା-ସାର୍ ! ମୁଁ ବି.ଏ. ପାଶ୍ ନ କଲା ପର୍ଯ୍ୟନ୍ତ ଆପଣ ବି ଯିବେ ନାହିଁ । ଟିକିଏ ହସି ସାର୍ଥକ କହିଲା-ସେତେବେଳେ ଗଲେ ମନ ଦୁଃଖ ହେବ ନାହିଁ ?

 

ସଲଜ୍ଜ ହସ ହସି ଦୂର୍ବା କହିଲା-ସେତେବେଳେ କହିବି । ରାତିରେ ତୃଣାଠାରୁ ଫୋନ୍ ଆସିଲା-ସାନ ଭାଇ! କେମିତିଅଛୁ?

 

-ଭଲ ଅଛି ଦିଦିଭାଇ । ଆଜି ଗୌରୀର ମା’ ଲୁଚି, ମାଂସ ଓ ଛେନା ପାୟେସ୍ ଖୁଆଇଛନ୍ତି-। କାଲି ମାଉସୀ ଚିଙ୍ଗୁଡ଼ିର ମଲାଇ କରି ପଠାଇଥିଲେ । ତା ସହିତ ଫ୍ରାଏଡ଼୍‌ରାଇସ୍ ଖାଇଲି ।

 

ତୃଣା ଟିକିଏ ହସି କହିଲା-ଆମେ ଗଲେ ମାଉସୀ ଚିଙ୍ଗିଡ଼ି ମଲାଇକରି ଖୁଆଇବେ ତ?

 

-ନିଶ୍ଚୟ ଖୁଆଇବେ । ଦିଦିଭାଇ! ତୁମେ ଥରଟିଏ ଆସ । ଖୁବ୍ ଭଲ ଲାଗିବ ।

 

-କେମିତି ଯିବି କହ? ମାଉସୀ ଓ ଦୂର୍ବାକୁ ଥରେ ଦେଖିବାକୁ ମୋର ବି ଖୁବ୍ ଇଚ୍ଛା ହେଉଛି । ତୁ ବରଂ ଥରେ ସେ ଦୁଇଜଣଙ୍କୁ ସାଙ୍ଗରେ ନେଇ ଆ । ସମସ୍ତେ ମିଶି ଖୁବ୍ ମଜ୍ଜା କରିବା-

 

ସାର୍ଥକ କହିଲା-ମଜ୍ଜା ହେବ ନିଶ୍ଚୟ । କିନ୍ତୁ ମାଉସୀ ଯାଇ ପାରିବେ କି ନା କହିପାରୁ ନାହିଁ ।

 

-ସେ ଯଦି ପୁଅମାନଙ୍କ ପାଖକୁ ଯାଇପାରୁଛନ୍ତି, ତେବେ ତୋ ସହିତ ଦୁଇଦିନପାଇଁ କଲିକତା ଆସି ପାରିବେ ନାହିଁ କାହିଁକି?

 

- ଠିକ୍ ଅଛି, କହିବି ।

- ତୁ ଯଦି କହିବୁ, ମୁଁ ମଧ୍ୟ ଟେଲିଫୋନ୍ କରିବି । ସେମାନେ ଯେତେବେଳେ ତୋପାଇଁ ଏତେ କରୁଛନ୍ତି, ଆମର ତ କିଛି କରିବା ଦରକାର । ତୃଣାର ପ୍ରସ୍ତାବଟା ସାର୍ଥକକୁ ଭଲ ଲାଗିଲା । ଶୁକ୍ରବାର ଦିନ ଅବିନାଶବାବୁ କଲେଜ୍‌ରେ ସାର୍ଥକକୁ କହିଲେ,ତୁମ ମାଉସୀର ହୁକୁମ୍‌, ତୁମେ ରବିବାର ସକାଳୁ ଆମଘରେ ପହଞ୍ଚିବ ଓ ସାରାଦିନ ଆମ ଘରେ କଟାଇବ । ରାତିରେ ପୁତୁଲଙ୍କ ଘରେ ଖାଇପିଇ ଫେରିବ ।

 

ସାର୍ଥକ ହସି ହସି କହିଲା-ସାର୍‌ ! ମାଉସୀଙ୍କୁ ଗୋଟାଏ ହୋଟେଲ୍ ଖୋଲିବାକୁ କହନ୍ତୁ । ଖୁବ୍ ଭଲ ଚାଲିବ । ଏଭଳି ଭଲ ଭଲ ଖାଦ୍ୟ ଯତ୍ନକରି ଖୁଆଇବା ତାଜ୍‌ବେଙ୍ଗଲରେ ମଧ୍ୟ ସମ୍ଭବ ନୁହେଁ ।

 

ତା କଥା ଶୁଣି ଅବିନାଶବାବୁ ହସିଲେ । ତାପରେ କହିଲେ-ଅସଲ କଥା ହେଲା ମୁଁ ଖୁବ୍ ଭୋଜନ ପ୍ରିୟ ତ, ସେଥିପାଇଁ ତୁମର ମାଉସୀ ଭଲ ଭଲ ରୋଷେଇ ନ କଲେ ଶାନ୍ତି ପାଆନ୍ତି ନାହିଁ-। ତା ଛଡ଼ା ସେ ଜଣେ ଟିପିକାଲ ମଦର୍ । ପୁଅଝିଅମାନେ ପାଖରେ ନ ଥିବାରୁ ତୁମକୁ ପାଖରେ ପାଇ ଖୁଆଇ ପିଆଇଲେ ଆନନ୍ଦ ପାଉଛନ୍ତି । ଏଇଆ ତ, ଆଉ କ’ଣ?
 

-ସାର୍‌ ! ମୁଁ ସେ କଥା ବୁଝିପାରୁଛି । ସାର୍ଥକ ପଚାରିଲା- ପୁତୁଲଙ୍କ ଘରେ ଖାଇବା ଘଟଣାଟା କ’ଣ ମାଉସୀ....

 

ତାକୁ କଥାଟା ଶେଷ କରିବାକୁ ନ ଦେଇ ଅବିନାଶ ବାବୁ କହିଲେ-ମୁଁ କିଛି ଜାଣେ ନା । ତୁମ ମାଉସୀ ଯାହା କହିବାକୁ କହିଲେ ମୁଁ କହିଲି । ନାଓ ବଲ୍ ଇଜ୍ ଏନ୍ ଇଉର୍ କୋର୍ଟ ।

 

ସାର୍ଥକ ଖୁସିରେ ମୁରୁକି ହସି କହିଲା ମାଉସୀଙ୍କ ଆଦେଶ ଅମାନ୍ୟ କରିବାର କ୍ଷମତା ମୋର ନାହିଁ ।

 

-ଗୁଡ଼୍ ।

ରବିବାର ।

ସାର୍ଥକ ସୁଜାତା ଦେବୀଙ୍କୁ ପ୍ରଣାମ କରି କହିଲା-ମାଉସୀ ଚିଙ୍ଗୁଡ଼ିର ମଲାଇକରି ତ ଏ ଯାଏ ହଜମ ହୋଇନାହିଁ, ପୁଣି ଆଜି...

 

-ତୁମେ କ’ଣ ଯେ କହୁଛ !

ସୁଜାତା ଦେବୀ ଆକ୍ଷେପ କରି କହିଲେ-ସେଦିନ ମାଛଗୁଡ଼ାକ ବଡ଼ ନ ଥିଲା । ତା ଛବା ରନ୍ଧାଟା ମଧ୍ୟ ସେତେ ଭଲ ହେଲା ନାହିଁ ।

 

-ନା-ନା, ସେ କଥା କହିବେ ନାହିଁ । ମାଛଗୁଡ଼ାକ ଖୁବ୍ ବଡ଼ ଥିଲା । ରନ୍ଧା ମଧ୍ୟ ଭାରି ଭଲ ହୋଇଥିଲା । ଦୂର୍ବା ପାଖରେ ଠିଆ ହୋଇଥିଲା । ସବୁ ଶୁଣିବା ପରେ କହିଲା-ଜାଣନ୍ତି ସାର୍‌ ! ବଡ଼ମା ପ୍ରତ୍ୟେକ ହାତରନ୍ଧା ଖାଇ ଆମେ ଯେତେ ପ୍ରଶଂସା କଲେ ବି ସେ କହନ୍ତି, ରୋଷେଇ ଭଲ ହେଲା ନାହିଁ ।

 

-ଭଲହେଲା କହିଲି । ସୁଜାତା ଦେବୀ କହିଲେ ସାର୍ଥକ, ତୁମେ ଉପରକୁ ଯାଅ । ମୁଁ ପୁତୁଲ୍‌ହାତରେ କଫି ପଠାଇଦେଉଛି ।

 

-ମାଉସୀ ! ଆପଣ ଉପରକୁ ଆସିବେ ନାହିଁ?

-ଆସିବି ନିଶ୍ଚୟ । କିନ୍ତୁ କାମ ସରିଲା ପରେ ଯିବି । ସାର୍ଥକ ଉପରକୁ ଗଲା । ଗୋଟାଏ ଦୁଇଟା ମାଗାଜିନ୍ ପୃଷ୍ଠା ଓଲଟାଇ ଦେଖୁ ଦେଖୂ ଦୂର୍ବା ହାତରେ ଦୁଇକପ୍ କଫି ଧରି ପହଞ୍ଚିଲା ।

 

ଅଷ୍ଟାଦଶୀ ! ତୁମେ ବୋଧହୁଏ କଫି ପିଇବାକୁ ଭଲପାଅ?

-ହଁ ସାର୍‌ ! କଫି ପିଇବାକୁ ଭଲପାଏ, କିନ୍ତୁ ଦୈନିକ ପିଏ ନାହିଁ ।

 

କଫିରୁ ଢୋକେ ପିଇ ସାର୍ଥକ ପଚାରିଲା-ତୁମେ କାଲି ଶାନ୍ତିନିକେତନ ଗଲନାହିଁ କାହିଁକି?

 

-ମୋ ମାଉସୀ କଲିକତା ଯାଇଛନ୍ତି । ରେଡ଼ିଓ, ଟି.ଭି. ଗ୍ରାମ୍‌ଫୋନ୍ କଂପାନୀରେ ରେକର୍ଡ଼ିଂ ଅଛି । ପନ୍ଦର ଦିନ ଭିତରେ ଫେରିବା ଆଶାନାହିଁ ।

 

-କଲିକତାରେ ଏତେଦିନ ରହିବେ ?

-ହଁ ।

 

ଦୂର୍ବା ଗର୍ବକରି ହସିହସି କହିଲା-ମୋ ମାଉସୀଙ୍କୁ ଏତେ ଲୋକ ଭଲ ପାଆନ୍ତି, ଶ୍ରଦ୍ଧା କରନ୍ତି ଯେ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ସେଥିପାଇଁ ପ୍ରତ୍ୟେକ ଥର କଲିକତା ଗଲେ ହିଁ ତାଙ୍କୁ କେତେ ଅନୁଷ୍ଠାନକୁ, କେତେ ସଂବର୍ଦ୍ଧନା ସଭାକୁ ଯିବାକୁ ହୁଏ, ତା’ର ଠିକଣା ନାହିଁ । ସାର୍ଥକ କହିଲା-ଏତେବଡ଼ ଶିଳ୍ପୀ, କିଏ ନଚାହିଁବ ତାଙ୍କୁ ପାଖରେ ପାଇବାକୁ, ତାଙ୍କ ଗୀତ ନ ଶୁଣିବାକୁ ।

 

-ତାହା ତ ଠିକ୍ । ଯେଉଁମାନେ ତାଙ୍କୁ ଭଲ ପାଆନ୍ତି ବା ଶ୍ରଦ୍ଧା କରନ୍ତି, ସେମାନଙ୍କର ଅନୁରୋଧକୁ ମୋ ମାଉସୀ କେବେହେଲେ ଏଡ଼ାଇ ଦେଇ ପାରନ୍ତି ନାହିଁ ।

 

-ଯେଉଁମାନେ ପ୍ରକୃତରେ ଶିଳ୍ପୀ, ସେମାନେ ଏହିଭଳି ହୁଅନ୍ତି । ଯେଉଁମାନେ କେବଳ ଟଙ୍କା ବିନିମୟରେ ଗାଆନ୍ତି, ସେମାନେ ଭଲ ଗାୟକ, ଗାୟିକା ହୋଇ ପାରନ୍ତି, କିନ୍ତୁ ଶିଳ୍ପୀଟିଏ ହୋଇ ପାରନ୍ତି ନାହିଁ ।

 

- ଠିକ୍ କହିଲେ ।

 

ଠିକ୍ ସେହି ସମୟରେ ସୁଜାତା ଦେବୀ ଘରେ ପାଦ ଦେଉ ଦେଉ ପଚାରିଲେ-କ’ଣ ଆଲୋଚନା କରୁଛ ତୁମେମାନେ?

 

-ମାଉସୀ! କନିକା ବନ୍ଦୋପାଧ୍ୟାୟଙ୍କ ବିଷୟରେ ଆଲୋଚନା ଚାଲିଥିଲା ।

 

-ତାଙ୍କ କଥା ଛାଡ଼ । ସେ ଆମମାନଙ୍କ ଭଳି କେବଳ ରକ୍ତ ମାଂସରେ ଗଢ଼ା ମଣିଷ ନୁହନ୍ତି-। ସେ ଭଗବାନ୍‌ଙ୍କର ଏକ ବିଚିତ୍ର ସୃଷ୍ଟି ।

 

-ଠିକ୍ କହିଛନ୍ତି ।

ତାପରେ କିଛି ସମୟ ଏଣୁତେଣୁ କଥାବାର୍ତ୍ତା ହେବା ପରେ ସାର୍ଥକ କହିଲା-ମାଉସୀ! ମୋ ଦିଦିର ଗୋଟାଏ ବିଶେଷ ଅନୁରୋଧ ଅଛି ।

 

-ସେ ବିଶେଷ ଅନୁରୋଧଟା କ’ଣ ଶୁଣେ ।

-କହିଛନ୍ତି ଆପଣ ଆପଣଙ୍କ ପୁତୁଲ୍‌କୁ ସାଙ୍ଗରେ ନେଇ ସେମାନଙ୍କ ସହିତ କଲିକତାରେ ଦୁଇଦିନ କଟାଇବେ ।

 

ସୁଜାତାଦେବୀ ହସି ହସି କହିଲେ-ମୋ ବୁଢ଼ା ସ୍ୱାମୀଟିକୁ ଏକୁଟିଆ ଛାଡ଼ି କେମିତି କୁଆଡ଼େ ଯିବି?

 

ଦୂର୍ବା ସଙ୍ଗେ ସଙ୍ଗେ କହିଲା-ବଡ଼ ବାପାଙ୍କୁ ନେଇ ତୁମର ଅସୁବିଧା କ’ଣ କହିଲ? ବଡ଼ବାପା ତ ଏତେଟା ଭୋଜନପ୍ରିୟ ନୁହନ୍ତି । ସାମାନ୍ୟ ଟିକିଏ ଡାଲି-ଭାତ ଆଉ ମାଛ ଝୋଳ ହେଲେ ସେ ଖୁସି । କଲେଜରୁ ବେଳବୁଡ଼େ ଫେରିଲେ ତାଙ୍କୁ ଯାହା ଟିକେ ଦେଲେ ବି ସେ ଖୁସି । ସବୁ ତ ମାୟା ମାଉସୀ କରନ୍ତି । ତୁମେ କେବଳ ବଡ଼ବାପା ଖାଇବା ବେଳେ ପାଖରେ ବସିଥା ।

 

ସୁଜାତା ଦେବୀ ତା’ଆଡ଼କୁ ମୁହଁ ଫେରାଇ କହିଲେ ତାହାଠିକ୍‌, ତେବେ ବି.... ।

 

ଦୂର୍ବା ଟିକିଏ ହସି କହିଲା-ତେବେ ପୁଣି କ’ଣ? ତୁମେ ଆଉ କଥାକୁ ବୁଲାଇବାକୁ ଚେଷ୍ଟା କରନା ।

 

-କ’ଣ ଲୁଚାଉଛ କହ?

-ତୁମେ ବୋଧହୁଏ ମୋ ବଡ଼ବାପାଙ୍କୁ ଛାଡ଼ି ରହିପାରିବ ନାହିଁ ସେ କଥା କୁହ । ତେଣୁ...

 

ସୁଜାତା ଦେବୀ ହୋ ହୋ ହୋଇ ହସିଉଠି କହିଲେ-ଆରେ ପୁତୁଲ୍‌ ! ତୁ ତ ବଡ଼ ପୋଖତ କଥା କହିଲାବାଲୀ ହେଲୁଣି ମୁଁ ଦେଖୁଛି ।

 

ମୁଁ ଜାଣେ ମୁଁ ଦୁଇଚାରିଦିନପାଇଁ କାହାରକୁ ଗଲେ ତାଙ୍କର କିଛି ଅସୁବିଧା ହେବ ନାହିଁ । କିନ୍ତୁ ଆଖି ଆଢ଼ୁଆଳରେ ରହିଲେ ତ ମନରେ ଚିନ୍ତା ପଶିଯାଏ ।

 

ସାର୍ଥକ କହିଲା-ଆପଣଙ୍କର ପୁତୁଲ୍‌ର ମା’ ବାପା ତ ଅଛନ୍ତି । ସେମାନେ....ତାକୁ କଥାଟା ଶେଷକରିବାକୁ ନ ଦେଇ ସୁଜାତା ଦେବୀ କହିଲେ-ମଲ୍ଲିକା ଦାୟିତ୍ୱରେ ତାଙ୍କୁ ଛାଡ଼ି ତ ମୁଁ ପୁଅମାନଙ୍କ ପାଖକୁ ଯାଏ ।

 

ତେବେ ମୋ ସହିତ ଦୁଇଦିନପାଇଁ କଲିକତା ଯାଇ ପାରିବେ ନାହିଁ କାହିଁକି?

 

କଲିକତା ଯିବାକୁ ବହୁତ ଇଚ୍ଛା । ଅନେକଦିନ ହେଲାଣି କାଳିଘାଟରେ ମା’ଙ୍କୁ ଦର୍ଶନ କରିନାହିଁ ।

 

ମାଉସୀ କଲିକତା ଗଲେ ମୁଁ ଆପଣଙ୍କୁ କାଳିଘାଟ ନେଇଯିବି ।

 

ଦୂର୍ବା ଦୁଇ ହାତରେ ତାଙ୍କର ବେକକୁ କୁଣ୍ଢାଇ ଧରି ମୁହଁ ଉପରେ ମୁହଁ ଲଦି କହିଲା-ବଡ଼ ମା’ ପ୍ଲିଜ୍ ଚାଲନା, ତୁମେ ଗଲେ ମୋର ବି ଟିକିଏ ବୁଲାବୁଲି ହୋଇଯିବ । ସୁଜାତା ଦେବୀ ତା ମୁହଁରେ ହାତ ଦେଇ କହିଲେ, ଠିକ୍ ଅଛି, ମୁଁ ତୋ ବଡ଼ବାପା ସହିତ କଥା ହୋଇ ଦେଖେ ।

 

-ମୁଁ ବାଜି ରଖି କହିପାରେ, ବଡ଼ବାପା କେବେହେଲେ ତୁମକୁ ବାରଣ କରିବେ ନାହିଁ ।

 

-ବୋଧହୁଏ କରିବେ ନାହିଁ ।

ଅବିନାଶବାବୁ ସ୍ତ୍ରୀଙ୍କଠାରୁ ସବୁଶୁଣି କହିଲେ-ତୁମେ ସାର୍ଥକ ସହିତ ଦୁଇଦିନପାଇଁ କଲିକତା ଯିବ । ସେଥିରେ ଆପତ୍ତି କରିବାର କ’ଣ ଅଛି? ଯା, ଯା ବୁଲିଆସ । ଅନେକ ଦିନ ହେଲା କୁଆଡ଼େ ଯାଇନା । ପୁତୁଲ ଯିବ ତା ବଡ଼ମା’ ସହିତ । ତେଣୁ ତା ବାପା ମା’ ତରଫରୁ ଆପତ୍ତିର କୌଣସି ପ୍ରଶ୍ନ ନାହିଁ ।

 

ଦୂର୍ବା ଆନନ୍ଦରେ ନାଚି ଉଠିଲା ।

ଦୁଇ ତିନିଦିନ ପରେ ସେ ସାର୍ଥକ ପାଖକୁ ଯାଇ କହିଲା-ସାର୍‌! ବଡ଼ମା’କୁ ତ କାଳିଘାଟ ନେଇଯିବେ । ମତେ କ’ଣ ଦେଖାଇବେ? କୁଆଡ଼େ ବୁଲାଇବେ?

 

-ତୁମେ ନିଜେ କୁହ କ’ଣ ଦେଖିବ, କୁଆଡ଼େ ଯିବ ?

-ସେ କହିଲା ସାର୍‌ ! ମତେ ଚିଡ଼ିଆଖାନା କି ମିଉଜିଅମ୍ ଦେଖାଇଲେ ଖୁସି ହେବି ନାହିଁ । ସେ ସବୁ ମୁଁ ଦେଖିଛି ।

 

-ଖୁବ୍ ଭଲ କଥା । କିନ୍ତୁ କୁଆଡ଼େ ଯିବାକୁ ଚାହୁଁଛ କହିବ ତ! ସାର୍‌! କଲିକତା ଗଲେ ଏକାଡେମୀରେ ନାଟକ ଓ ନନ୍ଦନରେ ସିନେମା ନ ଦେଖି ଫେରିବି ନାହିଁ । ସାର୍ଥକ ହସିଲା । କହିଲା-ଆଗେ କଲିକତା, ତାପରେ ଦେଖିବା । ଦେଖାଯିବ କହିଲେ ଚଳିବ ନାହିଁ । ଆପଣଙ୍କୁ ମୋ ଅନୁରୋଧ ରଖିବାକୁ ହେବ ।

 

ସାର୍ଥକ ଜାଣିପାରି ନ ଥିଲା, କଲେଜର ଫୁଟବଲ୍ ଟିମ୍ ବର୍ଦ୍ଧମାନ ବିଶ୍ୱ ବିଦ୍ୟାଳୟର ସାର୍ ଉଦୟଚାନ୍ଦ ମହତାବ ସିଲ୍‌ଡ ଖେଳରେ ଖୁବ୍ ଭଲ ଖେଳିଛି ଓ ସେମିଫାଇନାଲ୍‌କୁ ଉଠିଛି । ସେଦିନ ସବୁ କ୍ଲାସ୍‌କୁ ସର୍କୁଲାର୍ ଆସିଲା, ଆସନ୍ତା ମଙ୍ଗଳବାର ଦିନ ଆମ କଲେଜ୍ ସାର୍ ଉଦୟଚାନ୍ଦ ମହତାବ୍ ସିଲ୍‌ଡ ସେମିପାଇନାଲ୍‌ରେ କୃଷ୍ଣ ନଗରର କେ.ଏନ୍‌. କଲେଜ୍ ସହିତ ଖେଳିବ । ଛାତ୍ର ଛାତ୍ରୀମାନଙ୍କୁ ସେହି ଖେଳ ଦେଖିବାର ସୁଯୋଗ ଦେବାପାଇଁ ସେଦିନ କଲେଜ୍ ବାରଟାରୁ ଛୁଟି କରାଯିବ । ବୁଧବାର ଦିନ ସାର୍ଥକ କଲେଜରେ ପାଦ ରଖୁରଖୁ ସେୟାର୍ ମାର୍କେଟ୍‌ର ହୋହାଲ୍ଲାକୁ ଟପି ଛାତ୍ର ଛାତ୍ରୀମାନଙ୍କର୍ କୋଳାହଳ ଦେଖିଲା । ଘଟଣା କ’ଣ?

 

-ସାର୍‌ ! ଆମେ କାଲି ଥ୍ରୀ-ଟୁ-ୱାନ୍‌ରେ କେ.ଏନ୍‌.କଲେଜକୁ ହରାଇଛୁ ।

-ଭେରି ଗୁଡ଼୍ ।

 

ଦୁଇ ତିନି ମିନିଟ୍ ଭିତରେ ସେ ଜାଣିବାକୁ ପାଇଲା, ଶନିବାର ଫାଇନାଲ୍‌ରେ କଲିକତାର ସିଟି କଲେଜ୍ ସହିତ ଖେଳ । ଆହୁରି ଅନେକ ଖବର ମଧ୍ୟ ତା ପାଖରେ ପହଞ୍ଚିଲା ।

 

ଦେଖ୍ ଶୈବାଲ୍‌, ଆଗରୁ ଏତେ ନଚାନଚି କରନା । କଲିକତାର ସିଟି-ବଙ୍ଗବାସୀ-ସୁରେନ୍ଦ୍ରନାଥ-ଆଶୁତୋଷ କଲେଜର ଟିମ୍‌ରେ ଅନେକ ଫାଷ୍ଟ ଡିଭିଜନ୍‌, ସେକେଣ୍ଡ ଡିଭିଜନ୍‌ର ଖେଳାଳୀ ଅଛନ୍ତି ।

 

-ଥିଲେ ଥାଆନ୍ତୁ, ଜଣେ ଦି’ଜଣ ଭଲ ପ୍ଲେୟାର୍ ଥିଲେ ଟିମ୍ ଭଲ ଖେଳିପାରେନା । ଆମର ଟୋଟାଲ୍ ଟିମ୍‌ଟା ଭଲ । ସୋ...

 

-ତୁ କ’ଣ ଖବର ରଖିଛୁ । କାଲି ବିଦ୍ୟୁତ୍‌ର ଗୋଡ଼ରେ ଆଘାତ ଲାଗିଛି । ରାଖାଲ ବଡ଼ି ଥ୍ରୋ କରି ଡେଫିନାଇଟ୍ ଗୋଲ୍ ବଞ୍ଚାଇଲେ ବି ତା ହାତରେ ମସଲ୍‌ରେ ସ୍ଟ୍ରେନ୍‌....

 

ଶୈବାଲ୍ ଟିକଏ ତାଚ୍ଛଲ୍ୟ ହସ ହସି କହିଲା- ଆଜି ସକାଳେ ରାଖାଲ ମତେ ଦେଖା କରି କହିଲା-ଔଷଧ ଖାଇ, ଅଏଣ୍ଟମେଣ୍ଟ ଲଗାଇବା ଫଳରେ ଆଉ ଦରଜ ନାହିଁ କହିଲେ ଚଳେ । ଦୀପେନ୍ ମୁହଁ ବଙ୍କେଇ କହିଲା, ମେ ବି ବଟ୍ ବିଦ୍ୟୁତ୍‌ର ବାଁ ଗୋଡ଼ ତ ନର୍ମାଲ୍ ହୋଇନାହିଁ ।

 

-ଆଜି ନର୍ମାଲ୍ ନାହିଁ ବୋଲି କ’ଣ ସେଦିନ ବି ହେବ ନାହିଁ? କୌଣସି କ୍ଲାସରେ କିଛି ପଢ଼ାଶୁଣା ହେଲା ନାହିଁ, ସବୁ ଅଧ୍ୟାପକ, ଅଧ୍ୟାପିକା ମାନେ କହିଲେ-ଏ ସପ୍ତାହଟା ଯାକ ପାଠ ପଢ଼ା ହେବ ନାହିଁ । ତାପରେ ଯଦି ଫାଇନାଲ୍‌ରେ ଜିତିଯାଏ, ତେବେ ସୋମ ମଙ୍ଗଳବାର ଆଡ଼କୁ ପଢ଼ା ଆରମ୍ଭ ହୋଇପାରେ ।

 

ରାତି ପ୍ରାୟ ସାଢ଼େ ଆଠଟାବେଳେ ଦୂର୍ବା ପାଖରୁ ସାର୍ଥକକୁ ଫୋନ୍ ଆସିଲା ।

-ସାର୍‌! କ’ଣ କରୁଛନ୍ତି?

 

ମୋ ଗାଇଡ଼୍ ଡଃ ରଙ୍ଗରାଜନ୍‌ଙ୍କୁ ଚିଠି ଲେଖୁଛି । ଆଉ ତୁମର ସବୁ ଖବର କ’ଣ?

 

ସାର୍‌! ବଡ଼ମା’ କହିଲେ, ବଡ଼ବାପା ତାଙ୍କୁ କହିଛନ୍ତି-ତୁମେମାନେ ଆସନ୍ତା କାଲି କଲିକତା ଯାଇପାର । ଫୁଟ୍‌ବଲ୍ ଖେଳ ନେଇ ପୁଅ ଝିଅମାନେ ଏପରି ମାତି ଉଠିଛନ୍ତି ଯେ ଏ ସପ୍ତାହ କ’ଣ, ବୋଧହୁଏ ଆସନ୍ତା ସପ୍ତାହ ସୋମ ମଙ୍ଗଳବାର ଯାଏ ପାଠ ପଢ଼ା ହେବ ନାହିଁ ।

 

ସାର୍ଥକ ଟିକିଏ ହସି କହିଲା- ତୁମ ବଡ଼ବାପା ଠିକ୍ କଥା କହିଛନ୍ତି । ମୁଁ କାଲି ସକାଳେ ଯାଇ ତାଙ୍କ ସହିତ କଥା ହେବି ।

 

ସାର୍ ଆପଣ କେତେବେଳେ ଆସିବେ?

-ମୁଁ ଏଇ ସକାଳ ସାତଟା ଆଡ଼କୁ ଆସିବି ।

 

ତା ପରଦିନ ଅବିନାଶବାବୁ ସାର୍ଥକକୁ କହିଲେ-ତୁମେ ଗୋଟାଏ ଛୁଟି ଦରଖାସ୍ତ ମତେ ଦେଇଯା । ଯାହା କରିବା କଥା ମୁଁ କରିବି । ଆରେ ହଁ, ଶନିବାର ରାତିରେ କିମ୍ବା ରବିବାର ସକାଳେ ଫୋନ୍ କରି ବୁଝିବ କଲେଜ ଫାଇନାଲ୍‌ରେ ଜିତିଲା କି ନାହିଁ ।

 

-ସାର୍‌ ! ତାହେଲେ ଆମେ ଆଜି ଯାଉଚୁ । ଦିଦିକୁ ବର୍ତ୍ତମାନ ଫୋନ୍ କରିଦେବି ।

 

-ଆମର ଏଇଠୁ ତୁମ ଦିଦିକୁ ଫୋନ୍ କର । ସେମାନେ ସ୍ୱାମୀ-ସ୍ତ୍ରୀ ତ ଅଫିସ୍ ଯିବେ । ଯେତେ ଶୀଘ୍ର ଖବର ଦେଇହେବ ସେତେଭଲ । ସାର୍ଥକ ତତ୍‌କ୍ଷଣାତ୍ ଦିଦିକୁ ଫୋନ୍ କଲା ।

 

-ଦିଦି ଭାଇ !

-ଏବେ ଫୋନ୍ କରୁଛୁ?

-ଶୁଣ । ଆମେ ତିନିଜଣ ଆଜି ଗଣଦେବତାରେ ଯାଉଛୁ ।

 

-ସତ କହୁଛୁ?

ସାର୍ଥକ କହିଲା- ହଁ ଦିଦି ଭାଇ, ସତ କହୁଛି ।

-ଆ-ଆ- । ମୁଁ ଏବଂ ତୋ ଭିଣୋଇ ଷ୍ଟେସନ୍‌ରେ ଥିବୁ କିଛି ଚିନ୍ତା ନାହିଁ ।

 

Unknown

॥ ଛଅ ॥

 

ସେ ତିନିଜଣ ଗଣଦେବତା ଚେୟାର୍ କାର୍‌ରୁ ଓହ୍ଲାଇ ଚାରିଆଡ଼କୁ ଚାହୁଁ ଚାହୁଁ ତାଙ୍କୁ ଦେଇ ତୃଣା ଏବଂ ପବିତ୍ର ଆନନ୍ଦରେ ଯେପରି ଫାଟି ପଡ଼ିଲେ । ତୃନା ସୁଜାତା ଦେବୀଙ୍କୁ ପ୍ରଣାମ କରି କହିଲା- ସାନଭାଇଠାରୁ ଆପଣଙ୍କ ବିଷୟରେ ଶୁଣିଶୁଣି ଯେମିତି ଭାବିଥିଲି, ଆପଣ ଠିକ୍ ସେହିଭଳି । ପବିତ୍ର ମଧ୍ୟ ତାଙ୍କୁ ପ୍ରଣାମ୍ କଲା । ଦୂର୍ବା ସେ ଦୁହିଙ୍କୁ ପ୍ରଣାମ କରନ୍ତେ ତୃଣା ତାକୁ ଛାତିରେ ଜଡ଼ାଇ ଧରି ହସିହସି କହିଲା-ତୁମକୁ ଦେଖି ମୋ ଆଖିରେ ପଲକ ପଡ଼ୁନାହିଁ ।

 

ଦୂର୍ବା ସଲଜ୍ଜ ହସିଲା ।

ପବିତ୍ର କହିଲା-ସାନଭାଇ! ଏଭଳି ସୁନ୍ଦରୀ ମିଳନ୍ତି ଜାଣିଥିଲେ ମୁଁ ବି ଅଧ୍ୟାପକ ହୋଇଥାଆନ୍ତି ।

 

ଚାଟାର୍ଡ଼ ପଢ଼ି ବଡ଼ ଭୁଲ୍ କରିଛି ।

ଦୂର୍ବା ସଲଜ୍ଜ ହସି କହିଲା-ଜ୍ୱାଇଁବାବୁ, ଦୁଃଖ କରନ୍ତୁ ନାହିଁ । ମୁଁ ମଧ୍ୟ ଆପଣଙ୍କଠାରୁ ସ୍ପେଶାଲ୍ ସବ୍‌ଜେକ୍ଟ ପଢ଼ିବି । କିନ୍ତୁ ମୋତେ ପଢ଼ାଇବା ବେଳେ ସେଠାରେ ଆଉ କେହି ରହିବେ ନାହିଁ । ତା କଥାରେ ସମସ୍ତେ ହସିଲେ ।

 

ଗାଡ଼ିରେ ଯାଉ ଯାଉ କେତେ କଥାବାର୍ତ୍ତା ହେଲା । ଗାଡ଼ି ଚଲାଉ ଚଲାଉ ସବା ଆଗେ ପବିତ୍ର କହିଲା-ମାଉସୀ ! ଏତେଦିନ ଧରି ମୋ ଶଳାକୁ କେତେ କେତେ ଭଲ ଜିନିଷ ଖୁଆଇଛନ୍ତି । ସେହିସବୁ ମତେ ନ ଖୁଆଇ ଆପଣ ଫେରିପାରିବେ ନାହିଁ ।

 

ସୁଜାତା ଦେବୀ ହସି ହସି କହିଲେ, ଝିଅଜ୍ୱାଇଁକୁ ଖୋଇବାତ ପରମ ସୌଭାଗ୍ୟର କଥା । ମାତ୍ର ସେଥିପାଇଁ ତ ଝିଅଜ୍ୱାଇଁଙ୍କୁ ଶାଶୂଙ୍କର ଘରକୁ ଯିବାକୁ ପଡ଼ିବ ।

 

- କିନ୍ତୁ.....

- ସେ ସବୁ କିନ୍ତୁ ଫିନ୍ତୁ କହି ବୁଲାଇଲେ ଚଳିବ ନାହିଁ । ଆମର ସେଠାକୁ ଯିବାକୁ ହେବ ।

 

- ମାଉସୀ! ତେବେ ବର୍ତ୍ତମାନ ବୁଲାଇବି?

ଗାଡ଼ିରେ ହସର ଜୁଆର ଉଠିଲା ।

 

ଗାଡ଼ିର ପଛ ସିଟ୍‌ରେ ତୃଣାର ଗୋଟିଏ ପାଖରେ ସୁଜାତା ଦେବୀ ଓ ଅନ୍ୟ ପାଖରେ ଦୂର୍ବା । ସେ ଥରେ ଏହା ସହିତ ତ ଥରେ ତା ସହିତ କଥା ହେଉଥାଏ ।

 

ଦୂର୍ବା, ଆମକୁ କେବେ ଗୀତ ଶୁଣାଇବ?

ହଁ ଦିଦି ଭାଇ, ଶୁଣାଇବି ।

 

ସେମାନଙ୍କ କଥା ଶୁଣି ପବିତ୍ର କହିଲା, ଦୂର୍ବା ! ତୁମକୁ ଯେଉଁଦିନ ବଟାନିକାଲ୍ ଗାର୍ଡ଼େନ୍ ବୁଲାଇବାକୁ ନେବି, ସେଦିନ ମତେ ଗୀତ ଶୁଣାଇବ ।

 

ଜ୍ୱାଇଁବାବୁ ଆମର ପ୍ରାଇଭେଟ୍ ପ୍ରୋଗ୍ରାମ କଥା ସମସ୍ତଙ୍କ ଆଗରେ କାହିଁକି କହୁଛନ୍ତି?

ଓ ସରି ।

 

ତୃଣା ସ୍ୱାମୀଙ୍କ ଉଦ୍ଦେଶ୍ୟରେ କହିଲା- ଦୂର୍ବାକୁ ଦେଖୁ ଦେଖୁ ତୁମର ମୁଣ୍ଡ ଖରାପ ହୋଇଗଲାଣି ମୁଁ ଦେଖୁଛି ।

 

ତୁମକୁ ଦେଖି ଦେଖି ଆଖିରେ ପରଳ ପଡ଼ିଗଲାଣି । ଦୂର୍ବାକୁ ଦେଖି ମନଟା ନାଚି ଉଠିବାରେ ଭୁଲ୍ କେଉଁଠି? ଦୂର୍ବା କହିଲା-ଜ୍ୱାଇଁବାବୁ ! ଦିଦି ଭାଇଙ୍କ ଭଳି ସୁନ୍ଦରୀ ଆଉ ଦେଖିଛନ୍ତି? ସାର୍‌ଙ୍କୁ ଦେଖି ଜାଣିଥିଲି, ଦିଦିଭାଇ ଖୁବ୍ ସୁନ୍ଦରୀ ହୋଇଥିବେ । କିନ୍ତୁ ଷ୍ଟେସନ୍‌ରେ ଦିଦିଭାଇଙ୍କୁ ଦେଖି ମୋ ଆଖି ଜଳକା ହୋଇଗଲା ।

 

-କାହିଁକି?

-ଦିଦିଭାଇଙ୍କୁ ଏବେ ମଧ୍ୟ ସ୍ୱଚ୍ଛନ୍ଦରେ ସାତଘେରା ବୁଲାଇ ଦିଆଯାଇପାରେ ।

 

-ଦୂର୍ବା ସେହି ଉପକାରଟା ମୋପାଇଁ କରି ପାରିବ?

ଏଇଭଳି ଥଟ୍ଟା ପରିହାସ ଭିତରେ ସେମାନେ ପହଞ୍ଚିଗଲେ । ସୁଜାତା ଦେବୀ ଏବଂ ଦୂର୍ବାଙ୍କୁ ନେଇ ଗୋଟାଏ କୋଠରିରେ ପହଞ୍ଚି ତୃଣା କହିଲା, ମାଉସୀ ! ଆପଣମାନେ ଦୁହେଁ ଏଇ କୋଠରିରେ ରହିବେ । ଦୂର୍ବା କହିଲା-ଦିଦିଭାଇ ମୁଁ ଆପଣଙ୍କ ପାଖରେ ଶୋଇବାକୁ ଚାହୁଁଛି । ତୃଣା ହସିହସି କହିଲା-ଖୁବ୍ ବଲ କଥା ।

 

ସୁଜାତା ଦେବୀ କହିଲେ- ତୃଣା ଆମେ ତିନିଜଣତ ଏଇଠି ଶୋଇ ପାରିବା । ଏତେବଡ଼ ଖଟରେ ତିନିଜଣଙ୍କୁ ଶୋଇବାକୁ ଅସୁବିଧା ହେବ ନାହିଁ । ତାଛଡ଼ା ତୃଣା ଏଠାରେ ଶୋଇଲେ ମୁଁ ତାଙ୍କରେ ଟିକିଏ ଗପସପ କରିପାରିବି ।

 

ତୃଣା ଖୁସିର ହସ ହସି କହିଲା, ହଁ ମାଉସୀ, ତାହାହିଁ ହେବ । ଖାଇ ବସି ପବିତ୍ର କହିଲେ- ଦୂର୍ବା ତୁମେ ମୋ ଘରେ ଶୋଇଲେ ବହୁତ ଆନନ୍ଦରେ ଓ ଆରାମରେ ରହି ପାରିବ ।

 

ଦୂର୍ବା ଚାପା ହସ ହସି କହିଲା- ଥାଉ ଥାଉ, ଆଉ କହିବାକୁ ହେବନାହିଁ । ଘର ସାରା ସୁନ୍ଦରୀ ସ୍ତ୍ରୀର ପଚାଶଟା ଫଟୋ ଝୁଲାଇ ଆଉ ଦୂର୍ବୀ ଦୂର୍ବା କହିବାକୁ ପଡ଼ିବ ନାହିଁ ।

 

ତା କଥାରେ ସମସ୍ତେ ହସିଲେ ।

ପବିତ୍ର କହିଲା- କ’ଣ କରିବି କହିଲ ? ଫଟୋଗ୍ରାଫି ଶିଖୁଥିଲି, ତୁମ ଭଳି ସୁନ୍ଦରୀ ମଡ଼େଲଟିଏ ନ ପାଇ ବାଧ୍ୟ ହୋଇ... ଖିଆପିଆ ପରେ ସାର୍ଥକ ତା କୋଠରିକୁ ଗଲା । ପବିତ୍ର ତା କୋଠରିକୁ ଗଲା । ଏପଟରେ ତିନିହେଁ ଗୋଟାଏ ଘରେ ଶୋଇ କେତେ କଥାବାର୍ତ୍ତା ହେଲେ ।

 

ଜାଣନ୍ତି ମାଉସୀ! ମୋ ସାନଭାଇଟି ସାଇଁଥିଆରେ କେତେବେଳେ କ’ଣ କରିବସିବ, ସେ କଥା ଭାବି ମୋର ଚିନ୍ତାର ଶେଷ ନ ଥିଲା । କିନ୍ତୁ ତା ପରେ ଆପଣଙ୍କ କଥା ଶୁଣି ଭାବୁଛି ସେ ପ୍ରକୃତରେ ଭାଗ୍ୟବାନ୍ ।

 

ଦେଖ ମା’ ତୋ ଭାଇଭଳି ଗୁଣୀ ଓ ଭଦ୍ର-ସଭ୍ୟ ପିଲା ମିଳିବେ ନାହିଁ । ତାକୁ ଭଲ ନ ପାଇ ରହି ହୁଏନାହିଁ ।

 

ସୁଜାତା ଦେବୀ ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇ କହିଲେ- ତାପାଇଁ କେତେ କ’ଣ କରିବାକୁ ତ ଇଚ୍ଛା ମାତ୍ର ପାରୁଛି କେଉଁଠି?

 

-ମାଉସୀ, ସେ କଥା କହିବେ ନାହିଁ । ଆପଣ ତାପାଇଁ ଯାହା କରିଛନ୍ତି ତାର ତୁଳନା ନାହିଁ-

 

ଦୂର୍ବା କହିଲା-ଜାଣନ୍ତି ଦିଦି ଭାଇ! କଲେଜରେ ପୁଅଝିଅ ମାନେ ସାର୍‌ଙ୍କୁ ଏତେ ଶ୍ରଦ୍ଧା କରନ୍ତି, ଭାବି ପାରିବେ ନାହିଁ । ସାର୍ କୌଣସି ଟଙ୍କା ପଇସା ନ ନେଇ ପିଲାଙ୍କୁ ନିଜଘରେ ପଢ଼ାନ୍ତି ବୋଲି ସମସ୍ତେ ଅବାକ୍ ହୋଇଯାଆନ୍ତି ।

 

ପିଲାମାନଙ୍କୁ ପଢ଼ାଇବା ତ ଭଲକାମ । ସେଥିପାଇଁ ଟଙ୍କା ନେବ କାହିଁକି? ଭାଇ ଯଦି ଥିସିସ୍ କାମ ଶେଷ କରି କଲେଜରେ କାମ କରନ୍ତା ଖୁବ୍ ଭଲ ହୁଅନ୍ତା ।

 

ଦୂର୍ବା କହିଲା-ସାର୍ ବୋଧହୁଏ ଦୁଇତିନି ବର୍ଷ ପରେ କଲେଜର କାମ ଛାଡ଼ି ଥିସିସ୍ କାମରେ ଲାଗିବେ ।

 

ଦେଖାଯାଉ କ’ଣ କରୁଛି ।

ଏହିଭଳି ନାନା ପ୍ରକାର କଥାବାର୍ତ୍ତା ହେଉ ହେଉ ରାତି ଅନେକ ହେଲା, ସେମାନେ ଶୋଇପଡ଼ିଲେ ।

 

ସକାଳେ ତୃଣା ନିଦରୁ ଉଠି ଦେଖିଲା-ଡାଇନିଂ ଟେବୁଲ୍‌ରେ ଶଳା-ଭିଣୋଇ ଚା ପିଉଛନ୍ତି ଆଉ କମଳା ରୋଷେଇ ଘରେ ବସି ପନିପରିବା କାଟୁଛି । ତୃଣା ମଧ୍ୟ ସେମାନଙ୍କ ପାଖରେ ବସି ଟି-ପର୍ଟରୁ କପେ ଚା ନେଇ ପିଇଲା । ସାର୍ଥକ ପଚାରିଲା-ଦିଦିଭାଇ ! ମାଉସୀ ଓ ଦୂର୍ବା ଅସିବେବୋଲି କ’ଣ ଆଜି ଅଫିସ୍‌ରୁ ଛୁଟି ନେଇଛୁ?

 

-ହଁ ।

- ଖୁବ୍ ଭଲ କରିଛୁ ।

-ଯେତେହେଲେ ମାଉସୀ ତୋତେ ନିଜର ପୁଅଭଳି ଭଲ ପାଆନ୍ତି । ତୋପାଇଁ କେତେ କଣ କରିଛନ୍ତି । ମୁଁ ଦିନେ ଦି’ଦିନ ମାଉସୀଙ୍କ ସହିତ ନ କଟାଇଲେ ଚଳିବ ନାହିଁ ।

 

ଠିକ୍ ସେହି ସମୟରେ ଦୂର୍ବା ନିଦରୁ ଉଠି ଅସିଲା ।

ତୃଣା ଗୋଟାଏ ହାତରେ ତା ଅଣ୍ଟାକୁ କୁଣ୍ଢାଇ ଧରି ପଚାରିଲା-ଚା’ପିଇବୁକି?

-ଦିଦିଭାଇ ! ମୋର ଚା’ ପିଇବାର ଅଭ୍ୟାସ ନାହିଁ ।

 

ସାର୍ଥକ କହିଲା-ଦିଦି ଭାଇ ! ସେ କଫି ପିଏ ।

ଦୂର୍ବା କହିଲା- ନା-ନା, ମୁଁ ଏବେ କଫି ପିଇବି ନାହିଁ ।

ସତରେ ପିଇବୁ ନାହିଁ?

ନା-ଦିଦି ଭାଇ ।

 

ତୃଣା ତା ମୁହଁକୁ ଚାହିଁ ଟିକିଏ ହସି କହିଲା-ଦିଦି ଭାଇ ଘରକୁ ଆସି ଟିକିଏ ଭଲରେ ଶୋଇପାରିଲୁ ନାହିଁ ।

 

ପବିତ୍ର ଦୂର୍ବାଆଡ଼କୁ ଚାହିଁ କହିଲା-ତୁମେମାନେ ସାରାରାତି ଏତେ ଗପୁଥିଲ ଯେ ମୁଁ ଶୋଇ ପାରିଲି ନାହିଁ ।

 

-ଆପଣ ବାଘ ଗର୍ଜନ ଭଳି ଘୁଙ୍ଗୁଡ଼ି ମାରି ଆମର କେତେ ଉପକାର କରିଛନ୍ତି-ଆପଣ ହୁଏତ ଜାଣନ୍ତି ନାହିଁ ।

 

ତୃଣା ସ୍ୱାମୀଙ୍କଆଡ଼କୁ ଚାହିଁ ହସିହସି କହିଲା-ତୁମର ଘୁଙ୍ଗୁଡ଼ି ଶୁଣି ଦୂର୍ବା କହିଲା ଦିଦିଭାଇ-! ଏ ବାଘଗର୍ଜନ ଶୁଣି ଆପଣଙ୍କୁ କେମିତି ରାତିରେ ନିଦ ହୁଏ, ମୁଁ ଆଶ୍ଚର୍ଯ୍ୟ ହେଉଛି । ପବିତ୍ର ହାରିଯିବାର ପାତ୍ରନୁହେଁ । ସେ କହିଲା-ତୁମେ କହିଲ ନାହିଁ, ଆମ ଘର ପଡ଼ିଶାରେ କଣ ବାଘର ପଞ୍ଜୁରି ଅଛି ?

 

କମଳା ସୁଜାତା ଦେବୀଙ୍କୁ ଚା ଦେଇ ପଚାରିଲା-ଜ୍ୱାଇଁବାବୁ ଆପଣମାନେ କ’ଣ ପୁଣି ଚା’ ପିଇବେ?

 

-ୟେସ୍‌, ବଟ୍ ଚଟ୍‌ପଟ୍ । ମତେ ଏଥର ଜୀବନ ସଂଗ୍ରାମପାଇଁ ପ୍ରସ୍ତୁତ ହେବାକୁ ହେବ ।

 

ଚା ପିଉ ପିଉ ସୁଜାତା ଦେବୀ କହିଲେ-ସାର୍ଥକ ମତେ କାଳିଘାଟ ନେଇଯିବ କେବେ?

 

ତୃଣା ପଚାରିଲା-ମାଉସୀ! ଆଉ କୁଆଡ଼େ କୁଆଡ଼େ ଯିବାକୁ ଚାହୁଁଛନ୍ତି?

 

-ଏଥର ଆଉ କୁଆଡ଼େ ଯିବିନାହିଁ । ବେଶୀ ଚଲାବୁଲା କଲେ ଆଣ୍ଠୁର ଦରଜ ବଢ଼ିଯିବ ।

 

ତୃଣା ଏଥର ଦୂର୍ବାକୁ ଚାହିଁ ପଚାରିଲା-ତୁମେ ଏଇଦୁଇ ତିନି ଦିନ କୁଆଡ଼େ ଯିବାକୁ ଚାହୁଁଛ?

 

ଦିଦିଭାଇ! ମୁଁ ଏକାଡେମୀରେ ଗୋଟାଏ ନାଟକ ଓ ନନ୍ଦନରେ ଗୋଟାଏ ସିନେମା ଦେଖିବାକୁ ଚାହୁଛି । ତୃଣା ଖୁବ୍ ଉତ୍ସାହିତ ହୋଇ କହିଲା- ନନ୍ଦନରେ ଶେଖରକପୁରଙ୍କ ଏଲିଜାବେଥ୍ ଚାଲିଛି । ଅସମ୍ଭବ ଭଲ ଛବି ।

 

-ଆପଣ ଦେଖିଛନ୍ତି?

ହଁ ଆମେ ଦୁହେଁ ଦେଖିଛୁ ।

ସେ ମୁହଁ ବୁଲେଇ କହିଲା- ସାନଭାଇ ! ତୁ ତ ଦେଖିନାହୁଁ?

 

-କେମିତି ଦେଖିବି? ନନ୍ଦନ କ’ଣ ସାଇଁଥିଆରେ?

-ସାନଭାଇ ! ତୁ ଦୂର୍ବାକୁ ନେଇ ଆଜି ଦେଖିବାକୁ ଯା । ଜଣେ ଇଣ୍ଡିଆନ୍ ଡାଇରେକ୍ଟର ଏ ଧରଣର ଛବି କରିପାରେ, ତାହା ନ ଦେଖିଲେ ବିଶ୍ୱାସ କରିହୁଏନା ।

 

ପବିତ୍ର ଚା କପ୍‌ରୁ ଢୋକେ ପିଇ ଉଠି ଠିଆ ହୋଇ କହିଲା- ସାନଭାଇ ! ରିଏଲି ଆଉଟଷ୍ଟାଣ୍ଡିଂ ଛବି । ଏଲିଜାବେଥ୍ ନ ଦେଖି କେବେହେଲେ ଫେରିଯିବ ନାହିଁ ।

 

ସୁଜାତା ଦେବୀ କହିଲେ-ସାର୍ଥକ! ତୁମେ ମାନେ ଆଜି ସିନେମା ଯା । ମୁଁ କାଲି ମା’ଙ୍କ ଦର୍ଶନପାଇଁ କାଳିଘାଟ ଯିବି ।

 

-ହଁ ମାଉସୀ, ସେଇଆ କରିବା ।

ତୃଣା କହିଲା- ସାନ ଭାଇ ! ତୁ ଯେତେବେଳେ ନନ୍ଦନକୁ ଯାଉଛୁ ଶନିବାର କିମ୍ବା ରବିବାର ଦିନ କୌଣସି ଗୋଟିଏ ନାଟକର ଟିକେଟ୍ ଏକାଡେମୀରୁ କାଟି ଆଣିବୁ ।

 

ପବିତ୍ର ଗାଧୁଆ ପାଧୁଆ ସାରି ଜାମାପ୍ୟାଣ୍ଟ ପିନ୍ଧି ଅଫିସ୍ ବାହାରନ୍ତେ ସୁଜାତା କହିଲେ-ତୃଣା ତୁମର ବି ତ ଅଫିସ୍ ଅଛି । ତୁମେ କେତେବେଳେ ବାହାରିବ ?

 

- ମାଉସୀ ! ଆପଣମାନେ ଆସିଛନ୍ତି, ଆଉ ମୁଁ ଅଫିସ୍ ଯିବି? ତାହା କେବେହେଲେ ହେବ ନାହିଁ ।

 

ପବିତ୍ର ଡାଇନିଂ ଟେବୁଲ୍‌ରେ ବସୁବସୁ କମଳା ତାକୁ ଖାଇବାକୁ ଦେଲା । ସଙ୍ଗେସଙ୍ଗେ ଟେଲିଫୋନ୍ ବାଜି ଉଠିଲା । ତୃଣା ଟେଲିଫୋନ୍ ଧରିବାକୁ ଗଲା । ଟିକିଏ ପରେ ସ୍ୱାମୀକୁ କହିଲା ଅମଲଦା କହିଲେ ସେ ପାଞ୍ଚମିନିଟ୍ ଭିତରେ ବାହାରୁଛନ୍ତି ।

 

-ହଁ ଠିକ୍ ଅଛି ।

ପବିତ୍ର ଖାଉ ଖାଉ କହିଲା-ଭାଇ, ଗାଡ଼ି ରଖିଗଲି । ଟାଙ୍କିଭର୍ତ୍ତି ପେଟ୍ରୋଲ୍ ମଧ୍ୟ ଅଛି । ଇଚ୍ଛାକଲେ ତୁମେ ମାଉସୀ ଓ ଦୂର୍ବାକୁ ନେଇ ନୀଳାଚଳକୁ ଯାଇପାର । କିନ୍ତୁ ଆମ ମାନଙ୍କୁ କନ୍ଦାଇ ତୁମେ ସନ୍ୟାସଦୀକ୍ଷା ନେବ ନାହିଁ ।

 

-ନା, ଜ୍ୱାଇଁବାବୁ । ଆମେ ପୁରୀନୁହେଁ କନ୍ୟାକୁମାରୀ ବୁଲି ଆସିବୁ । ଠିକ୍ ସେହି ସମୟରେ ଅମଲ୍ ଗାଡ଼ିର ହର୍ଣ୍ଣ ବଜାଇବାରୁ ପବିତ୍ର ସୁଜାତା ଦେବୀଙ୍କୁ ପ୍ରଣାମ କରି କହିଲା-

 

ହଁ ବାବା, ଆସ ।

ପବିତ୍ର ବାହାରିଯିବା ପରେ ସୁଜାତା କହିଲେ-ଜ୍ୱାଇଁଟି ମତେ ଖୁବ୍ ଭଲ ଲାଗିଲା ।

 

ସାର୍ଥକ କହିଲା- ହଁ ମାଉସୀ ଜ୍ୱାଇଁ ବାବୁଟି ଖୁବ୍ ଭଲ ଲୋକ ଯେମିତି ମଜାଳିଆ, ସେମିତି ଉଦାର ।

 

ଦୂର୍ବା କହିଲା- ଜ୍ୱାଇଁ ବାବୁଙ୍କର ଖୁବ୍ ସେନ୍‌ସ୍ ଅଫ୍ ହ୍ୟୁମର୍ । ଖୁବ୍ ଜମାଣିଆ ଲୋକ ।

 

ତୃଣା କହିଲା- ମୋ ସାନ ଯା’ ଦୁହେଁ ତାଙ୍କୁ ଖୁବ୍ ପ୍ରଶଂସା କରନ୍ତି । କହନ୍ତି ବଡ଼ଦାଙ୍କପାଇଁ ଆମେ ଏଠାକୁ ଆସୁଛୁ ।

 

ସୁଜାତା ଦେବୀ ପଚାରିଲେ-ତୁମର ବୋଧହୁଏ ଦୁଇଟି ଦିଅର?

-ହଁ ମାଉସୀ ।

 

-ସେମାନେ କ’ଣ ଚାଟାର୍ଡ଼?

-ନା, ସେମାନେ ଚାଟାର୍ଡ଼ ନୁହନ୍ତି ମାତ୍ର ଖୁବ୍ କୃତୀ । ମୋ ମଝିଆଁ ଦିଅର ଅହମଦାବାଦର ଆଇ.ଆଇ.ଏମ୍‌.ରୁ ଏମ୍‌.ବି.ଏ. କରି ବର୍ତ୍ତମାନ ସିଟି ବ୍ୟାଙ୍କର ଇଣ୍ଟରନେଶନାଲ୍ ଡିଭିଜନ୍‌ର ଚିଫ୍ ।

 

-ବାବା ! ସେ ତ ବିରାଟ କଥା ।

-ହଁ ମାଉସୀ । ପ୍ରକୃତରେ ବିରାଟ କଥା ।

-ତା’ର ପୋଷ୍ଟିଂ କେଉଁଠି?

 

-ବମ୍ବେରେ । ଆଉ ଛୋଟ ଦିଅରଟି ବୈଜ୍ଞାନିକ । ସେ ଇସ୍ରୋରେ କାମ କରେ ।

 

-ଇସ୍ରୋ କ’ଣ?

ତୃଣା କିଛି କହିବା ପୂର୍ବରୁ ସାର୍ଥକ କହିଲା-ମାଉସୀ ଆମେ ତ ବର୍ତ୍ତମାନ ନିୟମିତ ଭାବରେ ଉପଗ୍ରହ ତିଆରି କରୁଛନ୍ତି ।

 

ହଁ-ହଁ-ପଢ଼ିଛି ।

ଦିଦିଭାଇର ଛୋଟ ଦିଅର ସେହିସବୁ ଉପଗ୍ରହର ନକ୍ସା ତିଆରି କରେ ।

ତା ମାନେ ଖୁବ୍ ବିଦ୍ୱାନ୍ ପିଲା ।

 

ତୃଣା କହିଲା-ମାଉସୀ, ସେ ପ୍ରକୃତରେ ଖୁବ୍ ଜ୍ଞାନୀ ।

-ସେ ଥାଏ କେଉଁଠି?

-ବାଙ୍ଗାଲୋର୍‌ରେ ।

 

-ସତେ ନା କ’ଣ? ସୁଜାତା କହିଲେ ମୋ ବଡ଼ ପୁତ୍ରବଧୂ ବାଙ୍ଗାଲୋର୍‌ର ଝିଅ । ମୁଁ ତା ସହିତ ତିନିଥର ବାଙ୍ଗାଲୋର୍ ଯାଇଛି ।

 

-ବାଙ୍ଗାଲୋର୍ ଖୁବ୍ ସୁନ୍ଦର ସହର-ଏଇଆନା ମାଉସୀ?

-ହଁ ଖୁବ୍ ସୁନ୍ଦର । ଆମ କଲିକତାଠାରୁ ଶତଗୁଣ ଭଲ ।

 

ଏହିଭଳି ଗପସପ କରୁ କରୁ ସାଢ଼େ ଦଶଟା ବାଜିଗଲା । ଖାଇସାରିବା ପରେ ପୁଣି ଗଳ୍ପର ଆସର ଜମିଲା ।

 

ତୃଣା କହିଲା, ଶୁଣ ସାନଭାଇ ! ଏଲଜାବେଥ୍‌ରେ ଟିକେଟ୍‌ର ଖୁବ୍ ଡିମାଣ୍ଡ । ଇଭିନିଂ ସୋର ଟିକେଟ୍ କଦାପି ମିଳିବ ନାହିଁ । ତୁମେମାନେ ଦେଢ଼ଟା ଭିତରେ ନନ୍ଦନକୁ ଯା’ । ମ୍ୟାଟିନି ସୋ ରଟିକେଟ୍ ପାଇଯିବ ସାର୍ଥକ କହିଲା- ଦି’ପହର ଖରାରେ ବାହାରିବୁ ?

 

ନନ୍ଦନ ତ ଏୟାର୍ କଣ୍ଡିସନ୍‌ଡ୍‌, ଦି’ପହରରେ ଗଲୁ ତ କ’ଣ ହେଲା? ତୃଣା ପୁଣି କହିଲା-ଏଲିଜାବେଥ୍ ଖୁବ୍ ବଡ଼ ଛବି । ଗୋଟାଏ ସୋ ଦୁଇଟାରେ ଓ ଆଉ ଗୋଟାଏ ସୋ ସାଢ଼େ ପାଞ୍ଚଟାରେ ।

 

-ତା ମାନେ ଗୋଟାଏ ଭିତରେ ବାହାରିବାକୁ ହେବ?

-ବରଂ ଟିକିଏ ଆହୁରି ଆଗରୁ ବାହାରିବୁ ।

-ଗୁଡ଼୍ ଗଡ଼ ।

 

ତୃଣା ଦୂର୍ବାକୁ ଚାହିଁ କହିଲା-ତୁମେ ବାରଟା ଭିତରେ ସ୍ନାନ କରିନିଅ । ସାଢ଼େ ବାରଟାରେ ତୁମେ ଦୁହେଁ ଖାଇ ବସିବ ।

 

ଦୂର୍ବା ମୁଣ୍ଡ ହଲାଇ ସମ୍ମତି ଜଣାଇଲା ।

କମଳା ରୋଷେଇ ଘରୁ ଡାକିବାରୁ ତୃଣା ଯିବାକୁ ଉଠି ଦୂର୍ବାର ଗାଲକୁ ଚିପି ଦେଇ ଚୁମା ଖାଇଲା ।

 

ଦୂର୍ବା ହସି ହସି କହିଲା-ଦିଦି ଭାଇ! ଆପଣ କ’ଣ ମତେ ଘଣ୍ଟାକୁଘଣ୍ଟା ଗେଲକରି ଚୁମା ଖାଉଥିବେ?

 

ତୃଣା ରୋଷେଇ ଘରକୁ ପଶୁ ପଶୁ ଅଟକି ଯାଇ ପଛକୁ ମୁହିଁ ବୁଲାଇ କହିଲା-କ’ଣ କରିବି କୁହ? ତୁମ ଭଳି ସୁନ୍ଦରୀ ଝିଅକୁ ଆଦର ନ କରି ରହିହେଉ ନାହିଁ ।

 

ସ୍ନାନ ସାରି ଦୂର୍ବା ଶାଢ଼ିପିନ୍ଧି ବାହାରିଲା ବେଳକୁ ତୃଣା କହିଲା-ଏ ଝିଅଟାକୁ ଦେଖିଲେ ମୋ ମୁଣ୍ଡ ଖରାପ ହୋଇଯାଉଛି । ପ୍ରକୃତରେ ଶାଢ଼ି ପିନ୍ଧି ତୁମେ କେତେ ସୁନ୍ଦର ଦିଶୁଛ । ଶାଢ଼ିଟା ବି ଖୁବ୍ ଚମତ୍କାର ହୋଇଛି । ଦୂର୍ବା କହିଲା- ମୋର ସବୁ ଶାଢ଼ି ବଡ଼ମା ପସନ୍ଦ କରି କିଣିଛନ୍ତି । ମାଉସୀ! ଆପଣଙ୍କ ଚଏସ୍‌ଟା ଚମତ୍କାର । ଏଇ ଶାଢ଼ିଟା କେଉଁଠୁ କିଣିଛନ୍ତି? କଲିକତାରୁ?

 

ସୁଜାତା ଦେବୀ କହିଲେ- ନା-ନା । ଏ ଶାଢ଼ି ସାଇଁଥିଆରେ ହିଁ ତିଆରି ହୁଏ । ତୁମ ଭାଇ ଯାହାଙ୍କ ଘରେ ରହନ୍ତି ସେଇ ବୃନ୍ଦାବନର ଦୋକାନରୁ ସବୁ ଶାଢ଼ି କିଣେ ।

 

ଦୂର୍ବା କହିଲା-ମୋ ମାଉସୀ ତ ବୃନ୍ଦାବନ କାକାଙ୍କର ଅନେକ ଶାଢ଼ି ପିନ୍ଧି ନାନାଦି ଅନୁଷ୍ଠାନକୁ ଯାଆନ୍ତି ।

 

ତୃଣା କହିଲା- ସାନଭାଇ! ତୁ କାହିଁକି ସେଠାରୁ ଶାଢ଼ି ଆଣୁ ନାହୁଁ ?

-ଦିଦି ଭାଇ ! ବୃନ୍ଦାବନ ବାବୁଙ୍କ ଝିଅ ଗୌରୀ କେବଳ କଲେଜରେ ପଢ଼େ ନାହିଁ, ଘରେ ଆସି ମୋ ପାଖରେ ପଢ଼େ । ମୁଁ ଶାଢ଼ି ଆଣିଲେ ସେ କେବେହେଲେ ଦାମ୍ ନେବେ ନାହିଁ । ତେଣୁ....

 

ଦୂର୍ବା କହିଲା- ହଁ ଦିଦିଭାଇ, ସାର୍ ଠିକ୍ କହୁଛନ୍ତି ।

ଗୋଟାଏ ବାଜିବା ପୂର୍ବରୁ ସାର୍ଥକ ଦୂର୍ବାକୁ ସାଙ୍ଗରେ ନେଇ ବାହାରିଗଲା ।

 

ଲେକ୍‌ରୋଡ଼ରୁ ବାହାରି ଲାନ୍‌ସ୍‌ଡାଉନ୍‌-ମୋତିଲାଲ୍ ନେହୁରୁ ରୋଡ଼୍ ଛାଡ଼ି ରିଚି ରୋଡ଼୍ ପାର୍ ହୋଇ ଗାଡ଼ି ବାଲିଗଞ୍ଜ ସର୍କୁଲାର୍ ରୋଡ଼୍ ଦେଇଯିବା ସମୟରେ ଦୂର୍ବା ମୁଗ୍‌ଧ ଦୃଷ୍ଟିରେ ସାର୍ଥକକୁ ଚାହିଁ କହିଲା- ଆପଣ ତ ଖୁବ୍ ସୁନ୍ଦର ଡ୍ରାଇଭିଂ କରୁଛନ୍ତି ।

 

ସାର୍ଥକ ଟିକିଏ ହସି କହିଲା-କଲେଜରେ ପଢ଼ିବା ଦିନରୁ ଗାଡ଼ି ଚଲାଇଛି । ଦେଖୁ ଦେଖୁ ତ କମ୍ ବର୍ଷ ହୋଇନାହିଁ ।

 

-ଆପଣ କ’ଣ ଗାଡ଼ିନେଇ କଲେଜ୍ ଯାଉଥିଲେ?

-ନା-ନା । ଗାଡ଼ି ଆମ ଜ୍ୱାଇଁ ବ୍ୟବହାର କରନ୍ତି । ତେବେ ଛୁଟିଦିନରେ କୁଆଡ଼େ ବାହାରକୁ ଗଲେ ଜ୍ୱାଇଁ ଓ ମୁଁ ମିଳିମିଶି ଗାଡ଼ି ଚଳାଉ ।

 

-ଆଚ୍ଛା ।

ଦୂର୍ବା ପୁଣି କହିଲା, ମୁଁ ଭାବିନଥିଲି ଯେ ଆପଣ ଗାଡ଼ି ଚଳାନ୍ତି । ଆମେ ତ ଭାବିପାରୁନା ଯେ କୌଣସି ଅଧ୍ୟାପକ ବା ଶିକ୍ଷକ ଗାଡ଼ି ଚଳାଇ ପାରନ୍ତି ।

 

-ନ ଭାବିବାର ତ କିଛିନାହିଁ । ଶାନ୍ତି ନିକେତନରେ ବହୁ ଅଧ୍ୟାପକ ଗାଡ଼ି ଚଳାନ୍ତି । ଜେ-ଏନ୍‌-ୟୁ.ରେ ସମସ୍ତ ପ୍ରଫେସର ନିଜନିଜର ଗାଡ଼ି ନେଇ ଆସନ୍ତି । ମୋର ବହୁତ ବନ୍ଧୁ ବାନ୍ଧବୀ ମଧ୍ୟ ଗାଡ଼ି ଆଣି ଆସନ୍ତି ।

 

ଦୂର୍ବା ଚୁପ୍ ରହିଲା ।

ଟିକିଏ ପରେ ସାର୍ଥକ କହିଲା-ସେଠାରେ ପଢ଼ୁଥିବା ବେଳେ ସାଙ୍ଗମାନଙ୍କର ଗାଡ଼ି ନେଇ ଖୁବ୍ ବୁଲିଛି । ଦୂର୍ବା ଆଡ଼କୁ ଚାହିଁ ପୁଣି କହିଲା-ଆଇ ଲଭ୍ ଡ୍ରାଇଭିଂ ।

 

ଦୁଇଟା ବେଳର ସୋ’ର ଟିକେଟ୍ ମିଳିଲା ନାହିଁ ।

ସାଢ଼େ ପାଞ୍ଚଟାର ସୋ’ପାଇଁ ଟିକେଟ୍ ମିଳିଲା । ସାର୍ଥକ ଟିକେଟ୍ ଦୁଇଟା ଆଣିବା ପରେ ଦୂର୍ବା ପଚାରିଲା-ସାର୍‌ ! ଏବେ ଘରକୁ ଫେରିଯିବା ତ?

 

-ନା-ନା, ପୁଣି କାହିଁକି ଘରକୁ ଯିବା? ଆଗେଚାଲ, ଏକାଡେମୀକୁ ଯିବା । ଦେଖିବା, ରବିବାରକୁ କୌଣସି ଭଲ ନାଟକ ଅଛି କି ନାହିଁ ।

 

ଚାଲନ୍ତୁ ।

ନନ୍ଦନ ପରିସରରେ ଯାଉଯାଉ ଦୂର୍ବା କହିଲା-ନନ୍ଦନର ଚାରିପାଖ କେଡ଼େ ସୁନ୍ଦର ।

 

-ହଁ, ଖୁବ୍ ଭଲ ।

ଏକାଡେମୀରେ ଦେଖାଗଲା, ରବିବାରଦିନ କୌଣସି ଭଲ ପରିଚାଳକଙ୍କ କୌଣସି ଭଲ ନାଟକ ନାହିଁ । ତେବେ ପୁରୁଣା ହଲ୍‌ରେ ବିଭାସ ଚକ୍ରବର୍ତ୍ତୀଙ୍କର ମାଧବୀ ମାଳଞ୍ଚ ଅଭିନୀତ ହେବ । ସାର୍ଥକ କହିଲା- ଅଷ୍ଟାଦଶୀ ! ତୁମେ କ’ଣ ଏହି ନାଟକ ଦେଖିଛ?

 

-ନା, ସାର୍ ।

-ମୟମନ୍‌ସିଂ ଗୀତିକା ଅବଲମ୍ବନରେ ଏହି ନାଟକ । ପ୍ରକୃତରେ ଏହା ବିଭାସ ଚକ୍ରବର୍ତ୍ତୀଙ୍କର ଗୋଟାଏ ଅଦ୍ଭୁତ ନାଟକ । ଦେଖିବାକୁ ଚାହିଁଛ?

 

-ହଁ ସାର୍ ଦେଖିବି ।

ଟିକେଟ୍ କଟା ସରିବା ପରେ ସାର୍ଥକ କହିଲା-ହାତରେ ତିନିଘଣ୍ଟା ସମୟ । କୁହ କୁଆଡ଼େ ଯିବ । କ’ଣ ଦେଖିବାକୁ ଚାହୁଁଛ ।

 

ଯୁଆଡ଼େ ଖୁସି ଆପଣ ନେଇ ଚାଲନ୍ତୁ ।

ସାର୍ଥକ ମିନିଟିଏ ଦୁଇ ମିନିଟ୍ ଚିନ୍ତାକରି କହିଲା-ତୁମେ ସେକେଣ୍ଡ ହୁଗୁଳି ବ୍ରିଜ୍ ଦେଖିଛ?

 

-ନା, ସାର୍‌, ଦେଖିନାହିଁ ।

ତା ହେଲେ ଚାଲ ସେକେଣ୍ଡ ହୁଗୁଳି ବ୍ରିଜ୍ ଦେଇ ବଟାନିକାଲ୍ ଗାର୍ଡ଼େନ୍ ଆଡ଼େ ବୁଲି ଆସିବା ।

 

-ଚାଲନ୍ତୁ ।

ନନ୍ଦନ ଚତ୍ୱରରୁ ବାହାରି ପଶ୍ଚିମ ଦିଗରେ କିଛିବାଟ ଯିବାପରେ ଗାଡ଼ି ଦ୍ୱିତୀୟ ସେତୁ ଆଡ଼କୁ ଆଗେଇ ଚାଲିଲା । ଚାରିଆଡ଼କୁ ଦୃଷ୍ଟିପକାଇ ଦୂର୍ବା କହିଲା-ବାଃ, କେଡ଼େ ସୁନ୍ଦର !

 

ସତୁରି-ଅଶି କିଲୋମିଟର୍ ସ୍ପିଡ୍‌ରେ ଗାଡ଼ି ଚଲାଉ ଚଲାଉ ସାର୍ଥକ କହିଲା- ଦେଖ, ଆଗରେ ବ୍ରିଜ୍ ।

- ହଁ ସାର୍ ।

 

ଦୂର୍ବା ଯେତେ ଦେଖୁଥାଏ, ସେତେ ମୁଗ୍‌ଧ ହେଉଥାଏ ।

ତୀର ଭଳି ଛୁଟିଯାଇ ଗାଡ଼ି ଟୋଲ୍‌ଗେଟ୍ ପାଖରେ ଠିଆହେଲା । ସାର୍ଥକ ଟଙ୍କା ଦେଇ ଟିକେଟ୍ ଆଣିଲା । ତା’ପରେ ପୁଣି ଗାଡ଼ି ଚାଲିବାକୁ ଲାଗିଲା ।

 

-ରାସ୍ତାଧାରରେ ଥିବା ବୋର୍ଡ଼ଗୁଡ଼ିକ ଦେଖି ଜାଣିହୁଏ, ଗାଡ଼ିକେଉଁ ଦିଗକୁ ଯିବ ।

-ହଁ, ଜାଣିଛି ।

 

ଗାଡ଼ି ଓହ୍ଲାଇବାକୁ ଲାଗିଲା । ତାପରେ ପୁରୁଣା ରାସ୍ତା ଧରି ଚାଲିଲା ଆଗରେ ଗୋଟାଏ ଗେଟ୍ ଦେଖାଇ ସାର୍ଥକ କହିଲା-ବେଙ୍ଗଲ ଇଂଜିନିୟରିଂ କଲେଜ୍ । ସାଧାରଣତଃ କୁହାଯାଏ ଶିବପୁର ଇଂଜିନିୟରିଂ କଲେଜ ।

 

-ସତେ ନା କ’ଣ?

-ହଁ ।

ସାର୍ଥକ କହିଲା-ଭାରତର ସର୍ବ ପୁରାତନ ଇଂଜିନିୟରିଂ କଲେଜ ଭିତରୁ ଇଏ ଗୋଟିଏ ।

 

-ସେ କଥା ଜାଣି ନ ଥିଲି ସାର୍ ।

-ଦେଶ ସ୍ୱାଧୀନ ହେବା ପୂର୍ବରୁ ସାରା ଭାରତରେ ମାତ୍ର ପାଞ୍ଚସାତଟା ଇଂଜିନିୟରିଂ କଲେଜ ଥିଲା । ପୂର୍ବ ଓ ଉତ୍ତର ଭାରତରେ ଥିଲା ତିନିଟା । ଗୋଟିଏ ଏହି ଶିବପୁରରେ, ଆଉ ଗୋଟିଏ ବନାରସ ହିନ୍ଦୁ ୟୁନିଭର୍ସିଟିରେ ଏବଂ ଶେଷଟି ରୁର୍‌କିରେ । ବର୍ତ୍ତମାନ କେବଳ କର୍ଣ୍ଣାଟକରେ ଅଛି ଶତାଧିକ ଇଂଜିନିୟରିଂ କଲେଜ୍ ।

 

-ସେଠାରେ ଏତେ ଗୁଡ଼ାଏ ଇଂଜିନିୟରିଂ କଲେଜ୍ ଅଛି? ଦୂର୍ବା ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

 

ଶିବପୁର ଇଂଜିନିୟରିଂ କଲେଜ ହତାରେ ଗୋଟାଏ ଘେରା ବୁଲି ସାର୍ଥକ ବଟାନିକାଲ୍ ଗାର୍ଡ଼େନ୍‌ରେ ପହଞ୍ଚିଲା । ଗାଡ଼ିରୁ ଓହ୍ଲାଇ ସାର୍ଥକ କହିଲା- ଚାଲ ଟିକିଏ ବୁଲି ଆସିବା ।

 

ବୁଲୁବୁଲୁ ସାର୍ଥକ ପଚାରିଲା-ଆଗରୁ ଏଠାକୁ ଆସିଥିଲା?

କ୍ଲାସ୍ ଫାଇଭ୍‌-ସିକସ୍‌ରେ ପଢ଼ିବା ସମୟରେ ଥରେ ଆସିଥିଲି ।

 

-ମୁଁ ବଟାନୀର ଛାତ୍ରନୁହେଁ, କିନ୍ତୁ ଏଠାକୁ ଆସିଲେ ବହୁତ କିଛି ଦେଖିହୁଏ, ବୁଝିହୁଏ ।

 

ଛାଇ-ଆଲୁଅ ଭିତରେ ସେମାନେ ବୁଲାବୁଲି କଲେ । କିଛି ସମୟ ପରେ ସାର୍ଥକ କହିଲା-ଚାଲ, ଗଙ୍ଗାକୂଳକୁ ଯିବା ।

 

-ଚାଲନ୍ତୁ ।

ଗଙ୍ଗାକୂଳରେ କିଛି ସମୟ ଠିଆହେବା ପରେ ସାର୍ଥକ କହିଲା- ଅଷ୍ଟାଦଶୀ! ଗୋଟାଏ କଥା ତୁମକୁ କହିବି?

 

-ହଁ କହନ୍ତୁ, କହନ୍ତୁ ।

-ତୁମକୁ ଦେଖିଲେ ଖୁବ୍ ଲାଗୁଚି । ତାଛଡ଼ା ଏହି ପରିବେଶରେ.... ସାର୍ଥକ କଥାଟା ଶେଷ ନ କରି ମୁଗ୍ଧ ଦୃଷ୍ଟିରେ ଦୂର୍ବାର ମୁହଁକୁ ଚାହିଁ ରହିଲା । ଦୂର୍ବା ଦୃଷ୍ଟି ଫେରାଇ ନେଲା । ମାତ୍ର ଖୁସିରେ ତା ମୁହଁଟି ଉଜ୍ଜ୍ୱଳି ଉଠିଲା ।

 

ହାତରେ ଘଣ୍ଟାକୁ ଚାହିଁ ସାର୍ଥକ କହିଲା-ଚାଲ, ଏବେ ଫେରିଯିବା । ଦୂର୍ବା ନିଃଶବ୍ଦରେ ତା ସହିତ ଚାଲିବାକୁ ଲାଗିଲା । ଫେରିବାବାଟରେ ଦ୍ୱିତୀୟ ସେତୁ ପାର ହେବା ବେଳେ ସାର୍ଥକ ପଚାରିଲା-ଅଷ୍ଟାଦଶୀ ଆଜିର ସମୟଟି କେମିତି କଟିଲା?

 

-ଖୁବ୍ ଭଲ ।

ପାଞ୍ଚଟା ବାଜୁ ବାଜୁ ନନ୍ଦନରେ ପହଞ୍ଚି ଗାଡ଼ି ପାର୍କ କରି ସାର୍ଥକ କହିଲା- ଚାଲ କଫି ପିଇବା ।

-ଚାଲନ୍ତୁ ।

 

ଅଳ୍ପ କେତେ ପାହୁଣ୍ଡ ଯାଇ ସାର୍ଥକ କହିଲା-ତୁମେ ଏଠାରେ ଟିକିଏ ଠିଆ ହୁଅ, ମୁଁ ଦିଦିଭାଇକୁ ଫୋନ୍ କରି ଆସେ ।

 

ଦୂର୍ବା ସେଠାରେ ଠିଆହୋଇ ଚାରିପାଖର ଲୋକଙ୍କୁ ଦେଖୁଥାଏ । ଯୁବକ, ଯୁବତୀ, ପ୍ରୌଢ଼-ପ୍ରୌଢ଼ା, ବୃଦ୍ଧ-ବୃଦ୍ଧା, ସମସ୍ତଙ୍କ ମୁହଁରେ ଖୁସି ଖୁସି ଭାବର ଝଲକ । ସମସ୍ତେ ସୁଖୀ ମନେ ହେଉଛନ୍ତି । ବିଭଶାଳନ ହେଲେ ମଧ୍ୟ ସମସ୍ତେ ସ୍ୱଚ୍ଛଳ । ଅଭାବ, ଅନଟନ, ଦାରିଦ୍ର‌୍ୟର ଜ୍ୱାଳାରେ ସେମାନେ ଜଳିପୋଡ଼ି ମରନ୍ତି ନାହିଁ । ଏମାନେ ଭାଗ୍ୟବାନ୍ ଭାଗ୍ୟବତୀ ।

 

ହଠାତ୍ ତାର ମନକୁ ଆସିଲା-ଏମାନେ କଣ ବଙ୍ଗାଳୀ? ଏମାନେ କ’ଣ କଲିକତାର ବାସିନ୍ଦା? କିନ୍ତୁ କଲିକତାର ପଥଘାଟରେ ଏଭଳି ଭାଗ୍ୟବାନ୍ ଦେଖାଯାଆନ୍ତି ନାହିଁ । କଲିକତା ନାଁରେ କଣ ଆହୁରି ଗୋଟାଏ ସହର ଗଢ଼ିଉଠିଛି? ନନ୍ଦନ କ’ଣ ତେବେ ସେହି ନୂତନ କଲିକତାରେ? ତିନିଶହ ବର୍ଷର ଜରାଜୀର୍ଣ୍ଣ ଦୈନ୍ୟ-କଷ୍ଟ ସର୍ବସ୍ୱ କଲିକତାରେ ନୁହେଁ?

 

ସାର୍ଥକକୁ ଦେଖି ତାର ଭାବନାର ଅନ୍ତହେଲା । ସାର୍ଥକ କଫି ଆଣିଥିଲା । ଦୁହେଁଯାକ ପିଇଲେ ।

 

-ଚାଲ ଅଷ୍ଟାଦଶୀ ! ଏଥର ଫେରିଯିବା ।

- ଚାଲନ୍ତୁ ।

 

ଏଲିଜାବେଥ୍ ଦର୍ଶନାର୍ଥୀଙ୍କର ଗୋଟାଏ ଛୋଟକାଟର ଲାଇନ୍ । ସେମାନେ ତାଙ୍କପଛରେ ଠିଆ ହେଲେ । ଆସ୍ତେ ଆସ୍ତେ ଆଗେଇଲେ । ଶିଡ଼ିଦେଇ ଉପରକୁ ଉଠିଲେ । ହଲ୍‌ରେ ପ୍ରବେଶ କଲେ । ହାତରେ ଟର୍ଚ୍ଚ ଧରି ଜଣେ ଟିକେଟ୍ ଦେଖି ସିଟ୍ ଦେଖାଉଥାଏ । ଏକବାର ଆଗ ରୋ-ର ମଝି-ବ୍ଲକ୍‌ରେ ଗୋଟାଏ ପାଖରେ ପାଖାପାଖି ଦୁଇଟି ଆସନରେ ସେମାନେ ବସିବାମାତ୍ରେ ହଲ୍ ଅନ୍ଧାର ହେଲା ।

 

ଟିକିଏ ପରେ ଆରମ୍ଭ ହେଲା ଶେଖର କପୁରଙ୍କ ଅସାଧାରଣ ଫିଲିମ୍‌-ଏଲିଜାବେଥ୍ ।

 

ଆରମ୍ଭ ଦେଖି ଦୂର୍ବା ମୁଗ୍‌ଧ ହୋଇଗଲା । ସାର୍ଥକକୁ ମଧ୍ୟ ଖୁବ୍ ଭଲ ଲାଗିଲା । ସମସ୍ତେ ତନ୍ମୟ ହୋଇ ଛବିଦେଖୁଥାନ୍ତି । ମଝିରେ ସାର୍ଥକ କେତେବେଳେ ଦୂର୍ବାର ହାତ ଉପରେ ହାତରଖିଛି, ତାର ଖିଆଲ ନାହିଁ । ଦୂର୍ବାକୁ ଖୁବ୍ ବଲ ଲାଗୁଥାଏ ।

 

-ତା’ପରେ?

ଶିରଚ୍ଛେଦର ଦୃଶ୍ୟଦେଖି ଦୂର୍ବା ଭୟରେ ସାର୍ଥକର ହାତକୁ ଚାପି ଧରିଲା । ସାର୍ଥକ ନିଜ ମୁଠାରେ ତା ହାତକୁ ମୁଠାଇ ଧରି ନିର୍ଭୟତା ଯୋଗାଇଲା ।

 

ଘରକୁ ଫେରିବା ବାଟରେ ସାର୍ଥକ ପଚାରିଲା-ଅଷ୍ଟାଦଶୀ ସବୁମିଶି ଆଜିର ସମୟଟି କେମିତି କଟିଲା?

 

ଆଜିର ଦିନଟିକୁ ମୁଁ ଜୀବନରେ ଭୁଲି ପାରିବି ନାହିଁ ।

-କାହିଁକି?

 

ଦୂର୍ବା କହିପାରିଲା ନାହିଁ- ଆଜି ତା’ର ମନର ଦୀପାଳି-ଦୀପାନ୍ୱିତା ଭଳି ଆଲୋକ ଉଚ୍ଛ୍ୱାସରେ ଝଲମଲ କରି ଉଠିଛି । ମନ-ପ୍ରାଣ ଦେଇ ଯାହାକୁ ଭଲପାଏ, ଯାହାଙ୍କର ସାନ୍ନିଧ୍ୟରେ ମନ ଆନନ୍ଦରେ ପୂରିଉଠେ, ଯାହାଙ୍କୁ ଟିକିଏ ନିଃସଙ୍ଗରେ ନିବିଡ଼ ଭାବରେ ପାଇବାର ସ୍ୱପ୍ନ ଦେଖିଛି, ସେ କଣ ଆଜିର ସ୍ମୃତି ଭୁଲିପାରେ?

 

ସେ କେବଳ କହିଲା-ସାର! ମୁଁ କହିପାରିବି ନାହିଁ । ସାର୍ଥକ ହସିଲା । ମନେମନେ ଖୁସିହେଲା । ଗୋଟାଏ ଅଜଣା ସ୍ୱାଦ ମନେ ମନେ ଲାଭ କଲା ।

 

ଘରେ ପହଞ୍ଚିବା ମାତ୍ରେ ଦୂର୍ବା ତୃଣାକୁ କହିଲା- ଦିଦି ଭାଇ ! ଏଲିଜାବେଥ୍ ଦେଖି ମୁଗ୍‌ଧ ହୋଇଗଲି । ପ୍ରକୃତରେ ଗୋଟାଏ ଅସାଧାରଣ ଛବି ।

 

ତୃଣା କହିଲା- ସାନ ଭାଇ’ ତତେ କେମିତି ଲାଗିଲା?

-ଜଣେ ଭାରତୀୟ ଡିରେକ୍ଟର ଏଭଳି ଆନ୍ତର୍ଜାତିକ ଷ୍ଟାଣ୍ଡାର୍ଡ଼ର ଛବି କରିଛି ବୋଲି ମନରେ ଗର୍ବଆସେ ।

 

ପବିତ୍ର କହିଲା-ଠିକ୍ କହିଛ ସାନଭାଇ । ସତ୍ୟଜିତ୍‌ରାୟ କୁରେସି ଭଳି ବିଶ୍ୱବିଖ୍ୟାତ ପରିଚାଳକମାନେ ସବୁବେଳେ ନିଜ ନିଜର ଦେଶର ଗଳ୍ପ-ପରିବେଶ ଅଭିନେତା-ଅଭିନେତ୍ରୀ ମାନଙ୍କୁ ନେଇ ଛବି କରୁଛନ୍ତି । କିନ୍ତୁ ସେମାନେ ବିଦେଶରେ ବିଦେଶୀ କାହାଣୀ, ପରିବେଶ କିମ୍ବା ଆର୍ଟିଷ୍ଟମାନଙ୍କୁ ନେଇ ଛବି କରିନାହାନ୍ତି । ହୁଏତ କରିବାକୁ ଦ୍ୱିଧାବୋଧ କରିଛନ୍ତି ।

 

-ଠିକ୍ କଥା ।

ତୃଣା ସ୍ୱାମୀଙ୍କଆଡ଼କୁ ଚାହିଁ ଟିକିଏ ହସି କହିଲା, ଦୂର୍ବା ଶାଢ଼ି ପିନ୍ଧିଲେ କେଡ଼େ ସୁନ୍ଦର ଦିଶୁଛି, ନୁହେଁ କି?

 

ପବିତ୍ର ଦୂର୍ବା ଆଡ଼କୁ ଚାହିଁ କହିଲା- ଆଗ କାଳ ଭଳି କୁଳୀନମାନଙ୍କର ଏକାଧିକ ବିବାହ ପ୍ରଚଳନ ଆଜିକାଲି ଥିଲେ ଦୂର୍ବାକୁ ଆଉ ଫେରିଯିବାକୁ ଦେଇ ନ ଥାନ୍ତି । ବୃଦ୍ଧସ୍ୟ ତରୁଣୀ ଭାର୍ଯ୍ୟା...

 

ଦୂର୍ବା ହସି ହସି କହିଲା-ଜ୍ୱାଇଁ ବାବୁ, ଦୁଃଖ କରନ୍ତୁ ନାହିଁ । କାଲି ହିଁ କାଳୀଘାଟ ଯାଇ ଆମେ କାମଟା ସାରିଦେବା ।

 

ତୃଣା ଦୂର୍ବାକୁ କୁଣ୍ଢାଇ ଧରି କହିଲା- ମୁଁ ଆଉ ତୁମେ ତୁମେ କହି ପାରୁନାହଁ । ଏଣିକି ‘ତୁ’ ବୋଲି କହିବି ।

 

- କହନ୍ତୁ, କିଏ ଆପଣଙ୍କୁ ବାରଣ କରୁଛି?

- ତୁ ଏଣିକି ମତେ ଆଉ ‘ଆପଣ’ କହିବୁ ନାହିଁ ।

- ନା, କହିବି ନାହିଁ ।

ଦୂର୍ବା ଦୁଇ ହାତରେ ତୃଣାର କଣ୍ଠକୁ ବେଷ୍ଟନ କରି ଗାଇ ଉଠିଲା-

 

ରାତାରାତି କିଏ କଲା ଭରା ବଗିଚା ଫାଙ୍କା

ଲାଲ ପାଦର ଚିହ୍ନ ଖାଲି ଅଗଣାରେ ଅଙ୍କା

 

ତୋଳା ଫୁଲରୁ ବାରି ହୋଇପଡ଼େ ଛୁଆଁର ଗନ୍ଧ ମଖା

ସେ ତୃଣାର ମୁହଁ ଉପରେ ମୁହଁରଖି ଗାଇଲା–

ରାତାରାତି କିଏ କଲା ଭରା ବଗିଚା ଫାଙ୍କା

ତୃଣା କହିଲା-ଅପୂର୍ବ ।

ପବିତ୍ର କହିଲା-ଏଟା କ’ଣ ଗଜଲ?

ହଁ ଜ୍ୱାଇଁବାବୁ! ଏଇଟା ଅତୁଲ ପ୍ରସାଦଙ୍କ ଲେଖା ଗୋଟାଏ ଗଜଲ ।

ତୁମେ ଗଜଲ ମଧ୍ୟ ଗାଉଛ?

 

- ନା, ନା, ମୁଁ ଗଜଲ ଗାଇପାରେ ନାହିଁ । ବଡ଼ମା’ଙ୍କ ସାଙ୍ଗରେ ପଡ଼ି ଅତୁଲ ପ୍ରସାଦଙ୍କର ଦୁଇଚାରିଟା ଗଜଲ ଗାଇପାରେ । ପବିତ୍ର କହିଲା-ଆଉ କଥା ନାହିଁ । ଗଜଲ ଶୁରୁ କର ।

 

- ଏବେ ଗୀତ ଶୁଣିବେ ନା କ’ଣ?

- ହଁ, ଏବେ ଶୁଣିବି ।

ସଙ୍ଗେ ସଙ୍ଗେ ଦୂର୍ବା ପବିତ୍ର ଆଡ଼କୁ ଚାହିଁ ଆରମ୍ଭ କଲା-

 

ଆଜି ମୁଁ ତୁମକୁ ଦେଖିବାକୁ ଆସେ ଅନେକ ଦିନ ପରେ ଭୟ କରନା, ସୁଖରେ ଥାଅ, ବେଶୀ ସମୟ ରହିବି ନାହିଁ ମୁଁ ଆସିଛି ଦଣ୍ଡ ଦୁଇଟିପାଇଁ–

 

ଗୀତ ଶୁଣି ସମସ୍ତେ ହସିହସି ଲୋଟିଗଲେ ।

ଦୂର୍ବା ଗାଇ ଚାଲିଲା–

ଦେଖିବି କେବଳ ମୁହଁଟି ମାତ୍ର

ଶୁଣାଇବ ଯଦି ଶୁଣିବି ଗୀତ

 

ନୋହିଲେ ଯିବି ମୁଁ ଆଢ଼ୁଆଳେ ରହି ହସ ଦେଖି ଦେଶାନ୍ତରେ–

ଆଜି ମୁଁ ତୁମକୁ ଦେଖିବାକୁ ଆସେ ଅନେକ ଦିନର ପରେ ।

 

ତୃଣା ତାକୁ କୁଣ୍ଢାଇଧରି କହିଲା-ମାଉସୀ ! ମୁଁ ୟାକୁ ଆଉ ଫେରିଯିବାକୁ ଦେବିନାହିଁ ।

ପବିତ୍ର କହିଲା-ସେ ସବୁ କଥା ଏବେ ଛାଡ଼ । ତାକୁ ଗୀତ ବୋଲିବାକୁ ଏବେ ଦିଅ ।

 

ଦୂର୍ବା କହିଲା- ଜ୍ୱାଇଁବାବୁ! ଆପଣ କହନ୍ତୁ କେଉଁ ଗୀତ ବୋଲିବି ।

-ମୁଁ ଯାହା ଶୁଣିବାକୁ ଚାହୁଁଛି, ତୁମେ ତ ତାହା ଜାଣ ।

ସଙ୍ଗେ ସଙ୍ଗେ ସେ ଗାଇ ଉଠିଲା–

ଅନେକ କଥା ତୁମେ କହି ଯାଅ

ମୁଁ ପାରେନା କିଛି ବୋଲି

ତୁମର ଭାଷା ବୁଝିବାର ଆଶା

ଦେଇଛି ମୁଁ ଜଳାଞ୍ଜଳି ।

 

ଗୀତ କ’ଣ ଶୁଣିବେ, ସମସ୍ତେ ହସରେ ଫାଟି ପଡ଼ିଲେ ।

ଗୀତ ଶେଷକରି ଦୂର୍ବା ପଚାରିଲା–କ’ଣ ଜ୍ୱାଇଁବାବୁ! ଗୀତ ଭଲ ଲାଗିଲା ତ?

ରବିଠାକୁର ଓ ତୁମେ ଯାହା ଆରମ୍ଭ କରିଛ, ସେଥିରେ ତ କହିବାର କିଛି ନାହିଁ ।

 

-ଆଚ୍ଛା, ତା ହେଲେ ଶୁଣନ୍ତୁ–

ଭଲପାଇବାରେ ଭୁଲାଇବି ସିନା, ରୂପେ ଭୁଲାଇବି ନାହିଁ

ଗୀତ ଗାଇସିନା କବାଟ ଖୋଲିବି ହାତରେ ଖୋଲିବି ନାହିଁ ।

ପବିତ୍ର ଓ ତୃଣା ଏକାସାଙ୍ଗରେ କହିଉଠିଲେ–ଝିଅଟା ପ୍ରକୃତରେ ଭଲ ଗାଉଛି ।

ଦୂର୍ବା କହିଲା– ଏଥର ‘ମାୟାର ଖେଳ’ରୁ ଗୋଟାଏ କବିତା ଶୁଣନ୍ତୁ ।

 

ଜାଣିଶୁଣି ମୁଁ ଯେ ଜହର କରିଛି ପାନ, ପ୍ରାଣ ଆଶାଛାଡ଼ି ସଂପିଦେଲି ସିନା ପ୍ରାଣ । ଏହାପରେ ଦୂର୍ବା ଆହୁରି ଦୁଇ ତିନୋଟି ରବୀନ୍ଦ୍ର ସଂଗୀତ ଗାଇଲା । ତାପରେ ଦୂର୍ବା କହିଲା-ଅତୁଲ ପ୍ରସାଦଙ୍କଠାରୁ ଆରମ୍ଭ କଲି ଅତୁଲ ପ୍ରସାଦଙ୍କ ପାଖରେ ସାରିଲି ।

 

ପବିତ୍ର କହିଲା-ହଁ-ହଁ-ଶୁଣାଅ-ଶୁଣାଅ ।

ଦୂର୍ବା ବୋଲିଲା–

କ୍ଷମାକର ମୋତେ ତୁମକୁ ଯଦିମୁଁ ଉଠାଇଲି ଅକାରଣେ

ଦୁଇଦିନ ମାତ୍ର ସଂଗୀତ ପରଶି ପକ୍ଷୀ ଉଡ଼ିଯିବ ବନେ ।

 

ତୃଣା ହସି ହସି କହିଲା-ଏ ପକ୍ଷୀକୁ ଯିବାକୁ ଦେବ କିଏ? ତାପରେ ସୁଜାତା ଦେବୀଙ୍କୁ କହିଲା-ମାଉସୀ, ଏଇ ପୁତୁଲକୁ ପାଇ ଆପଣ ବେଶ୍ ଖୁସିରେ ଅଛନ୍ତି ।

 

-ହଁ ମା’ ଏଇ ପୁତୁଲପାଇଁ ଖୁବ୍ ଆନନ୍ଦରେ ଅଛି । ଏଇ ଝିଅଟା ମଧ୍ୟ ମତେ ନ ଦେଖି ବେଶୀ ସମୟ ରହି ପାରେନା । ଦୂର୍ବା କହିଲା– କେମିତି ପାରନ୍ତି ଯେ–? ଜାଣନ୍ତି ଦିଦିଭାଇ ମତେ ଯେତେବେଳେ ଦେଢ଼ବର୍ଷ ବୟସ, ମୋ ମା’ ଲାଗିଲାଗି ଦୁଇଥର ଟାଇଫଏଡ଼୍‌ରେ ପଡ଼ିଲେ । ସେହି ଦିନରୁ ବଡ଼ ମା’ଙ୍କ ପାଖରେ ରହିବାର ଅଭ୍ୟାସ ।

 

-ସତେ ନା କ’ଣ?

ସୁଜାତା ଦେବୀ କହିଲେ-ଏକେତ ଲାଗିଲାଗି ଦୁଇଥର ମାରାତ୍ମକ ରୋଗରେ ପଡ଼ିଲା । ତାପରେ ଏଭଳି ଦୁର୍ବଳ ଓ ରକ୍ତଶୂନ୍ୟ ହେଲା ଯେ ତିନିମାସ କାଳ ମଲ୍ଲିକାକୁ ଧରି ଧରି ବାଥ୍‌ରୁମ୍ ଓ ପାଇଖାନାକୁ ନେବାକୁ ପଡ଼ୁଥାଏ । ଏହି କେତେମାସରେ ପୁତୁଲ ମୋ ସହିତ ଏମିତି ମିଶିଗଲା ଭାବି ପାରିବ ନାହିଁ । ତା’ ମା’ ସୁସ୍ଥ ହେବାପରେ ମଧ୍ୟ ମଲ୍ଲିକା ପାଖକୁ ଯିବାକୁ ଚାହିଁଲା ନାହିଁ ।

 

ସାର୍ଥକ କହିଲା- ଜାଣିଛ ଦିଦି ଭାଇ, ମାଉସୀଙ୍କ ପାଖରେ ତାର ଯେତେକ ଅଳି-ଅର୍ଦ୍ଦଳି ।

 

ଦୂର୍ବା କହିଲା- କହନ୍ତୁ ଦିଦି ଭାଇ ! ଛୋଟବେଳରୁ ମାନିନେଇଥିବା ଅଳି-ଅର୍ଦ୍ଦଳି ଆଉ କଣ ଛାଡ଼ିହୁଏ?

 

ତୃଣା ହସିହସି କହିଲା- କସ୍ମିନ୍ କାଳେ ନୁହେଁ । ସାର୍ଥକ କହିଲା-ଦିଦିଭାଇ ! ତା ଜନ୍ମଦିନରେ ସାର୍ ଗୋଟାଏ ଶାଢ଼ି ଦେଲେ । ଆଉ ପୁଣି ମାଉସୀ ଗୋଟାଏ ଶାଢ଼ି ଓ ଗୋଟାଏ ହାର ଉପହାର ଦେଲେ ।

 

ଶୁଣିଲେ ତ ଦିଦିଭାଇ ! ଏଇଭଳି ପାଇପାଇ ମୋର ଅଭ୍ୟାସ ଖରାପ ହୋଇ ଯାଇଛି ।

 

ତୃଣା କହିଲା-ମୁଁ ଦେଖିଛି । ରାତିରେ ତୁମେ ମାଉସୀଙ୍କୁ ଯେଭଳି କୁଣ୍ଢାଇଧରି ଶୁଅ, ତାଦ୍ୱାରା ତୁମେ ତାଙ୍କର ମଧ୍ୟ କେତେ କି ଅଭ୍ୟାସ କରାଇଛ ।

 

ସୁଜାତା ଦେବୀ କହିଲେ-ସେ ପ୍ରତିଦିନ ମୋ ପାଖରେ କିଛି ସମୟ ନ ଶୋଇଲେ ମୁଁ ମଧ୍ୟ ରହି ପାରେନା ।

ତା ପରଦିନ ସକାଳେ ଚା ପିଇବା ବେଳେ ସାର୍ଥକ ପଚାରିଲା-ମାଉସୀ ! ଆପଣ କଣ ଖାଲି କାଳୀଘାଟ ଯିବାକୁ ଚାହାନ୍ତି?

 

-କାଳୀଘାଟରେ ମା’ଙ୍କର ଦର୍ଶନକରି ପାରିଲେ ମୁଁ ଖୁସି ।

ସାର୍ଥକ କହିଲା-ମାଉସୀ ! ଆପଣ କେବଳ କାଳୀଘାଟ ଦେଖି ଫେରିଆସିବେ କାହିଁକି? ଆପଣ ବେଲୁର ମଠ ଓ ଦକ୍ଷିଣେଶ୍ୱର ମଧ୍ୟ ଯିବେ । ଆପଣ ତ ବାରମ୍ବାର କଲିକତା ଆସିବାର ସୁଯୋଗ ପାଉନାହାନ୍ତି ।

 

-ସେ ସବୁ ଜାଗାକୁ ଯିବାକୁ ତ ସବୁବେଳେ ଇଚ୍ଛା ହୁଏ । ମାତ୍ର ଭୟ ଲାଗେ ଯଦି ଆଣ୍ଠୁର ଦରଜ...

 

-ବେଶୀ ଚଲାବୁଲା କରିବେ ନାହିଁ, ତା ହେଲେ ଆଣ୍ଠୁ ଦରଜ ହେବନାହିଁ ।

 

- ଠିକ୍ ଅଛି, ତାହେଲେ ବୁଲି ଆସିବା । ସେ ମୁହଁ ବୁଲାଇ କହିଲେ- ଆରେ ପୁତୁଲ! ତୁ ମୋ ସାଙ୍ଗରେ ଯିବୁ?

 

-ବଡ଼ମା ! ମୁଁ ଦିଦିଭାଇ ପାଖରେ ରହିବି, ତୁମେ ବୁଲିଆସ, ସାର୍ଥକ କହିଲା- ଆମେ ସକାଳେ କାଳୀଘାଟ ଯିବା । ସେଠାରୁ ଫେରି ଖାଇପିଇ ବିଶ୍ରାମ କରି ବେଲୁଡ଼-ଦକ୍ଷିଣେଶ୍ୱର ବୁଲିଯିବା ।

 

-ହଁ ବାବା, ସେଇଆ କର ।

ସୁଜାତା ଦେବୀ କାଳୀଘାଟ, ବେଲୁଡ଼ ଓ ଦକ୍ଷିଣେଶ୍ୱର ଦେଖି ଭାରି ଖୁସି । ସାରାଦିନ ଦୂର୍ବା ସହିତ ଗପକରି ତୃଣା ବି ଖୁସି । ରାତିରେ ଯଥାରୀତି ଆସର ବସିଲା । ଦୂର୍ବାର ସଙ୍ଗୀତ ଶୁଣାଇବା ହେଲା ।

 

ରବିବାର ସକାଳେ ସାର୍ଥକ ଅବିନାଶ ବାବୁଙ୍କୁ ଫୋନ୍ କଲା-ସାର୍ ଭଲ ଅଛନ୍ତି ତ?

- ହଁ ଭଲ ଅଛି । ତୁମେମାନେ ସମସ୍ତେ ଭଲ ଅଛତ?

- ହଁ ସାର୍ ସମସ୍ତେ ଭଲଅଛୁ ଓ ଖୁବ୍ ଖୁସିରେ ଅଛୁ ।

- ଭଲ-ଭଲ । ଆଉ ଶୁଣ ।

- ହଁ ସାର୍‌, କହନ୍ତୁ ।

 

- ହଁ ଶୁଣ । ଆମ କଲେଜ ଟିମ୍ ଫାଇନାଲ୍‌ରେ ଜିତିଛି । ତେଣୁ ସୋମବାର ଛୁଟି ।

- ତା ହେଲେ ଆମେ ଗଣଦେବତାରେ ଆସୁଛୁ ସୋମବାର ଦିନ ।

- ମଙ୍ଗଳବାର ଆସି ମଧ୍ୟ ତୁମେ କଲେଜ କରିପାର ।

 

- ସାର୍ ମାଉସୀଙ୍କୁ ମୋ ଦିଦି ଅନ୍ୟ ଗୋଟାଏ ଫ୍ଲାଟ୍‌କୁ ନେଇଛି । ମାଉସୀଙ୍କ ସାଙ୍ଗରେ ପରାମର୍ଶ କରି ମୁଁ ଆଜି ରାତିରେ ଜଣାଇବି ଆମେ କେବେ ଆସିବୁ ।

- ହଁ ଜଣାଅ ।

 

ସୁଜାତା ଦେବୀ କହିଲେ- ସାର୍ଥକ୍‌ ! ଗଣଦେବତାରେ ଯାଇ କ୍ଲାସ୍ ନେବାକୁ ତୁମକୁ ବହୁତ କଷ୍ଟ ହେବ । ତା ଛଡ଼ା ମଧ୍ୟ ଆମମାନଙ୍କପାଇଁ କେତେଦିନ ଅଫିସ୍ କମେଇ କରିବ?

 

ତୃଣା କହିଲା-ମାଉସୀ ! ଆପଣମାନେ ମଙ୍ଗଳବାର ଯାଆନ୍ତୁ, ସୋମବାର ଦିନ ଅଫିସ୍ ନ ଗଲେ ମୋର କୌଣସି ଅସୁବିଧା ହେବ ନାହିଁ ।

 

-ନା ମା’ । ଆମେ କାଲି ସକାଳେ ଯିବୁ । ପଅରିଦିନ ଗଲେ ତୁମ ଭାଇକୁ ବହୁତ କଷ୍ଟ ହେବ । ଟିକିଏ ରହି କହିଲେ-ଦିନେ ଦି’ଦିନ ଛୁଟି ପାଇଲେ ତୁମେ ଜ୍ୱାଇଁଙ୍କୁ ସାଙ୍ଗରେ ଧରି ଆମ ଘରକୁ ଆସ । ମୁଁ ମଧ୍ୟ ସୁଯୋଗ ଦେଖି ତୁମ ଘରକୁ ଆସିବି ।

 

ଦୂର୍ବା ସଙ୍ଗେସଙ୍ଗେ କହିଲା-ବଡ଼ମା’ ତୁମେ ଏକା ଆସିବ? ସୁଜାତା ଦେବୀ ହସି ହସି କହିଲେ- ମୁଁ ଏକା ଆସିବାକୁ ଚାହିଁଲେ ବି ତୁ କଣ ମତେ ଆସିବାକୁ ଦେବୁ?

 

-ମୁଁ ଆସିବାକୁ ଦେବିନାହିଁ । ତୁମର ମଧ୍ୟ ଏକା ଆସିବାର ସାହାସ ନାହିଁ ।

ସୁଜାତାଦେବୀ କହିଲେ-ତୃଣା ଦେଖ । ଝିଅଟା କେମିତି ମୋ ଉପରେ ଛଡ଼ି ବୁଲାଉଛି ।

 

ନାଟକ ଦେଖିବାକୁ ଯିବା ସମୟରେ ସାର୍ଥକ ତୃଣାକୁ କହିଲା- ଦିଦି ଭାଇ । ଫେରିବା ବାଟରେ ମୁଁ ଉଦୟ ଓ ଚନ୍ଦ୍ରିମା ସାଙ୍ଗରେ ଦେଖା କରି ଫେରିବି ।

 

- ସେମାନେ କ’ଣ କଲିକତାରେ?

- ଚନ୍ଦ୍ରିମା’କୁ ଡାକ୍ତର ଦେଖାଇବ ବୋଲି...

- କାହିଁକି? ତାର କଣ ହୋଇଛି?

–ଠିକ୍ ତ ଜାଣେନା । ତେବେ ସମଥିଙ୍ଗ୍ ଗାଇନାକୋଲୋଜିକାଲ୍‌–

-ଆଛା ।

 

ତୃଣା କହିଲା, ସେଠାରେ ଆଉ ଆଡ୍ଡା ଜମାଇବାକୁ ନାହିଁ । ନ’ଟା ଦଶଟା ଭିତରେ ଫେରିବୁ ।

 

-ନାଟକ ତ ଶେଷ ହେବ ସୱା ଆଠଟା, ସାଢ଼େ ଆଠଟାରେ । ସେମାନଙ୍କୁ ଦେଖାକରି ଫେରିବା ବେଳକୁ ଦଶଟା-ସାଢ଼େ ଦଶଟା ନିଶ୍ଚୟ ହେବ ।

 

–ଠିକ୍ ଅଛି । ଯେତେ ଶୀଘ୍ର ସମ୍ଭବ ଫେରିଆସିବୁ । କାଲି ଭୋର୍ ପାଞ୍ଚଟା ଭିତରେ ତୁମମାନଙ୍କୁ ବାହାରିବାକୁ ପଡ଼ିବ ।

 

- ତୁ କିଛି ଚିନ୍ତା କର ନା ।

ସାର୍ଥକ ଗାଡ଼ି ଚଳାଉଛି । ପାଖରେ ବସି ଦୂର୍ବା ବେଳେ ବେଳେ ମୁଗ୍ଧ ମନରେ, ମୁଗ୍ଧ ଦୃଷ୍ଟିରେ ତାକୁ ଦେଖୁଥାଏ ।

 

ପାଖ ପାଖ ବସି ନାଟକ ଦେଖିବାକୁ ଉଭୟଙ୍କୁ ଭଲ ଲାଗିଲା । ବାହାରିବା ସମୟରେ ଗେଟ୍ ପାଖରେ ଭିଡ଼ଯୋଗୁ ସାମାନ୍ୟ ଟିକିଏ ଠେଲାପେଲା ହେବାରୁ ସାର୍ଥକ ତା ହାତ ଧରିଲା । ଦୂର୍ବା ଆଉ ଗୋଟାଏ ହାତରେ ତା ହାତକୁ ଚାପି ଧରିଲା ।

 

ନାଟକ ଶେଷରେ ସେମାନେ ଉଦୟର ଘରେ ପହଞ୍ଚିବା ମାତ୍ରେ ଚନ୍ଦ୍ରିମା ଦ୍ୱାର ଖୋଲିଲା ।

-ଚନ୍ଦ୍ରିମା, ଏ ହେଉଛି ଦୂର୍ବା ।

-ଆଚ୍ଛା ।

 

ଦୂର୍ବା ତାକୁ ପ୍ରଣାମ କରନ୍ତେ ଚନ୍ଦ୍ରିମା ତା ହାତଧରି ଡ୍ରଇଁ ରୁମ୍‌କୁ ନେବା ମାତ୍ରେ ଉଦୟ ବାହାରି ଆସିଲା । ଚନ୍ଦ୍ରିମା ଚାପାହସ ହସି କହିଲା-ଏଇ ହେଉଛି ସାର୍ଥକଦାର ପ୍ରିୟତମା ଛାତ୍ରୀ ଦୂର୍ବା ।

 

ଦୂର୍ବା ତାଙ୍କୁ ମଧ୍ୟ ପ୍ରଣାମ କଲା ।

ଚନ୍ଦ୍ରିମା ସ୍ୱାମୀଙ୍କୁ କହିଲା-ଦେଖିଛ, ଏ ଦୁହିଙ୍କର ଯୋଡ଼ି କି ସୁନ୍ଦର ମାନୁଛି?

ଲଜ୍ଜାରେ ଦୂର୍ବା ଦୃଷ୍ଟି ଫେରାଇ ନେଲା । ସାର୍ଥକ ମଧ୍ୟ ଲଜ୍ଜାରେ ଜିଭ କାମୁଡ଼ିଲା ।

 

ଚନ୍ଦ୍ରିମା କହିଲା-ସାର୍ଥକଦା ! ଏତେ ଜିଭ କାମୁଡ଼ିବାକୁ ହେବ ନାହିଁ । ସହପାଠୀ-ସହପାଠିନୀ, ଛାତ୍ରୀ-ଅଧ୍ୟାପକ, ଡାକ୍ତର, ନର୍ସ, ଏମାନେ ହେଲେ ବଙ୍ଗଳା ଉପନ୍ୟାସର ପ୍ରଧାନ ଉପକରଣ । ଜାଣ ନା ବୋଧହୁଏ ?

 

- ବାଜେ ବକ୍‌ବକ୍ ନ କରି ଚଟାପଟ୍ କଫି ପିଆଇଲୁ । କଫି ପିଇ, ସେମାନଙ୍କ ସହିତ କଥାବାର୍ତ୍ତା କରି ସାର୍ଥକ ଦୂର୍ବା ସହିତ ଘରକୁ ଫେରିଲା ।

 

କିଛି ସମୟ ପରେ ସାର୍ଥକ ପଚାରିଲା-ଅଷ୍ଟାଦଶୀ ! କଲିକତା ଟୁର୍ କେମିତି ଲାଗିଲା?

 

-ଏତେ ଭଲ ଲାଗିଲା ଯେ କହି ପାରିବି ନାହିଁ । ଟିକିଏ ଚୁପ୍ ରହି ଦୂର୍ବା ପ୍ରଶ୍ନକଲା-ସାର୍‌ ! ଆପଣଙ୍କୁ କେମିତି ଲାଗିଲା? ସାର୍ଥକ ତା ଆଡ଼କୁ ଟିକିଏ ଚାହିଁ ଗୋଟାଏ ହାତରେ ତା ହାତକୁ ଚାପିଧରି କହିଲା-ଏତେ ଆନନ୍ଦ ମୁଁ କେବେ ବି ପାଇ ନ ଥିଲି ।

 

ଚାରିଟା ଭିତରେ ଉଠିବାକୁ ହେବ ବୋଲି ସେ ରାତିରେ ଆଉ ବେଶୀ ଆଡ୍ଡା ଜମିଲା ନାହିଁ-। ତେବେ ଦୂର୍ବାକୁ ଦୁଇ ତିନୋଟି ଗୀତ ବୋଲିବାକୁ ପଡ଼ିଲା । ସବାଶେଷରେ ସେ ଗାଇଲା–

 

ଉଭାଆଉ ସ୍ମୃତିସୁଧାରେ ବିଦାୟର ପାତ୍ର ଗୋଟି....

ପବିତ୍ର ଓ ତୃଣା ସେମାନଙ୍କୁ ବିଦାୟ ଜଣାଇବାକୁ ଷ୍ଟେସନ୍‌କୁ ଗଲେ । ସୁଜାତା ଦେବୀ କହିଲେ-ଜ୍ୱାଇଁବାବୁ! ମୋ ଝିଅକୁ ସାଙ୍ଗରେ ଆଣି ଆମ ଘରଆଡ଼େ କେବେ ଆସ ।

 

–ଆପଣଙ୍କ ଘରକୁ ସାଙ୍ଗରେ ନେଇ ନ ଗଲେ, ଆପଣଙ୍କର ଝିଅ ମତେ କଣ ଶାନ୍ତିରେ ରଖାଇଦେବ?

 

ଦୂର୍ବା ପବିତ୍ରକୁ ପ୍ରଣାମ କରି ହାତଦୁଇଟିକୁ ଜାବୁଡ଼ି ଧରି କହିଲା-ଜ୍ୱାଇଁବାବୁ! ଶୀଘ୍ର ଆସିବେ ।

 

-ହଁ-ହଁ ।

ତୃଣା ଦୂର୍ବାକୁ ଛାତିରେ ଭିଡ଼ିଧରି କହିଲା-ତୁମକୁ ମୁଁ ନ ଦେଖି ବେଶୀଦିନ ରହିପାରିବି ନାହିଁ ।

 

ସମସ୍ତଙ୍କ ମନ ଭାରାକ୍ରାନ୍ତ । ଗାର୍ଡ଼ ହୁଇସିଲ୍ ବଜାଇବା ମାତ୍ରେ ପବିତ୍ର କହିଲା-ଦୂର୍ବା ରାତିରେ ଶୋଇବା ପୂର୍ବରୁ ମୋ ଛବିଟାକୁ କରିବାକୁ ଯେମିତି ଭୁଲି ନ ଯାଅ ।

 

ସେମାନେ ହସୁ ହସୁ ଟ୍ରେନ୍‌ରେ ଉଠିଲେ ।

 

॥ ସାତ ॥

 

ହାଇଅର ସେକେଣ୍ଡାରୀ ରେଜଲ୍ଟ ବାହାରିବାରୁ ଦେଖାଗଲା, ଅନ୍ୟ ବର୍ଷ ତୁଳନାରେ ଚଳିତ ବର୍ଷ ପିଲାମାନେ ଖୁବ୍ ଭଲ ରେଜଲ୍ଟ କରିଛନ୍ତି । କେବଳ ସେତିକି ନୁହେଁ । ତିନିବର୍ଷ ପରେ ଏଥର ସାତଜଣ ଛାତ୍ର ଛାତ୍ରୀ ଫାଷ୍ଟ ଡିଭିଜନ୍‌ରେ ପାଶ୍ କରିଛନ୍ତି । ଅଧିକାଂଶ ଛାତ୍ର ଛାତ୍ରୀ ହିଷ୍ଟ୍ରି, ପଲିଟିକାଲ୍ ସାଇନ୍‌ସ୍ ଓ ବଙ୍ଗଳାରେ ଅନେକ ବେଶୀ ନମ୍ବର ରଖିଛନ୍ତି ।

 

କେବଳ ସେତିକି ନୁହେଁ । ଯେଉଁ କେତେଜଣ ଛାତ୍ରଛାତ୍ରୀ ସାର୍ଥକ ପାଖରେ ଅଲଗା ଭାବରେ ପଢ଼ିଛନ୍ତି ସେମାନେ ସମସ୍ତେ ତା ସବ୍‌ଜେକ୍ଟରେ ଲେଟର୍ ପାଇଛନ୍ତି । ସେମାନଙ୍କ ମଧ୍ୟରେ ଦୂର୍ବା ମଧ୍ୟ ଜଣେ । ଖବରଟା ଅଗ୍ନିଭଳି ସମଗ୍ର କଲେଜରେ ପ୍ରସାରିତ ହୋଇଗଲା । ସ୍ୱୟଂ ଅଧ୍ୟକ୍ଷ ସାର୍ଥକକୁ କହିଲେ- ଜାଣିଥିଲି, ତୁମେ ଜଣେ ଖୁବ୍ ଭଲ ଛାତ୍ର । କିନ୍ତୁ ବର୍ତ୍ତମାନ ସ୍ୱୀକାର କରୁଛି, ତୁମେ ମଧ୍ୟଜଣେ ଭଲ ଅଧ୍ୟାପକ । ଆଇ.ଆମ୍ ରିଏଲି ପ୍ରାଉଡ଼୍‍ ଅଫ୍ ୟୁ ।

 

ସାର୍ଥକ ବିନମ୍ର ନିବେଦନ କଲା-ସାର୍‌ ! ପିଲାମାନେ କେବଳ ମୋ ଯୋଗୁ ଭଲ କରିନାହାନ୍ତି ବରଂ ଆମଡିପାର୍ଟମେଣ୍ଟର ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନଙ୍କ ଯୋଗୁ ଉଲଙ୍ଘନ କରିଛନ୍ତି । ଆମ ଷ୍ଟୁଡେଣ୍ଟମାନେ ମଧ୍ୟ ଯଥେଷ୍ଟ ପରିଶ୍ରମ କରିଛନ୍ତି । ସେମାନେ ନିଜେ ଚେଷ୍ଟା ନ କଲେ....

 

ତା’ କଥା ମଝିରେ ଅଧ୍ୟକ୍ଷ କହିଲେ-ତୁମର ସବୁ କଥା ମାନି ନେଉଛି କିନ୍ତୁ ମୋ ମତରେ ଇଉର୍ କଣ୍ଟ୍ରିବ୍ୟୁସନ ଇଜ୍ ଦ ମୋଷ୍ଟ ଇମ୍ପୋଟାଣ୍ଟ ଫ୍ୟାକ୍ଟର୍ ।

 

ଅବିନାଶ ବାବୁ ମଧ୍ୟ ସାର୍ଥକକୁ ପ୍ରାଣଭରି ଅଭିନନ୍ଦନ ଜଣାଇଲେ । କିନ୍ତୁ ସୁଜାତା ଦେବୀ ଗର୍ବରେ ଫାଟିପଡ଼ିଲେ ।

 

-ଏଇ ପିଲାଟା ରାତିକୁ ଦିନ କରିଦେଇଛି । କେବଳ ତାରିପାଇଁ ଏ ବର୍ଷ ତୁମ କଲେଜରେ ଏତେ ଭଲ ରେଜଲ୍ଟ ହେଲା । ଅବିନାଶବାବୁ ଟିକିଏ ହସି କହିଲେ-ସେ କଥା ସମସ୍ତେ ସ୍ୱୀକାର କରୁଛନ୍ତି ।

 

- ଏ ସହରରେ ଯେତେ ଶିକ୍ଷକ-ପ୍ରଫେସର ପିଲାମାନଙ୍କୁ ପାଠ ପଢ଼ାନ୍ତି କେହି କହିପାରିବେକି ତାଙ୍କ ପାଖରେ ପଢ଼ୁଥିବା ସମସ୍ତ ପିଲା ଲେଟର୍ ପାଇଛନ୍ତି?

 

–ଠିକ୍ କହିଛ ।

ରେଜଲ୍ଟ ବାହାରିବା ଦିନ ହିଁ ଦୂର୍ବା ଅନ୍ୟ ସାଙ୍ଗମାନଙ୍କ ସହିତ ଯାଇ ସାର୍ଥକକୁ ପ୍ରଣାମ କରିଛି । କିନ୍ତୁ ସେ ଦିନ ବିଶେଷ କଥା ହୋଇନାହିଁ । ଦୁଇ ତିନିଦିନ ପରେ ସୁଜାତା ଦେବୀଙ୍କୁ ଦୂର୍ବା କହିଲା- ବଡ଼ମା! ମୁଁ ସେଦିନ ଯାଇ ସାର୍‌ଙ୍କୁ ପ୍ରଣାମ କଲି ମାତ୍ର ବିଶେଷ ଭାବରେ ଧନ୍ୟବାଦ୍ ଦେବାର ସୁଯୋଗ ପାଇଲି ନାହିଁ ।

 

-କାହିଁକି?

–ଆମେ ସେଦିନ ଦଳେ ପୁଅଝିଅ ମିଶିକରି ଯାଇଥିଲୁ । ଏତେ ଲୋକଙ୍କ ଭିତରେ କ’ଣ ବେଶୀକିଛି କଥା କୁହାଯାଇ ପାରେ?

 

–ନା-ନା, ଉଚିତ ମଧ୍ୟ ନୁହେଁ । ସାର୍ଥକ ତୋତେ ସ୍ପେଶାଲ୍‌ଭାବରେ ପଢ଼ାଇଥିଲା ବୋଲି ତ ତୋ ରେଜଲ୍ଟ ଏତେ ଭଲ ହୋଇଛି ।

 

-ତାହାତ ସତକଥା ନିଶ୍ଚୟ, ଯେଉଁ ସବ୍‌ଜେକ୍ଟରେ ପାଶ୍ କରିବି ନାହିଁ ବୋଲି ସନ୍ଦେହ ମନରେ ଥିଲା, ସେହି ସବ୍‌ଜେକ୍ଟରେ କେମିତି ଲେଟର୍ ପାଇଲି, ତାହା ଭାବି ମୁଁ ଆଶ୍ଚର୍ଯ୍ୟ ହେଉଛି । ଅସଲ କୃତିତ୍ୱ ତ ସାର୍‌ଙ୍କର ।

 

–ନିଶ୍ଚୟ ତା’ର କୃତିତ୍ୱ । ତେବେ ତୁ ମଧ୍ୟ ତା କହିବା ଭଳି ପଢ଼ିଛୁ, ଖଟିଛୁ ।

 

–ଯାହାହେଉ ବଡ଼ମା, ତୁମେ ସାର୍‌ଙ୍କୁ ଦିନେ ଆସିବାକୁ କୁହ । ଏହି ଜାଗାଛଡ଼ା ଆଉ ତ କେଉଁଠି ତାଙ୍କ ସହିତ କଥା କହିପାରିବିନି ।

 

ସୁଜାତା ଦେବୀ ଟିକିଏ ହସି କହିଲେ-ରବିବାର ଦିନ ଆସିବାକୁ ମୁଁ ତାକୁ ଆଜି ସକାଳେ ଫୋନ୍ କରିଛି ।

–ସେ ଆସିବାକୁ ରାଜି ହୋଇଛନ୍ତି?

 

–ମୁଁ ଡାକିଲେ ସେ କ’ଣ କେବେ ନା କହିପାରେ?

-ଭଲ ହେଲା । ଏହି ଶନିବାର ତ ମତେ ଶାନ୍ତି ନିକେତନ ଯିବାକୁ ହେବ ନାହିଁ ।

 

ରବିବାର ସାର୍ଥକ ଭୋର୍‌ରୁ ଉଠି ଗୌରୀକୁ ଦୁଇଘଣ୍ଟା ପାଠ ପଢ଼ାଇ ସ୍ନାନ ସାରି ନ’ଟା ପରେ ଅବିନାଶବାବୁଙ୍କ ଘରକୁ ଯିବାକୁ ବାହାରି ପଡ଼ିଲା । ମୁରାଡିହି କଲୋନୀର ବୃନ୍ଦାବନବାବୁଙ୍କ ଘରଠାରୁ ବକୁଲତଲା ପଡ଼ା ଖୁବ୍ ବେଶୀଦୂର ନୁହେଁ । ଅତିବେଶୀରେ ଦେଢ଼ରୁ ଦୁଇକିଲୋ ମିଟର । ରିକ୍‌ସାରେ ପନ୍ଦର ମିନିଟ୍‌ରେ ପହଞ୍ଚି ହୁଏ କିନ୍ତୁ ରେଳବ୍ରିଜ୍ ପାଖରେ ଗାଡ଼ି ଘୋଡ଼ାରେ ବେଶୀ ସମୟ ଲାଗେ । ତେବେ ସାଢ଼େ ନ’ଟା ବାଜୁ ନବାଜୁଣୁ ସାର୍ଥକ ପହଞ୍ଚିଗଲା ।

 

ତାକୁ ରିକ୍‌ସାରୁ ଓହ୍ଲାଉଥିବା ଦେଖି ଅବିନାଶବାବୁ ଡାକିଲେ-ଆସ, ଆସ, ସାର୍ଥକ ଆସ ।

 

ସାର୍ଥକ ଘର ଭିତରକୁ ପଶୁପଶୁ ସେ କହିଲେ- ବସ ।

ସେ ସାମନା ଚେୟାରରେ ବସିବା ପରେ ଅବିନାଶବାବୁ ପଚାରିଲେ-ତୁମର ଭଉଣୀ, ଭିଣୋଇ ଭଲ ଅଛନ୍ତି ତ?

 

ହଁ ସାର୍‌ ! ସେମାନେ ଭଲ ଅଛନ୍ତି ।

ତୁମ ଭିଣୋଇ ଭଳି ଭଉଣୀ ମଧ୍ୟ ଚାଟାର୍ଡ଼ ଏକାଉଣ୍ଟାଣ୍ଟ, ଏ କଥା ତୁମ ମାଉସୀଠାରୁ ମାତ୍ର ଦୁଇଦିନ ଆଗରୁ ଶୁଣିଲି ।

 

ସାର୍ଥକ ଖୁସିର ହସ ହସି କହିଲା-ହଁ ସାର୍‌! ସେ ଦୁହେଁଯାକ ଚାଟାର୍ଡ଼ ।

ତୁମ ଭଉଣୀ କଣ ବିବାହ ପୂର୍ବରୁ ଚାଟାର୍ଡ଼ ହୋଇଥିଲେ ?

 

–ଦିଦିର ଫାଇନାଲ୍ ପରୀକ୍ଷାର ଛ’ମାସ ଆଗରୁ ମା’ ସବୁଠିକ୍ ଠାକ୍ କରି ରଖିଥିଲେ । ପରୀକ୍ଷା ପରେ ବିବାହ ହେଲା ।

 

–ଆଚ୍ଛା ! ଅବିନାଶ ବାବୁ ପୁଣି କହିଲେ-ତୁମର ବାପା ତ ଷ୍ଟେଟ୍‌ବ୍ୟାଙ୍କ୍‌ର ଅଫିସର୍ ଥିଲେ-। ସେ ବି କ’ଣ ଚାଟାର୍ଡ଼ ଥିଲେ?

 

-ନା । ବାପା ମାଥେମେଟିକ୍‌ରେ ଏମ୍‌.ଏ.ଥିଲେ । ମୋ ଦିଦି ମଧ୍ୟ ମାଥ୍‌ମେଟିକ୍ସରେ ଅନର୍ସ ପରେ ଚାଟାର୍ଡ଼କଲା ।

 

–ବୁଝିପାରୁଛି, ସେ ଖୁବ୍ ଭଲ ଛାତ୍ରୀ ଥିଲା ।

-ହଁ ସାର୍‌ ! ଦିଦି ଖୁବ୍ ଭଲ ଛାତ୍ରୀ ଥିଲା । ଦିଦିର ପଡ଼ାରେ ଯେଉଁ ତିନିଜଣ ଛାତ୍ରୀ ମାଥ୍ ଅନର୍ସଦେଇ ପଢ଼ୁଛନ୍ତି, ସେମାନେ ଦିଦି ପାଖକୁ ପଢ଼ିବାକୁ ଆସନ୍ତି ।

 

ଠିକ୍ ସେହି ସମୟରେ ଦୂର୍ବା ଆସି କହିଲା- ବଡ଼ବାପା ! ସାର୍‌ଙ୍କୁ ବଡ଼ମା’ ଡାକୁଛନ୍ତି ।

 

ଅବିନାଶବାବୁ ସାର୍ଥକକୁ ଚାହିଁ କହିଲେ ଯା’ ଭିତରକୁ ଯା’ । ସାର୍ଥକକୁ ବାରଣ୍ଡାରେ ଆସୁଥିବାର ଦେଖି ସୁଜାତା ଦେବୀ ରୋଷେଇଘର ଦୁଆର ମୁହଁରେ ଠିଆହୋଇ କହିଲେ-ପୁତୁଲ-! ତୁ ସାର୍ଥକକୁ ନେଇ ଉପରେ ବସାଇ କଫି ଦେଇ ଆ ।

 

ସାର୍ଥକକୁ ଉପର ଘରେ ବସାଇ ଦୂର୍ବା ତଳକୁ ଯାଇ ଦୁଇ କପ୍ କଫି ହାତରେ ଧରି ଆସିଲା ।

 

ସାର୍ଥକ ତା ହାତରୁ କଫି କପ୍‌ଟି ନେଉ ନେଉଁ ପଚାରିଲା-ତୁମେ କାଲି ଶାନ୍ତି ନିକେତନ ଗଲ ନାହିଁ?

–ନା-ସାର୍ ।

 

–କାହିଁକି? ତୁମ ମାଉସୀ କ’ଣ ସେଠାରେ ନାହାନ୍ତି?

 

–ମାଉସୀ ସେଠାରେ ଅଛନ୍ତି । ମାତ୍ର ଆଜି ସଙ୍ଗୀତ ଭଳି ବାଙ୍ଗଲାଦେଶୀ ଛାତ୍ର ଛାତ୍ରୀ ମାନେ ମାଉସୀଙ୍କ ବାଡ଼ି ବଗିଚାରେ ପିକ୍‌ନିକ୍ କରିବେ । ତେଣୁ -

 

-ଆଚ୍ଛା !

-କଫିରୁ ଗୋଟିଏ ଢ଼ୋକ ନେଇ ସାର୍ଥକ ପଚାରିଲା-କୁହ ଅଷ୍ଟାଦଶୀ କେମିତି ଅଛ?

-ଭଲ ଅଛି ।

 

-ରେଜଲ୍ଟ ବାହାରିବା ଦିନ ତୁମେ ମୋ ଘରକୁ ଯାଇଥିଲ । ତାପରେ ଆଉ ଆସିଲ ନାହିଁ କାହିଁକି?

 

ଦୂର୍ବା ଏଥର ତା ମୁହଁକୁ ଚାହିଁ କହିଲା-ଆଜିକାଲିତ ଆପଣଙ୍କୁ ଏକୁଟିଆ ପାଇବା କାଠିକର ପାଠ । ସବୁ ବେଳେ ପାଖରେ କେହି ନା କେହି ଥାଆନ୍ତି । ତେଣୁ.... ସେ କଥାଟି ଶେଷ ନ କରି ଦୃଷ୍ଟି ଆନତ କଲା ।

 

ସାର୍ଥକ ଟିକିଏ ହସି କହିଲା-ସେଥିରେ କଣ ହେଲା? ଟିକିଏ ଚୁପ୍ ରହି ଦୂର୍ବା କହିଲା - ଅନ୍ୟମାନଙ୍କ ଆଗରେ କଥାବାର୍ତ୍ତା କରିବାକୁ ମତେ ଭଲ ଲାଗେନା । ସାର୍ଥକ ମନେ ମନେ ହସିଲା- ବେଶ୍ କିଛି ସମୟ କିଛି କହିଲା ନାହିଁ । ତାପରେ ପଚାରିଲା-ମାଉସୀ କଣ କରୁଛନ୍ତି?

 

-ବଡ଼ ମା’ ରନ୍ଧାବଢ଼ା କରୁଛନ୍ତି ।

-କାହିଁକି? ମାୟାଦି କିଛି କରୁନାହିଁ କି?

 

–ମାୟା ମାଉସୀ ଆଜି ସକାଳେ ତା ଭଉଣୀ ସହିତ ତାରାପୀଠକୁ ଯାଇଛି । ବେଳବୁଡ଼େ ଫେରିବ ।

 

-ତାହେଲେ ତ ମାଉସୀଙ୍କୁ ଖୁବ୍ କଷ୍ଟ ହେଉଥିବ । ଦୂର୍ବା ହସିହସି କହିଲା- ବଡ଼ ମା’ ରନ୍ଧାବଢ଼ା କରିବାକୁ ଖୁବ୍ ଭଲ ପାଆନ୍ତି । ତା’ଛଡ଼ା ସକାଳୁ ମୁଁ ତାଙ୍କ ପାଖରେ ସାହାଯ୍ୟ କରୁଥିଲି ।

 

–ତୁମେ ରନ୍ଧାବଢ଼ା ଜାଣିଛ?

–ନା ତେବେ ରାନ୍ଧିବାର ସମସ୍ତ ଆୟୋଜନ କରିପାରେ ।

–ଆଜି ମୁଁ ନ ଆସିଥିଲେ ମାଉସୀ ଓ ତୁମକୁ ଏତେ ପରିଶ୍ରମ କରିବାକୁ ପଡ଼ି ନଥାନ୍ତା ।

 

–ନା ସାର୍‌ ! ଇଏ କି ପରିଶ୍ରମଟାଏ । ବରଂ ବେଶ୍ ଭଲ ଲାଗିଲା । ସାର୍ଥକ ଦୂର୍ବାଆଡ଼କୁ ଚାହିଁ ଟିକିଏ ଚାପାହସ ହସି କହିଲା– ଶାଢ଼ି ପିନ୍ଧିଲେ ପ୍ରକୃତରେ ତୁମେ ଖୁବ୍ ସୁନ୍ଦର ଦିଶ । ନିଜର ଦେହ ଉପରେ ଥରେ ଦୃଷ୍ଟି ବୁଲାଇ ଆଣି ଦୂର୍ବା କହିଲା– ଏଇ ଶାଢ଼ିଟାତ ଦିଦିଭାଇ ଦେଇଛନ୍ତି । ଆଜି ପ୍ରଥମେ ପିନ୍ଧିଲି । ସାର୍ଥକ କହିଲା- ଶାଢ଼ିର ପ୍ରଶଂସା କରିନାହିଁ । ତୁମର ଲାବଣ୍ୟ ଯୋଗୁ ଶାଢ଼ିଟି ଭଲ ଲାଗୁଛି । ସେ ପ୍ରଶ୍ନ କଲା- ଏଥର କୁହ, କଣ ଅନର୍ସ ନେବ?

 

–ଅନର୍ସ ନେବାର କଥା ନ ଭାବିଲେ ବି ଠିକ୍ କରିଛି ଆପଣଙ୍କ ସବ୍‌ଜେକ୍ଟଟା ଅନର୍ସ ନେବି ।

-କାହିଁକି?

-ବର୍ତ୍ତମାନ ଏହି ସବ୍‌ଜେକ୍ଟଟା ଖୁବ୍ ଭଲ ଲାଗୁଛି । ତାଛଡ଼ା ଆପଣତ ଅଛନ୍ତି ।

–ମୁଁ ଯଦି ବର୍ଷେ ଦୁଇବର୍ଷପରେ ଚାଲିଯାଏ?

 

ତା ମୁହଁକୁ ଚାହିଁ ଦୂର୍ବା କହିଲା-ଆପଣଙ୍କୁ କିଏ ଯିବାକୁ ଦେବ? ସାର୍ଥକ ସେ କଥାରେ ନ ହସି ରହିପାରିଲା ନାହିଁ ।

 

–ହସୁଛନ୍ତି କାହିଁକି? ମୋର ଅନୁରୋଧ ଆପଣ ହେଲେ ଉପେକ୍ଷା କରିପାରିବେ ନାହିଁ ।

–କେମିତି ଜାଣିଲ?

 

–ମୁଁ ତ କେବଳ ଆପଣଙ୍କର ଛାତ୍ରୀ ନୁହେଁ । ମୁଁ ଆପଣଙ୍କର ଅଷ୍ଟାଦଶୀ ।

 

ଖୁସିରେ ସାର୍ଥକର ଅନ୍ତର ପୂରି ଉଠିଲା । କେତେକଥା କହିବାକୁ ଇଚ୍ଛାହେଉଥାଏ । ମାତ୍ର ସବୁକିଛି କହିପାରିଲା ନାହିଁ । କେବଳ ତାର ଗୋଟିଏ ହାତକୁ ଦୁଇହାତ ଭିତରେ ଧରି ରଖି କହିଲା-ହଁ, ପ୍ରକୃତରେ ତୁମେ ମୋର ଅଷ୍ଟାଦଶୀ ।

 

ଠିକ୍ ସେହି ସମୟରେ ସୁଜାତା ଦେବୀ ଘରେ ପ୍ରବେଶ କରି କହିଲେ-କିରେ ପୁତୁଲ । ସାର୍ଥକ ତତେ କଣ କହୁଥିଲା?-ଜାଣିଛ ବଡ଼ମା’ ସେ ମଝିରେ ମଝିରେ କହନ୍ତି-ମୁଁ ଏବେ ଚାଲିଯିବି-

 

–ତୁ କ’ଣ କହିଲୁ?

–ମୁଁ କହିଲି, ମୋର ଅନୁରୋଧ ଆପଣ କେବେହେଲେ ଉପେକ୍ଷା କରିବେ ନାହିଁ ।

ସୁଜାତା ଦେବୀ ଚେୟାରରେ ବସୁବସୁ କହିଲେ- ସେ ତାହା ତ କରିବ ନାହିଁ । ସେ କଣ ତତେ କମ୍ ଭଲ ପାଏ ଯେ ତତେ ଦୁଃଖ ଦେଇ ଚାଲିଯିବ ?

 

ଦୂର୍ବା କହିଲା-ଯଦି ପ୍ରକୃତରେ ଭଲ ପାଆନ୍ତି, ତେବେ ବେଳେବେଳେ ଚାଲିଯିବେ ବୋଲି କହନ୍ତି କାହିଁକି? ସୁଜାତା ଦେବୀ କହିଲେ-ସେ ତତେ ଭଲ ପାଆନ୍ତି ବୋଲି ତ ଏତେ ଯତ୍ନ କରି ପାଠ ପଢ଼ାଇ..... କଥା ମଝିରେ ଦୂର୍ବା କହିଲା-ସାର୍‌ଙ୍କ ଯୋଗୁ ମୋର ରେଜଲ୍ଟ ଏତେ ଭଲ ହେଲା- ଏ କଥା ମୁଁ କ’ଣ କେବେ ଅସ୍ୱୀକାର କରିଛି? ସୁଜାତା ଦେବୀ ତାକୁ ପାଖକୁ ଟାଣିନେଇ ତା ମୁଣ୍ଡରେ ହାତ ରଖି କହିଲେ-ଆରେ ପାଗଳୀ! ମୁଁ ତତେ କଥା ଦେଉଛି, ସାର୍ଥକ କେବେହେଲେ ତୋ ମନରେ ଦୁଃଖ ଦେବନାହିଁ ।

 

–ତୁମେ ଠିକ୍ ଜାଣ?

–ହଁ ମୁଁ ଠିକ୍ ଜାଣେ ।

ଦୂର୍ବା ସଙ୍ଗେ ସଙ୍ଗେ ସାର୍ଥକ ଆଡ଼କୁ ଚାହିଁ ପଚାରିଲା ସାର୍‌! ବଡ଼ ମା’ ଠିକ୍ କହୁଛନ୍ତି?

 

ସାର୍ଥକ ଟିକିଏ ହସି କହିଲା-ମା’ମାନେ ସନ୍ତାନର ମନର କଥା ଜାଣିପାରନ୍ତି, ଏ କଥା ତୁମେ ଜାଣନାହିଁ ? ଖୁସିରେ ଦୂର୍ବାର ମୁଖମଣ୍ଡଳ ଉଜ୍ଜ୍ୱଳ ହୋଇ ଉଠିଲା ।

 

ସୁଜାତା ଦେବୀ ଉଠି ଠିଆ ହେଲେ । କହିଲେ- ପୁତୁଲ! ମୁଁ ଟିକିଏ ମୁଣ୍ଡରେ ଦୁଇଢ଼ାଳ ପାଣି ଢ଼ାଳିଆସେ । ତା ପରେ ତିନିଜଣଯାକ ଖାଇ ବସିବା ।

 

–ହଁ ମାଉସୀ ଆପଣ ସ୍ନାନ କରି ଆସନ୍ତୁ ।

ସୁଜାତା ଚାଲିଯିବା ପରେ ସାର୍ଥକ କହିଲା-ଅଷ୍ଟାଦଶୀ ! ତୁମେ କଣ ଚାହୁଁଛ ମୁଁ ଚିରକାଳ ଏହି କଲେଜରେ ରହେ ।

 

–ନା, ତାହା ଚାହୁଁନାହିଁ । କାରଣ ମୁଁ ଭଲ ଭାବରେ ଜାଣେ ଯେ ଏଠାରେ ରହିଲେ ଆପଣଙ୍କର କୌଣସି ଉନ୍ନତି ହେବ ନାହିଁ ।

 

–ତାହେଲେ ଚାଲିଯିବାର କଥା କହିଲେ ଆପତ୍ତି କରୁଛ କାହିଁକି?

–ମୁଁ ବି.ଏ. ପରୀକ୍ଷା ଦେବା ଆଗରୁ ଆପଣ ଯାଇପାରିବେ ନାହିଁ ।

–ତା’ପରେ ମୁଁ ଯିବାକୁ ଚାହିଁଲେ ତୁମେ ଆପତ୍ତି କରିବ ନାହିଁ?

–ନା ।

 

ସାର୍ଥକ ଟିକିଏ ହସି କହିଲା- ସେତେବେଳେ ତୁମର ବୋଧହୁଏ ମନ ଦୁଃଖ ହେବନାହିଁ ।

–ନିଶ୍ଚୟ ହେବ । ମାତ୍ର ସାମୟିକ?

–ସାମୟିକ? ସାର୍ଥକ ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

 

ଦୂର୍ବା ହସି ହସି କହିଲା-ଆପଣ ଚାଲିଗଲେ ବୋଧହୁଏ ମତେ ଆଉ ଭଲ ପାଇବେ ନାହିଁ-। ସ୍ନେହ କରିବେ ନାହିଁ? ଗୀତ ଶୁଣିବାକୁ କହିବେ ନାହିଁ?

 

–ନା ! ତାହା କେମିତି ହେବ ।

ସାର୍ଥକ ତାର ହରିଣୀ– ଆଖି ଦୁଇଟିକୁ ଚାହିଁ କହିଲା, ତୁମକୁ ଚିରକାଳ ଭଲପାଇବି, ସ୍ନେହ କରିବି, ଗୀତ ଶୁଣାଇବାକୁ କହିବି । ଦୂର୍ବା ବେଶ୍ ଆତ୍ମପ୍ରତ୍ୟୟ ସହିତ କହିଲା-ତାହେଲେ ଦୁଃଖ କରିବି କାହିଁକି?

 

କେତେଦିନ ପରେ କଲେଜରେ ନୂଆବର୍ଷର ପାଠ ଆରମ୍ଭ ହେଲା, କେବଳ ଦୂର୍ବା ଯେ ବି.ଏ.କ୍ଲାସରେ ପଢ଼ିଲା, ତାହା ନୁହେଁ–ଥାର୍ଡ଼ ଇୟରରେ ଛାତ୍ର ଛାତ୍ରୀମାନେ ବିଦାୟ ନେଲେ । ସେମାନଙ୍କର୍ ଶୂନ୍ୟସ୍ଥାନ ମଧ୍ୟ ପୂର୍ଣ୍ଣହେଲା । ସୁଲଭ ପରିସର ଅତିକ୍ରମ କରି ଦଳେ ଛାତ୍ର ଛାତ୍ରୀ ଏଗାର କ୍ଲାସ୍‌ରେ ନାମ ଲେଖାଇ କଲେଜକୁ ଆସିଥିବାର ଗୌରବରେ ମାତିଉଠିଲେ ।

 

ପୁଣି ଅଧ୍ୟାପିକା ଚନ୍ଦ୍ରା ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଆରମ୍ଭ ହେଲା ନବୀନବରଣ ପ୍ରସ୍ତୁତି । ପିଲାମାନଙ୍କର ଆନନ୍ଦ ଓ କଳରବରେ ସମସ୍ତ କଲେଜ ମୁଖରିତ ହୋଇ ଉଠିଲା । ପ୍ରତୀକ୍ଷାର ଅନ୍ତ ଘଟାଇ ନବୀନବରଣ ଉତ୍ସବ ଆରମ୍ଭ ହେଲା । ନାଚ, ଗୀତ, ହାସ୍ୟକୌତୁକ, ଆବୃତ୍ତି, ଶ୍ରୁତିନାଟକ । ଯଥାରୀତି ସମସ୍ତ ଶେଷ ହେବା ପରେ ଦୂର୍ବା ଷ୍ଟେଜ୍‌କୁ ଆସିବା ମାତ୍ରେ ଆରମ୍ଭ ହେଲା ହାତ ତାଳି । ହାତତାଳି ବନ୍ଦ ହେବା ପରେ ଆରମ୍ଭ ହେଲା ସଙ୍ଗୀତପାଇଁ ଅନୁରୋଧ । ଏଇ ଉଦସୀ ହାଓଆର ପଥେପଥେ... । ଉଚ୍ଚସ୍ୱରରେ ଗୋଟିଏ ଝିଅ ଚିତ୍କାର କଲା-ମୁଁ ତୁମ ସଙ୍ଗେ ବାନ୍ଧିଛି ମୋର ପ୍ରାଣ । ଆହୁରି କେତେଜଣ କେତେ ଗୀତପାଇଁ ଅନୁରୋଧ କଲେ । ଦୂର୍ବା ଟିକିଏ ହସିଉଠି ଆରମ୍ଭ କଲା–

 

ମୁଁ ଯେଉଁ ସଙ୍ଗୀତ ଗାଏ, ଜାଣେନା ସେ କାହାର ଉଦ୍ଦେଶ୍ୟ- ଏହି ଗୀତ ସରିବା ପରେ ଅନ୍ୟଗୀତ ଆରମ୍ଭ ହେଲା । ଦୂର୍ବା ଗୋଟାଏ ପରେ ଗୋଟାଏ ଗୀତ ଗାଇ ଚାଲିଲା । ତାପରେ ଗାଇଲା-

 

କି ରାଗିଣୀ ବଜାଇଲ ହୃଦୟେ

ମୋହନ, ମନ ମୋହନ

ତାହା ତୁମେ ହିଁ ଜାଣ ହେ ତୁମେ ହିଁ ଜାଣ ।

ଅନାଇ ମୁଖକୁ ଶରଧାରେ

କି ଗୀତ ଗାଇଲ ନିରବରେ

କି ଘେନି ମୋହିଲ ମନ ଓ ପରାଣ

ତାହା ତୁମେ ଜାଣ ସିନା ତୁମେ ଜାଣ ।

 

ସାର୍ଥର କଥା ଅନୁସାରେ ରବିବାର ସକାଳେ ଦୂର୍ବା ଓ ଗୌରୀ ହାଜର । ସେମାନେ ବସିବାପରେ ସାର୍ଥକ ଦୂର୍ବାକୁ ଚାହିଁ କହିଲା-ତୁମେ ନିଶ୍ଚୟ ସ୍ୱୀକାର କରିବା ଗୌରୀର ଫାଇନାଲ ପରୀକ୍ଷା ଆସୁଛି । ତେଣୁ ତା ପ୍ରତି ଟିକିଏ ଅଧିକ ନଜର ଦେବା ଦରକାର ।

 

–ହଁ ସାର୍‌ ! ଠିକ୍ କହିଛନ୍ତି ।

–ମୁଁ ଭାବିଛି ସପ୍ତାହରେ ତୁମକୁ ଦୁଇଦିନ ଓ ଗୌରୀକୁ ତିନିଦିନ ପଢ଼ାଇବି ।

–ମୋର ତ ଏବେ ଫାଷ୍ଟ ଇଅର୍ । ଦୁଇଦିନ ପଢ଼ାଇଲେ ବି ଯଥେଷ୍ଟ ।

 

–ତୁମେ କେବେ କେବେ ଆସିବାକୁ ଚାହଁ?

–କେବଳ ଶନି ଓ ରବିବାର ଛଡ଼ା ଯେ କୌଣସି ଦିନ ଆସିପାରିବି ।

 

–ତାହେଲେ ତୁମେ ସୋମ ଓ ଶୁ‌କ୍ରବାର ଆସ । ଗୌରୀ! ତୁମେ ମଙ୍ଗଳ, ବୁଧ ଓ ଗୁରୁବାର ମୋ ପାଖରେ ପଢ଼ିବ । ଏଥିରେ ତୁମର ଅସୁବିଧା ହେବ ନାହିଁ ତ?

 

ଏକ ସଙ୍ଗରେ ଦୁହେଁଯାକ ଉତ୍ତର ଦେଲେ-ନା, ନା, କିଛି ଅସୁବିଧା ହେବନାହିଁ ।

 

ସାର୍ଥକ ପୁଣି କହିଲା-ତୁମକୁ ଏକଥା ବି କହି ଦେଉଛି ।

 

ତୁମେମାନେ ଯେତେବେଳେ ପ୍ରୟୋଜନ ବୋଧ କରିବ, ନିଃସଙ୍କୋଚରେ ଆସିବାକୁ ଦ୍ୱିଧା କରିବ ନାହିଁ ।

 

ଗୌରୀ ଟିକିଏ ହସି କହିଲା- ଆପଣଙ୍କ ପାଖକୁ ଆସିବାରେ ଆମର ଦ୍ୱିଧା କାହିଁକି ହେବ?

 

ଏହିଭଳି ଭାବରେ ସେମାନଙ୍କର ନୂତନ ପାଠପଢ଼ା ଆରମ୍ଭ ହେଲା । ଦୁଇ ତିନି ସପ୍ତାହପରେ ଦିନେ ସକାଳେ ଦୂର୍ବା ଆସିବା ପରେ ସାର୍ଥକ କହିଲା-ଆସ, ବସ । ତାପରେ ତାକୁ ଭଲ କରି ଦେଖି ସାର୍ଥକ କହିଲା-ଅଷ୍ଟାଦଶୀ! ଆଜିକାଲି ତୁମେ ନିୟମିତ ଶାଢ଼ି ପିନ୍ଧି ଏଠାକୁ ଆସୁଛ ଆଉ ସାଲୁଆର-କୁର୍ତ୍ତା ପିନ୍ଧି କଲେଜ ଯାଉଛ । ଆଗେ ତ....

 

–ସାଲୁଆର କୁର୍ତ୍ତା ପିନ୍ଧି କଲେଜ ଯିବା ଭଲ । ତାପରେ ହସି ହସି କହିଲା– ମୁଁ ଶାଢ଼ି ପିନ୍ଧିଲେ ଆପଣଙ୍କୁ ଭଲ ଲାଗେ ବୋଲି...

 

–ଶାଢ଼ି ପିନ୍ଧିଲେ ତୁମକୁ ଯେ ଖୁବ୍ ମାନେ, ଏକଥା କଣ ତୁମେ ଜାଣିନା?

ଦୂର୍ବା ତଳକୁ ମୁହଁ କରି ମନକୁ ମନ ହସିଲା । ସାର୍ଥକ କହିଲା-ଦିଅ, ଖାତା ଦିଅ, ଦେଖେ କ’ଣ ଲେଖିଛ । ପାଠ ପଢ଼ା ଆରମ୍ଭ ହେଲା ।

 

ପ୍ରାୟ ପ୍ରତିଦିନ କଲେଜ ଛୁଟିପରେ ସାଙ୍ଗହୋଇ ଚାରି ପାଞ୍ଚଜଣ ଛାତ୍ରଛାତ୍ରୀ ପଢ଼ିବାକୁ ଆସନ୍ତି । ସେମାନେ ଯିବାପରେ ସାର୍ଥକର ଛୁଟି । ସ୍ନାନ କରେ । ପାଇଜାମା ପଞ୍ଜାବି ପିନ୍ଧେ । ଶୋଇ ଶୋଇ ବହିପତ୍ର ପଢ଼େ ।

 

–ହାଲୋ । ହେ ଦିଦିଭାଇ! କହ ଖବର କ’ଣ?

ସେ ପାଖରୁ ତୃଣା ପଚାରିଲା– ଆଜି ତୋର ମାଉସୀ ସହିତ କଥା ହୋଇଛି ?

 

–ନା ଆଜି କଥା ହେଇନାହିଁ । ସେ ପହରିଦିନ ଖାଦ୍ୟ ପେୟ ଧରି ଆସିବା ପରଠୁ ଆଉ ଦେଖା ହୋଇନାହିଁ । କଥା ବି ହୋଇନାହିଁ ।

 

–ମାଉସୀ ଆଉ ଦୂର୍ବା ଦୁଇ ଦୁଇଥର ଚିଠିଦେବା କଥା ତ ତତେ କହିଛି ।

–ହଁ କହିଛୁ ।

 

ତୃଣା ହସିହସି କହିଲା-ଆଜି ସାତଟା ପୂର୍ବରୁ ମାଉସୀ ଫୋନ୍ କରିଥିଲେ ।

–କାହିଁକି?

 

–ସେ ବାରମ୍ବାର କହିଛନ୍ତି-ତୁମକୁ ତ ଜ୍ୱାଇଁ ଦେଖିବାକୁ ଖୁବ୍ ଇଚ୍ଛା ହେଉଛି । କାହିଁକି ଜାଣେନା, କାଲିରାତିରେ ଯେତେବେଳେ ନିଦଭାଙ୍ଗିଲା, ସେବେଠାରୁ ତୁମ ଦୁହିଁଙ୍କ କଥା କେବଳ ମନେ ପଡ଼ୁଛି ।

 

ସେ କଥା ଶୁଣି ସାର୍ଥକ ହସିଲା ।

–ତାପରେ ମାଉସୀ ଯିବାପାଇଁ ଏମିତି ଜଗର କଲେ ଯେ ମୁଁ କିମ୍ବା ଜ୍ୱାଇଁ କେହି ନାହିଁ କରିପାରିଲୁ ନାହିଁ ।

 

–ଭେରିଗୁଡ଼୍ । କେବେ ଆସୁଛୁ?

–ଆମେ ଶୁକ୍ର ଶନି ଛୁଟି ନେଉଛୁ ।

–ଆସ, ଆସ, ଖୁବ୍ ମଜା ହେବ ।

 

ତୃଣା କହିଲା- ଆମେ ଶୁକ୍ରବାର ଭୋର୍‌ରୁ ଗଣଦେବତା ଏକ୍ସ ପ୍ରେସ୍‌ରେ ଯାଉଛୁ । ପୁଣି ରବିବାର ସେହି ଟ୍ରେନ୍‌ରେ ଫେରିବୁ । ମାଉସୀଙ୍କୁ ଖବରଟା ଦେବୁ ।

 

ମାଉସୀଙ୍କ ସହିତ କଥା ହୋଇସାରି ତତେ ଫୋନ୍ କରୁଛି ।

ଠିକ୍ ହାୟ । ୱେଲ୍‌କମ୍ ଟୁ ସାଇଁଥିଆ । ରିସିଭର୍ ଥୋଉ ନ ଥୋଉଣୁ ପୁଣି ଟେଲିଫୋନ୍ ରିଙ୍ଗ୍ ହେଲା ।

ହାଲୋ ।

 

ସାର୍ଥକ ! ମୁଁ ମାଉସୀ ।

ମାଉସୀ ! ଏବେ ଏବେ ଦିଦିଭାଇ ଫୋନ୍ କରିଥିଲା ।

 

ତା ହେଲେ ସୁଖବରଟା ପାଇଛ ।

ହଁ ମାଉସୀ ପାଇଛି ।

 

ମୁଁ ଆଜି ସକାଳେ ତୃଣା ଓ ଜ୍ୱାଇଁଙ୍କୁ ଫୋନ୍ କରିଥିଲି ।

ହଁ ଦିଦିଭାଇ କହୁଥିଲା ।

ସେମାନେ ଯେ ମୋ ଡାକରାରେ ଆସୁଛନ୍ତି ସେ କଥା ଜାଣି ବହୁତ ଖୁସି ଲାଗୁଛି ।

 

ସେମାନେ କଣ ଆପଣଙ୍କ ଅନୁରୋଧ ଟାଳିଦେଇ ପାରିବେ?

ସେଇଆ ତ ଦେଖୁଛି । ସୁଜାତା ଦେବୀ ପୁଣି କହିଲେ ତୁମେ ଓ ତୁମର ଭଉଣୀ, ଭିଣୋଇ ପ୍ରକୃତରେ ମତେ ମା’ଭଳି ଶ୍ରଦ୍ଧା କର ।

 

ସାର୍ଥକ ଟିକିଏ ହସି କହିଲା-ମା’କୁ ତ ମା’ଭଳି ଶ୍ରଦ୍ଧା କରାଯାଏ ।

-ନା ବାବା ! ସମସ୍ତେ କରନ୍ତି ନାହିଁ । ତୁମେମାନେ ସତରେ ଭଲପିଲା । ତା ପରଦିନ କଲେଜରେ ଅବିନାଶବାବୁ ସାର୍ଥକର ମୁହାଁମୁହିଁ ହୋଇ ହସି ହସି କହିଲେ- ଝିଅଜ୍ୱାଇଁ ଅସୁଛନ୍ତି ବୋଲି ତୁମର ମାଉସୀ ଯେ କେତେ ଏକ୍‌ସାଇଟେଡ୍‌, ସେ କଥା ତୁମେ ଭାବି ପାରିବ ନାହିଁ ।

 

ସାର୍ଥକ ହସିଲା ।

ଆଜି ବୁଧବାର । ପଅରିଦିନ ସେମାନେ ଆସୁଛନ୍ତି ସୁତରାଂ ଆଜି କିମ୍ବା କାଲି ତୁମେ ତୁମ ମାଉସୀକୁ ଦେଖା କରିବ ।

 

–ସାର୍‌! ମୁଁ କାଲି ଆପଣଙ୍କ ସାଙ୍ଗରେ ଘରକୁ ଯିବି ।

–ହଁ ସେଇଆ କର ।

ସନ୍ଧ୍ୟା ପରେ ହଠାତ୍ ଦୂର୍ବା ଆସି ହାଜର ।

 

ସାର୍ଥକ ଅବାକ୍ ହୋଇ କହିଲା-ଘଟଣା କ’ଣ ଅଷ୍ଟାଦଶୀ? ଏତେବେଳେ କେଉଁ କାମରେ?

 

ଦୂର୍ବା ଟିକିଏ ହସି କହିଲା-ଏତେବାଟ ସାଇକେଲ ଚଲାଇ ଆସିଲି । ଆଗ ଟିକିଏ ବସିବାକୁ ଦିଅନ୍ତୁ । ତାପରେ ସବୁ କହିବି ।

 

–ହଁ ହଁ ବସ ।

ଦୂର୍ବାର ମୁହଁରେ ହସର ଢ଼େଉ । ତାପରେ ସେ କହିଲା-ଦିଦିଓ ଜ୍ୱାଇଁ ଆସୁଛନ୍ତି ବୋଲି ବଡ଼ମାଙ୍କର ଖୁସିର ସୀମା ନାହିଁ ।

 

–ସତେ ନା କ’ଣ?

–ସବୁଠାରୁ ଭଲ ବଲ ବିଛଣା ଚାଦର, ପିଲୋକଭର, ଝରକା ଓ ଦ୍ୱାରର ପରଦା ବାହାର କରି ଉପର ଦୁଇଟି ରୁମ୍‌ରେ ଆଜି ଲଗାଇବାକୁ ମତେ କହିଲେ ।

 

–ଦୁଇଟି ରୁମ୍ କାହିଁକି?

–ଠିକ୍ ଜାଣେନା, ତେବେ କଲିକତା ଭଳି ଜ୍ୱାଇଁଙ୍କପାଇଁ ଗୋଟିଏ କୋଠରୀ ଏବଂ ଦିଦି, ମୁଁ ଓ ମାଉସୀଙ୍କପାଇଁ....

 

–ଆଚ୍ଛା ବୁଝିଲି ।

–ଯାହା କହନ୍ତୁ ସାର୍‌, ତିନିଦିନ ବେଶ୍ ଆନନ୍ଦରେ କଟିବ ।

 

ମୁଁ ମୋ ମାଉସୀଙ୍କୁ ଫୋନ୍ କରି କହିଛି, ଭଉଣୀ ଭିଣୋଇ ଆସୁଥିବାରୁ ମୁଁ ଆସନ୍ତା ଶନିବାର ଯାଇପାରିବି ନାହିଁ ।

 

ସାର୍ଥକ ଟିକିଏ ହସି କହିଲା- ତାହେଲେ କେବଳ ମାଉସୀ ନୁହନ୍ତି ତୁମେ ବି ମାତି ଯାଇଛ-। ନାଚି ଉଠିଛ ।–ନାଚି ଉଠିବି ନାହିଁ । କଲିକତାରେ ଦିନ କେତେଟା କି ଆନନ୍ଦରେ କଟିଲା କହନ୍ତୁତ !

 

–ସେ ଆନନ୍ଦ କଣ କେବଳ ଭଉଣୀ ଭିଣୋଇଙ୍କପାଇଁ? ନନ୍ଦନ ଏକାଡେମୀ, ବଟାନିକାଲ ଗାର୍ଡ଼େନପାଇଁ ନୁହେଁ ?

 

–କଥାଟା କହିଦେଇ ସାର୍ଥକ ଟିକିଏ ଲଜିତ ହେଲା ।

କଥାଟା ଶୁଣି ଦୂର୍ବାର ସୁଖ ଆରକ୍ତ ବର୍ଣ୍ଣ ହୋଇ ଉଠିଲା । ଦୁଇ ଚାରି ମିନିଟ୍ ମୁହଁ ତଳକୁ କରି ବସି ରହିଲା । କିଛି କଥା କହିଲା ନାହିଁ । ଟିକିଏ ପରେ କହିଲା-ଆପଣଙ୍କ ସାଙ୍ଗରେ ବୁଲାବୁଲି କରି ଯେଉଁ ଆନ୍ନଦ ପାଇଛି, ତାହା ତ ଭେରି ଭେରି ସ୍ପେଶାଲ୍ ଆଣ୍ଡ ପର୍ସନାଲ୍ ।

 

–ନନ୍ଦନରେ ସିନେମା ଦେଖିବା କିମ୍ବା ଏକାଡେମୀରେ ନାଟକ ଦେଖିବା କଥା ସାଙ୍ଗମାନଙ୍କୁ କହିଛ?

 

–ଦୁଇଜଣ ସାଙ୍ଗଙ୍କୁ କହିଛି, କିନ୍ତୁ ଆପଣଙ୍କ ସାଙ୍ଗରେ ଯାଇଥିଲି ବୋଲି କହିନାହିଁ ।

 

–ତାହେଲେ କଣ ବୋଲି କହିଛ?

–କହିଛି, ଭଉଣୀ-ଭିଣୋଇଙ୍କ ସାଙ୍ଗରେ ଯାଇଥିଲି ।

 

–ଭଲ କରିଛ । ଟିକିଏ ଛାଡ଼ିଦୂର୍ବା ପଚାରିଲା-ସାର୍‌! ନନ୍ଦନ ଓ ଏକାଡେମୀରେ ସିନେମା, ଥିଏଟର ଦେଖି ଆପଣ ଖୁସି ହୋଇ ନାହାନ୍ତି ?

 

ତା ପ୍ରଶ୍ନ ଶୁଣି ସାର୍ଥକ ଆଶ୍ଚର୍ଯ୍ୟ ହେଲା । ବିସ୍ମୟରେ ତା’ଆଡ଼କୁ ଚାହିଁ ରହିଲା ।

-ସାର୍‌ ! ଜବାବ ଦେଲେ ନାହିଁ ଯେ–

 

ଖୁସିର ହସ ହସି ସାର୍ଥକ କହିଲା-ହଁ ଅଷ୍ଟାଦଶୀ ମୁଁ ବହୁତ ଆନନ୍ଦ ପାଇଚି ।

 

ସାର୍ଥକ ମନେମନେ ହସିଲା । ଭାବିଲା ଦୂର୍ବା ପ୍ରକୃତରେ ବଡ଼ ହେଲାଣି । ଗୋଟିଏ ପରେ ଗୋଟିଏ ମନର ଝରକା ଓ ପରଦା ଖୋଲୁଛି । ନିଜର କଥା କହିବାରେ ଓ ଯୁକ୍ତିରେ ଯେପରି ଟିକିଏ ବଳିଷ୍ଠ ହେଉଛି ।

 

ସେମାନଙ୍କୁ ରିସିଭ କରିବାକୁ ଅବିନାଶ ବାବୁ ଓ ସାର୍ଥକ ଷ୍ଟେସନ୍‌କୁ ଗଲେ । ଟ୍ରେନ୍‌ରୁ ଓହ୍ଲାଇ ତୃଣା ଓ ପବିତ୍ର ଅବିନାଶବାବୁଙ୍କୁ ପ୍ରଣାମ କଲେ । ଅବିନାଶ ବାବୁ ସେମାନଙ୍କୁ ଆଶୀର୍ବାଦ କଲେ । ସେମାନେ ରିକ୍‌ସାରୁ ଓହ୍ଲେଇ ବାରଣ୍ଡାରେ ପାଦ ଦେଉନଦେଉଣୁ ସୁଜାତା ଦେବୀ ସେମାନଙ୍କୁ ଛାତିରେ କୁଣ୍ଢାଇ ଧରିଲେ । କହିଲେ ମୁଁ କହିବାମାତ୍ରେ ତୁମେମାନେ ରାଜିହୋଇ ଆସିଥିବାରୁ ମୁଁ ଯେ କେତେ ଆନନ୍ଦିତ ତାହା ଭାଷାରେ ପ୍ରକାଶ କରିପାରୁନାହିଁ । ସେମାନେ ମଧ୍ୟ ସୁଜାତା ଦେବୀଙ୍କୁ ପ୍ରଣାମ କରି କହିଲେ-ଆମେ ମଧ୍ୟ ଆପଣଙ୍କ ଦର୍ଶନ ଲାଭ କରି ଖୁବ୍ ଆନନ୍ଦିତ । ଦୂର୍ବା ପ୍ରଣାମ କରିବାକୁ ଯିବାରୁ ତୃଣା ତାକୁ ଛାତିରେ କୁଣ୍ଢାଇ ଧରି କହିଲା- ତୋତେ ପୁଣିଥରେ ପ୍ରାଣଭରି ପାଖରେ ପାଇବି, ଏଇ କଥା ଭାବି ମୁଁ ମାଉସୀଙ୍କ ଫୋନ୍ ପାଇବା ମାତ୍ରେ ଚାଲି ଆସିଲି-

 

ଦୂର୍ବା ପ୍ରଣାମ କରିବାରୁ ପବିତ୍ର କହିଲା ମାଇଁ ଡିଅର କଲେଜ ଗାର୍ଲ । ମୁଁ ଆସିଛି ମାଉସୀଙ୍କର ଶ୍ରଦ୍ଧା ଓ ତୁମର ଗୀତ ଶୁଣିବା ଲୋଭରେ ।

 

ଏତେ ଦୂରରୁ ଯେତେବେଳେ ଆସିଛନ୍ତି ମୁଁ ନିଶ୍ଚୟ ଗୀତ ଶୁଣାଇବି । ଜାଣିଛ ଦିଦିଭାଇର-ତୁମମାନଙ୍କପାଇଁ ମୁଁ ଆଉ ଦୁଇଦିନ କଲେଜ ଯିବି ନାହିଁ ।

 

ତୃଣା ତାକୁ ଛାତିକୁ ଆଉଜାଇ ନେଇ କହିଲା-ତତେ ପାଖରେ ନ ପାଇଲେ ମୁଁ ରହିପାରିବି?

 

ସୁଜାତା ଦେବୀ ସେମାନଙ୍କୁ ନେଇ ଉପର ଘରକୁ ଯିବାକୁ ବାହାରିବାରୁ ଅବିନାଶବାବୁ କହିଲେ-ପବିତ୍ର ମୁଁ କଲେଜ ଯାଉଛି ।

 

-ହଁ ମଉସା, କଲେଜ ଯାଆନ୍ତୁ । ବେଳବୁଡ଼େ ତ ଦେଖାହେବ । ହଁ, ମୁଁ ଚାରିଟା ସାଢ଼େ ଚାରିଟା ଭିତରେ ଫେରିବି ।

 

ଏଥର ସେ ସାର୍ଥକକୁ ପଚାରିଲେ-ତୁମେ କ’ଣ କଲେଜ ଯାଇ ପାରିବ?

 

–ହଁ ସାର୍‌ ! ଗୋଟାଏ ପୂର୍ବରୁ ମୁଁ ପହଞ୍ଚିବି । ଗୋଟାଏରୁ ମୁଁ ଲାଗ ଲାଗ ଚାରିଟା କ୍ଲାସ ନେବି । ଅବିନାଶ ବାବୁ ବାହାରିଯିବାପରେ ସେମାନେ ସମସ୍ତେ ଉପରକୁ ଗଲେ । ଘରେ ପାଦ ରଖୁରଖୁ ତୃଣା ପଚାରିଲା-ଏ ଘର କ’ଣ ଆପଣ ସଜାଇଛନ୍ତି ?

 

–ନା ମା, ମୁଁ କିଛି କରିନାହିଁ । ସବୁକିଛି ମୋ ପୁତୁଲ କରିଛି । ତୃଣା ଦୂର୍ବାକୁ ଚାହିଁ କହିଲା- ତୁ ପ୍ରକୃତରେ ଶିଳ୍ପୀ । ଭାରି ସୁନ୍ଦର ରୁଚିବୋଧ । ମାୟା କଫି କପ୍ ଓ ଟ୍ରେ ସେଣ୍ଟର୍ ଟେବୁଲ୍ ଉପରେ ରଖି ପବିତ୍ର ଓ ତୃଣାକୁ ପ୍ରଣାମ କଲା । ତୃଣା ତାକୁ କହିଲା-ମାଉସୀଙ୍କଠାରୁ ତୁମର ପ୍ରଶଂସା ଖୁବ୍ ଶୁଣିଛି ।

 

–ମା’ କାହାକୁ ବି ଖରାପ କହିପାରନ୍ତି ନାହିଁ । ସେ ସମସ୍ତଙ୍କୁ କଫି ଦେଇ ତଳକୁ ଗଲା ।

 

କଫି ପିଉପିଉ ସାର୍ଥକ କହିଲା-ଭାଇ ମୁଁ ସାଢ଼େ ବାରଟା ବେଳକୁ କଲେଜ ଯିବି । ସନ୍ଧ୍ୟାବେଳେ ଆପଣ ମୋ ବସାଆଡ଼େ ଆସିବେ କି?

 

–ଆଗେ ତୁମେ ଏଠାକୁ ଆସ, ତାପରେ ଦେଖିବା । ତୃଣା ବି କହିଲା-ହଁ ସୁନାଭାଇ! ତୁ ଶୀଘ୍ର କଲେଜରୁ କାମ ସାରି ଫେରିଆ, ତାପରେ.... ସୁଜାତା ଦେବୀ କହିଲେ-ସାର୍ଥକ, ତୁମେ କଲେଜକୁ ଯିବ ଯ॥, କିନ୍ତୁ ଏଇ ଦୁଇଦିନ ଆମର ଏଠାରେ ରହିବ । ରାତିରେ ବି ତୁମେ ଫେରି ଯାଇ ପାରିବ ନାହିଁ । ସାର୍ଥକ ଟିକିଏ ହସି କହିଲା-ମାଉସୀ! ମୁଁ ଯଦି ରାତି ସାଢ଼େ ଦଶଟା କିମ୍ବା ଏଗାରଟା ଯାଏ ଗପ କରି ତାପରେ ଫେରିଯାଏ, ତେବେ ଆପଣଙ୍କର ତ ଆପତ୍ତି କରିବାର କିଛି ନାହିଁ ।

 

–ହଁ, ମୋର ଆପତ୍ତି ଅଛି ।

ତାଙ୍କ କଥାରେ ସମସ୍ତେ ହସିଲେ ।

 

ସୁଜାତା ଦେବୀ କହିଲେ-କଲିକତାରେ କେତେରାତି ପର୍ଯ୍ୟନ୍ତ ସଂଗୀତ, ଗପସପ ଚାଲୁଥିଲା କ’ଣ ମନେ ନାହିଁକି?

 

ତୃଣା ହସି ହସି କହିଲା-ମାଉସୀ, ମୋ ଭାଇ ନିଶ୍ଚୟ ରହିବ । ଠିକ୍ ସେହି ସମୟରେ ଦୂର୍ବାର ମା’ ଘରଭିତରକୁ ପଶିଆସିବା ଦେଖି ସୁଜାତା ଦେବୀ କହିଲେ- ମଲ୍ଲିକା, ଆ’ ।

 

ମଲ୍ଲିକା ଆସିବାମାତ୍ରେ ସୁଜାତା ଦେବୀ କହିଲେ-ତୃଣା, ଇଏ ହେଉଛନ୍ତି ପୁତୁଲର ମା’ ।

 

ତୃଣା ତରବରରେ ଉଠି ପ୍ରଣାମ କଲା କିନ୍ତୁମଲ୍ଲିକା କୌଣସିମତେ ପବିତ୍ରକୁ ପ୍ରଣାମ କରିବାକୁ ଦେଲେ ନାହିଁ ।

 

ତାପରେ ତୃଣା ହସି ହସି ସୁଜାତା ଦେବୀଙ୍କୁ କହିଲା- ମାଉସୀ! ଏହି ସାନମାଉସୀ ଦେଖିଲେ ମନେ ହେଉଛି- ଯେପରି ଆପଣଙ୍କ ପୁତୁଲ ଏବଂ ଇଏ ଦୁଇ ଭଉଣୀ । ତାଠାରୁ କଥା ଛଡ଼େଇ ନେଇ ଦୂର୍ବା କହିଲା-ହଁ ଦିଦିଭାଇ, ତୁମେ ଠିକ୍ କହିଛ । ରାସ୍ତାରେ ଅପରିଚିତ ଲୋକେ ମା’କୁ ଓ ମତେ ଦେଖି ସେଇଆ କହନ୍ତି ।

 

ମଲ୍ଲିକା ତାକୁ ଭୁରୁଡ଼ିଟାଏ ଦେଇ କହିଲେ-ତୁ ଚୁପ୍‌କର । କେବେ କିଏ ଥରେ ରାସ୍ତାରେ କଣ କହିଥିଲା....

 

ସୁଜାତା ଦେବୀ ଟିକିଏ ହସି କହିଲେ-ମଲ୍ଲିକା! ତୁ ରାଗୁଛୁ କାହିଁକି? ତୁ ଏବେ ବି ଦେଖିବାକୁ ଏତେ ସୁନ୍ଦରୀ ଯେ ପୁତୁଲ୍ ତୋ ଝିଅ ବୋଲି କେହି ଭାବି ପାରିବେ ନାହିଁ ।

 

–ତୁମେ ତ ତୁମର ପୁତୁଲ ତରଫ ନେଇ ନିଶ୍ଚୟ କହିବ ।

ତୃଣା ହସିହସି କହିଲା-ଛୋଟ ମାଉସୀ ! ପୁତୁଲ କଣ ଆପଣଙ୍କର କେହି ନୁହେଁ?

 

ମଲ୍ଲିକା କହିଲେ-ମୁଁ କେବଳ ତାକୁ ଜନ୍ମ ଦେଇଛି । କିନ୍ତୁ ଦିଦି ଅସଲରେ ତାକୁ ମଣିଷ କରିଛନ୍ତି ।

–ହଁ ଶୁଣିଛି ।

 

–ତାର ଯେତେ ଅଝଟ, ସବୁ ଦିଦିଙ୍କ ପାଖରେ, ମତେ କି ତା ବାପାଙ୍କୁ ତ ସେ କିଛି କେବେ କହେନା ।

 

ଏଇଭଳି କଥାବାର୍ତ୍ତା ପରେ ମଲ୍ଲିକା କହିଲେ-ତୃଣା ! କାଲି ରାତିରେ ତୁମେ, ତୁମର ଭାଇ ଓ ଜ୍ୱାଇଁବାବୁ ଆମ ଘରେ ଖାଇବ ।

 

ପବିତ୍ର କହିଲା- ସାନମାଉସୀ କେବଳ ମୋତେ ଖୁଆଇବେ । ସେ ପେଟୁ ଭାଇଭଉଣୀ ଦୁହେଁ ମୋ ସାଙ୍ଗରେ ଭାଗ ବସାଇଲେ ମୋ ଭାଗ୍ୟକୁ ବିଶେଷ କିଛି ଜୁଟିବ ନାହିଁ ।

 

ସେ କଥା ଶୁଣି ସମସ୍ତେ ହସିଲେ ।

ମଲ୍ଲିକା କହିଲେ-ସେମାନେ ଯେତେପେଟୁ ହୁଅନ୍ତୁ ନା କାହିଁକି ପ୍ରଥମେ ତୁମକୁ ଖୁଆଇ ସାରି ସେମାନଙ୍କୁ ଦେବି ।

 

–ବାସ୍ । ତା ହେଲେ ଆଉ ଆପତ୍ତି ନାହିଁ ।

କିଛି ସମୟ ପରେ ସାର୍ଥକ ଖିଆପିଆ ସାରି କଲେଜ ଗଲା । ତେବେ ଯିବା ଅଗରୁ ଭଉଣୀ, ଭିଣୋଇଙ୍କୁ କହିଲା- କଲେଜ୍ ପରେ ମୋ ପାଖକୁ ଚାରିଜଣ ପୁଅଝିଅ ପଢ଼ିବାକୁ ଆସିବେ-। ତାଙ୍କୁ ପଢ଼ାଇସାରି ସନ୍ଧ୍ୟାବେଳକୁ ମୁଁ ଆସିବି ।

 

ତୃଣା କହିଲା-ଟିକିଏ ଚଞ୍ଚଳ ଆସିବାକୁ ଚେଷ୍ଟା କରିବୁ । ସାର୍ଥକ ବାହାରି ଯିବାପରେ ପୁଣି କଫିଆସିଲା । ତା ସହିତ ଗପସପ ପୁଣି ଜମିଗଲା ।

 

ତୃଣା ପଚାରିଲା-ମାଉସୀ ! ଆପଣଙ୍କ ବାପଘର କେଉଁଠି?

–ଆମେ ପ୍ରକୃତରେ କଟକର ଲୋକ । ଯୋଡ଼ାଶଙ୍ଖା ଠାକୁରବାଡ଼ିର ଓଡ଼ିଶାରେ ଯେଉଁ ଜମିଦାରୀ ଥିଲା, ସେହି ସିରସ୍ତାରେ ମ୍ୟାନେଜର ଥିଲେ ମୋ ଜେଜେବାପାଙ୍କର ବାପା । ମୋ ବାପା ପୁରୀରେ ଓକିଲାତି କରୁଥିଲେ । ତେବେ ପ୍ରକୃତର ମୋର ଜନ୍ମ ମୋ ମାମୁଘର ଜଲପାଇଗୁଡ଼ିରେ ।

 

-ଆପଣ କ’ଣ ପୁରୀରେ ବଢ଼ିଛନ୍ତି?

-ହଁ ।

 

ତୃଣା ଟିକିଏ କୌତୁକ ହସ ହସି ପଚାରିଲା-ପୁରୀର ଝିଅ ହୋଇ ଆପଣ ଏଠାରେ ବିବାହ କଲେ କେମିତି?

 

ସୁଜାତାଦେବୀ କହିଲେ-ପିଲାବେଳେ ଆମେ ଆବୃତ୍ତି କରୁଥିଲୁ । ପଞ୍ଚମ ଷଷ୍ଠ ଶ୍ରେଣୀରେ ପଢ଼ିବା ବେଳରୁ-ପୁରୀର ବଙ୍ଗାଳୀମାନଙ୍କର ନବବର୍ଷ-ବିଜୟା-ବୈଶାଖର ଅନୁଷ୍ଠାନରେ ମୁଁ ନିୟମିତ କବିତା ଆବୃତ୍ତି କରୁଥିଲି ।

 

ତୃଣା ଓ ପବିତ୍ର ଚୁପ୍ କରି ଶୁଣୁଥାନ୍ତି । ବିଜୟା ମିଳନର ଉତ୍ସବରେ ଖୁବ୍ ଭିଡ଼ ଜମେ ।

–କାହିଁକି?

 

-ଯେଉଁ ବଙ୍ଗାଳୀମାନେ ପୂଜାବେଳରେ ବୁଲିବାକୁ ଯାଇଥାଆନ୍ତି ସେମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଏ ।

-ଆଚ୍ଛା ।

 

-ସେଥର ଏହି ଅନୁଷ୍ଠାନରେ ମୋର ଶ୍ୱଶୁର-ଶାଶୂ ମଧ୍ୟ ଥିଲେ । ମୋର ଆବୃତ୍ତିରେ ସେମାନେ ଏତେ ଖୁସିହେଲେ ଯେ ଶେଷରେ ମୋତେ ବୋହୂ କରି ଆଣିଲେ ।

 

-ସେତେବେଳେ ଆପଣଙ୍କ ବୟସ କେତେ? କେଉଁ କ୍ଲାସ୍‌ରେ ପଢ଼ୁଥିଲେ?

–ମୁଁ କ୍ଲାସ୍‌ନାଇନ୍‌ରେ ପଢ଼ୁଥିଲି, ବୟସ ପ୍ରାୟ ଚଉଦ । ପବିତ୍ର ପଚାରିଲା-ମୋଉସା ସେତେବେଳେ କ’ଣ କରୁଥିଲେ ।

 

-ସେ ସେତେବେଳେ ଏମ୍‌.ଏ.ପଢ଼ୁଥିଲେ ।

ସୁଜାତା ଦେବୀ ପୁଣି କହିଲେ-ବିବାହର କେତେଦିନ ପରେ ମୋ ଶ୍ୱଶୁର ମୋତେ ପୁରୀରେ ଛାଡ଼ି ଆସିଲେ । ଦୁଇ ବର୍ଷପରେ ମୁଁ ମାଟ୍ରିକ୍ ପରୀକ୍ଷା ଦେଇସାରି ପୁନରାୟ ଶ୍ୱଶୁର ଘରକୁ ଆସିଲି ।

 

–ଆପଣଙ୍କ ଶଶୁରଙ୍କୁତ ଖୁବ୍ ଭଲ ଲୋକ କହିବାକୁ ପଡ଼ିବ । ହଁ ମୋ ଶଶୁର ପ୍ରକୃତରେ ଖୁବ୍ ଭଲ ଲୋକ ଥିଲେ । ଦି ପହରରେ ଖାଇବସି ପବିତ୍ର ପ୍ରାୟ ଚିତ୍କାର କରି କହିଲା ମାଉସୀ ! କଣ କରିଛନ୍ତି ଆପଣ?

 

–ପ୍ରଥମତଃ ତୁମେ ଜ୍ୱାଇଁ, ତାପରେ ପ୍ରଥମଥରପାଇଁ ଆସିଛ । ତୁମକୁ କଣ ସାଦା ଭାତ ଦେଇପାରିବି?

–ତା ବୋଲି ଏତେ ପ୍ରକାର...?

 

ଦୂର୍ବା କହିଲା-ଜ୍ୱାଇଁ ବାବୁ ! କଥା ନ କହି ଅରମ୍ଭ କରନ୍ତୁ, ମତେ ଭାରି ଭୋକ ହେଲାଣି ।

 

ଟିକିଏ ଅଧେ କମେଇଦେବା ପରେ ଖାଇବା ଆରମ୍ଭ ହେଲା । ଖାଇସାରିବା ପରେ ପବିତ୍ର କହିଲା-ଆସନ୍ତା କାଲି ଦି’ପ୍ରହରଯାଏ ମୁଁ ଆଉ କିଛି ଖାଇ ପାରିବି ନାହିଁ ।

 

–କ’ଣ ଏମିତି ଖାଇଲ ଯେ? ସବୁ ତ କାଢ଼ିଦେଲ । ତୃଣା କହିଲା-ଚିଙ୍ଗୁଡ଼ିର ମଲାଇକରି ସତରେ ଅପୂର୍ବ ହୋଇଛି । ଦୂର୍ବା କହିଲା- ଦିଦିଭାଇ! ବଡ଼ମା’ ଯେ କେତେ ପ୍ରକାର କ’ଣ ରାନ୍ଧି ପାରନ୍ତି ତୁମେ କଳ୍ପନା କରି ପାରିବ ନାହିଁ । ତୃଣା ପଚାରିଲା-ମାଉସୀ କାହାଠାରୁ ଏତେ ଭଲ ରନ୍ଧା ଶିଖିଲ?

 

–ସୁଲେଖା ସରକାରଙ୍କ ବହି ପଢ଼ି ଅନେକ କିଛି ଶିଖିଛି, ତାପରେ ପୁତୁଲ ବରାଦମତେ ମଝିରେ ମଝିରେ ଗୋଟାଏ ଦୁଇଟା ମାଗାଜିନ୍ ପଢ଼ି ସେଥିରୁ ବି କିଛି ଶିଖିଛି ।

 

ତୃଣା ହସିହସି କହିଲା- ତୃଣା ତୁ ଶାଶୂଘରକୁ ଗଲାବେଳକୁ ମାଉସୀଙ୍କୁ ସାଙ୍ଗରେ ନେଇଯିବୁ । କାରଣ ମାଉସୀ ନ ଥିଲେ ତୁ ତ ଦଣ୍ଡେହେଲେ ଶାନ୍ତିରେ ରହିପାରିବୁ ନାହିଁ ।

 

ସୁଜାତା ଦେବୀ ହସି ହସି କହିଲେ-ପ୍ରାୟ ସେହି ଅବସ୍ଥା ଦୂର୍ବା କହିଲା-ଦିଦିଭାଇ! ବଡ଼ମାକୁ ପଚାରତ ମତେ ଛାଡ଼ି ସେ ଶାନ୍ତିରେ ରହିପାରିବେ ତ !

 

ପବିତ୍ର କହିଲା-ମାଉସୀ ! ଦୂର୍ବାପାଇଁ ଗୋଟିଏ ଘରଜୋଇଁଆ ଯୋଗାଡ଼ କରନ୍ତୁ । ନଚେତ୍ ଦୁହିଙ୍କର ଅବସ୍ଥା ଏକାଭଳି ହେବ ।

 

ବେଳବୁଡ଼େ ଅବିନାଶ ବାବୁ ଫେରିବା ପରେ ତୃଣା ଓ ପବିତ୍ର ତାଙ୍କ ଘରକୁ ଗଲେ । ସେ କହିଲେ ତୁମର ମାଉସୀ ତ ତୁମମାନଙ୍କର ପ୍ରଶଂସାରେ ଶତମୁଖ । ଏମିତି ଦିନ ନାହିଁ ଯେଉଁଦିନ ତୁମ କଥା ଆମ ଘରେ ପଡ଼େନା ।

 

ପବିତ୍ର କହିଲା-ଅସଲ କଥା ହେଲା ମାଉସୀ ଅତ୍ୟନ୍ତ ସ୍ନେହପ୍ରବଣା ବୋଲି ସମସ୍ତଙ୍କୁ ଭଲ ପାଆନ୍ତି ।

 

ତୃଣା କହିଲା-ମାଉସୀଙ୍କୁ ପାଇ ଆମେ ମା’ର ଅଭାବ ଭୁଲିଯାଇଛୁ । ଆପଣ ଦୁହେଁ ଏଠାରେ ନ ଥିଲେ ଆମ ଭାଇର ଅବସ୍ଥା କ’ଣ ହୋଇଥାଆନ୍ତା, ଭଗବାନ ଜାଣନ୍ତି ।

 

–ଅସଲ କଥା ହେଲା ସାର୍ଥକ ଏତେ ଭଲପିଲା ଯେ ତାକୁ ଭଲ ନ ପାଇ ରହି ହୁଏନା । ଆମମାନଙ୍କ କଥା ଛାଡ଼, କଲେଜରେ ପ୍ରିନ୍ସିପାଲଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ତା’ର ଭକ୍ତ ପାଲଟି ଯାଇଛନ୍ତି ।

 

ତାଙ୍କ କଥାଶୁଣି ତୃଣା ଓ ପବିତ୍ର ଖୁସି ହେଲେ ।

ଅବିନାଶ ବାବୁ ପୁଣି କହିଲେ- ସେ ରିସର୍ଚ୍ଚ ଶେଷ କଲାପରେ ନିଶ୍ଚୟ କେଉଁଠି ଖୁବ୍ ବଲ ଚାନ୍ସ ପାଇବ, ଏଥିରେ ସନ୍ଦେହ ନାହିଁ ।

 

ତୃଣା କହିଲା-ଆପଣମାନେ ଆଶୀର୍ବାଦ କରନ୍ତୁ, ସେ ଯେପରି ଉନ୍ନତି କରୁ ।

–ଆମେ ମନପ୍ରାଣ ଦେଇ ସବୁବେଳେ ତାକୁ ଆଶୀର୍ବାଦ କରୁଛୁ ।

 

ସନ୍ଧ୍ୟାପରେ ସାର୍ଥକ ସହିତ ସ୍ୱୟଂ ବୃନ୍ଦାବନ ବାବୁ ସସ୍ତ୍ରୀକ ଆସି ପହଞ୍ଚିଲେ । ତାଙ୍କୁ ଦେଖି ସୁଜାତା ଦେବୀ କହିଲେ-ଆସ ବୃନ୍ଦାବନ ଆସ । ତାପରେ ସେ ବୃନ୍ଦାବନବାବୁଙ୍କ ସ୍ତ୍ରୀଙ୍କୁ କହିଲେ-ବୋହୂମା’ ତୁମେ ବହୁତ ଦିନ ପରେ ଏ ଆଡ଼େ ଆସିଲ । ଯିବା ଆସିବା ବାଟରେ ବୃନ୍ଦାବନ ବେଳେ ବେଳେ ଆମଆଡ଼େ ବୁଲିଯାଏ, କିନ୍ତୁ ତୁମେ ତ....

 

–କଣ କରିବି ମାଉସୀ ! ଆମଘରେ ପ୍ରାୟ ସବୁଦିନେ ଜଣେ ଦି’ଜଣ ଗେଷ୍ଟ ଥାଆନ୍ତି । ତେଣୁ ବିଶେଷ ବାହାରକୁ ବାହାରି ପାରେନା ।

 

ତୃଣା କହିଲା-ଆମ ଭାଇଠାରୁ ସବୁବେଳେ ଆମେ ଆପଣମାନଙ୍କ କଥା ଶୁଣୁ । କେବେ କ’ଣ ଖୁଆନ୍ତି ସେ କଥା ମଧ୍ୟ ଆମେ ଜାଣୁ ।

 

ପବିତ୍ର କହିଲା-ସାନ ଭାଇଟି ଆପଣମାନଙ୍କ ପାଖରେ ଅଛି ବୋଲି ଆମେ ନିଶ୍ଚିନ୍ତ ଅଛୁ ।

 

ବୃନ୍ଦାବନ କହିଲେ-ନା-ନା, ଆପଣମାନେ ସେଭଳି କହିବେ ନାହିଁ । ଏଭଳି ଜଣେ ଗୁଣୀ ପଣ୍ଡିତ ବ୍ୟକ୍ତି ଆମପାଖରେ ଅଛନ୍ତି ସେଥିପାଇଁ ଆମେ କୃତଜ୍ଞ ।

 

ଏହିଭଳି କଥାବାର୍ତ୍ତା ପରେ ବୃନ୍ଦାବନ ବାବୁଙ୍କ ସ୍ତ୍ରୀ ତୃଣାର ହାତଦୁଇଟି ଧରି କହିଲେ-ଆପଣମାନେ କାଲି ଦି’ପହରରେ ଆମଘରେ ଡାଲିଭାତ ଗଣ୍ଡାଏ ଖାଇବେ । ଆପଣମାନେ ନାହିଁ କରିବେ ନାହିଁ ।

 

ବୃନ୍ଦାବନ କହିଲେ, ଆପଣମାନେ ଆସିଲେ ଆମେ ଖୁସିହେବୁ । ସୁଜାତା ଦେବୀ କହିଲେ- ବୃନ୍ଦାବନ! ତୁମକୁ ଆଉ ଏତେ କହିବାକୁ ହେବନାହିଁ । ମୁଁ କଥାଦେଉଛି, ସେମାନେ ଯିବେ-

 

ତାପରଦିନ ଦି’ପହରକୁ ସେମାନେ ବୃନ୍ଦାବନଙ୍କ ଘରକୁ ଗଲେ । କେବଳ ଆଦର ଆପ୍ୟାୟନ ଭୁରି ବୋଜନ ନୁହେଁ, ବୃନ୍ଦାବନ ବାବୁଙ୍କ ପତ୍ନୀ ତୃଣା ହାତରେ ଗୋଟାଏ ଶାଢ଼ି ଦେଇ କହିଲେ-ଦିଦି’ ଆପଣ ଏହି ଶାଢ଼ିଟା ପିନ୍ଧିଲେ ମୁଁ ଖୁସି ହେବି ।

 

ସଙ୍ଗେ ସଙ୍ଗେ ବୃନ୍ଦାବନ କହିଲେ-ଶାଢ଼ିଟା ଆମର ନିଜର କାରିଗର ତିଆରି କରିଛନ୍ତି ।

 

ଶାଢ଼ିଦେଖି ସ୍ୱାମୀ-ସ୍ତ୍ରୀ ସ୍ତମ୍ଭିତ ହେଲେ । ପବିତ୍ର ଆଶ୍ଚର୍ଯ୍ୟ ହୋଇ ପଚାରିଲେ-ଶାଢ଼ିଟି ଆପଣଙ୍କର ଏଇଠାରେ ତିଆରି?

 

ବୃନ୍ଦାବନ ପାଟିଏ ହସି କହିଲେ-ହଁ ଆମର ଏଇଠାରେ ତିଆରି ।

-ପ୍ରକୃତରେ ଅପୂର୍ବ !

 

ତୃଣା କହିଲା-ମତେ ଏବେ ଦାମିକା ଶାଢ଼ିଦେବା କ’ଣ ଦରକାର ଥିଲା? ବୃନ୍ଦାବନ କହିଲେ-ସେ କଥା କହିବେ ନାହିଁ । ପ୍ରଥମତଃ ଆପଣ ପ୍ରଫେସର ସାହେବଙ୍କ ଦିଦି । ତାଛଡ଼ା ଆପଣ ନିଜେ ଏତେଗୁଣୀ । ଆପଣ ଏହି ଶାଢ଼ିଟା ପିନ୍ଧିଲେ ତ ଆମପାଇଁ ସୌଭାଗ୍ୟର ବିଷୟ । ଶୁକ୍ରବାର ସନ୍ଧ୍ୟାରେ ବୃନ୍ଦାବନ ଇତ୍ୟାଦି ଚାଲିଯିବା ପରେ ସୁଜାତା ଦେବୀ ସାର୍ଥକକୁ କହିଲେ-ତୁମେ ଏହି ଦୁଇଦିନ ଏଠାରେ ରହିବ । ତୁମେ ନ ଥିଲେ ଆମେ କଣ ମନଖୋଲି କଥାବାର୍ତ୍ତା ହୋଇ ପାରିବୁ ନା ଆନନ୍ଦ ପାଇବୁ । ସାର୍ଥକ ଅନେକ କହିଲା-ସନ୍ଧ୍ୟାଠାରୁ ରାତିଅଧ ଗପସପ କରି ସେ ବସାକୁ ଫେରିଯିବ । କିନ୍ତୁ ସୁଜାତା ଦେବୀ ସେଥିରେ ରାଜି ହେଲେ ନାହିଁ । ତେଣୁ ସାର୍ଥକ ସେଠାରେ ରହିଲା ।

 

ସକାଳ-ସନ୍ଧ୍ୟାରେ ତୃଣା ଓ ପବିତ୍ର କିଛି ସମୟ ଅବିନାଶବାବୁଙ୍କ ସହିତ କଟାନ୍ତି । ଅବଶିଷ୍ଟ ସବୁବେଳେ ଗପସପ ଓ ଦୂର୍ବାର ଗୀତରେ ସମୟ କଟେ । ବେଳେବେଳେ ରୋଷେଇ ଘର କବାଟ ପାଖରେ ଆସର ଜମେ । କେତେବେଳେ ଡାଇନିଂ ଟେବୁଲ୍‌ରେ ତ କେତେବେଳେ ଉପର ଘରେ । ନିଜ ସଂସାର ଦାୟିତ୍ୱ ତୁଲାଇ ମଲ୍ଲିକା ମଧ୍ୟ ବେଳେବେଳେ ଆସି ପହଞ୍ଚି ଯାଏ । ବେଳେବେଳେ ସେମାନଙ୍କ ସମ୍ମିଳିତ ହାସ୍ୟରୋଳରେ ସାରାଘର ଫାଟିପଡ଼େ ।

 

ହଠାତ୍ ସୁଜାତା ଦେବୀ କହିଲେ-ଏ ମଲ୍ଲିକା ! ଗୋଟାଏ ଗୀତ ଶୁଣା ତ । ମଲ୍ଲିକା ଯେପରି ଗଛରୁ ଖସିପଡ଼ିଲେ ।

 

–ଦିଦି! ତୁମେ କ’ଣ ପାଗଳ ହେଲ? ମୁଁ କେତେବର୍ଷ ହେଲା ଗୀତ ଗାଇବା ଛାଡ଼ିଲିଣି କୁହ ତ ?

 

ସବୁଜାଣେ କିନ୍ତୁ ତୋତେ ଗୋଟାଏ ଗୀତ ଶୁଣାଇବାକୁ ହେବ । ତୃଣା ଓ ସାର୍ଥକ ମିଶି ଅନୁରୋଧ ମଧ୍ୟ କଲେ ।

 

–ମୋ ଝିଅର ଗୀତ ଶୁଣି ମଧ୍ୟ ତୁମ ମନବୋଧ ହେଲାନାହିଁ? ସୁଜାତା ଦେବୀ କହିଲେ-ଆଃ । ଏତେ କଥା ନ କହି ଆଗ ଗୀତବୋଲ ଶେଷରେ ମଲ୍ଲିକା ଗୀତ ଆରମ୍ଭ କଲେ–

 

ଜୀବନ ଯେବେଳେ ଶୁଖି ଶୁଖି ଯାଏ

କରୁଣା ଧାରାରେ ଆସ

ସକଳ ମାଧୁରୀ ଶୂନ୍ୟ ହୋଇଗଲେ

ଗୀତ ସୁଧାର ସେ ଆସ ।

 

ଗୀତ ଶେଷ ହେବା ମାତ୍ରେ ତୃଣା ଓ ସାର୍ଥକ ଏକସଙ୍ଗେ କହିଲେ- ଅପୂର୍ବ ।

ପବିତ୍ର ଟିକିଏ ହସି କହିଲା-ଏବେ ବୁଝିପାରୁଛି କଲେଜ ଗାର୍ଲ କାହିଁକି ଏତେ ଭଲ ଗାଇପାରେ ।

 

ମଲ୍ଲିକା ସଲଜ୍ଜ ହସ ହସି କହିଲେ-ତୁମ ମାନଙ୍କୁ ଭଲ ଲାଗିଥାଇପାରେ କିନ୍ତୁ ମୋର ମନେ ହେଉଛି ଗୋଟାଏ ଦୁଇଟା ଧାଡ଼ି ଛାଡ଼ି ଯାଇଛିକିମ୍ବା ଟିକିଏ ଅଧେ ସ୍ୱରରେ ଗଣ୍ଡଗୋଳ ହୋଇଛି ।

 

ଦୂର୍ବା ସଙ୍ଗେ ସଙ୍ଗେ କହିଲା-ନା-ମା’ ତୁମେ ଠିକ୍ ଗାଇଛ । ଏହିଭଳି ଆନନ୍ଦ ସାଗରରେ ଭାସିଭାସି ତୃଣା ଓ ପବିତ୍ରର ରହିବା ସମୟ ଶେଷ ହୋଇଗଲା । ବିଦାୟ ପୂର୍ବରୁ ଅବିନାଶ ବାବୁ ଓ ସୁଜାତା ଦେବୀ ଉଭୟ କହିଲେ-ତୁମେମାନେ ନିଶ୍ଚୟ ପୁଣି ଆସିବ । କି ଆନନ୍ଦରେ ଦିନ ଦୁଇଟା କଟିଗଲା ଭାବି ଦେଖିଲ ।

 

–ହଁ ମାଉସୀ ! ଆମେ ବି ଖୁବ୍ ଆନନ୍ଦ ପାଇଲୁ ।

ପବିତ୍ର ସୁଜାତା ଦେବୀଙ୍କର ଦୁଇହାତକୁ ଧରି କହିଲା- ମାଉସୀ ! ମନେ ରଖିବେ, ମୁଁ ମଧ୍ୟ ଆପଣଙ୍କର ଗୋଟିଏ ପୁଅ । ମଝିରେ ମଝିରେ ପୁଅପାଖକୁ ନ ଆସିଲେ ଖୁବ୍ ମନ ଦୁଃଖ କରିବି । ହଁ ବାବା । ତୁମେ ନିଶ୍ଚୟ ମୋର ଗୋଟିଏ ପୁଅ । ପୁଅପାଖକୁ ମା’ ଯିବନାହିଁ, ଏହା କଣ କେବେ ସମ୍ଭବ ?

 

ଅବିନାଶ ବାବୁ, ସାର୍ଥକ ଆଉ ଦୂର୍ବାଛଡ଼ା, ବୃନ୍ଦାବନବାବୁ ଓ ତାଙ୍କ ଝିଅ ଗୌରୀ ଷ୍ଟେସନରେ ସେମାନଙ୍କୁ ବିଦାୟ ଦେଲେ । ଷ୍ଟେସନରୁ ବାହାରି ଅବିନାଶ ବାବୁ କହିଲେ-ସାର୍ଥକ, ଆମ ସଙ୍ଗରେ ଚାଲ । କିଛି ସମୟ ପରେ ଘରକୁ ଯିବ ।

 

–ହଁ ସାର୍‌, ଚାଲନ୍ତୁ ।

ସେମାନେ ଷ୍ଟେସନ୍‌ରୁ ଫେରିବା ପରେ ସୁଜାତା ଦେବୀ କହିଲେ ଘରଟା ଖାଁ ଖାଁ କରୁଛି । ଏତିକି ସମୟ ଏକୁଟିଆ ରହି ପାଗଳ ଭଳି ଲାଗିଲା । ସାର୍ଥକ! ତୁମେ ଆଜି ରାତିଟା ଏଠାରେ ରହିଯା । ତୁମେ ରହିଲେ ଟିକିଏ ଗପସପ କରି ଭଲ ଲାଗିବ । ଏହି ସ୍ନେହାତୁର ମହିଳାଙ୍କୁ ସାର୍ଥକ ନା କହିପାରିଲା ନାହିଁ । ଉପରଘରେ ବେଶ୍ କିଛି ସମୟ କଥାବାର୍ତ୍ତା ହେବା ପରେ ସୁଜାତା ଦେବୀ କହିଲେ-ପୁତୁଲ! ତୁ ଆଜି ମୋ ପାଖରେ ରହିବୁ । ମାୟାକୁ କହ ମଲ୍ଲିକାକୁ ଖବରଟା କହିଆସିବ ।

 

–ହଁ କହୁଛି । ସେ ପଚାରିଲା-ବଡ଼ମା’! ତୁମେ ଓ ମୁଁ ଏହି ଘରେ ଶୋଇବା ତ?

–ହଁ ଆଜି ଏହିଠାରେ ଶୋଇବା ।

 

ରାତ୍ରି ଭୋଜନ ପରେ ଉପରଘର ବାରଣ୍ଡାରେ ବସି ତିନିହେଁ ବହୁ ସମୟ ଧରି ଗପସପ କଲେ । ସାଢ଼େ ଦଶଟା ବାଜିବା ମାତ୍ରେ ଦୁଇ ତିନିଥର ହାଇମାରି ସୁଜାତା ଦେବୀ କହିଲେ-ବାବା-ସାର୍ଥକ! ଆଉ ବସିପାରୁନାହିଁ । ଭାରି ନିଦ ଲାଗିଲାଣି ।

 

–ମାଉସୀ ! ଆପଣ ଶୋଇପଡ଼ନ୍ତୁ ।

-ପୁତୁଲ୍ ତୁ ଏବେ ଶୋଇବୁ ?

 

-ନା ବଡ଼ମା ! ମୁଁ ଏବେ ଶୋଇବି ନାହିଁ । ମତେ ନିଦ ମାଡ଼ୁନାହିଁ । ସୁଜାତା ଦେବୀ ଚେୟାର ଛାଡ଼ିଉଠି କହିଲେ- ତା ହେଲେ ମୁଁ ଯାଉଛି ।

 

–ହଁ ତୁମେ ଯାଅ ।

ସେଦିନ ବୋଧହୁଏ ଶୁକ୍ଳ ଦ୍ୱାଦଶୀ କିମ୍ବା ତ୍ରୟୋଦଶୀ । ଚନ୍ଦ୍ରର ଆଲୋକରେ ଚତୁର୍ଦ୍ଦିଗ ଭାସୁଛି । ବାରଣ୍ଡାର ଗୋଟିଏ ପାଖରେ ଚନ୍ଦ୍ରାଲୋକ ଯେପରି ଅଳସରେ ଶୋଇପଡ଼ିଛି । କେବଳ ବକୁଲତଲା ପଡ଼ାନୁହେଁ, ସାରା ସହରଟା ନିଦ୍ରାଭିଭୂତ । ସେମାନେ ଚୁପ୍ କରି ବସିଛନ୍ତି । ବୋଧହୁଏ ଦୁହେଁଯାକ କୌଣସି ଚିନ୍ତାରେ ଆତ୍ମମଗ୍ନ ।

 

ହଠାତ୍ ହୁଇସିଲ୍ ବଜାଇ ଗୋଟାଏ ଟ୍ରେନ୍ ଚାଲିଯିବାରୁ ଦୂର୍ବା କହିଲା-ଅପ୍ ଦାର୍ଜିଲିଂ ମେଲ୍ ଗଲା ।

 

-ସତେ ନା କଣ?

–ହଁ ସାର୍ ଏହି ସମୟରେ ତ ଦାର୍ଜିଲିଂ ମେଲ୍ ଯାଏ ।

ଟିକିଏ ହସି ସାର୍ଥକ କହିଲା-ତୁମେ ସବୁ ଟ୍ରେନ୍‌ର ଖବର ରଖ– ସବୁ ଟ୍ରେନ୍ କଥା ତ ଜାଣେନା, କିନ୍ତୁ ରାତିରେ ଯାଉଥିବା ଅଧିକାଂଶ ଟ୍ରେନ୍‌ର ଖବର ରଖେ ।

 

-କାହିଁକି?

ଦିନେ ଦିନେ ଅନେକ ରାତି ପର୍ଯ୍ୟନ୍ତ ନିଦ ହୁଏନା, ଅଥବା ନିଦ ଭଙ୍ଗିଗଲେ ଆଉ ଆସିବାକୁ ଚାହେଁନାହିଁ । ସେତେବେଳେ ଟ୍ରେନ୍ ଶବ୍ଦ ଶୁଣି ଜାଣିପାରେ କେତେଟା ବେଳେ କେଉଁ ଟ୍ରେନ୍ ଯାଉଚି ।

 

–ତୁମେ ବୋଧହୁଏ ଅନେକ ରାତି ପର୍ଯ୍ୟନ୍ତ ଅନିଦ୍ରାରହ?

–ହଁ ଆଜିକାଲି ଅନେକ ରାତ୍ରି ପର୍ଯ୍ୟନ୍ତ ନିଦହୁଏନା ।

- କାହିଁକି?

 

ଦୂର୍ବା କହିଲା-ଗଭୀର ରାତି ନ ହେଲେ ନିଜର ମନ ସହିତ କଥା କୁହାଯାଏ?

ଟିକିଏ ରହି ସାର୍ଥକ କହିଲା-ତାହା ଠିକ୍ । ଏକବାର ନିଃସଙ୍ଗ ନ ହେଲେ ମନର କଥା ଭାବି ହୁଏନାହିଁ ।

କିଛି ସମୟ ପର୍ଯ୍ୟନ୍ତ କେହି କିଛି କଥା କହିଲେ ନାହିଁ ।

 

ସାର୍ଥକ କହିଲା-ମାଉସୀ ନିଶ୍ଚୟ ଶୋଇ ପଡ଼ିବେନି । ଦୂର୍ବା କହିଲା-ବଡ଼ମା’ର ନିଦ ତ କୁମ୍ଭକର୍ଣ୍ଣର ନିଦ୍ରା । ବିଛଣା ଧରୁ ଧରୁ ନିଦ । ତା’ପରେ କାନପାଖରେ ବୋମାଫାଟିଲେ ବି ବଡ଼ମା’ର ନିଦ ଭାଙ୍ଗିବ ନାହିଁ ।

–ସତେ?

 

–ଭୋର୍ ଛ’ଟା ଆଗରୁ ବଡ଼ମା’ର ନିଦ ଭାଙ୍ଗେନାହିଁ ।

–ମାଉସୀ ଦିନରେ ଟିକିଏ ବି ଶୁଅନ୍ତି ନାହିଁ ?

 

–ନା । ଦି’ପହରରେ ବଡ଼ମା’ କାଗଜ କିମ୍ବା ବହିପତ୍ର ପଢ଼ନ୍ତି । କିମ୍ବା କାଗଜ-ବହି ଦେଖି ରାନ୍ଧଣା ବିଷୟ ପଢ଼ନ୍ତି । ନୂଆ ରନ୍ଧା କରି ମତେ ଦେଇ ଟେଷ୍ଟ କରାନ୍ତି । ଏଥିପାଇଁ ତ ରାତିର ବଡ଼ମା’ର ସଲିଡ଼୍ ନିଦ ହୁଏ । ଆଉ ଗୋଟାଏ ଆସିବାର ଶବ୍ଦ ହେବାରୁ ଦୂର୍ବା କହିଲା-ଡାଉନ୍ ଗୌଡ଼ ଏକ୍ସପ୍ରେସ୍ । ଟିକିଏ ରହି ଦୂର୍ବା କହିଲା-ମୁଁ ବଡ଼ମା’ ପାଖରେ ଶୋଇଲେ ବଡ଼ମା ଶୋଇ ପଡ଼ିବା ପରେ ଛାତରେ ଯାଇ ଏକୁଟିଆ ବସେ ବା ମନକୁ ମନ ଗୀତ ବୋଲେ । ବଡ଼ମା’ ଜାଣିପାରେ ନାହିଁ ।

 

-ଏ ଘରର ଛାତକୁ ଯାଇହୁଏ ?

–ହଁ, ଯାଇ ହେବ ନାହିଁ କାହିଁକି? ଆପଣ ଯେଉଁଘରେ ଦୁଇ ଦୁଇ ଥର ଶୋଇଛନ୍ତି, ତା ସେ ପାଖରେ ତ ଛାତକୁ ଯିବାର ଶିଡ଼ି ।

 

–ଖିଆଲ କରିନାହିଁ ।

–ସାର୍‌! ଛାତକୁ ଯିବେ? ଖୁବ୍ ଭଲ ଲାଗିବ ।

–ଏତେ ରାତିରେ ତୁମ ସାଙ୍ଗରେ ଛାତକୁ ଯିବାଠିକ୍ ହେବ?

–କାହିଁକି ଠିକ୍ ହେବ ନାହିଁ? ତା ଛଡ଼ା ପୃଥିବୀରେ କେହି ତ ଜାଣିପାରିବ ନାହିଁ ।

–ଆଚ୍ଛା ଚାଲ ।

 

ଛାତକୁ ଯାଇ ଚାରିଆଡ଼କୁ ଦୃଷ୍ଟିପକାଇ ସାର୍ଥକ କହିଲା ସତେ ତ ଏଠାକୁ ଆସିଲେ ଖୁବ୍ ଭଲ ଲାଗୁଛି ।

 

କିଛି ସମୟ ଚାତିରେ ବୁଲାବୁଲି କରିବା ପରେ ଦୂର୍ବା ପଚାରିଲା ସାର୍‌! ବସିବେ?

 

–କେଉଁଠି ବସିବା?

–ଛାତ ଉପର ଘର ଶିଡ଼ିରେ ।

 

–ଛାତ ଉପର ଘରଟି ନିହାତି ଛୋଟବର୍ଷା ପାଣି ଯେପରି ଶିଡ଼ିଦେଇ ତଳକୁ ନ ଯାଏ ସେଥିପାଇଁ ତିଆରି । ତେବେ ପ୍ରୟୋଜନ ଭଳି ଠାକୁରଘର କିମ୍ବା ପଢ଼ାଘର ମଧ୍ୟ ହୋଇପାରେ । କିମ୍ବା ଘରେ କାମ କରୁଥିବା ଲୋକର ରହବିା ଚଳିବ । ସେ ଘରକୁ ଯିବାକୁ ଦୁଇ ତିନି ଥାକ ଶିଡ଼ି ଦେଖି ଦୂର୍ବା କହିଲା-ସାର୍‌! ବସନ୍ତୁ । ସାର୍ଥକ ବସିବା ପରେ କହିଲା-ତୁମେ ବସ ।

 

–ମୁଁ ବସିଲେ ଆପଣଙ୍କୁ ଅସୁବିଧା ହେବ ।

 

–ନା, ନା, ଅସୁବିଧା ହେବନାହିଁ । ତୁମେ ବସ । ତଥାପି ଦୂର୍ବା ଠିଆହୋଇ ରହିଲା । ସାର୍ଥକ ପୁଣି କହିଲା-ମୁଁ ବସିବି, ତୁମେ ଠିଆ ହୋଇ ରହିବ, ତାହା କଣ ଠିକ୍ ଲାଗୁଛି? ସେ ଦୂର୍ବାର ଗୋଟିଏ ହାତକୁ ଧରି ଟାଣିବାରୁ ଦୂର୍ବା ବସିଲା । ଶିଡ଼ିର ଚଉଡ଼ା ବେଶୀ ନୁହେଁ । କୌଣସିମତେ ଦୁଇଜଣ ବସିଛନ୍ତି । ଦୁହିଙ୍କର ହାତ ଆଣ୍ଠୁଉପରେ । କାହାରି ମୁହଁରେ ଭାଷାନାହିଁ । ବୋଧହୁଏ ଗୋଟାଏ ପାସେଞ୍ଜର୍ ଓ ଦୁଇଟା ମାଲଗାଡ଼ି ଗଲା, ତଥାପି କାହା ମୁହଁରେ ଭାଷାନାହିଁ ।

 

–ସାର୍‌! ପୁଣି କେବେ ବଡ଼ମା ଓ ମୁଁ କଲିକତା ଯିବୁ?

–ନିଶ୍ଚୟ ଯିବ କିନ୍ତୁ କେବେ ସମ୍ଭବ ହେବ ଆଜିଠାରୁ କେମିତି କହିବି?

ସାର୍ଥକ ବୁଲିବସି ତାକୁ ଚାହିଁ ପଚାରିଲା-ତୁମେ କଲିକତା ଯିବାକୁ ଇଚ୍ଛା କରୁଛ?

 

-ହଁ । ଆପଣଙ୍କ ସାଙ୍ଗରେ ନନ୍ଦନରେ ଏକାଡେମୀରେ ସିନେମା ଥିଏଟର ଦେଖିବାକୁ ଖୁବ୍ ଇଚ୍ଛା ହେଉଛି । ସାର୍ଥକ ଟିକିଏ ହସି ତା’ର ହାତ ଉପରେ ଆସ୍ତେ କରି ଗୋଟିଏ ହାତ ରଖିଲା । ରାତି ଆହୁରି ଗଭୀର ହେବାକୁ ଲାଗିଲା । ଚନ୍ଦ୍ର ଆକାଶରେ ଆହୁରି ଉର୍ଦ୍ଧ୍ୱକୁ ଉଠିଗଲେଣି । ଅପ୍ ଗୌଡ଼ ଏକ୍ସପ୍ରେସ୍ ଚାଲିଗଲା । କୋଉଁଠି ଠନ୍ ଠନ୍ କରି ତିନିଟା ବାଜିବାର ଘୋଷଣା ଶୁଣାଗଲା ।

 

ହଠାତ୍ ଦୂର୍ବା କ୍ଷୀଣ ସ୍ୱରରେ ଗାଇ ଉଠିଲା-

ଏକା ମୋ ଗୀତର ତରୀ

ଭସାଉଥିଲି ନୟନ ଜଳେ

ସହସା ଆସିଗଲା ଗୋ

ବାହିବ ସେ ତରୀ ବୋଲେ ।

 

ଗୀତ ସରିଲା ବେଳକୁ ସାର୍ଥକ ଦୁଇ ହାତରେ ଆସ୍ତେକରି ତା ହାତକୁ ଚିପି ଧରିଲା ଏବଂ ଦୂର୍ବା ଧୀରେ ତା କାନ୍ଧରେ ନିଜର ମୁଣ୍ଡଟି ରଖିଦେଲା ।

 

॥ ଆଠ ॥

 

ତାପରେ କେତେ କଣ ଘଟିଗଲା । ସାର୍ଥକର ଜୀବନରେ ଗଙ୍ଗା-ଯମୁନା ଦେଇ କେତେ ଜଳ ବହିଗଲା ।

 

ପ୍ରଥମେ ଗୋଟାଏ ଇଣ୍ଡୋ-ଜାପାନିଜ୍ କମ୍ପାନୀରେ ଲୋଭନୀୟ ସର୍ତ୍ତରେ ତୃଣା ଓ ସାର୍ଥକ ସିଙ୍ଗାପୁର ଚାଲିଗଲେ । ପ୍ରଥମ ପାଞ୍ଚବର୍ଷ ସେଠାରେ କାମ କରିବାକୁ ହେବ । ତେବେ କମ୍ପାନୀର ନୂଆସର୍ତ୍ତ ଅନୁସାରେ ସ୍ୱୀକୃତି ଦେଲେ ସେମାନେ ଆଉ ପାଞ୍ଚବର୍ଷ ସେଠାରେ ବା ଜାପାନରେ ରହିପାରିବେ । ସେମାନେ ସିଙ୍ଗାପୁର ଯିବାର ଛ’ମାସ ପରେ ବୁବୁନ୍ ମଧ୍ୟ ସେଠାକୁ ଯାଇ ଇଣ୍ଟରନେସନାଲ୍ ସ୍କୁଲରେ ଭର୍ତ୍ତି ହୋଇଛି । ଏବେ ମାସରେ ଥରେ ଅଧେ ଭାଇଭଉଣୀ ଟେଲିଫୋନ୍‌ରେ କଥା ହୁଅନ୍ତି ।

 

ଦିନେ ଭୋର୍‌ରେ ଅବିନାଶ ବାବୁଙ୍କୁ ଚା ଦେବାପାଇଁ ଆସି ମାୟା ବାରଣ୍ଡାରେ ଡାଇନିଂ ଟେବୁଲ୍‌ରେ ନ ଦେଖି ଚା କପ୍‌ଟି ହାତରେ ଧରି ତାଙ୍କ କୋଠରିରେ ପଶୁପଶୁ ଚିତ୍‌କାର କରି ଉଠିଲା ମା’ ଶୀଘ୍ର ଆସ । ତା’ର ଚିତ୍କାର ଶୁଣି ସୁଜାତା ଦେବୀ ସ୍ୱାମୀଙ୍କ କୋଠରିକୁ ବାଉଳି ହୋଇ ପଶି ଆସିଲେ । ସେ ମଧ୍ୟ ଗୋଟାଏ ଚିତ୍କାର କରି ଦୁମ୍ କରି ଭୂମିରେ ଲୋଟି ପଡ଼ିଲେ । କେତେ ମିନିଟ୍ ଭିତରେ ଦୂର୍ବା ଓ ତା’ର ବାପା ମା’ ଦୌଡ଼ି ଆସିଲେ । ପଡ଼ାର ସମସ୍ତେ ରୁଣ୍ଡ ହୋଇଗଲେ । ଦୂର୍ବାର ବାପା ଚନ୍ଦନବାବୁ ଟେଲିଫୋନ୍ କରି ବରୁଣକୁ କହିଲେ ଶୀଘ୍ର ତୁମ ମଟର ସାଇକେଲ୍‌ରେ ଡାକ୍ତର ଚାଟାର୍ଜୀଙ୍କୁ ନେଇ ଆସ । ତୁମ ସାର୍ ବୋଧହୁଏ ଆଉ ନାହାନ୍ତି ।

 

ଡାକ୍ତର ଆସିବା ଆଗରୁ ଘର ଲୋକାରଣ୍ୟ । ବରୁଣ ଭଣ୍ଡାରୀ ଡାକ୍ତରଙ୍କୁ ଆଣି ପହଞ୍ଚୁ ପହଞ୍ଚୁ ତରୁଣ ଘୋଷ, ସାର୍ଥକ, ବୃନ୍ଦାବନ ବସାକ୍ ଓ କଲେଜର ଚାରିପାଞ୍ଚଜଣ ଅଧ୍ୟାପକ ଆସି ପହଞ୍ଚିଲେ ।

 

ଡା. ଚାଟାର୍ଜୀ ପରୀକ୍ଷା କରି କହିଲେ-ପ୍ରାୟ ତିନିଘଣ୍ଟା ଆଗରୁ ମାସିଭ କାର୍ଡ଼ିଆଟିକ୍ ଆଟାକ୍ଦ୍ୱାରା ତାଙ୍କର ମୃତ୍ୟୁ ହୋଇ ଯାଇଛି ।

 

ତାପରେ?

ତାପରେ ଆଉ କ’ଣ? ସମସ୍ତଙ୍କ ଆଖିରେ ଲୁହ । କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ସମେତ ପ୍ରାକ୍ତନ ଓ ବର୍ତ୍ତମାନର ବହୁ ଛାତ୍ରଛାତ୍ରୀଙ୍କ ଗହଳି ଭିତରେ ଚନ୍ଦନବାବୁ ଅବିନାଶ ବାବୁଙ୍କ ଦୁଇ ପୁଅଙ୍କ ପାଖକୁ ଖବର ପଠାଇଲେ । ବରୋଦାରୁ ତଥାଗତ ଲଣ୍ଡନରେ ଥିବା ଭଉଣୀକୁ ଖବର ଦେଲା । ଦୁଇପୁଅଙ୍କର ଅନୁମତି ନେଇ ଚନ୍ଦନବାବୁ ତରୁଣ ଓ ବରୁଣଙ୍କୁ କହିଲେ-ସେମାନେ ଯେତେବେଳେ କାଲି ସକାଳସୁଦ୍ଧା ଆସିପାରୁ ନାହାନ୍ତି । ଆମକୁ ସବୁକିଛି କରିବାକୁ ହେବ । ତରୁଣ, ବରୁଣ ଦୁହେଁ କହିଲେ ତାହା ତ କରିବାକୁ ପଡ଼ିବ । ସବୁଭଲ ଭାବରେ ହେବ । କିଛି ଚିନ୍ତାନାହିଁ । ସାର୍‌ଙ୍କୁ ଆମେ ରାଜାଭଳି ନେଇଯିବୁ ।

 

–ହଁ ପ୍ରକୃତରେ ସେଇଆ ହେବ ।

ବୃନ୍ଦାବନ ବସାକ ଖୁବ୍ ସୁନ୍ଦର ଗୋଟାଏ ଧୋତି ମଲ୍ଲିକା ହାତରେ ଦେଇ କହିଲେ-ଭାଉଜଙ୍କୁ ଏହି ଧୋତି ପିନ୍ଧାଇ ଦେବ ।

 

ମଲ୍ଲିକା କାନ୍ଦି କାନ୍ଦି କହିଲା-ଯେଉଁ ଦାଦା ମତେ ବିବାହ କରାଇ ଆଣିଥିଲେ ତାଙ୍କୁ ମୁଁ....

 

ମଲ୍ଲିକା କଥା ଶେଷ କରି ପାରିଲା ନାହିଁ । ତରୁଣ ଧୋତିଟା ବରୁଣର ହାତରେ ଦେଇ କହିଲା-ତୁ ସାର୍‌ଙ୍କୁ ସଜାଇ ଦେ ।

 

ଦୂର୍ବା ଆଲମାରୀରୁ ଗୋଟାଏ ଗରଦ ପଞ୍ଜାବି ଆଣି ବରୁଣର ହାତରେ ଦେଇ କହିଲା-କକା, ବଡ଼ବାପାଙ୍କୁ ଏଇ ପଞ୍ଜାବି ପିନ୍ଧାଇ ଦେବେ ।

 

ଠିକ୍ ସେହି ସମୟରେ କଲେଜର ଦଳେ ପୁଅଝିଅ ଗୋଟାଏ ପାଲିଙ୍କି ଆଣି ପହଞ୍ଚିଲେ । ଆଉ ଦଳେ ପିଲା କେତେ ଝୁଡ଼ି ଫୁଲମାଳ ଧରି ପହଞ୍ଚିଲେ ।

 

ପରିଧାନ ମୁଗାଧଡ଼ି ଥାଇ ତନ୍ତର ଧୋତି, ଦେହରେ ଗରଦ ପଞ୍ଜାବି, ଗଳା ଏବଂ ସାରା ଦେହ ଫୁଲମାଳାରେ ଚନ୍ଦନ, ଅତରରେ ଭିଜାଇ, ଧୂପର ସୁଗନ୍ଧି ଭିତରେ ଠିକ୍ ସମ୍ରାଟ ଭଳି ପ୍ରାୟ ଦେଢ଼ ହଜାର ସ୍ତ୍ରୀ ପୁରୁଷଙ୍କ ଶୋଭାଯାତ୍ରା ସହିତ ଅବିନାଶ ବାବୁଙ୍କ ଶେଷଯାତ୍ରା ଆରମ୍ଭ ହେଲା । ଅପରାହ୍ନର ସୂର୍ଯ୍ୟଙ୍କୁ ପ୍ରଣାମ କରି ସେ ଯେପରି ଚିର ବିଦାୟ ନେଲେ ଏହି ପୃଥିବୀରୁ ।

 

ତାପରେ ଦିନେ ବଡ଼ପୁତ୍ରବଧୂ ଓ ବଡ଼ ପୁତ୍ର ସହିତ ସୁଜାତା ଦେବୀ ସାଇଁଥିଆ ତ୍ୟାଗକରି ବରୋଦାକୁ ଚାଲିଗଲେ । ଯିବା ଆଗରୁ ଘରଦ୍ୱାର ତାଲା ପକାଇ ଚାବି ଗୋଛାଟି ଚନ୍ଦନବାବୁଙ୍କ ହାତରେ ଦେଇଗଲେ । ଚନ୍ଦନ ଘରଟା ଉପରେ ଦୃଷ୍ଟି ରଖିବ ।

 

ପ୍ରାୟ ଏକ ସପ୍ତାହ ପରେ ସନ୍ଧ୍ୟାସମୟରେ ଦିନେ ଦୂର୍ବା, ତାର ମା’ ଏବଂ ବାପା ସାର୍ଥକ ପାଖକୁ ଆସିଲେ । ସାର୍ଥକ ହସିହସି କହିଲା-ଆସନ୍ତୁ, ଆସନ୍ତୁ । ସେ ତାଙ୍କୁ ବସିବାକୁ ଦୁଇଟା ଚେୟାର ଦେଇ ଦୂର୍ବାକୁ କହିଲା– ତୁମେ ମୋ ବିଛଣାରେ ବସ । ଦୂର୍ବା କହିଲା ସାର୍‌! ଆପଣ ଷ୍ଟୁଲରେ ନ ବସି ବିଛଣାରେ ବସନ୍ତୁ ମୁଁ ଷ୍ଟୁଲ୍‌ରେ ବସୁଛି ।

 

–ନା, ତୁମେ ବସ । ମୁଁ ଷ୍ଟୁଲ୍‌ରେ ବସୁଛି ।

ପ୍ରାୟ ଦୁଇତିନି ମିନିଟ୍ ନିରବରେ କଟିଗଲା । ନିରବତା ଭଙ୍ଗ କରି ମଲ୍ଲିକା କହିଲେ-ସାର୍ଥକ ! ତୁମକୁ ଗୋଟାଏ କଥା କହିବାକୁ ଆସଲି ।

 

–ହଁ ମାଉସୀ, କହନ୍ତୁ ।

–ଭାଇ ମରିଗଲେ । ବଡ଼ଭଉଣୀ ଚାଲିଗଲେ । ହେଲେ ଆମେ ତ ଅଛୁ । ତୁମେ ଏକାଏକା ରହୁଛ । ତେଣୁ କହୁଥିଲି । ଯେତେବେଳେ ଏକୁଟିଆଟା ଭଲ ଲାଗିବ ନାହିଁ, ତୁମେ ଆମ ଘରକୁ ଚାଲି ଆସ । ତୁମେ ରହିଲେ ଆମେ ଆନନ୍ଦ ପାଇବୁ ଏବଂ ତୁମମାନଙ୍କୁ ମଧ୍ୟ ଭଲ ଲାଗିବ । ଆମକୁ ପର ଭାବି ଦୂରେଇ ରଖିବ ନାହିଁ ।

 

ସାର୍ଥକ କହିଲା-ମାଉସୀ! ଆପଣଙ୍କ ଘରେ ଦିନେ ଅଧେ ରହିଲେ ମୁଁ ନିଶ୍ଚୟ ଆନନ୍ଦ ପାଇବି । କିନ୍ତୁ ତାହା ସମ୍ଭବ ହେବନାହିଁ ।

 

–କାହିଁକି?

–ଦୂର୍ବା ମୋର ଛାତ୍ରୀ । ତାଛଡ଼ା ସେ ପରମାସୁନ୍ଦରୀ ଓ ଯୁବତୀ । ତେଣୁ ମୁଁ ଆପଣଙ୍କ ଘରେ ଦିନେ ଅଧେ ରହିଲେ ଲୋକେ ନାନାଦି କଥା କହିବେ ।

 

ଦିଲ୍ଲୀ-ବମ୍ବେ-ବାଙ୍ଗାଲୋର ହେଲେ କେହି ଏ ସବୁ ଘଟଣାରେ ମୁଣ୍ଡ ପୂରାଇବେ ନାହିଁ । ମାତ୍ର ଏଇ ସାଇଁଥିଆ ଭଳି ଛୋଟିଆ ଜାଗାରେ ନାନାଦି ଅପ୍ରିୟ ଆଲୋଚନା ହେବ ।

 

ଦୂର୍ବା ତା ମା’ ବାପାଙ୍କୁ ଚାହିଁ କହିଲା-ସାର୍ ଠିକ୍ କହିଛନ୍ତି ।

ସାର୍ଥକ କହିଲା-ମୁଁ କେବଳ ଦୂର୍ବାକୁ ସ୍ନେହ କରେ । ଭଲପାଏନା । ଆପଣମାନଙ୍କୁ ମଧ୍ୟ ଶ୍ରଦ୍ଧା କରେ । ଆପଣମାନେ ମଝିରେ ମଝିରେ ମୋ ଘରକୁ ଆସିବେ । ଆପଣମାନେ ଆସିଲେ ମୁଁ ଖୁବ୍ ଖୁସି ହେବି ।

 

ମଲ୍ଲିକା କହିଲେ-ହଁ, ଆମେ ନିଶ୍ଚୟ ଆସିବୁ । ଇତିମଧ୍ୟରେ ଗୌରୀର ଫାଇନାଲ୍ ପରୀକ୍ଷା ଶେଷ ହୋଇଛି । ତାକୁ ଆଉ ପଢ଼ାଇବାକୁ ପଡ଼ୁନାହିଁ ବୋଲି ଦୂର୍ବା ସପ୍ତାହରେ ତିନିଦିନ ସାର୍ଥକ ପାଖକୁ ପଢ଼ିବାକୁ ଆସେ । ଦୂର୍ବା ଆସିବାପରେ ବେଳେବେଳେ ଗୌରୀ ଆସି ପହଞ୍ଚିଯାଏ-

 

ଦୂର୍ବା ଟିକିଏ ହସି ପଚାରେ-ଗୌରୀଦିଦି । କେମିତି ଅଛୁ?

–ଦୂର, ସମୟ ସରୁନାହିଁ । ସାରାଦିନ ଘରଟା ଭିତରେ ନିଃଶ୍ୱାସ ବନ୍ଦ ହୋଇ ଯାଉଛି । ତେବେ ବେଳେବେଳେ ସାର୍‌ଙ୍କୁ ବିରକ୍ତ କରିବାକୁ ଚାଲିଆସେ ।

 

ସାର୍ଥକ କହିଲା-ନା-ନା-ଗୌରୀ, ମୁଁ କେବେ ବିରକ୍ତ ହୁଏନାହିଁ । ବରଂ ତୁମେ ଆସିଲେ ମୋ ସମୟଟା ଭଲରେ କଟିଯାଏ ।

 

–ସାର୍‌ ! କଫି ତିନିଟା ଆଣେ? ଗୌରୀ ପଚାରିଲା । ଆଉ ଆପଣଙ୍କୁ ଦୂର୍ବାକୁ ପଠାଇବା ହେବନାହିଁ ।

ସାର୍ଥକ କହିଲା- ହଁ ଆଣ ।

 

କଫି ପିଉପିଉ ଏଣୁତେଣୁ କଥାବାର୍ତ୍ତା ଚାଲିଲା । ସାର୍ଥକ କହିଲା-ଏହି ସହରରେ ତୁମମାନଙ୍କ ଭଳି ଝିଅମାନଙ୍କର ଟିକିଏ ବୁଲାବୁଲି କରିବା ଜାଗାନାହିଁ । ସବୁବେଳେ ସାଙ୍ଗମାନଙ୍କ ଘରକୁ ଯିବାକୁ ଇଚ୍ଛାହୁଏନା । ସମ୍ଭବ ମଧ୍ୟ ନୁହେଁ । ତାଛଡ଼ା ତୁମମାନଙ୍କ ଭଳି ଦୁଇଚାରିଜଣ ଝିଅ ମିଶି ସିନେମା ଯିବା ତାହା ମଧ୍ୟ ଅସମ୍ଭବ । ଗୌରୀ କହିଲା-ଆମମାନଙ୍କର ସ୍କୁଲ, କଲେଜ, କୋଚିଂ ଛଡ଼ା ଘରେ ରହିବା ବ୍ୟତୀତ କିଛି କରିବାର ନାହିଁ ।

 

ଦୂର୍ବା କହିଲା- ଠିକ୍ କହିଛୁ ଗୌରିଦିଦି । ଏହିଭଳି କଥାଭିତରେ ହଠାତ୍ ଗୌରୀ କହିଲା-ସାର୍‌! ଚାଲନ୍ତୁ । ମୁଁ ଦୂର୍ବା ଏବଂ ଆପଣ କୁଆଡ଼େ ଦୁଇ ତିନିଦିନ ବୁଲି ଆସିବା ।

 

ଟିକିଏ ହସି ସାର୍ଥକ କହିଲା-ନା ଗୌରୀ ତାହା ସମ୍ଭବ ନୁହେଁ ।

–କାହିଁକି ସାର୍‌? ଆପଣଙ୍କ ସହିତ ମୁଁ କେଦାର ବଦ୍ରି ଗଲେ ମଧ୍ୟ ମୋ ମା’ବାପା ଆପତ୍ତି କରିବେ ନାହିଁ ।

 

–ଦୂର୍ବା ମୋ ସାଙ୍ଗରେ କେଦାର -ବଦ୍ରି ଗଲେ ମଧ୍ୟ ତା’ର ବାପା ମା’ ଆପତ୍ତି କରିବେ ନାହିଁ । ମାତ୍ର ତୁମ ଦୁଇଜଣଙ୍କ ବାପା ମା’ଙ୍କୁ ଛାଡ଼ିଦେଲେ ଏ ସହରର ଅନ୍ୟମାନେ ଅପ୍ରିୟ ଆଲୋଚନା କରିବେ । ମୁଁ ଏଠାରୁ ଚାଲିଯାଏ । ତାପରେ ତୁମେ ଦୁଇଜଣ ମୋ ପାଖକୁ ଆସିବ । ମୁଁ ମଧ୍ୟ ତୁମକୁ କୁଆଡ଼େ ବୁଲାଇ ନେଇ ପାରିବି ।

 

ଦିନ ଆଗେଇ ଚାଲେ । ମାସ ପରେ ମାସ ଯାଏ । ଦେଖୁଦେଖୁ ଅବିନାଶ ବାବୁଙ୍କର ମୃତ୍ୟୁର ଏକବର୍ଷ ପୂରିବାକୁ ଲାଗେ ।

 

ଦୂର୍ବା ଥାର୍ଡ଼ ଇୟରକୁ ଯିବାପରେ ସାର୍ଥକକୁ ଲାଗିଲା ଯେପରି ତାର ସର୍ବାଙ୍ଗରେ ଲାବଣ୍ୟର ଜୁଆର ଆସିଛି, ଆଖିରେ ମାଦକତା ଭରି ଯାଇଛି । ତାର ସାନ୍ନିଧ୍ୟ ମନକୁ ମାତାଲ୍ କରିଦେଉଛି ।

 

–ସାର୍‌! ଏଭଳି ଚାହୁଁଛନ୍ତି କାହିଁକି?

- ତୁମକୁ ଦେଖୁଛି ।

– କଣ ଦେଖୁଛନ୍ତି?

 

– ଦେଖୁଛି ତୁମେ ଆହୁରି ବଡ଼ ହୋଇଛ, ଆହୁରି ସୁନ୍ଦରୀ ହୋଇଛ, ଆହୁରି ଆହୁରି କେତେ କଣ ହୋଇଛ । ଦୂର୍ବା ହସିହସି କହିଲା- ଆପଣ ମତେ ଅଷ୍ଟାଦଶୀ କହିଲେ କ’ଣ ହେଲା, ମୁଁ ତ ବର୍ତ୍ତମାନ କୋଡ଼ିଏ ବର୍ଷର ବୁଢ଼ୀ ।

 

–ବୁଢ଼ୀ ! ସାର୍ଥକ ନ ହସି ରହି ପାରିଲା ନାହିଁ ।

–ଅବାକ୍ ହେବାରେ ତ କିଛି ନାହିଁ । କିଏ ଜଣେ କହିଛନ୍ତି ବଙ୍ଗାଳୀ ଝିଅମାନେ କୋଡ଼ିଏ ବର୍ଷରେ ବୁଢ଼ୀ ହୋଇ ଯାଆନ୍ତି ।

 

–ତୁମର ବୟସ ବଢ଼ିବ । ମାତ୍ର ତୁମେ କେବେହେଲେ ବୁଢ଼ୀହେବନାହିଁ । ଠିକ୍ ସେହି ସମୟରେ ଟେଲିଫୋନ୍ ଆସିଲା ।

 

–ହାଲୋ......ହଁ ମୁଁ ଭାଇମଣି-ସାର୍ଥକ-ଆପଣ ବନ୍ଦିତା ଦିଦି? ସାର୍ଥକ କେବଳ ଶୁଣିଗଲା-। ତାପରେ ପଚାରିଲା-ପ୍ରଫେସର ରଙ୍ଗରାଜନ୍ କେବେ ଆସିଥିଲେ? ତାପରେ ସେ ମନଦେଇ କଣ ସବୁ ଶୁଣିଲା ।

 

–ନା-ନା, ମୁଁ କିଛି ଜାଣିନାହିଁ । ନିଶ୍ଚୟ ଚିଠିଗୁଡ଼ା ଦିଦିଭାଇ ଠିକଣାରେ ଆସିଛି । କମଲାଦି ଯେତେବେଳେ ଆସିଛି, ସେତେବେଳେ ଲେଟର ବାକ୍ସ ଖୋଲି ଚିଠି ଗୁଡ଼ା ଘରେ ରଖିଦେଇଛି । ଆହୁରି କିଛିକଥା ଶୁଣିବା ପରେ ସାର୍ଥକ କହିଲା-ମୁଁ ଏଇ ଶନିବାର ଯିବି । ରିସିଭର୍ କାନରେ ଲଗାଇ ସେ ହସିହସି କହିଲା- ହଁ-ହଁ-ବନ୍ଦିତାଦି, ସେ କଥା ଆଉ ଆପଣଙ୍କୁ କହିବାକୁ ହେବନାହିଁ । ଆପଣ କିଛି ନ କହିଲେ ବି ମୁଁ ଆପଣଙ୍କ ଘରେ ଖାଇଥାଆନ୍ତି । ସାର୍ଥକ ରିସିଭର ରଖିବା ମାତ୍ରେ ଦୂର୍ବା ପଚାରିଲା– ସାର୍‌, ଘଟଣା କ’ଣ?

 

-ଦିଦିଭାଇଙ୍କ ଫ୍ଲାଟ୍‌ର ପଡ଼ୋଶୀ ବନ୍ଦିତାଦି ଫୋନ୍ କରିଥିଲେ ।

– ହଁ ସେ କଥା ତ ବୁଝିଲି-ସେ କଣ କହିଲେ?

 

- ଜେ.ଏନ୍‌.ୟୁ.ରୁ ଦୁଇତିନିଟା ଖୁବ୍ ଜରୁରି ଚିଠି ଆସିବା ସତ୍ତ୍ୱେ ମୋଠାରୁ କୌଣସି ଉତ୍ତର ନ ପାଇବା ଯୋଗୁ ପ୍ରଫେସର୍ ରଙ୍ଗରାଜନ୍ କଲିକତାକୁ ଗୋଟାଏ ସେମିନାର୍ ଆଟେଣ୍ଡ କରିବାକୁ ଅସି ଦିଦିଭାଇର ଫ୍ଲାଟ୍‌କୁ ଆସିଥିଲେ ।

 

– ଦିଦିଭାଇକୁ ନ ପାଇ ବୋଧହୁଏ ବନ୍ଦିତାଦିକୁ....

– ହଁ, ହଁ ପ୍ରକୃତରେ ସେ ମତେ ଖୁବ୍ ଭଲ ପାଆନ୍ତି । ଏଭଳି ଅଧ୍ୟାପକ ମୁଁ ଜୀବନରେ ଆଉ ପାଇନାହିଁ । ମୁଁ ପି.ଏଚ୍‌.ଡ଼ି ନ ପାଇବା ପର୍ଯ୍ୟନ୍ତ ସେ ଶାନ୍ତି ପାଇବେ ନାହିଁ ।

 

–ଠିକ୍ କହିଛ । ତାଙ୍କ କଥାବାର୍ତ୍ତା ଶୁଣି ସେଇଆ ମନେହେଲା । ସାର୍ଥକ ରବିବାର ଦିନ ପ୍ରିନ୍ସିପାଲଙ୍କୁ ଟେଲିଫୋନ୍ କରି ଜଣାଇ ଦେଲା ଯେ ଖୁବ୍ ଜରୁରୀ କାର୍ଯ୍ୟରେ ବ୍ୟସ୍ତ ଥିବାହେତୁ ସେ ସୋମ ଓ ମଙ୍ଗଳବାର କଲେଜ ଯାଇ ପାରିବ ନାହିଁ । ମାତ୍ର ବୁଧବାର ଦିନ ନିଶ୍ଚୟ କଲେଜରେ ଯୋଗ ଦେବ ।

 

ତିନିକପି ଫର୍ମ ଫିଲଅପ୍ କରିବା ଛଡ଼ା ଏତେଗୁଡ଼ାଏ ସାର୍ଟିଫିକେଟ୍ ଜେରକ୍ସ କରି, ଆଟେଷ୍ଟେଡ଼୍‍ କରି ପଠାଇବାକୁ ଦୁଇଦିନ ଲାଗିଗଲା ।

 

ବୁଧବାର କ୍ଲାସ୍ ନେବାପରେ ସାର୍ଥକ ପ୍ରିନ୍ସିପାଲଙ୍କୁ ସବୁକଥା ଜଣାଇଲା । ପ୍ରିନ୍ସିପାଲ ହସିହସି କହିଲେ-ମୁଁ ଜାଣିଥିଲି ତୁମେ ଆଜି ହେଉ କିମ୍ବା କାଲି ହେଉ ୟୁଜିସି ଫେଲୋସିପ୍ ନିଶ୍ଚୟ ପାଇବ । ତା ଛଡ଼ା ଜେଏନୟୁରେ ରିସର୍ଚ୍ଚ ସୌଭାଗ୍ୟ କେତେଜଣଙ୍କୁ ମିଳେ ।

 

ସାର୍‌ ! ମୁଁ ହଠାତ୍ ଏଭଳି ଯିବାକୁ ଚାହୁଁନାହିଁ କିନ୍ତୁ-

-ନା-ନା । ଏଥିପାଇଁ ତୁମର ଦ୍ୱିଧାର କୌଣସି କାରଣ ନାହିଁ ।

 

-ସାର୍‌! ମୁଁ ଯଦି ଆସନ୍ତା ମାସରୁ ଛାଡ଼ିବାକୁ ଚାହିଁବି, କଲେଜ କର୍ତ୍ତୃପକ୍ଷ କ’ଣ ମାନିନେବେ?

 

ପ୍ରିନ୍ସିପାଲ କହିଲେ-ସାର୍ଥକ ହ୍ୱାଇ ଡୁ ୟୁ ଫର୍‌ଗେଟ୍ ଦ୍ୟାଟ୍ ଆଇ ଲଭ୍‌ୟୁ ଲାଇକ୍ ମାଇଁ ସନ୍‌?

 

–ସାର୍‌ ! ଆପଣଙ୍କ ସହିତ କଥାହୋଇ ଖୁବ୍ ନିଶ୍ଚିନ୍ତ ହେଲି ।

–ତୁମକୁ ଚିନ୍ତା କରିବାକୁ ହେବନାହିଁ । ସେ ମୋର ଦାୟିତ୍ୱ ।

– ସାର୍‌ ! ମୁଁ ସେ କଥା ଜାଣେବୋଲି ଆପଣଙ୍କୁ ସମସ୍ୟାରେ ପକାଇବାକୁ ଚାହେଁନା ।

 

–ଏଥିରେ ସମସ୍ୟା କ’ଣ ଅଛି? ସବୁଦିନେ ସେଇ ଭୋର୍ ଛ’ଟାରେ ଟ୍ରେନ୍ ଧରି ଆସି ଏତେଦିନ କାଟିଲ । ଏବେ ଶନିବାର କଲିକତା ଯାଇ ଦେଖିବି ଜେଏନ୍‌ୟୁର କଣ ଚିଠି ଆସିଛି ।

 

–ହଁ ସାର୍‌! ଆପଣ ଯାଇ ଦେଖନ୍ତୁ କ’ଣ ଘଟଣା ଖୁବ୍ ଜରୁରୀ ନ ହେଲେ ପ୍ରଫେସର ରଙ୍ଗରାଜନ୍ ନିଜେ ଯାଇ ଆପଣଙ୍କୁ ଦିଦିଭାଇ ଘରେ ଖୋଜି ନ ଥାନ୍ତେ ।

 

–ତାହା ତ ନିଶ୍ଚୟ ।

ପର ଶନିବାର ସକାଳ ଟ୍ରେନ୍‌ରେ ସାର୍ଥକ କଲିକତା ଗଲା । ସାର୍ଥକକୁ ଦେଖି ବନ୍ଦିତା ହାତରେ ଗୋଟାଏ ମୋଟା ଲଫାପାଦେଇ କହିଲା-ପ୍ରଫେସର ରଙ୍ଗରାଜନ୍ ତୁମକୁ ଏହି ଲଫାପାଟି ଦେବାକୁ କହିଛନ୍ତି । ତାଛଡ଼ା ପଅରିଦିନ ତୃଣାର ଫ୍ଲାଟକୁ ଯାଇ ଦେଖିଲି, ତୁମ ନାମରେ ଅନେକ ଗୁଡ଼ିଏ ଚିଠି ଆସିଛି ।

 

ବନ୍ଦିତାଠାରୁ ଚାବି ନେଇ ତୃଣାର ଫ୍ଲାଟ୍‌ଖୋଲି ସାର୍ଥକ ଦେଖିଲା କମଳା ସବୁ ଚିଠିପତ୍ର ଡାଇନିଂ ଟେବୁଲ୍ ଉପରେ ରଖି ଦେଇଛି । ସେ ଚିଠିଗୁଡ଼ାକ ପଢ଼ୁପଢ଼ୁ ବନ୍ଦିତା ତାପାଇଁ ଚା ଜଳଖିଆ ନେଇ ଆସି ପଚାରିଲା– ଭାଇମଣି, ଚିଠି ଗୁଡ଼ାକ ଦେଖିଲ?

 

–ହଁ ବନ୍ଦିତା ଦି ।

–ଘଟଣା କ’ଣ? କିଛି ଜରୁରୀ?

 

ସାର୍ଥକ ଟିକିଏ ହସି କହିଲା-ଏବେ ଚା ପିଇବି । ଏ ଲୁଚି ଇତ୍ୟାଦି ଏବେ ନେଇଯାଅ । ତାପରେ କହିଲା-ହଁ, ସତରେ ଜରୁରୀ । ମାତ୍ର ଭଲ ଖବର ।

 

-କି ଖବର କହତ?

-ୟୁଜିସିର ଫେଲୋସିପ୍ ମୋପାଇଁ ମଞ୍ଜୁର ହୋଇଛି । କିନ୍ତୁ ଦୁଇବର୍ଷ ଭିତରେ ରିସର୍ଚ୍ଚ କାମ ସାରିବାକୁ ପବିବ ।

 

-ଭେରି ଗୁଡ଼୍ ନିଉଜ୍‌, ଏଇଥିପାଇଁ ପ୍ରଫେସର୍ ରଙ୍ଗରାଜନ୍ ଆସିଥିଲେ ?

–ହଁ, ମୁଁ ତାଙ୍କରି ଅଣ୍ଡର୍‌ରେ ରିସର୍ଚ୍ଚ କରିବି ।

 

–ସେ ତୁମକୁ ଖୁବ୍ ଭଲପାଆନ୍ତି, ନୁହେଁ? ଏବେ ଘରକୁ ଯାଅ । ଟେକ୍ ରେଷ୍ଟ । ନା ସାର୍ଥକ ବିଶ୍ରାମ କଲା ନାହିଁ । ହାତମୁହଁ ଧୋଇ ରିକ୍‌ସା ଧରି ସିଧା ଚାଲିଲା ବକୁଲ ତାଲାରେ ଥିବା ଦୂର୍ବାର ଘରକୁ ।

 

ତାକୁ ଦେଖିବାମାତ୍ରେ ମଲ୍ଲିକା ହସିହସି କହିଲେ- ଆସ-ଆସ । ଦୁଇ ପାଦ ଆଗେଇ ଯାଇ ସେ ବଡ଼ ପାଟିରେ କହିଲେ-ହେ ପୁତୁଲ! ବାବାଙ୍କୁ କହ ସାର୍ଥକ ଆସିଛି ।

 

ଦୂର୍ବା ଓ ଚନ୍ଦନବାବୁ ଘରୁ ବାହାରି ଆସିଲେ । ଚନ୍ଦନବାବୁ କହିଲେ–ଏବେ ପୁତୁଲ କହୁଥିଲା, ତୁମେ ଗଣଦେବତା ଧରି କଲେଜ ଆସିଛ ।

 

–ହଁ ।

ସମସ୍ତେ ମିଶି ଡ୍ରଇଁ ରୁମ୍‌କୁ ପ୍ରବେଶ କରିବା ମାତ୍ରେ ସେ ପଚାରିଲେ–ତୁମେ କଣ କଲେଜରୁ ଆସୁଛ ?

 

-ଜାମା ପ୍ୟାଣ୍ଟ ବଦଳାଇବାକୁ ପାଞ୍ଚମିନିଟ୍ପାଇଁ ଘରକୁ ଯାଇଥିଲି ।

ମଲ୍ଲିକା କହିଲେ-ସାର୍ଥକ! ମୁଁ ଟିକିଏ କଫି କରି ଆଣୁଛି । ଚାଲି ଯିବନାହିଁ ।

 

–ନା-ନା, ଚାଲିଯିବି ନାହିଁ । ଆପଣମାନଙ୍କ ସହିତ କଥାବାର୍ତ୍ତା କରିବାପାଇଁ ତ ଆସିଲି ।

ଦୂର୍ବା ଟିକିଏ ଉତ୍କଣ୍ଠାର ସହିତ ପଚାରିଲା-ସାର୍‌ ! କୌଣସି ଖରାପ ଖବର ନୁହେଁ ତ?

–ନା-ନା, କିଛି ଖରାପ ଖବର ନୁହେଁ ।

 

–ସୋମବାର କଲେଜ ଯାଇ ଶୁଣିଲି, ଆପଣ କୌଣସି ଜରୁରୀ କାମରେ ଅଟକି ଯାଇଛନ୍ତି । ତେଣୁ ଭାବିଲି...

 

–ଜେ.ଏନ୍‌.ୟୁ.ର ଚିଠିପତ୍ରର ଜବାବ ଦେବାକୁ ଦୁଇଦିନ ଲାଗିଗଲା । ତେଣୁ ସୋମ ଓ ମଙ୍ଗଳବାର ସେଥିରେ କଟିଗଲା ।

 

–ଓଃ । ମଲ୍ଲିକା ସାର୍ଥକ ହାତରେ ଗୋଟାଏ ପ୍ଲେଟ୍ ଧରାଇ କହିଲେ-ଫିସ୍ ଫ୍ରାଇ ତିଆରି କରିବାର ଚେଷ୍ଟା କରିଛ ଜାଣେନା, ହେଲା କି ନାହିଁ ।

 

ସାର୍ଥକ ସେଥିରୁ ଟିକିଏ ପାଟିରେ ଦେଇ କହିଲା ବେଶ୍ ଭଲ ହୋଇଛି ।

–ତୁମେ ଖାଉଥା, ମୁଁ କଫି କରି ଆଣେ ।

 

ଖିଆପିଆ ସରିବା ପରେ ସାର୍ଥକ ତାଙ୍କୁ ସବୁକଥା ଜଣାଇଲା । ସବୁ ଶୁଣି ଚନ୍ଦନବାବୁ କହିଲେ-ଇଏତ ଅତି ଆନନ୍ଦ ଓ ଗର୍ବର ବିଷୟ । ତେବେ ତୁମେ ଚାଲିଗଲେ ଆମେ ଟିକିଏ କଷ୍ଟ ପାଇବୁ । କିନ୍ତୁ ତା ବୋଲି ତ ତୁମକୁ କୂଅବେଙ୍ଗ କରି ରଖିବାକୁ ଆମେ ଚାହୁଁନା ।

 

ମଲ୍ଲିକା କହିଲେ-ଦାଦା ସବୁବେଳେ କହୁଥିଲେ ତୁମକୁ ଏଠାରେ ବେଶୀଦିନ ଅଟକାଇ ରଖିହେବ ନାହିଁ । ତୁମେ ବହୁତ ବଡ଼ ହେବ ।

 

ଦୂର୍ବା ଗମ୍ଭୀର ହୋଇ ପଚାରିଲା-ସାର! ଆପଣ କେବେ ଏ ସ୍ଥାନ ଛାଡ଼ି ଚାଲିଯିବେ?

 

ସାର୍ଥକ ତାକୁ ଚାହିଁ ଟିକିଏ ହସି କହିଲା-ତୁମ ସହିତ ଆଲୋଚନା ନ କରି ମୁଁ ଏ ଜାଗା ଛାଡ଼ୁନାହିଁ ।

 

ତା କଥାରେ ଚନ୍ଦନବାବୁ ଓ ମଲ୍ଲିକା ହସିଲେ ।

ଦେଖୁଛନ୍ତି ତ, ଆପଣଙ୍କ କଥାରେ ସେମାନେ ହସୁଛନ୍ତି । କେହି ବିଶ୍ୱାସ କରିବ ନାହିଁ ଯେ ମୋ ସହିତ କଥାହୋଇ ଆପଣ ଯିବାର ଦିନ ଠିକ୍ କରିବେ ।

 

–ତୁମେ ବିଶ୍ୱାସ କରୁନାହିଁ?

–ଆପଣଙ୍କୁ ନିଶ୍ଚୟ ବିଶ୍ୱାସ କରେ । କିନ୍ତୁ....

ସାର୍ଥକ ମୁଣ୍ଡ ହଲାଇ କହିଲେ-କିନ୍ତୁ ଫିନ୍ତୁ କିଛି ନାହିଁ । ପ୍ରକୃତରେ ତୁମ ସହିତ କଥା ହୋଇଯିବାର ଦିନ ଠିକ୍ କରିବି ।

 

–କେବେ ମୋ ସହିତ କଥା ହେବେ?

–କାଲି ସକାଳେ ।

ପରଦିନ ଦୂର୍ବା ସାର୍ଥକ ଘରେ ପହଞ୍ଚି ଚୁପ୍ କରି ବସିରହିଲା । କିଛି କଥା କହିଲା ନାହିଁ । କେତେ ମିନିଟ୍ ପରେ ତା ଆଖିରୁ ଧାରଧାର ଲୁହ ବହିଯିବା ଦେଖି ସାର୍ଥକ କହିଲା ଅଷ୍ଟାଦଶୀ ! ପ୍ଲିଜ୍ କାନ୍ଦନାହିଁ । ମତେ ଯିବାକୁ ପଡ଼ୁଛି ବୋଲି ମୋ ମନର ଅବସ୍ଥା ଭଲ ନାହିଁ । ମାତ୍ର ନ ଯାଇ ତ ଉପାୟ ନାହିଁ-ତୁମେ ଜାଣିଛ ।

 

ବେଶ୍ କେତେ ମିନିଟ୍ ଦୂର୍ବା କିଛି କହିଲା ନାହିଁ । କହି ପାରିଲା ନାହିଁ । ତା ପରେ ତଳକୁ ମୁହଁକରି ଖୁବ୍ ଆସ୍ତେ ଆସ୍ତେ କହିଲା-ଆପଣ ନିଶ୍ଚୟ ଯିବେ । ମୁଁ ମଧ୍ୟ ମନ ପ୍ରାଣ ଦେଇ ଚାହେଁ ଆପଣ ପିଏଚଡ଼ି କରନ୍ତୁ ।

 

ଅଷ୍ଟାଦଶୀ ! ତାହା ମୁଁ ଜାଣେ ।

–ତଥାପି ଆପଣ ଚାଲିଯିବେ ବୋଲି ବଡ଼ କଷ୍ଟ ହେଉଛି । ସେ ମୁହଁ ଟେକି ସାର୍ଥକକୁ ଚାହିଁ କହିଲା-କାଲିରାତି ସାରା ଗୋଟାଏ ମୁହୂର୍ତ୍ତ ମଧ୍ୟ ଶୋଇ ପାରିନାହିଁ । ଖାଲି ଆପଣଙ୍କ କଥା ଭାବୁଛି ।

 

ସାର୍ଥକ ତା ମୁଣ୍ଡରେ ହାତରଖି କହିଲା- ମୁଁ ଦିଲ୍ଲୀ ଗଲେ ମଧ୍ୟ ତୁମର ହୋଇ ରହିବି ।

-ସତେ?

 

ସାର୍ଥକ ତାର ହାତ ଦୁଇଟିକୁ ଧରି କହିଲା-ଅଷ୍ଟାଦଶୀ ମୁଁ ଯଦି ଜୀବନରେ କେବେ ଅମଣିଷ ହୋଇ ନ ଯାଏ, ତେବେ ସାରା ଜୀବନ ତୁମର ହୋଇ ରହିବି । ଦୂର୍ବା ମୁହଁ ଟେକି ତା ମୁହଁକୁ ଚାହିଁ ରହିଲା । ତାପରେ ତାର ହାତ ଦୁଇଟି ଧରି ଚୁମ୍ବନ ଦେଲା ।

 

–ତାହାତ ନିଶ୍ଚୟ କହିବି ।

ହାଓଡ଼ା ଷ୍ଟେସନ୍‌ରେ ବନ୍ଦିତା ଓ ତା ସ୍ୱାମୀ ବିଦ୍ୟୁତ୍ ବିଦାୟ ଜଣାଇଲେ । ସେମାନେ ଉଭୟ ବାରମ୍ବାର ତାକୁ କହିଲେ-ଭାଇ ! ତୁମର ଭଉଣୀ-ଭିଣୋଇ ଏଠାରେ ନାହାନ୍ତି ଭାବି କଲିକତା ଆସିବା ବନ୍ଦ କରିବ ନାହିଁ । ଭୁଲିଯାଆନା ଆମେ ବି ତୁମର ଭଉଣୀ-ଭିଣୋଇ । ସାର୍ଥକ କହିଲା-ଆପଣମାନଙ୍କ ଭଳି ଭଉଣୀ-ଭିଣୋଇ ଯେତେବେଳେ ଅଛନ୍ତି, ମୁଁ କଣ କଲିକତା ନ ଆସି ରହିପାରିବି? ତାପରେ ସେ କହିଲା-କିଛି ଚିନ୍ତା ନାହିଁ ମୁଁ ମଝିରେ ମଝିରେ ଆପଣମାନଙ୍କୁ ବିରକ୍ତ କରିବି ।

 

ବିଦ୍ୟୁତ୍ ହସିହସି କହିଲେ- ତୁମେ ଆମକୁ ଯେତେ ବିରକ୍ତ କରିବ, ଆମେ ସେତେ ଖୁସି ହେବୁ । କଲିକତାରୁ ଦିଲ୍ଲୀ ଦୀର୍ଘ ପଥ । ପ୍ରାୟ ଦେଢ଼ ହଜାର କିଲୋମିଟର । ଏହି ପୂର୍ବା ଏକ୍ସପ୍ରେସ୍‌ରେ ସାର୍ଥକକୁ ପୂରା ଚବିଶିଘଣ୍ଟା କାଟିବାକୁ ହେବ । ହାତରେ ଅଫୁରନ୍ତ ସମୟ । ସେ ଏକାକୀ ବସିବସି ପୁରୁଣା ଦିନର ସ୍ମୃତି ରୋମନ୍ଥନ କରିବାକୁ ଲାଗିଲା ।

 

ମନେପଡ଼ି ବାପା-ମା’ଙ୍କର କଥା । ଭଉଣୀ ଭିଣୋଇ ଓ ବୁବୁନ୍‌ର କଥା । ବେଶ୍ କିଛିମାସ ଚୁପ୍‌ଚାପ୍ ବସିବା ପରେ ସାଇଁଥିଆ କଲେକରେ ଚାକିରି ପାଇବାର ଉତ୍ତେଜନା । ହାଇଅର୍ ସେକେଣ୍ଡାରୀରେ କ୍ଲାସ୍ ନେବାକୁ ହେବ ଶୁଣି ମନ ଖରାପ ହେବା କଥା । ତାପରେ?

 

ସାର୍ଥକ ମନକୁ ମନ ହସିଲା । ମନେ ମନେ କହିଲା । ଭଗବାନ୍ ଯାହା କରନ୍ତି, ସବୁ ମଙ୍ଗଳପାଇଁ ।

 

ହାଇଅର୍ ସେକେଣ୍ଡାରୀ କ୍ଲାସ୍‌ରେ ନ ପଢ଼ାଇଲେ କଣ ଦୂର୍ବା ସହିତ ଏତେ ଘନିଷ୍ଠତା ହୁଅନ୍ତା ।

–କେବେ ନୁହେଁ ।

 

ଦୂର୍ବାର କଥା ମନେ ପଡ଼ିବାରୁ ସାର୍ଥକ ଯେପରି ମନେ ମନେ ଶିହରଣ ଅନୁଭବ କଲା । ମନରେ ଆନନ୍ଦର ଢ଼େଉ ଉଠିଲା । ସେ ବିସ୍ମିତ ହେଲା । ପ୍ରେସିଡେନ୍‌ସୀ କଲେଜରେ ପଢ଼ିବାବେଳେ କେତେ ବନ୍ଧୁ ବାନ୍ଧବୀଙ୍କ ଜୀବନରେ ଜ୍ୟୋତ୍ସ୍ନାର ପ୍ରବାହ ଆସିଛି । ସେମାନଙ୍କର ଚକ୍ଷୁରେ, ମୁଖରେ ନୂତନ ଦିନର ସ୍ୱପ୍ନ ଝଲସୁଥାଏ । ଅଭାବନୀୟ ଆନନ୍ଦର ଇଙ୍ଗିତ ଓ ପ୍ରତ୍ୟାଶା । ସାର୍ଥକର ହୃଦ୍ୟତା ଓ ବନ୍ଧୁତ୍ୱ ଏକାଧିକ ସହପାଠିନୀଙ୍କ ସହିତ ଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ କାହାକୁ ନେଇ ସେ ସ୍ୱପ୍ନ ଦେଖିନାହିଁ । ଜେଏନ୍‌ୟୁରେ ପଢ଼ିବାବେଳେ ସେ କେତେ ଝିଅମାନଙ୍କ ସହିତ ପଢ଼ୁଥିଲା । ମିଳାମିଶା କରୁଥିଲା । ଥଟ୍ଟା ପରିହାସ, ତର୍କବିତର୍କ କରିଛି କେତେରାତି ପର୍ଯ୍ୟନ୍ତ । କାହାକୁ ନେଇ ସେ ଭବିଷ୍ୟତର ସ୍ୱପ୍ନ ଦେଖିନାହିଁ ।

 

ଆଉ ଦୂର୍ବା !

ନବୀନବରଣ ଅବସରରେ ତାକୁ ଦେଖି, ତା କଣ୍ଠର ସଙ୍ଗୀତ ଶୁଣି ସେ ଗୋଟାଏ ଅଚିହ୍ନା ଦେଶକୁ ଭାସି ଯାଇଥିଲା । ତାର ସାନ୍ନିଧ୍ୟରେ ଗନ୍ଧରେ, ଆନତ ଚକ୍ଷୁଦୁଇଟିର ଦୃଷ୍ଟିରେ ସାର୍ଥକ ମୋହାବିଷ୍ଟ ନ ହୋଇ ରହିପାରିନାହିଁ । ତାକୁ ଯେତେ ବେଶୀ ଦେଖିଛି, ସାନ୍ନିଧ୍ୟ ଲାଭ କରିଛି, ସେତେବେଶୀ ମୁଗ୍ଧ ହୋଇଛି । ବାରମ୍ବାର ମନ କହିଛି-ଦୂର୍ବା । ତୁମେ ପ୍ରକୃତରେ ଅନନ୍ୟା/ଅସାମାନ୍ୟ ଅପରୂପା ।

 

ପୂର୍ବ ଏକ୍ସପ୍ରେସ୍ ଦେହରୀ-ଏ-ସୋନ୍‌ଠାରେ ଅଟକିବାରୁ ସାର୍ଥକ ଯେପରି ହଠାତ୍ ସମ୍ବିତ୍ ଫେରିପାଇଲା । କେତେଲୋକଙ୍କର କୋଳାହଳ ଶୁଣି ପାରିଲା ଦେଖିଲା ଦିଲ୍ଲୀଛାଡ଼ି କଲିକତା ପଥରେ ଗଣଦେବତା ଏକ୍ସପ୍ରେସ୍‌ର ସାଇଁଥିଆରୁ ଚେୟାର କାର୍‌ରେ ବସି ସାର୍ଥକର ଅନ୍ତର ବିଷଣ୍ଣତାରେ ଭରିଗଲା । ବିଦାୟ ଦେବାକୁ ଷ୍ଟେସନକୁ ଅନେକ ଛାତ୍ରଛାତ୍ରୀ ଛଡ଼ା ଆହୁରି ଅନେକ ଲୋକ ଆସିଥିଲେ । କିନ୍ତୁକେବଳ ଅଷ୍ଟାଦଶୀର ମୁହଁଟି ତାର ଦୃଷ୍ଟିପଥରେ ଭାସି ଉଠୁଥାଏ । ନା-ଅଷ୍ଟାଦଶୀ ଗୋଟାଏ ଶବ୍ଦ ବି ଉଚ୍ଚାରଣ କଲାନାହିଁ । କହି ପାରିଲାନାହିଁ । ଏତେ ଲୋକଙ୍କ ଆଗରେ କଣ ମନର କଥା କହିହୁଏ?

 

ଅସମ୍ଭବ ।

ତେବେ ଅଷ୍ଟାଦଶୀର ବେଦନାର୍ତ୍ତ କଳା ହରିଣୀତୁଲ୍ୟ ଚକ୍ଷୁଦୁଇଟି ସବୁ କିଛି ପ୍ରକାଶ କରିଥିଲା । ସେ ଆଖିର ଭାଷା, ଶୂନ୍ୟମନର ହାହାକାର କେବଳ ସାର୍ଥକ ବୁଝି ପାରିଥିଲା । ଅଷ୍ଟାଦଶୀର ଏଭଳି ମୁଖର ଛବି ଆଖିରେ ପଡ଼ିବାମାତ୍ରେ ସାର୍ଥକର ମନରେ ବିଚ୍ଛେଦ ଭାବନାରେ ଭରିଗଲା ।

 

ମୁହୂର୍ତ୍ତକପାଇଁ ତାର ମନେହେଲା, ସବୁ ଭୁଲ ହୋଇଗଲା । କ’ଣ ଦରକାର ଥିଲା ଅଧ୍ୟାପକ ଚାକିରିରୁ ଇସ୍ତଫା ଦେଇ ଅଷ୍ଟାଦଶୀକୁ ଛାଡ଼ି ଚାଲିଯିବାର? ଅଧ୍ୟାପନା କରିତ ବେଶ୍ ଆନନ୍ଦରେ ଦିନ ଗୁଡ଼ିକ କଟୁଥିଲା । ସର୍ବୋପରି ଅଷ୍ଟାଦଶୀ ଏଭଳି ଦୁଃଖ ଦେବାର କ’ଣ ଦରକାର ଥିଲା? ପି.ଏଚ୍‌.ଡ଼ି କଲେ ଶିକ୍ଷାଜଗତରେ ତାର ମାନସମ୍ମାନ ବଢ଼ିବ ଏ କଥା ଠିକ୍ । ଆୟ ମଧ୍ୟ ବଢ଼ିବ । ଏ କଥା ଠିକ୍ । ଆଉ କଣ ଦରକାର ଥିଲା? ଏମ୍‌.ଏ. ପାଶ୍ କରି ତ ହଜାର ହଜାର ଲୋକ ଅଧ୍ୟାପନା କରି ସୁଖରେ ଅଛନ୍ତି । ତେବେ ନା-ଏସବୁ ଚିନ୍ତାକରି ଆଉ ଲାଭ ନାହିଁ । ନଦୀ ପାରି ହେବାକୁ ଘାଟଡଙ୍ଗାରେ ଚଢ଼ି କଣ ମଝିନଈରେ ଓହ୍ଲାଇ ଯିବା କ’ଣ ବୁଦ୍ଧିମାନର କାମ ?

 

କଲିକତାରେ ଦୁଇଟିଦିନ ଖୁବ୍ ବ୍ୟସ୍ତତାରେ କଟିଲା । ତା ଭିତରେ ଦିନେ ରାତିରେ ସିଙ୍ଗାପୁରକୁ ଫୋନ୍ କଲା ।

 

–ଦିଦିଭାଇ! ମୁଁ କଲିକତାରୁ କହୁଛି ।

–ତୁ କେବେ କଲିକତା ଆସିଲୁ ରେ?

 

–ପଅରିଦିନ ଗଣଦେବତାରେ ଆସିଲି । କାଲି ସକାଳେ ପୂର୍ବା ଏକ୍ସପ୍ରେସ୍‌ରେ ଦିଲ୍ଲୀ ଯାଉଛି ।

 

–ଭାଇମଣି, ହଠାତ୍ ଦିଲ୍ଲୀ ଯାଉଛୁ କାହିଁକି? କଣ ଦିଲ୍ଲୀରେ କୌଣସି କଲେଜରେ ଇଣ୍ଟରଭିଉ ଦେବାକୁ?

 

–ନା ଦିଦିଭାଇ, ମୁଁ କୌଣସି କଲେଜରେ ଇଣ୍ଟରଭିଉ ଦେବାକୁ ଯାଉ ନାହିଁ । ମୁଁ ୟୁଜିସି ଫେଲୋସିପ୍ ପାଇ ଜେଏନ୍‌ୟୁରେ ପିଏଚ୍‌ଡ଼ି କରିବାକୁ ଯାଉଛି ।

 

–ଭେରି ଗୁଡ଼ ନିଉଜ୍ । ତୁ କଣ ସାଇଁଥିଆ କଲେଜରୁ ଚାକିରି ଛାଡ଼ିଦେଲୁ?

–ହଁ ଦିଦିଭାଇ, ଚାକିରି ଛାଡ଼ି ଦେଇଛି ।

–ତୁ ଚାଲି ଆସିଲୁ-ପୁତୁଲ ତ ନିଶ୍ଚୟ ଭାରି ମନ ଖରାପ କରିଥିବ?

–ହଁ ଦିଦି! ତା ମନ ସତରେ ଭାରି ଖରାପ । ସେ ଖୁବ୍ କନ୍ଦାକଟା ବି କରୁଛି ।

–କରିବତ । ସେ ତତେ ଖୁବ୍ ଭଲ ପାଏ ।

ସାର୍ଥକ ଚୁପ୍ ରହିଲା । କ’ଣ ବା କହିବ?

 

ତୃଣା କହିଲା-ପୁତୁଲର କଥା ଭାବି ଆମକୁ ବି ଖୁବ୍ ଖରାପ ଲାଗୁଛି । ଯା ହେଉ ସାବଧାନରେ ରହିବୁ । ମଝିରେ ମଝିରେ ଚିଠି ଦେବୁ ।

 

–ଜ୍ୱାଇଁବାକୁ ଓ ବୁବୁନ୍‌କୁ ଫୋନ୍ ଦେ ।

–ସେମାନେ ଘରେ ନାହାନ୍ତି । ଗୋଟାଏ ସିନେମା ଦେଖିବାକୁ ଯାଇଛନ୍ତି ।

–ତୁ ତାଙ୍କୁ ଖବରଟା ଜଣାଇଦେବୁ । ପ୍ଲାଟଫର୍ମ ଉପରେ କେତେ ଲୋକଙ୍କର ଧାଁ ଦଉଡ଼-

 

ପୁନଶ୍ଚ ଯାତ୍ରା ଆରମ୍ଭ ହେଲା । ସାର୍ଥକ ଉଦାସ ଦୃଷ୍ଟିରେ ବାହାରର ଗଛବୃଛ, ପଡ଼ିଆ, ଘରଦ୍ୱାର, ଆକାଶ ଦେଖୁଦେଖୁ ନିଃସଙ୍ଗତାର ଜ୍ୱାଳା ଅନୁଭବ କରେ । ଦୂର୍ବାକୁ ପାଖରେ ନ ପାଇ ତାର ବେଦନା ବୋଧ ବଢ଼ିଯାଏ । ମନେମନେ କହିଲା-ଦିଦିଭାଇ! ତୁ ଠିକ୍ କହିଥିଲୁ । ପ୍ରକୃତରେ ପୁତୁଲକୁ ଛାଡ଼ିରହି ହୁଏନା ।

 

ତଥାପି ତାକୁ ଛାଡ଼ି ସାର୍ଥକକୁ ଯିବାକୁ ହୋଇଛି । ନ ଯାଇ ଉପାୟ ନାହିଁ । ଜୀବନରେ ବାରମ୍ବାର କଣ କୌଣସି ସୁଯୋଗ ଆସେ ?

 

ପୁଣି ଦିଲ୍ଲୀ । ପୁଣି ଜେଏନ୍‌ୟୁ । ପୁଣି ପିତୃତୁଲ୍ୟ ଅଧ୍ୟାପକ ରଙ୍ଗରାଜନଙ୍କ ସାନ୍ନିଧ୍ୟ । ଉଦାର ସାହାଯ୍ୟ ସହଯୋଗିତା ।

 

ପ୍ରକୃତରେ ଜେଏନ୍‌ୟୁ ଏକ ଅନନ୍ୟ ବିଶ୍ୱବିଦ୍ୟାଳୟା ପଢ଼ାଶୁଣା, ଗବେଷଣାପାଇଁ ସୁନ୍ଦର ପରିବେଶ । ଅଭାବନୀୟ ସୁଯୋଗ ସୁବିଧା । ପ୍ରଫେସର ରଙ୍ଗରାଜନ ଆଗରୁ ସାର୍ଥକପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ । ଛୋଟ ଆପାର୍ଟମେଣ୍ଟ ଗୋଟାଏ ଷ୍ଟଡ଼ିରୁମ୍‌, ଗୋଟାଏ ବେଡ଼ରୁମ୍‌, ଛୋଟ ପାଣ୍ଟ୍ରିଓ ଟଏଲେଟ୍ ବାଥ୍ । ଗବେଷଣାପାଇଁ ପ୍ରୟୋଜନୀୟ ସବୁ ଆସବାବପତ୍ର । ଛାଇ-ଆଲୁଅ ବେଷ୍ଟିତ ଏହି ଘରଟିକୁ ସଜାଡ଼ିବାକୁ ଦୁଇଦିନ ଲାଗିଗଲା । ତାପରେ ସେ ଚିଠି ଲେଖିଲା ତୃଣାକୁ । ନାତିଦୀର୍ଘ ପତ୍ରରେ ସବୁ ଖବର ସମେତ ନିଜର ଠିକଣା ଜଣାଇଲା । ତାପରେ ସେ ଚିଠି ଲେଖିଲା ଦୂର୍ବାକୁ ।

 

ପ୍ରିୟ ଅଷ୍ଟାଦଶୀ ! ଦୁଇଦିନ ଧରି ଘରଦ୍ୱାର ସଜଡ଼ାସଜଡ଼ି କଲାପରେ ଆଜି ତୃଣାକୁ ଓ ତାପରେ ତୁମକୁ ଚିଠି ଲେଖୁଛି । ଶରୀର ସୁସ୍ଥ ଥିଲେ ହେଁ ଖୁବ୍ ନିଃସଙ୍ଗ ଲାଗୁଛି । ଦିଦିଭାଇ ସିଙ୍ଗାପୁର ଚାଲିଯିବାପରେ ଛାତ୍ର ଛାତ୍ରୀ, ମାଉସୀ ଓ ତୁମମାନଙ୍କ ଗହଣରେ ସମୟ ବେଶ୍ ଭଲରେ କଟୁଥିଲା । ତେଣୁ ସାଇଁଥିଆରୁ ଟ୍ରେନ୍‌ରେ ଉଠିବା ବେଳଠୁ ବାରମ୍ବାର ମନେପଡ଼ୁଛ ବେଶ୍ ତ ଥିଲି । କଣ ଦରକାର ଥିଲା ପିଏଚ୍‌ଡ଼ିପାଇଁ କଲେଜର ସ୍ଥାୟୀ ଚାକିରି ଏବଂ ତୁମ ମାନଙ୍କୁ ଛାଡ଼ି ଆସିବା । ବହୁ ଅଧ୍ୟାପକ ତ ଡକ୍ଟରେଟ୍ ନ କରି ମଧ୍ୟ ଅଧ୍ୟାପନା କରି ସୁନ୍ଦର ଜୀବନ କଟାଉଛନ୍ତି । ମୁଁ ମଧ୍ୟ ସେମାନଙ୍କ ଭଳି ଜୀବନ କଟାଇ ପାରିଥାନ୍ତି । ଜାଣେନା ମୁଁ ଠିକ୍ କଲି କି ଭୁଲ୍ କଲି ।

 

ଯାହାହେଉ ଅଧ୍ୟାପକ ରଙ୍ଗରାଜନ୍ ମତେ ବାରମ୍ବାର ମନେ ପକେଇ ଦେଉଛନ୍ତି–ସାର୍ଥକ୍-। ତୁମକୁ ଦୁଇଟି ବର୍ଷ ଅମାନୁଷିକ ପରିଶ୍ରମ କରିବାକୁ ହେବ । ପ୍ରତିଦିନ ଅନ୍ତତଃ ଚଉଦ ଘଣ୍ଟା ପଢ଼ାଶୁଣାରେ ବୁଡ଼ି ରହିବାକୁ ହେବ । ସୁତରାଂ ଫରଗେଟ୍ ଇଭ୍ରିଥିଙ୍ଗ ଏଲ୍ସ । ତୁମେ ଏତେ ପରିଶ୍ରମ କରିବାକୁ ନ ଚାହିଁଲେ ମଧ୍ୟ ମୁଁ ତୁମକୁ ଦିନରାତି ଲାଗିବାକୁ ବାଧ୍ୟକରିବି । ଆଇ ଆମ୍ ସରି-। ଏହା ଛଡ଼ା କୌଣସି ଉପାୟ ନାହିଁ ।

 

ତୁମେ ବୁଝି ପାରୁଛ ମୋ ଦିନଗୁଡ଼ିକ କେମିତି କଟିବ ? ନିୟମିତ ଚିଠି ଲେଖିବା ମୋ ପକ୍ଷରେ ସମ୍ଭବ ହେବନାହିଁ । କିନ୍ତୁ ତୁମେ ମୋ ପାଖକୁ ନିୟମିତ ଚିଠି ଲେଖିବ । ତୁମ ଚିଠି ପାଇଲେ ଅନ୍ତତଃ କିଛି ସମୟପାଇଁ ନିଃସଙ୍କୋଚ ବୋଧ କରିବି ନାହିଁ ।

 

ତୁମେ ଭୁଲି ଯାଅନା ତୁମର ଫାଇନାଲ୍ ପରୀକ୍ଷା ଆସୁଛି । ଆଗେ ଯେମିତି ପଢ଼ାଶୁଣା କରୁଥିଲ ଏବେ ଠିକ୍ ସେହିଭଳି ପଢ଼ିବ । ତୁମକୁ ଅନର୍ସ ପାଇବାକୁ ହେବ । ତୁମେ ଅନର୍ସ ନ ପାଇଲେ ମୁଁ ହାରିଗଲି ବୋଲି ଭାବିବି । ମା’ ବାପାଙ୍କୁ ମୋର ପ୍ରଣାମ ଜଣାଇବ । ତୁମେ ମୋର ପ୍ରାଣଭରା ଆଶୀର୍ବାଦ ନିଅ ।

 

ପ୍ରକୃତରେ ସାର୍ଥକକୁ ଦିନରାତି ବ୍ୟସ୍ତ ରହିବାକୁ ପଡ଼ିଲା ନିଜର ପଢ଼ାଶୁଣା, ଲାଇବ୍ରେରୀ ଓ ଗାଇଡ୍ ଅଧ୍ୟାପକ ପ୍ରଫେସର ରଙ୍ଗରାଜନ୍‌ଙ୍କୁ ନେଇ । ପ୍ରଥମେ ପ୍ରଥମେ ଯେମିତି ଅଣନିଃଶ୍ୱାସୀ ହୋଇ ପଡ଼ିଥିଲା । ଗାଇଡ଼୍‍ଙ୍କୁ କିନ୍ତୁ କହିବାର ସାହସ ନ ଥିଲା । ତାଛଡ଼ା ନୃତ୍ୟ ତାଙ୍କର ଏତେ ଆଗ୍ରହ ଦେଖି ସାର୍ଥକ ମଧ୍ୟ କିଛି କହି ପାରୁ ନ ଥିଲା । ସେ ଏତେ କ୍ଲାନ୍ତ ଅନୁଭବ କରୁଥିଲା ଯେ ଭୋର୍‌ରୁ ଘଡ଼ିର ଆଲାର୍ମ ଶୁଣି ମଧ୍ୟ ବିଛଣା ଛାଡ଼ି ପାରୁନଥିଲା । ବିଛଣାରେ କେତେ ମିନିଟ୍ ଏପଟ ସେପଟ ଗଡ଼ୁଥିଲା । ତାପରେ ସାରାଦିନର କାମର କଥା ମନେ ପକାଇ ବିଛଣାରୁ ଡେଇଁପଡ଼ି ବାଥ୍‌ରୁମ୍‌କୁ ପଶି ଯାଉଥିଲା ।

 

ପାଖ କ୍ୱାଟରର ଗବେଷିକା ମିସେସ୍ ଶ୍ରୀବାସ୍ତବଙ୍କ ଘରେ କାମ କରୁଥିବା ସ୍ତ୍ରୀ ଲୋକଟି ସାର୍ଥକ ଘରେ ମଧ୍ୟ କାମ କରେ । ହଷ୍ଟେଲରୁ ଖାଦ୍ୟ ଆସେ । ଯମୁନା ବେଳବୁଡ଼େ କାମ କରିବାକୁ ଆସି ଦେଖେ ସେତେବେଳେ ମଧ୍ୟ ଟିଫିନ୍ କେରିଅର୍ ଡାଇନିଂ ଟେବୁଲ ଉପରେ ରହିଛି ଓ ସାର୍ଥକ ବସି ତାର ପଢ଼ାଶୁଣାରେ ଲାଗିଛି । ଯମୁନା ଖାଇବାକୁ ଦେବାକୁ ଆରମ୍ଭ କରି କହେ-ଯାଇଏ, ହାତ ଜଲ୍‌ଦି ଧୋ ଲିଜିଏ । ଆମି ଖାନା ଗରମ କର୍‌ଛି ।

 

ହାତ ମୁହଁ ଧୋଇ ଖାଇବସିବା ପରେ ଯମୁନା କହେ-ବାବୁଜୀ! ମୁଁ ପଢ଼ା ଲେଖା ଜାଣେନା । ବୟସ ବି ବହୁତ ହେଲାଣି । ତଥାପି କହୁଛି ଠିକ୍ ସମୟରେ ଖାଇଦେଇ ପଢ଼ାଶୁଣାକର-। ତା ନ ହେଲେ ଦେହ ଖରାପ ହେବ ।

 

ପ୍ରତି ସପ୍ତାହରେ ଅନ୍ତତଃ ଥରଟିଏ ଯମୁନାକୁ ଏହିକଥା ସାର୍ଥକକୁ କହିବାକୁ ପଡ଼େ । ପ୍ରାୟ ଦଶଦିନ ପରେ ଦୂର୍ବାର ଚିଠି ଆସିଲା ।

 

ଆପଣ ବିଶ୍ୱାସ କରିବେ କି ନାହିଁ ଜାଣେନା ମାତ୍ର ପ୍ରକୃତରେ ଆପଣ ଯିବାଦିନଠାରୁ ଦିନରାତି ମୁଁ ଶୂନ୍ୟତାର ଜ୍ୱାଳାରେ ଜଳି ମରୁଛି । ମୁଁ ବୁଝି ପାରୁନାହିଁ ଆପଣ ଏଭଳି ମୋ ମନ ପ୍ରାଣରେ ସଂପୂର୍ଣ୍ଣ ଆବୋରି ରହିଥିଲେ । ମା’ ବାପା ବନ୍ଧୁ ବାନ୍ଧବଙ୍କ ଆଖିରେ ଆଖିର ଲୁହ ଝରାଇ ପାରୁନାହିଁ । ଆପ୍ରାଣ ଚେଷ୍ଟା କରୁଛି ସ୍ୱାଭାବିକ ରହିବାପାଇଁ । ମାତ୍ର ସମସ୍ତେ ବୁଝିପାରୁଛନ୍ତି ଯେ ମୁଁ ବଦଳି ଯାଇଛି । ମା’ ମଝିରେ ମଝିରେ ପଚାରନ୍ତି-ଆରେ ପୁତୁଲ୍ ତୋର କ’ଣ ଦେହ ଅସୁସ୍ଥ ଅଛି? ତୋ ମୁହଁରେ ଆଉ ହସ ଦେଖୁନାହିଁ । ସବୁବେଳେ ଆଖି........ମାକୁ କଥାଟା ଶେଷ କରିବାକୁ ନ ଦେଇ ଜୋର୍‌କରି ହସି କହେ-ନା-ନା ଦେହ ଖରାପ ନାହିଁ ।

 

-ତେବେ?

ତାକୁ କଥାଟା ଶେଷ କରିବାକୁ ନ ଦେଇ କହିଲି । ଫାଇନାଲ୍ ପରୀକ୍ଷା ତ ବେଶୀ ଡେରିନାହିଁ । ତା ଛଡ଼ା ସାର୍ ଦିଲ୍ଲୀ ଚାଲିଗଲେ । ବର୍ତ୍ତମାନ ଗାଇଡ୍ କରିବାକୁ କେହିନାହିଁ । ତେଣୁ ସବୁବେଳେ ସେହି ଚିନ୍ତା ମନରେ ରହୁଛି ।

 

ସାଙ୍ଗମାନଙ୍କୁ ମଧ୍ୟ ସେହିକଥା କହୁଛି । ସତକଥା ତ କାହାକୁ କହିପାରୁନାହିଁ । କେମିତି କହିବି-ଆପଣ ଏଠାରୁ ଚାଲିଗଲେ ବୋଲି ମତେ କିଛି ଭଲ ଲାଗୁନାହିଁ । ସବୁବେଳେ କାନ୍ଦିବାକୁ ଇଚ୍ଛା ହେଉଛି । ଇଚ୍ଛାହେଉଛି ଆପଣଙ୍କ ପାଖକୁ ଦୌଡ଼ିଯାଆନ୍ତି । ଆପଣଙ୍କୁ ପୁଣି କେବେ ଦେଖିବାକୁ ପାଇବି, ପାଖରେ ପାଇବି, ସେହି ଚିନ୍ତାମତେ ସବୁବେଳେ ଘେରି ରହୁଛି ।

 

ସାର୍ଥକ ଚିଠିଟା ବାରମ୍ବାର ପଢ଼ିଲା । ଥରେ ପଢ଼ିଦେଇ ସବୁକଥା ଜାଣିଲା ପରେ ବାରମ୍ବାର ପଢ଼ିବାକୁ ଇଚ୍ଛା ହେଉଥାଏ । ହାତରେ ବହୁତ କାମ । କିନ୍ତୁ ବେଶ୍ କିଛି ସମୟ ଧରି ପଢ଼ିବା, ଲେଖିବା ନୋଟ୍ କରିବା ସମ୍ଭବ ହେଲାନାହିଁ । ଆନମନା ହୋଇଯାଉଛି । ଅଷ୍ଟାଦଶୀ କଥା ଭାବି ମନ ବ୍ୟଥାତୁର ହୋଇଗଲା । ତାକୁ ଟିକିଏ ଦେଖିବାକୁ, ପାଖରେ ପାଇବାକୁ ମନ ଉଚ୍ଛନ୍ନ ହେଉଥାଏ । ହଠାତ୍ ପ୍ରତିବେଶିନୀ ଗବେଷିକା ମିସେସ୍ ଶ୍ରୀବାସ୍ତବ କୌଣସି କାମରେ ପାଖକୁ ଆସିବାରୁ ସାର୍ଥକ ସମ୍ବିତ୍ ଫେରି ପାଇଲା ।

 

ସାର୍ଥକ ପୁଣି କାମ ଭିତରେ ବୁଡ଼ି ରହିଲା । ଦୈନିକ ଭାବେ ଅଷ୍ଟାଦଶୀର ଚିଠିର ଉତ୍ତର ଲେଖିବ । କିନ୍ତୁ କାମ ଚାପାରେ କୌଣସି ମତେ ସମ୍ଭବ ହୁଏନାହିଁ ।

 

ପନ୍ଦରଦିନ ପରେ ପୁଣି ଅଷ୍ଟାଦଶୀର ଚିଠି ଆସିଲା ।

କଣ କହିବି? ଆପଣଙ୍କୁ ଲେଖିବାକୁ ମଧ୍ୟ ଲଜ୍ଜା ଲାଗୁଛି । ତେବେ ନ ଜଣାଇ ରହି ପାରୁନାହିଁ । ଲାଗଲାଗ ତିନିଦିନ ରାତିରେ ଆପଣଙ୍କୁ ସ୍ୱପ୍ନ ଦେଖିଲି । ସେଥିରେ କି ଆନନ୍ଦ, କି ସୁଖ କହିପାରିବି ନାହିଁ । କି ଅପୂର୍ବ ରୋମାଞ୍ଚ । ସେହି ଆନନ୍ଦ, ସୁଖ ଓ ରୋମାଞ୍ଚ ଅନୁରଣନ ହେଉଛି ମୋର ଦେହ, ମନ ଓ ପ୍ରତ୍ୟେକ ଅଣୁ-ପରମାଣୁରେ । ସାରାଦିନ ମୋ ମୁହଁରେ ହସ ଲାଗି ରହିଥାଏ । ବିସ୍ମିତ ମା’ ବାପା, ବନ୍ଧୁବାନ୍ଧବ । ଜଣେ ଦୁଇଜଣ ଅନ୍ତରଙ୍ଗ ବାନ୍ଧବୀ ପ୍ରଶ୍ନ କଲେ-ଦୂର୍ବା ଘଟଣା କଣ କିରେ? ଦୁଇ ତିନିଦିନ ହେଲା ତୋ ମୁହଁରେ ହସ ଲାଗି ରହିଛି । ମୁଁ ହସୁ ହସୁ ଗୀତଗାଇ ଉତ୍ତର ଦେଲି-

 

ଚିତ୍ତ ମୋର ହଜିଗଲା ଆଜି ବଉଦର ବିତାନେ

କୁଆଡ଼େ ଭାସି ଚାଲିଛି ବା ସେ କୁଆଡ଼େ କିଏ ଜାଣେ ।

 

ଆପଣ ହିଁ କହନ୍ତୁ-ଏହାଛଡ଼ା ସେମାନଙ୍କୁ ଆଉ କଣ କହିପାରିଥାନ୍ତି? ଆହୁରି କେତେ କଥା ପରେ ସେ ଲେଖିଛି– କେବଳ ଆପଣଙ୍କପାଇଁ ମନଦେଇ ପଢ଼ୁଛି । ମନେ ହେଉଛି ଅନର୍ସ ପାଇବି । ଆପଣ ଯାହାକୁ ଅତ୍ୟନ୍ତ ଭଲ ପାଆନ୍ତି ଓ ଅତ୍ୟନ୍ତ ଦରଦ ତଥା ଆନ୍ତରିକତା ସହିତ ପଢ଼ାଇ ପଲ୍ ସାଇନ୍ସ୍‌ର ପ୍ରେମରେ ପଡ଼ିବାକୁ ବାଧ୍ୟ କରିଛନ୍ତି, ସେ କେମିତି ପାଠପଢ଼ାରେ ହେଳା କରିବ?

 

ପୁଣି ଲେଖିଛି-ମୁଁ ଜାଣେ ଆପଣ ଖୁବ୍ ବ୍ୟସ୍ତ ଅଛନ୍ତି । ଦିନରାତି ପଢ଼ାପଢ଼ି କରି କ୍ଲାନ୍ତ ହୋଇ ପଡ଼ୁଛନ୍ତି । ହଠାତ୍ ଯଦି ମୁଁ ଆପଣଙ୍କ ପାଖକୁ ସେଠାକୁ ଯାଏ ତେବେ ଆପଣଙ୍କର କ୍ଲାନ୍ତି ଦୂର ହେବ କି? ସମ୍ଭବ ହେଲେ ଚିଠି ଦେବେ ।

 

ଚିଠିପଢ଼ି ସାର୍ଥକର ଅନ୍ତର ଆନନ୍ଦରେ ନାଚି ଉଠିଲା । ଟିକିଏ ହସିଲା । ମନେମନେ କହିଲା-ଅଷ୍ଟାଦଶୀ! ରିଏଲି ଇଉ ଆର୍ ଏ ଲଭ୍‌ଲି ଗାର୍ଲ । ସତ କହୁଛି ମନ ହେଉଛି ବର୍ତ୍ତମାନ ତୁମ ପାଖକୁ ଉଡ଼ିଯାଆନ୍ତି । ତୁମକୁ ଆଦର କରନ୍ତି । ମୁଁ ସ୍ଥିର ଭାବରେ ବୁଝି ପାରୁଛି ଏହି ସାମୟିକ ବିଚ୍ଛେଦ ବିରହରେ ଆହୁରି ଘନିଷ୍ଠ ଭାବେ ଆମେ ପରସ୍ପରକୁ ଭଲ ପାଆନ୍ତି । ଆମ ଭଲ ପାଇବାରେ କୌଣସି ଦୈନ୍ୟ ନାହିଁ, ଗ୍ଲାନି ନାହିଁ । ଏହି ପ୍ରେମ ଈଶ୍ୱରଙ୍କ ଆଶୀର୍ବାଦ ।

 

ଶତ ବ୍ୟସ୍ତତା ଭିତରେ ସାର୍ଥକ କେତେଦିନ ପରେ ତାକୁ ଚିଠି ଲେଖିଲା ।

ଇତି ମଧ୍ୟରେ ସିଙ୍ଗାପୁରରୁ ତୃଣାର ମଧ୍ୟ ଗୋଟାଏ ଚିଠି ଅସିଛି । ନାନା କଥା ମଧ୍ୟରେ ସେ ଲେଖିଛି ଆମେରିକାନ୍ ଏକ୍ସପ୍ରେସ୍ ମାଧ୍ୟମରେ ଗତକାଲି ତୋ ପାଖକୁ ଏକହଜାର ସିଙ୍ଗାପୁର ଡଲାର ପଠାଇଛି । ସେମାନେ ତତେ ପେ-ଅର୍ଡ଼ର୍ ପଠାଇବେ । ତୁ ଏହି ଟଙ୍କାରେ ଅବିଳମ୍ବେ ଗୋଟାଏ ଟେଲିଫୋନ୍ ନେବାର ବ୍ୟବସ୍ଥା କରିବୁ । ତୋ ସହିତ କଥାବାର୍ତ୍ତା କରିବାର ସୁଯୋଗ ନ ପାଇ ଆମେ ତିନିଜଣ ଯାକ ଅଣନିଃଶ୍ୱାସୀ ହୋଇ ଗଲୁଣି ।

 

ଏହିଭଳି ଭାବରେ ଦିନ ଆଗେଇ ଚାଲିଲା । ମାସ ପରେ ମାସ ଆସିଲା, ଗଲା । ଦୂର୍ବାର ପରୀକ୍ଷା ଆରମ୍ଭ ହେଲା । ଶେଷ ମଧ୍ୟ ହେଲା । ଇତିମଧ୍ୟରେ ସାର୍ଥକର କ୍ୱାର୍ଟର୍‌କୁ ଟେଲିଫୋନ୍ ଆସିଗଲା । ସାର୍ଥକ ସେ ଖବର ତୃଣା ଓ ଦୂର୍ବାକୁ ଜଣାଇଲା । ସେ ଖବର ଜଣାଇବା ସଙ୍ଗେ ସଙ୍ଗେ ସିଙ୍ଗାପୁରରୁ ଟେଲିଫୋନ୍ ଆସିଲା- ଭାଇମଣି!

 

ସାର୍ଥକ ଚିତ୍କାର କରି ଉଠିଲା-ଓ ମାଇଁଗଡ଼ । ଦିଦିଭାଇ, ତୃଣା ହସିହସି କହିଲା-ଆଜି ଅପରାହ୍ଣରେ ଅଫିସ୍‌ରୁ ଫେରି ତୋ ଚିଠି ପାଇ ଫୋନ୍ କରୁଛି ।

 

–ଅନେକ ଦିନ ପରେ ତୋ ସାଙ୍ଗରେ କଥା ହୋଇ ଖୁବ୍ ଭଲ ଲାଗୁଛି । ତତେ ଖୁବ୍ ଭଲ ଲାଗୁଛି ନା ଦିଦିଭାଇ?

 

–ହଁ ଭାଇ, ଖୁବ୍ ଭଲ ଲାଗୁଛି । ତୁ କେମିତି ଅଛୁ? କାମଦାମ ଖିଆପିଆ?

–ହଁ ଦିଦିଭାଇ ଭଲ ଅଛି । ତୋର ଚିନ୍ତା କରିବାର କିଛି କାରଣ ନାହିଁ ।

–ସତ କହୁଛୁ ତ?

–ଦିଦିଭାଇ ତତେ କ’ଣ ମୁଁ ମିଛ କହିବି?

 

ପବିତ୍ର ସାର୍ଥକ ସହିତ କଥା ହେବାପରେ କହିଲା-ନେ, ଏବେ ବୁବୁନ୍ ସାଙ୍ଗରେ କଥା ହୋ- । ସେ ତୁମ ସହିତ କଥା ହେବାକୁ ଛଟପଟ ହେଉଛି । ସମସ୍ତେ କଥାବାର୍ତ୍ତା ହେଲେ । ବୁବୁନ୍ କହିଲା-ମାମୁ ତୁମର ରିସର୍ଚ୍ଚ କାମ ସରିବାମାତ୍ରେ ତୁମେ ଏଠାକୁ ଆସିବ ।

 

–ହଁ, ହଁ- ଆସିବି । ତୁମ ରିସର୍ଚ୍ଚ କାମ ଶେଷ ହେଲା ଜାଣିଲେ ମା’ ବାପା ତୁମପାଇଁ ପ୍ଲେନ୍ ଟିକେଟ୍ କରିଦେବ ।

 

–ହଁ, ହଁ- ଆସିବି । ଠିକ୍ ଦୁଇଦିନ ପରେ ବଡ଼ିଭୋର୍‌ରୁ ଦୂର୍ବାର ଫୋନ୍ ।

– ହାଲୋ ।

– ମୁଁ ଅଷ୍ଟାଦଶୀ ।

– ଓ ମାଇଁ ଗଡ଼ । ହ୍ୱାଟ୍ ଏ ପ୍ଲିଜାଣ୍ଟ ସରପ୍ରାଇଜ୍‌?

– କାଲି ଆପଣଙ୍କ ଚିଠି ପାଇଛି । କିନ୍ତୁ ସନ୍ଧ୍ୟାପରେ ଆପଣଙ୍କୁ ପାଇବି କି ନାହିଁ ।

 

ତାକୁ କଥାଟା ଶେଷକରିବାକୁ ନ ଦେଇ ସାର୍ଥକ କହିଲା ଯେଉଁଦିନ ବେଳବୁଡ଼େ ଲାଇବ୍ରେରୀକୁ ଯାଏ, ସେଦିନ ଫେରୁ ଫେରୁ ବହୁତ ରାତି ହୋଇଯାଏ । ତା ନ ହେଲେ ଏହି କ୍ୱାର୍ଟର୍‌ରେ ବସି କାମ କରେ ।

 

–ମୁଁ ଆପଣଙ୍କୁ ଏହିଭଳି ସକାଳେ ଫୋନ୍ କରିବି ।

–ହଁ, ସେଇଆ କର । ସାର୍ଥକ ପଚାରିଲା-ଅଷ୍ଟାଦଶୀ? କିପରି ଅଛି?

–ଆପଣ କଣ ବୁଝି ପାରୁନାହାନ୍ତି ମୁଁ କେମିତି ଅଛି?

 

–ଅଷ୍ଟାଦଶୀ ! ପ୍ଲିଜ୍ ଦୁଃଖ କରନା । ମୋର କାମ ଏଠାରୁ ସରିଗଲେ ମୁଁ ନିଶ୍ଚୟ ତୁମର ସବୁ ଦୁଃଖ ଦୂର କରିବି ।

 

–ଠିକ୍ ତ?

–କାହିଁକି? ତୁମେ କ’ଣ ମତେ ବିଶ୍ୱାସ କରନା?

–ଆପଣଙ୍କୁ ବିଶ୍ୱାସ ନ କଲେ ମୁଁ ବଞ୍ଚିବି କେମିତି?

–ଅଷ୍ଟାଦଶୀ ! ମନ ଖରାପ କରନା । ଶରୀର ଯେମିତି ଅସୁସ୍ଥ ନ ହୁଏ । ମୋହର ମାଉସୀଙ୍କ ପାଖକୁ ପ୍ରତି ସପ୍ତାହରେ ଯାଉଛ ତ?

 

– ହଁ ଯାଉଛି ।

– ମୋର ଅଶେଷ ସ୍ନେହ ନିଅ ।

– ମୁଁ ଟେଲିଫୋନ୍‌ରେ ସ୍ନେହ ଚାହେଁନା ।

ସାର୍ଥକ କହିଲା-ମୁଁ ଟେଲିଫୋନ୍‌ରେ ଖୁବ୍ ବେଶୀଦିନ ସ୍ନେହ ଜଣାଇବି ନାହିଁ ।

–ବିଶ୍ୱାସ କରନ୍ତୁ । ମୁଁ ସେହି ଦିନର ଆଶାରେ ବଞ୍ଚିଛି ।

–ଅଷ୍ଟାଦଶୀ! ମୁଁ ମଧ୍ୟ ସେହିଦିନର ପ୍ରତୀକ୍ଷା କରୁଛି ।

 

ଏହିଭଳି ସମୟ ଆଗେଇ ଚାଲେ । ଯେତେଦିନ ଯାଏ, ସାର୍ଥକର କାର୍ଯ୍ୟ ବ୍ୟସ୍ତତା ସେତେ ବଢ଼ି ବଢ଼ି ଚାଲେ । ଅଧ୍ୟାପକ ରଙ୍ଗରାଜନ୍ ଆଜିକାଲି ପ୍ରାୟ ପ୍ରତିଦିନ କହନ୍ତି ତୁମେ ନିଶ୍ଚୟ ଆସନ୍ତା ମାସ ଶେଷସୁଦ୍ଧା ମତେ ଥେସିସ୍‌ଟି ଦେଇଦେବ । ଆଶାକରେ ପନ୍ଦରଦିନ ମଧ୍ୟରେ କରେକ୍‌ସନ କରି ଡ୍ରାଫ୍ଟ ଫେରାଇ ଦେଇ ପାରିବି ।

 

–ହଁ ସାର୍‌ ! ମୁଁ ମଧ୍ୟ ଆଶା କରୁଛି ଆସନ୍ତା ମାସ ଭିତରେ ଡ୍ରାଫ୍ଟ ପ୍ରସ୍ତୁତ କରି ଆପଣଙ୍କୁ ଦେଇପାରିବି ।

 

–ଇୟେସ୍‌ ! ଦ୍ୟାଟ୍ସ ହ୍ୱାଟ୍ ଆଇ ୱାଣ୍ଟ ।

ଥେସିସ୍‌ର ଡ୍ରାଫ୍ଟ ଲେଖିବାକୁ ବସି ସାର୍ଥକର ମୁଣ୍ଡ ଖରାପ ହୋଇଗଲା । ତେବେ କୂଳରେ ଆସି ପହଞ୍ଚି ନୌକା ତ ବୁଡ଼ିଯିବ ନାହିଁ । ଦିନରାତି ଅମାନୁଷିକ ପରିଶ୍ରମ କରେ । ଏହାରି ଭିତରେ ପରାମର୍ଶପାଇଁ ଅଧ୍ୟାପକ ରଙ୍ଗରାଜନଙ୍କ ପାଖକୁ ଛୁଟିଯାଏ । ଖାଇବା ପିଇବା ଶୋଇବାରେ କିଛି ଠିକ୍ ଠିକଣା ନାହିଁ । ପ୍ରାୟଦିନ ବେଳବୁଡ଼େ ଯମୁନା କାମକରିବାକୁ ଆସି ଡାଇନିଂ ଟେବୁଲ ଉପରେ ଟିଫିନ୍ କେରିଅର୍ ଦେଖି ରାଗିଯାଏ । କହେ ବାବୁଜୀ ଏବେ କେତେଟା ବାଜିଲାଣି ଜାଣିଛ? ବେଳବୁଡ଼ ପାଞ୍ଚଟା ଯାଏ ନ ଖାଇ କେହି କେଉଁଠି କାମ କରେ?

 

ସାର୍ଥକ ହାତର ଘଣ୍ଟାକୁ କେବଳ ଟିକିଏ ଚାହିଁ ହସିଦିଏ, କିଛି କହେନା । ଯମୁନା କହେ ଉଠିପଡ଼ । ମୁଁ ସବୁ ଖାଦ୍ୟ ଗରମ କରିଦେଉଛି ।

 

ଏଇଭଳି ଦିନ ଯାଏ । କାମ ଆଗେଇ ଚାଲେ । ସିଙ୍ଗାପୁର ଓ ସାଇଁଥିଆରୁ ଫୋନ୍ ଆସେ-। ସେମାନଙ୍କ ସହିତ କଥାହେଲେ ସାର୍ଥକକୁ ଭଲ ଲାଗେ । ମାତ୍ର ଟେଲିଫୋନ୍ ରିସିଭର୍‌ଟି ଥୋଇଦେଲେ ପୁଣି କାମରେ ଲାଗିଯାଏ । ବର୍ତ୍ତମାନ କିଛି ଚିନ୍ତା କରିବାର ଅବକାଶ ନାହିଁ, ତାପରେ ?

 

ଥେସିସ୍ କାମ ସରିଯାଏ । ଅଧ୍ୟାପକ ରଙ୍ଗରାଜନ୍ ପୂରା ଥେସିସ୍‌ଟି ପଢ଼ି ଖୁସିରେ କହନ୍ତି-ୱେଲ୍‌ଡନ୍ ମାଇଁ ବୟ । ଥେସିସ୍ ଟାଇପ୍ ହେଲା । ସଂଶୋଧନ କରାହେଲା । ପୁଣି ଟାଇପ୍ ହେଲା-। ତାପରେ ଦିନେ ସାର୍ଥକ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଖରେ ଥେସିସ୍ ଦାଖଲ କଲା । ନା-ବର୍ତ୍ତମାନ ମଧ୍ୟ ତାର ଛୁଟି ନାହିଁ । ଭାଇବାପାଇଁ ପ୍ରସ୍ତୁତ ହେଉଛି । ତିନିଜଣ ବସିବେ । କିଏ କି ପ୍ରଶ୍ନ ପଚାରିବେ ତା’ର ଠିକ୍ ଠିକଣା ନାହିଁ । ତିନିଜଣ ଯାକଙ୍କୁ ସନ୍ତୁଷ୍ଟ କରିବାକୁ ହେବ । ତେବେଯାଇ ପିଏଚ୍‌ଡ଼ି ବୈତରଣୀ ପାରହେବ ସାର୍ଥକ । ଦିନେ ହଠାତ୍ ଦୂର୍ବାର ଗୋଟିଏ ଚିଠି ଆସି ପହଞ୍ଚିଲା । ମୋର ଆକାଶ । ଟେଲିଫୋନ୍‌ରେ କହିବାକୁ ଦ୍ୱିଧାହୁଏ ବୋଲି ଚିଠିରେ ଲେଖୁଛି । ଆଉ କୌଣସି ମତେ ସାର୍ କହିବାକୁ ଇଚ୍ଛା ହେଉ ନାହିଁ । ଆପଣ ଆପଣ ବୋଲି କହିଲେ କଣମନ ବୁଝେ । ହଁ,ମୁଁ ତୁମକୁ ଆକାଶ ବୋଲି ଡାକିବି । ଯେଉଁ ମନର ଆକାଶରେ ହୃଦୟର ରଙ୍ଗ ଦେଇ ଅସଂଖ୍ୟ ଛବି ଆଙ୍କିଛି, ସେ ତ ତୁମେ । ତୁମେ ମୋର ସ୍ୱପ୍ନ ସାଧନାର ଆକାଶ । ତୁମେ ସୀମାହୀନ ଅନନ୍ତ । ତୁମେ ମୁକ୍ତ, ନିର୍ମଳ । ତୁମେ ମୋର ସ୍ୱପ୍ନ, ତୁମରି ଆକାଶରେ ସ୍ଥାନ ପାଇବାକୁ ଆଶା କରିଛି ବୋଲି ତ ଶବରୀ ଭଳି ପ୍ରତୀକ୍ଷା କରିଛି । ଆକାଶ, ତୁମେ ଭଲ ରହ । ମତେ ଭଲରେ ରଖ ।

 

-ତୁମର ଅଷ୍ଟାଦଶୀ ।

ସାର୍ଥକ ଚିଠିଟା ବାରମ୍ବାର ପଢ଼ିଲା । ନ ପଢ଼ିରହି ପାରିଲା ନାହିଁ । କେବଳ ସେଦିନ ନୁହେଁ-। ଲାଗଲାଗ କେତେଦିନ । ତାପରେ ଚିଠିର ଉତ୍ତର ଦେଲା- ଅଷ୍ଟାଦଶୀ! ତୁମର ଏହି ଛୋଟ ଚିଠିଟି ପଢ଼ି ମନ ଆନନ୍ଦରେ ପୂରିଉଠିଲା । ଚିଠିଟିକୁ କେତେଥର ଯେ ପଢ଼ିଛି ତାର ଠିକ୍ ଠିକଣା ନାହିଁ । ପ୍ରତିଦିନ ସନ୍ଧ୍ୟା ସକାଳେ ଚିଠିଟା ନ ପଢ଼ିଲେ ଶାନ୍ତି ପାଉନାହିଁ ।

 

ମଝିରେ ମଝିରେ ତୃଣା ଫୋନ୍ କରେ ପ୍ରତ୍ୟେକ ଥର ସେ ଦୂର୍ବା ବିଷୟରେ ପଚାରେ । ସାର୍ଥକ ତାକୁ ସବୁ ଜଣାଏ । କିଛି ଗୋପନ ରଖେନା । ତୃଣା ଖୁସିହୁଏ । କହେ ଭାଇମଣି! ପୁତୁଲକୁ ଆଉ କଷ୍ଟ ଦେ ନାହିଁ । ତୋର ଭାଇବା ହୋଇଗଲେ ତାକୁ ବିବାହ କର । ତାପରେ ତୁମେ ଦୁହେଁ ଆମ ପାଖକୁ ଆସିବ । ମୁଁ ସବୁ ବ୍ୟବସ୍ଥା କରିଦେବି ।

 

–ହଁ ଦିଦିଭାଇ, ମୁଁ ବି ସେଇଆ ଭାବିଛି ।

ଭାଇବା ତାରିଖ ଜାଣିବା ପରେ ସାର୍ଥକ ପୁଣି ସବୁକିଛି ଭୁଲି ପଢ଼ାଶୁଣାରେ ମନ ଲଗାଇ ଦେଲା ।

 

ପ୍ରାୟ ଦୁଇମାସ ପରେ ହଠାତ୍ ଦିନେ ସାର୍ଥକର ମନେ ପଡ଼ିଲା ଯେ ଅନେକଦିନ ହେଲା ଅଷ୍ଟାଦଶୀଠାରୁ କୌଣସି ଚିଠି ଆସି ନାହିଁ । ଟେଲିଫୋନ୍ ପର୍ଯ୍ୟନ୍ତ ଆସିନାହିଁ । ସନ୍ଦେହ ହେଲା ତା’ର କଣ ଦେହ ଖରାପ ନା ବାପା ମା’ଙ୍କ ସାଙ୍ଗରେ କୁଆଡ଼େ ବୁଲି ଯାଇଛି । ପୁଣି ଭାବିଲା-ସେ ପଢ଼ାପଢ଼ିରେ ବ୍ୟସ୍ତ ଅଛି ବୋଲି ଅଷ୍ଟାଦଶୀ ଟେଲିଫୋନ୍ କରୁନାହିଁ କିମ୍ବା ଚିଠିପତ୍ର ଦେଉନାହିଁ ।

 

ଭାଇବା ଭଲ ହେଲା । ରାତିରେ ଅଧ୍ୟାପକ ରଙ୍ଗରାଜନ ତାକୁ ଫୋନ୍ କରି କହିଲେ- ମୋ କଥା ଛାଡ଼, ଅନ୍ୟ ଦୁଇଜଣ ଏକ୍‌ଜାମିନ୍‌ର ତୁମର ଶୁଣି ଭାରି ଖୁସି । ସେମାନେ କହିଲେ-କେବଳ ତା ପେପର ପଢ଼ି ନୁହେଁ, ମୌଖିକ ଉତ୍ତରରେ ଆମେ ମୁଗ୍‌ଧ ହୋଇଛୁ ।

 

ସାର୍ଥକ କହିଲା-ସାର୍‌! କେବଳ ଆପଣଙ୍କପାଇଁ ମୁଁ ଏଭଳି ଅସାଧ୍ୟ ସାଧନ କରି ପାରିଛି । ଅନ୍ୟ କୌଣସି ଗାଇଡ୍ ହେଲେ ମୋଦ୍ୱାରା କିଛି ହୋଇ ପାରନ୍ତା ନାହିଁ ।

 

–ସେ ସବୁ କଥା ଛାଡ଼ । ଏବେ ଭବିଷ୍ୟତ କଥା ଚିନ୍ତା କର । ତୁମ ଆମ୍ମାର ହୁକୁମ୍ ତୁମେ କାଲି ଆମ ଘରେ ଖାଇବ ।

 

–ହଁ ସାର୍‌ ! ନିଶ୍ଚୟ ଆସିବି ।

ପରଦିନ ଖାଇବସି ରଙ୍ଗରାଜନ୍ କହିଲେ-ସାର୍ଥକ ମନେ ହେଉଛି ତୁମକୁ ଏହିଠାରେ ରହିବାକୁ ହେବ ।

 

–କାହିଁକି ସାର୍‌?

–ମନେ ହେଉଛି ଜେଏନ୍‌ୟୁରେ ତୁମେ ଲେକ୍‌ଚରର୍ ହେବ । ଆଜି କେତେଜଣଙ୍କଠାରୁ ଶୁଣି ମନେହେଲା ଅଳ୍ପଦିନ ଭିତରେ ତୁମେ ଅଫର୍ ପାଇବ ।

 

ସାର୍ଥକ କହିଲା-ସାର୍‌ ! ଆପଣ ନିଶ୍ଚୟ ସମସ୍ତଙ୍କୁ ମୋ ବିଷୟରେ କିଛି.....

ତାକୁ କଥା ଶେଷକରିବାକୁ ନ ଦେଇ ରଙ୍ଗରାଜନ କହିଲେ ତୁମର ଥେସିସ୍ କଥା ଓ ଭାଇବା କଥା ଅନେକ ଲୋକ ଜାଣିଛନ୍ତି, ଶୁଣିଛନ୍ତି । ତେଣୁ....

 

ସ୍ୱାମୀଙ୍କୁ କଥାଶେଷ କରିବାକୁ ନଦେଇ ମିସେସ୍ ରଙ୍ଗରାଜନ୍ କହିଲେ-ଦେଖ ସାର୍ଥକ । ତୁମେ ଏଠାରେ ନୂଆନୁହଁ । ତାଛଡ଼ା ତୁମର ଥେସିସ୍ ଓ ଭାଇବା ବିଷୟରେ ଜାଣିବା ପରେ ସମସ୍ତେ ଚାହାନ୍ତି – ତୁମେ ଏଠାରେ ରହ । ତୁମ ଡିପାର୍ଟମେଣ୍ଟ ଦୁଇଟି ପୋଷ୍ଟ ଅନେକ ଦିନହେଲାଣି ଖାଲି ଅଛି । ତା ଛଡ଼ା କିଛିଦିନ ପରେ ତ ତୁମର ସାର୍ ଚାଲି ଯାଉଛନ୍ତି । ତେଣୁ ତୁମକୁ ନ ରଖି ଉପାୟ ଅଛି?

 

ସାର୍ଥକ ହସି ହସି କହିଲା-ଆମ୍ମା, ଆପଣ ଯାହା କହନ୍ତୁ ସାର୍ ଚାବିକାଠି ନ ମୋଡ଼ିଲେ ଏତେ ସହଜରେ କିଛି ହୋଇ ପାରିବନି । ଜେଏନ୍‌ୟୁ ତ ସାଧାରଣ ୟୁନିଭର୍ସିଟି ନୁହେଁ-ସମଥିଙ୍ଗ୍ ଭେରି ସ୍ପେସାଲ୍ ।

 

–ଭଲ ଛାତ୍ରମାନଙ୍କୁ ସାହାଯ୍ୟ କରିବା ତ ସବୁ ଅଧ୍ୟାପକମାନଙ୍କର କର୍ତ୍ତବ୍ୟ । ପରଦିନ ସକାଳେ ତୃଣାଠାରୁ ଫୋନ୍ ଆସିଲା ।

 

ଭାଇମଣି ! କାଲି ରାତିରେ ତତେ ସ୍ୱପ୍ନ ଦେଖିଲି ବୋଲି ଆଜି ସକାଳୁ ଫୋନ୍ କରୁଛି ।

 

–ଦିଦି ଭାଇ! ତୁ ଫୋନ୍ କରି ଭଲ କଲୁ ।

–କାହିଁକି?

 

–କାଲି ରାତିରେ ପ୍ରଫେସର ରଙ୍ଗରାଜନଙ୍କ ଘରକୁ ଖାଇବାକୁ ଯାଇ ଜାଣିଲି ମୋର ବୋଧହୁଏ ଲେକ୍‌ଚରର୍ ଚାକିରି ଏଇଠି ହୋଇଯାଉଛି ।

 

ଭାଇମଣି ! ଗ୍ରେଟ୍ ନିଉଜ୍ । ମୁଁ ନିଶ୍ଚିତ, ତୁ ଅନେକ ଉନ୍ନତି କରିବୁ । ତୋ ଭଗ୍ନୀପତିଙ୍କୁ ସେ ଖବରଟା ତୁ ନିଜେ କହ । ମୁଁ ତାଙ୍କୁ ଫୋନ୍ ଦେଉଛି ।

 

ଖବରଟା ଶୁଣି ପବିତ୍ର ମଧ୍ୟ ଖୁବ୍ ଖୁସି ହେଲା । ଶଳାକୁ ଅଭିନନ୍ଦନ ଜଣାଇଲା ।

 

ଠିକ୍ ଦୁଇଦିନ ପରର କଥା । ସାର୍ଥକ ଲାଇବ୍ରେରୀରେ କିଛି ବହି ଫେରସ୍ତ ଦେଇ ପ୍ରଫେସର ରଙ୍ଗରାଜନଙ୍କୁ ଦେଖାକରି କ୍ୱାର୍ଟର୍‌କୁ ଫେରିବାବେଳକୁ ପ୍ରାୟ ଏଗାରଟା ହୋଇଥିଲା । ପାଞ୍ଚମିନିଟ୍ ଭିତରେ ଦୂର୍ବା ହାତରେ ଗୋଟାଏ ସୁଟ୍‌କେଶ୍ ଧରି ପହଞ୍ଚିଲା । ଖୁସି ଓ ବିସ୍ମୟର ସହିତ ସାର୍ଥକ ପଚାରିଲା-ହଠାତ୍ ଖବର ନ ଦେଇ କେଉଁଠୁ ଆସିଲ?

 

ଦୂର୍ବା ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇ କହିଲା-ସିଧା ସାଇଁଥିଆରୁ ଆସୁଛି । କାଲି ବୋଲପୁର ଆସି ଶାନ୍ତିନିକେତନ ଏକ୍ସପ୍ରେସ୍‌ରେ ହାଓଡ଼ା ଆସି ରାଜଧାନୀ ଏକ୍ସପ୍ରେସ୍‌ରେ ଆସିଲି ।

 

–ଖବର ଦେଇଥିଲେ ମୁଁ ଷ୍ଟେସନ୍‌କୁ ଯାଇଥାନ୍ତି ।

–ସେଥିପାଇଁ ସମୟ ମିଳିଲା ନାହିଁ ।

–କିନ୍ତୁ ଏକୁଟିଆ ଆସିଲ କାହିଁକି?

 

ଦୂର୍ବା ମ୍ଲାନ ଦୃଷ୍ଟିରେ ତାକୁ ଚାହିଁ କହିଲା-କାହାକୁ ନେଇ ଆସିବି? ମୋର ତ କେହି ନାହାନ୍ତି ।

 

ସାର୍ଥକ ଆଶ୍ଚର୍ଯ୍ୟ ହୋଇ ପଚାରିଲା-ବାପା ମା’ଙ୍କ ସାଙ୍ଗରେ ଝଗଡ଼ା କରି ଆସିଛ ନା କ’ଣ?

–ସେମାନେ ଥିଲେ ତ ଝଗଡ଼ା କରିବି ।

–ତା ମାନେ?

–ସେମାନେ ନାହାନ୍ତି ।

ସାର୍ଥକ ଦୃଢ଼ଭାବରେ ପଚାରିଲା-ନାହାନ୍ତି ମାନେ?

 

ଦୂର୍ବା ଖୁବ୍ ଜୋର୍‌ରେ ଗୋଟାଏ ଦୀର୍ଘ ନିଃଶ୍ୱାସ ନେଇ କହିଲା-ବାପା ରିଟାୟାର୍ କରିବା ପରେ ତାଙ୍କର ତିନିଜଣ ପୁରୁଣା ବନ୍ଧୁଙ୍କ ଅନୁରୋଧରେ ମା’ଙ୍କୁ ନେଇ ତାଙ୍କ ସାଙ୍ଗରେ ବଦ୍ରିନାଥ-କେଦାରନାଥ ଗଲେ । ଏତିକି କହି ସେ କାନ୍ଦି ଉଠିଲା । ଟିକିଏ ପରେ କହିଲା-ଫେରିବା ବାଟରେ ବସ୍‌ଟି ଅଳକା ନନ୍ଦାରେ ଖସିପଡ଼ିଲା । ସବୁ ଶେଷ ।

 

–ଆହା । ସାର୍ଥକ ଖବରଟା ଶୁଣି ସ୍ତମ୍ଭିତ ହୋଇଗଲା । ଦୂର୍ବା ଲୁହ ଝର ଝର ଆଖିରେ ସାର୍ଥକର ହାତଦୁଇଟିକୁ ଜାବୁଡ଼ି ଧରି କାନ୍ଦିକାନ୍ଦି କହିଲା- ଆକାଶର କୋଳରେ ମୋପାଇଁ ଟିକିଏ ଜାଗା ମିଳିବ ତ?

 

ସାର୍ଥକ କିଛି କହିପାରିଲା ନାହିଁ । ଦୂର୍ବାକୁ ଦୁଇହାତରେ ଛାତି ଉପରକୁ ଭିଡ଼ିନେଲା ।

 

ଅପରାହ୍ଣରେ ସାର୍ଥକ ଦୂର୍ବାକୁ ପ୍ରଫେସର ରଙ୍ଗରାଜନଙ୍କ ଘରକୁ ନେଇ କହିଲା-ସାର୍‌ ! ଆପଣ ଓ ଆମ୍ମା ସବୁକଥା ଜାଣନ୍ତି । ତା ପରେ ଦୂର୍ବାର ହଠାତ୍ ଆସିବାର କାରଣ କହି କହିଲା- ଆପଣ ବର୍ତ୍ତମାନ ଯାହା କରିବା ଉଚିତ ତାହା କରିବେ । ସେ ପର୍ଯ୍ୟନ୍ତ ଦୂର୍ବା ଆପଣଙ୍କ ପାଖରେ ରହିଲା ।

 

ମିସେସ୍ ରଙ୍ଗରାଜନ୍ ଦୂର୍ବାକୁ କୁଣ୍ଢାଇ ଧରି କହିଲେ-ପୁତୁଲ୍‌ ! ଦୁଃଖ କରନା । ମୁଁ ବି ତ ତୋର ମା’ ।

 

ତା ପରଦିନ ମିସେସ୍ ରଙ୍ଗରାଜନ୍ କାଳୀବାଡ଼ିର ପୁରୋହିତକୁ ଦେଖାକରି ବିବାହର ଦିନ, କ୍ଷଣ ଓ ଅନ୍ୟାନ୍ୟ ସମସ୍ତ ବିଷୟ ଜାଣି ଆସିଲେ । ସାର୍ଥକ ସିଙ୍ଗାପୁରକୁ ଫୋନ୍ କରି ତୃଣାକୁ ସବୁକଥା ଜଣାଇବାରୁ ସେ ଚମକି ପଡ଼ିଲା । ତାପରେ ଅନ୍ୟାନ୍ୟ ଖବର ଓ ବିବାହର ଦିନ କହିବାରୁ ତୃଣା କହିଲା-ହଁ-ଆମ୍ମା ଠିକ୍ କହିଛନ୍ତି । ବର୍ତ୍ତମାନ ଆଉ ଦିନଟିଏ ବି ଡେରି କରିବା ଠିକ୍ ହେବନାହିଁ । ଭାଇମଣି ! ବିବାହ ପରେ ତୁ ଓ ପୁତୁଲ୍ ଏଠାକୁ ଆସ । ଖୁବ୍ ମଜାହେବ ।

 

–ନା ଦିଦିଭାଇ, ଏବେ ଯାଇ ପାରିବି ନାହିଁ । କାରଣ ମତେ ବୋଧହୁଏ ଖୁବ୍‍ଶୀଘ୍ର ଏଠାରେ ଜଏନ୍ କରିବାକୁ ପଡ଼ିବ । ତାପରେ ଯେତେବେଳେ ଛୁଟି ପାଇବି, ସେତେବେଳେ ତୋ ପାଖକୁ ଆମେ ଆସିବୁ ।

 

ଅଧ୍ୟାପକ ରଙ୍ଗରାଜନ୍ ଏବଂ ତାଙ୍କ ସ୍ତ୍ରୀ ଧୁମ୍‌ଧାମ୍‌ରେ ବିବାହ ସମ୍ପନ୍ନ କଲେ । ତାପରେ ସାର୍ଥକ ଅଷ୍ଟାଦଶୀକୁ ନେଇ ସିମଲାକୁ ଗଲା ।

 

ଦିଦିଭାଇ ! ବିବାହର ପରେ ଠିକ୍ ସାତଦିନ ଆମେମାନେ ସିମଳାରେ ଥିଲୁ । ଗପସପ, ହସଖୁସି ସଙ୍ଗୀତ ଭରା ଏହି ସାତଦିନ କି ଆନନ୍ଦରେ କଟିଛି । ମୁଁ ସ୍ୱପ୍ନରେ ଭାବିନଥିଲି ବିବାହ ପରେ ଜଣେ ଏତେ ସୁଖରେ ଦିନ କାଟିପାରେ । ଦିଲ୍ଲୀ ଫେରିଆସିବା ପରେ ଦେଖିଲି ତାର ଦେହ ଗରମ ଲାଗୁଛି । ସକାଳେ ଦେଖିଲି ୧୦୧ ଜର । ତା ଛଡ଼ା ସେ କହିଲା ଦେହ ହାତରେ ଖୁବ୍ ଯନ୍ତ୍ରଣା ହେଉଛି । ବୁଝିଲ ଫ୍ଲୁ ହୋଇଛି । କହିଲି ତିନିଦିନ ପରେ ଏ ଜ୍ୱର ଯିବ ।

 

ନା– ତିନିଦିନ ତ ଦୂରର କଥା, ପାଞ୍ଚଦିନ ପରେ ଯେତେବେଳେ ଜ୍ୱର ଛାଡ଼ିଲା ନାହିଁ, ଆମ କ୍ୟାମ୍ପସ୍‌ର ଡାକ୍ତରଙ୍କ ପାଖକୁ ଗଲି । ସେ ସବୁଶୁଣି କହିଲେ-ଜ୍ୱର ସହିତ ଦେହହାତ ବିନ୍ଧା ଏ ସବୁ ତା ଫ୍ଲୁର ସିମ୍ପଟମ୍ । କିଛି ଚିନ୍ତା କରନ୍ତୁ ନାହିଁ । ବ୍ଲଡ୍ ଟେଷ୍ଟ ହେଲା । ରିପୋର୍ଟ ଆଣିବାକୁ ଯାଇଥିଲେ ପ୍ରଫେସର୍ ରଙ୍ଗରାଜନ୍ । ସେ କହିଲେ-ଏମାନେ କହିପାରୁନାହାନ୍ତି ଜ୍ୱର କାହିଁକି ହେଉଛି । ମୋର ଶଳା ଆର୍ମି ହସ୍ପିଟାଲ୍‌ରେ ଚିଫ୍ ପାଥୋଲୋଜିଷ୍ଟ । ମୁଁ କାଲି ତାଙ୍କଦ୍ୱାରା ଦୂର୍ବାର ଟେଷ୍ଟ କରାଇଦେବି ।

 

ହଁ ଦିଦିଭାଇ! ଆର୍ମି ହସ୍ପିଟାଲରେ ପରୀକ୍ଷା କରାଗଲା ।

–କଣ ବାହାରିଲା?

–ଆକ୍ୟୁଟ୍ ଲ୍ୟୁକୋମିଆ ।

 

ଶୁଣିବାମାତ୍ରେ ମୋର ମୁଣ୍ଡ ଖରାପ । ଚାରିଆଡ଼ ଅନ୍ଧାର ଦିଶୁଛି । ତଥାପି ତା ପାଖରେ ବସି ଗପସପ କରୁଛି । ସେ ଗୀତ ବୋଲି ଶୁଣାଉଚି । ମଝିରେ ମଝିରେ ମୁଁ ବାଥ୍‌ରୁମ୍‌କୁ ଯାଇ ଛାତି ଫଟାଇ କାନ୍ଦୁଛି । ତାପରେ ପୁଣି ମୁହଁ ଆଖି ଧୋଇ ସ୍ୱାଭାବିକ ହୋଇ ତା’ପାଖରେ ବସୁଛି । ଶୋଉଚି, ରସିକତା କରୁଛି । ଆଜି ଭୋର ପାଞ୍ଚଟାରେ ଝରକାବାଟେ ଆଲୋକ ଆସିବା ଦେଖି ସେ ମୋର ହାତ ଦୁଇଟି ଧରି ଆସ୍ତେ ଆସ୍ତେ ଗାଇ ଉଠିଲା-

 

–ଏହି ଆକାଶରେ ମୋ ମୁକ୍ତିର ଆଲୋକେ ଆଲୋକେ.... ଦିଦିଭାଇ ! ଠିକ୍ ସାଢ଼େଦଶଟା ସମୟରେ ମତେ ଆଉ ଅଭିନୟ କରିବାକୁପଡ଼ିଲା ନାହିଁ । ମୁଁ ପାଗଳ ଭଳି ଚିତ୍‌କାର କରି ତାକୁ କୁଣ୍ଢାଇ ଧରିଲି ।

 

–ତାପରେ?

 

–ମୋର ସମସ୍ତ ସୁଖ, ସାଧନା, ଆନନ୍ଦ, ହସ ଖେଳ ମୋର ସ୍ୱପ୍ନ ଠିକ୍ ଆଠ ଭିତରେ ନିଗମବୋଧ ଘାଟରେ ବିସର୍ଜନ କରିଦେଇ ଆସିଲି ।

 

ଦିଦିଭାଇ ! ଶୁଣିଲୁ ମୋ ସତେଇଶ ଦିନର ବିବାହିତ ଜୀବନର କାହାଣୀ ଦିଦିଭାଇ-ମୋର ସଜାଇଥିବା ଉଦ୍ୟାନଟି ଲୁଣ୍ଠିତ ହୋଇଗଲା ।

•••